Unknown

 

 

 

 

 

 

 

 

 

 

 

ଅନେକ ଶୂନ୍ୟତା

ସୁକାମିନୀ ନନ୍ଦ

 

ପରିଚୟ

 

କାନ ଡେରିଲେ ଆନନ୍ଦଶଙ୍କର । ନା, ଆଉ ଶୁଭୁନି । ଶଙ୍ଖମହୁରୀ ଏବଂ ବ୍ୟାଣ୍ଡ୍ ବାଜାର ମିଳିତ ସାହାନାଇ ସ୍ଵର ମିଳାଇ ଗଲାଣି । ଗେଟ୍ ପାଖରେ କିଛି ସମୟ ଶୂନ୍ୟ ଦୃଷ୍ଟିରେ ରାସ୍ତାକୁ ଅନାଇଁଲେ ସେ । ଆଖି ପାଇବା ପର୍ଯ୍ୟନ୍ତ । କିଛି ଦେଖା ଯାଉନି । ସୁସଜ୍ଜିତ କାର୍‍ଟି ବର କନ୍ୟାଙ୍କୁ ନେଇ ତାଙ୍କ ଦୃଷ୍ଟିର ଅନ୍ତରାଳକୁ ଚାଲି ଗଲାଣି ।

 

ଗେଟ୍‌ଟାକୁ ବନ୍ଦ କରିଦେଲେ ସେ । ଅଳସ ଆଉ ଅବସନ୍ନ ପାଦରେ ଆଗେଇ ଗଲେ ବିବାହ ମଣ୍ଡପ ନିକଟକୁ । ନିରବ ଭାବରେ ମଣ୍ଡପଟିକୁ ଅନାଇଲେ । ଯେଉଁ ସାଜସଜ୍ଜା’ ଆନନ୍ଦର ସ୍ରୋତ ସବୁ ମଉଳି ଯାଇଛି । ଚତୁର୍ଦ୍ଦିଗର ବାତାବରଣ ନିରବତାର ସୂଚନା ଦେଉଛି । ସକାଳର ଶିରି ଶିରି ପବନରେ ହଲିଯାଉଛି ବଗିଚା ଭିତରେ ଝାଉଁ ଗଛଟି । ସତେ ଯେମତି ଏକ କରୁଣ ସ୍ଵରର ଲହରୀ ବିଲମ୍ବିତ ଗତିରେ ରହି ରହି ବାଜୁଛି । ସେଇ ସ୍ଵର ଛୁଇଁ ଛୁଇଁ ଗଲା ତାଙ୍କ ଅନ୍ତରକୁ’ ହୃଦୟକୁ ବିଦିର୍ଣ୍ଣ କରି ବାହାରି ଆସିଲା ତାଙ୍କ ଦୀର୍ଘଶ୍ଵାସ । ବର୍ଷା ପବନରେ ସଜ୍ଜିତ ବିବାହ ମଣ୍ଡପ ଦୟନୀୟ ହୋଇ ପଡ଼ିଚି କାଗଜରେ ତିଆରି ଫୁଲର ତୋରଣ ଫୁଲର ମାଳା ସବୁ ଛିଡ଼ି ଯାଇ ଦୂରରେ ଏଣେତେଣେ ପଡ଼ିଚି । ଆଉ କେଉଁଠି ପାଣି କାଦୁଅରେ ପୋତି ହୋଇ ଯାଇଚି । ଉଦାସ ମନରେ ମଣ୍ଡପ ଉପରେ ବସି ପଡ଼ିଲେ ଆନାନ୍ଦଶଙ୍କର । ମଝି ରାତିରେ ଖୁବ୍ ଜୋରରେ ଅସରାଏ ବର୍ଷା ହୋଇ ଯାଇଚି । ଅଥଚ ଦିନବେଳେ ଆକାଶରେ ମେଘରେ କୌଣସି ଚିହ୍ନ ନଥିଲା । କେତେ ଜୋରରେ ମାଡ଼ି ଆସିଲା ମେଘ ପବନ । ଅଦିନମେଘ । ଯେମିତି ଆସିଲା ସେମିତି ଚାଲି ଯାଇଥିଲା । କିନ୍ତୁ ସେହି ଅଦିନ ମେଘଟା ତାଙ୍କ ଚିନୁମାଆର ହାତ ତିଆରି ଫୁଲ ବଗିଚାଟିକୁ ସଂପୂର୍ଣ୍ଣ ନଷ୍ଟ କରିଦେଇ ଚାଲିଗଲା । କେତେ ଯତ୍ନରେ ସେ ଫୁଲ ଗଛର ଚାରା ଲଗାଇ ଥିଲା । ଚାରାଗଛ ବଡ଼ ହୋଇ ପତ୍ର କଢ଼ରେ ପରିପୂର୍ଣ୍ଣ ହୋଇଗଲା । ଯେଉଁଦିନ ପ୍ରଥମ କରି ସେଇ ଗଛ ମାନଙ୍କରେ ଫୁଲ ଫୁଟିଲା କେତେ ଖୁସି ତା ମନରେ । କୌଣସି ବହି ପଢ଼ାରେ ମଗ୍ନ ଥିବାବେଳେ ଚିନୁର ଡାକ ତାଙ୍କ କାନରେ ବାଜିଥିଲା ।

 

: ବାବା, ବାବାଗୋ, ଦେଖିବ ଆସ, ମୋ ଗଛରେ କେତେ ସୁନ୍ଦର ସୁନ୍ଦର ଫୁଲ ଫୁଟିଚି-। ଡାକ ଶୁଣି ବଗିଚାକୁ ଯାଇଥିଲେ । ସତରେ ଗଛ ଗୁଡ଼ିକ ଭାରି ସୁନ୍ଦର ଦେଖାଯାଉଥିଲା ପବନ ତାଳେ ତାଳେ ଦୋହଲି ଯାଉଥିଲେ ଫୁଲ ସବୁ । ତାଙ୍କୁ ଦେଖି ଚିନୁ ପିଲାଙ୍କ ପରି ଗେହ୍ଲେଇ ହୋଇ କହିଥିଲା,

 

: ଦେଖ ବାବା, ଲାଲି ଗୋଲାପ କେତେ ବଡ଼ । ଆଉ ଏଇ ଧଳା ଗୋଲାପର ଗଛଟା, ଫୁଲରେ ଫାଟି ପଡ଼ୁଚି । ମଲ୍ଲୀ ଗଛରୁ ଦଶଟା ଫୁଲ ମୁଁ ଗଣି ଗଣି ତୋଳିଚି । ଆହୁରି କେତେ ଫୁଲ ଅଛି । ମଲ୍ଲୀ ଫୁଲରୁ ତୁମକୁ ବାସ୍ନା ଆସୁନି । ସତରେ ବାବା ଭାରି ସୁନ୍ଦର ଦେଖାଯାଉଚି । ନୁହେଁ ?

 

: ହଁ ମା, ଖୁବ୍ ସୁନ୍ଦର ଦେଖାଯାଉଛି । ଫୁଲ ଗୁଡ଼ିକ ଅତି ନରମ ଅତି କୋମଳ । ଠିକ୍ ମୋ ଚିନୁମା ମନପରି । କହି ଝିଅ ଗାଲରେ ସ୍ନେହରେ ଚାପୁଡ଼ାଟିଏ ମାରିଥିଲେ ସେ

 

: କିନ୍ତୁ ତୁମେତ କହିଥିଲ ବାବା, ପଥୁରିଆ ମାଟିଟାରେ ଏତେ ଯତ୍ନ କରି ଗଛ ଲଗାଉଛୁ, ଫୁଲ କଣ ଫୁଟିବ ? ଛୋଟ ପିଲାମାନେ କହିଲା ଭଳି ଚିନୁ କହିଥିଲା । ହଁ ମା, କହିଥିଲି-। କିନ୍ତୁ ଯତ୍ନ କଲେ ପ୍ରତ୍ୟେକ ଜିନିଷର ରୂପ ବଦଳିଯାଏ । କହିଥିଲେ ସେଦିନ ।

 

ଆହା, ସେଇ ଫୁଲ ଗଛ ଉପରେ ଝଡ଼ ବୋହି ଯାଇଛି । କଢ଼, ଫୁଲ, ପତ୍ର ସବୁ ଛିଣ୍ଡି ଯାଇଛି । ଗଛ ଗୁଡ଼ାକ ରାଜ୍ୟହରା ସମ୍ରାଟ ପରି ଶ୍ରୀହୀନ ଦେଖାଯାଉଛି । ଦେଖିଲେ ଦୁଃଖ ପାଇବ ଚିନୁ ।

 

ଭୁବନେଶ୍ଵରକୁ ବଦଳି ହୋଇ ଆସିବା ପରେ ପରେ ଜଣେ ବନ୍ଧୁଙ୍କ ଅନୁରୋଧରେ ପ୍ଲଟ ଟିଏ କିଣି ଘର ଆରମ୍ଭ କରିଦେଇଥିଲେ । ଘର ତିଆରି କଲା ବେଳେ ଚିନୁ ତାର ନିଜ ଆଗ୍ରହରେ ସେଇ ଏଇଫୁଲ ବଗିଚା କରିଥିଲା । ତା ନହେଲେ ଆନନ୍ଦଶଙ୍କରଙ୍କ ମନରେ ବଗିଚା କରିବାର ସଉକ କାଇଁ ? ଶୃଙ୍ଖଳିତ ଜୀବନ ତାଙ୍କର ବିଶୃଙ୍ଖଳା ହୋଇ ଯାଇଚି । ଜୀବନର ଛନ୍ଦ ହଜି ଯାଇଚି-। ସେ କେଉଁ ଅନେକ ଦିନରୁ ।

 

ଘର ପଛ ପାଖରେ ଥିବା କଦଳି ଗଛ କେତୋଟି ବଡ଼ ଦୟନୀୟ ଦେଖା ଯାଉଚି । କାନ୍ଦି ପଡ଼ିଥିବା କଦଳୀ ସବୁ ଛିଣ୍ଡିଯାଇ ତଳେ ପଡ଼ି ଯାଇଚି । ପତ୍ର ଛିଣ୍ଡି ଯାଇଚି । ଗଛ ମୂଳରେ ପାଣି ଜମା ହୋଇ ଯାଇଚି । କଦଳୀ ଗଛ ଲଗାଇ ଥିଲା ହରିଚରଣ । କାନ୍ଦିରୁ କଦଳୀ ଛିଣ୍ଡି ଯାଇଚି ଦେଖିଲେ ସେ ଦୁଃଖ କରିବ । ଅଳ୍ପ ଦିନରେ ପାଚିଥାନ୍ତା, କଦଳୀ ସବୁ । ସବୁ ଯେମିତି ଶ୍ରୀହୀନ ହୋଇ ପଡ଼ିଚି । ଆକାଶକୁ ଅନାଇଲେ ଆନନ୍ଦଶଙ୍କର । ଆକାଶରେ ଉଦୟ ରାଗର ସଂକେତ । ହୁଏତ ଅଳ୍ପ ସମୟରେ ସୂର୍ଯ୍ୟ ଉଠି ଆସିବେ ପୂର୍ବ କୋଣର ଥିବା ପାହାଡ଼ ସେପାଖରୁ । ସକାଳ ହୋଇଯିବ । ସକାଳ ହେବା ସଙ୍ଗେ ସଙ୍ଗେ କର୍ମ ଚଞ୍ଚଳ ଆଉ କର୍ମ ତତ୍ପର ହେବେ ଏଇ ପୃଥିବୀର ପ୍ରତ୍ୟେକ ସୃଷ୍ଟି

 

: ବାବୁ ।

 

ପଛକୁ ଚାହିଁଲେ ଆନନ୍ଦଶଙ୍କର । ତାଙ୍କ ଅଲକ୍ଷରେ ହରିଚରଣ କେତେବେଳେ ଆସି ଠିଆ ହୋଇ ଯାଇଚି । ହରିଚରଣ ମୁହଁକୁ ଅନାଇଁଲେ ସେ । ତାର ଆଖି ଦୁଇଟା ଫୁଲିଯାଇଚି ଆଉ ଲାଲ୍ ପଡ଼ିଚି । ହୁଏତ ସେ କାନ୍ଦିଚି । କାନ୍ଦିବନି ? ତାଙ୍କ ଅପେକ୍ଷା ସୁମନ୍‍ର ସବୁ ଅଳି ଅର୍ଦ୍ଦୋଳିତ ହରିଚରଣ ବୁଝୁଥିଲା । ଯାହା ଦରକାର ସୁମନ୍ ତା ହରି ଦାଦା ପାଖରେ ଜୋର୍‌କରେ । ହରିଚରଣ ଏ ଘରେ ଚାକର ହେଉ ହେଉ ଆନନ୍ଦଶଙ୍କରଙ୍କ ପରିବାରର ମୁଖ୍ୟ ପରିଚାଳକ ହୋଇ ଯାଇଚି । ଯାଜ୍ଞସେନୀ ସମ୍ମାନ ଦେଇ ହରିଦାଦା ବୋଲି ଡାକୁଥିଲେ । ତାଙ୍କ ଦେଖା ଦେଖି ଚିନୁମଧ୍ୟ । ଆତ୍ମୀୟ ନ ହୋଇ ହରିଚରଣ ଆନନ୍ଦଙ୍କ ଜୀବନର କେତେବଡ଼ ଅନ୍ତରଙ୍ଗ ସଙ୍ଗୀ ସେ କଥା ଆନନ୍ଦଙ୍କ ବ୍ୟତିତ ଅନ୍ୟ କିଏ ଜାଣିବ ?

 

ଗଲା ଅଇଲା, ଖରଚପତ୍ର, ଘରଚଳା, ପ୍ରତ୍ୟେକ କଥା ସେ ବୁଝେ । ଆନନ୍ଦଙ୍କ ଜୀବନ ସହିତ ଅନେକ ଦିନରୁ ସେ ଜଡ଼ି ଯାଇଚି । ତାଙ୍କ ଅପରିପକ୍ଵ ବୟସରୁ । ସେ ତାଙ୍କର ସଙ୍ଗୀ । ତା’ ଉପରେ ଅନେକ ନିର୍ଭର । ହରିଚରଣକୁ ବାଦ୍ ଦେଲେ ଆନନ୍ଦଶଙ୍କରଙ୍କର ଜୀବନ ଇତିହାସର ପୂର୍ଣ୍ଣତା ନାହିଁ ।

 

ଗାଁ ଛାଡ଼ି ଯେଉଁ ଦିନଠାରୁ ସେ ତାଙ୍କର ସଙ୍ଗୀ ହେଲା ସେହି ଦିନଟିକୁ ମନେପକାଇଲେ-

 

ଏମ୍. ଏ. ପାଶ୍ କରି ମୋତିଗଡ଼ରେ ଥିଲେ । ବିଭିନ୍ନ କଲେଜକୁ ଚାକିରି ପାଇଁ ଦରଖାସ୍ତ ପକାଇଥିଲେ । ତାଙ୍କ କ୍ୟାରିଅର୍‌ ଖୁବ୍ ଭଲ ଥିଲା । ଏମ୍. ଏ. ରେ ଫାଷ୍ଟ୍ କ୍ଲାସ୍ ଫାଷ୍ଟ୍ । ଅଳ୍ପଦିନ ଭିତରେ ନିଯୁକ୍ତିପତ୍ର ପାଇଲେ । କର୍ମ କ୍ଷେତ୍ରରେ ଯୋଗ ଦେବାଦିନ ମାଇଁ ଅରୁଣା କହିଥିଲେ,: ହରିଆ ଆନନ୍ଦ ସାଥିରେ ଯିବ । ମାଇଁଙ୍କ କଥା ଶୁଣି ମାମୁଁ କହିଥିଲେ,

 

: ହରି ଯାଇ କ’ ଣ କରିବ ?

 

ମାଇଁ କହିଥିଲେ,

 

: କି ? ରନ୍ଧାବଢ଼ା କରିବ । ଭଲମନ୍ଦ ବୁଝିବ । ତୁମେ କ’ ଣ ଭାବିଚ ପୁଆଟା ମୋର ବିଦେଶରେ ହୋଟେଲ ଭାତ ଖାଇବ ? ତାର ଅବସ୍ଥା ରହିବଟି । ଦିନ ଦିଇଟା ନ ଯାଉଣୁ ବାହାରିପଡ଼ିବ ବେମାରି । ସେତେବେଳକୁ ଆଉ ବାଟ ନଥିବ ।

 

ସେହି ପ୍ରଥମ ଚାକିରି କଲାଦିନୁ ହରିଚରଣ ତାଙ୍କ ସଙ୍ଗେ ସଙ୍ଗେ ରହି ଆସିଚି ଆନନ୍ଦଙ୍କ ଜୀବନର ପ୍ରତ୍ୟେକ ସୁଖ ଆଉ ଦୁଃଖର ସାଥୀ । ଅଥଚ ହରିଚରଣ ତାଙ୍କର କେହି ବୋଇଲେ କେହି ନୁହେଁ । ତା ସହିତ ତାଙ୍କର ରକ୍ତର ସମ୍ବନ୍ଧ ମଧ୍ୟ ନାହିଁ । ସବୁଠାରୁ ବେଶୀ ଆପଣାର ସେ । ସୁମନ୍ ଆଉ ଅର୍ଚ୍ଚନା ଦୁହେଁଯାକ ଦାଦା କହିଲେ ପାଗଳ । ପିଲା ଦିଇଟାକୁ ମଧ୍ୟ ସାତ ମାଆଠାରୁ ବଳି ଯତ୍ନ କରି ଆସିଚି ।

 

ହରିଚରଣର ଅତୀତ ତାଙ୍କ ଭଳି ଅତିମାତ୍ରାରେ କରୁଣାତ୍ମକ । ଅନେକ ସୁଖ ଅବଶ୍ୟ ଆନନ୍ଦଶଙ୍କର ପାଇଥିଲେ । ଭାଗ୍ୟ ଦୋଷରୁ ସିନା ସେ ସୁଖ ସ୍ଥାୟୀ ହୋଇ ନଥିଲା—କିନ୍ତୁ ହରିଚରଣ…-? ସୁଖ କ’ଣ ଜାଣିନି । ଆନନ୍ଦଙ୍କ ସଂସାରରେ ସେ ସୁଖ ଯାହା ଅନୁଭବ କରିଥିଲା ।

 

ମୋତିଗଡ଼କୁ ଆସିବା ଦିନଠାରୁ ସେ ହରିଚରଣକୁ ଦେଖି ଆସିଛନ୍ତି । କେଉଁଠାରୁ ପିଜୁଳିଟାଏ, କେଉଁଠାରୁ କୋଳିଟାଏ, ଯାହା ପାଇବ ନଖାଇ ସାଇତି ଥିବ ଆନନ୍ଦଙ୍କପାଇଁ । ତାଙ୍କପାଇଁ ଖାଇବାକୁ ବଢ଼ା ହେଲେ ମାଇଁ ହରିଚରଣ ପାଇଁ ବାଢ଼ନ୍ତି । ଆନନ୍ଦ ମଧ୍ୟ ସେଇଆ ଚାହାଁନ୍ତି । ହରିଚରଣ ଆନନ୍ଦଙ୍କ ଅପେକ୍ଷା ଦୁଇ ଚାରି ବର୍ଷ ବଡ଼ ହେବକି କ’ଣ ? ଲାଗିଲାଗି ଆନନ୍ଦ ତାକୁ ଅକ୍ଷର ଶିଖାଇ ଥିଲେ । ଖବରକାଗଜ ପଢ଼ି ଜାଣିଥିଲା ଦେଶ ବିଦେଶ ଖବର ଜାଣିବାକୁ ତାର ଭାରି ଆଗ୍ରହ । ଆନନ୍ଦ ଯେଉଁଦିନ ସହରରେ ପାଠ ପଢ଼ିବା ପାଇଁ ଗାଁ ଛାଡ଼ିଲେ ତାଙ୍କ ସଙ୍ଗେ ସଙ୍ଗେ ବାକ୍‌ସ ବିଛଣା ମୁଣ୍ଡେଇ ବସ୍ ପର୍ଯ୍ୟନ୍ତ ଆସିଥିଲା । ବସ୍ ଛାଡ଼ିବାବେଳେ ଆନନ୍ଦଙ୍କୁ ଭିଡ଼ି ପିଲାଙ୍କ ପରି ଅନେକ କାନ୍ଦିଥିଲା । ବୃତ୍ତି ଟଙ୍କାରୁ କିଛି ଜମାଇ ଗାଁକୁ ଫେରିଲାବେଳେ ହରିଚରଣ ପାଇଁ ଜାମା ନହେଲେ ଚଟିହଳେ ଏମିତି କିଣି ଦିଅନ୍ତି । କେତେ ଖୁସି ହୋଇ ସମସ୍ତଙ୍କୁ ଦେଖାଏ । ଗାଁକୁ ଛୁଟିରେ ଯିବାଦିନ ସକାଳୁ ନଖାଇ ଆସି ବସ୍ ଷ୍ଟାଣ୍ଡରେ ବସିଥିବ । ସେଇ କିଶୋର ବୟସରୁ ସେ ତାଙ୍କର ଆଜ୍ଞାବହ । ତାଙ୍କୁ ଜଗି ତାଙ୍କ ଶୋଇବାଘରେ ଶୋଇବ । ଭାଇ ନ ହୋଇ ଭାଇଠାରୁ ବେଶି ଆପଣାର । ସାମାନ୍ୟ ଦେହ ଖରାପ ହେଲେ ରାତି ରାତି ବସି ଗୋଡ଼ ହାତ ଚିପୁଥିବ ।

 

ପିଲାଦିନେ ମାଇଁଙ୍କଠାରୁ ଶୁଣିଥିଲେ ହରିଚରଣ କଥା । ରାତି ଅଧରେ ନଈରେ ପାଣି ମାଡ଼ି ଆସି ବନ୍ଧ ଭାଙ୍ଗିଗଲା । ନଈବଢ଼ୀରେ ଭାସିଗଲା ଅନେକ ଗାଁ । ରିଲିଫ୍ ବାଣ୍ଟିବାପାଇଁ ଯାଇଥିଲେ ଆନନ୍ଦଙ୍କ ମାମୁଁ ସୋମନାଥ । ଗାଁ ମୁଣ୍ଡ ଠାକୁରାଣୀ ମଣ୍ଡପରେ ଅସଂଖ୍ୟ ଆଶ୍ରୟ ପ୍ରାର୍ଥୀ-। କାହାର ଘର ଭାସି ଯାଇଚି, କାହାର ସ୍ଵାମୀ, କାହାର ସ୍ତ୍ରୀ, ପିଲା ତ କାହାର ବାପା ମାଆ ସବୁ ଭାସି ଯାଇଥିଲେ । ସେମିତି ବାପା, ମାଆ, ଭାଇ, ଭଉଣୀ ଭାସି ଯାଇଥିଲେ । ହରିଚରଣର ବୟସ କେତେ ଅବା ସାତ ଆଠ ବର୍ଷ ହେବ କି କ’ ଣ ସାରା ରାତି ବାପା ମାଆଙ୍କ ସାଙ୍ଗରେ ଗୋଟିଏ ଚାଳ ଉପରେ ଭାସି ଆସିଲାବେଳେ ହଠାତ୍ ଗଛ ଧକା୍‌ରେ ଛିନ୍ନଛତ୍ର ହୋଇ କିଏ କେଉଁଆଡ଼େ ଭାସି ଯାଇଥିଲେ, ଗଛ ଡାଳକୁ ଭିଡ଼ି ଧରିଥିଲା ହରିଚରଣ । ରିଲିଫ୍ ଡଙ୍ଗା ତାକୁ ଉଦ୍ଧାର କରିଥିଲା ତାପରେ ତାକୁ ଭୀଷଣ ଜ୍ଵର ହେଲା । ସ୍ଵେଚ୍ଛାସେବୀମାନେ କ୍ୟାମ୍ପ ଡାକ୍ତର ପାଖକୁ ନେଇ ଯାଇଥିଲେ । ଦୁଇ ଚାରିଦିନ ପରେ ଦେହ ଭଲ ହେଲା । ତାର ଗୋଟାଏ କାନ୍ଦଣା ଯେ ସେ ତା ବାପା, ମାଆ ପାଖକୁ ଯିବ ।

 

ଶେଷରେ ସୋମନାଥ ଯାଇ ବୁଝାଇ ସୁଝାଇ ଆଦର କରି ନରମକଥା କହି ଘରକୁ ଆଣିଥିଲେ । କରୁଣାଙ୍କ ସ୍ନେହରେ ପାଳିତ ହୋଇ ଭୁଲି ଯାଇଥିଲା ତାର ଅତୀତ । ବି. ଏ. ପରୀକ୍ଷାପରେ ଘରକୁ ଯାଇ ଶୁଣିଥିଲେ ହରିଚରଣ ବାହା ହୋଇଚି । କୃଷ୍ଣା ନେଇ ଟାଣି ଟାଣି ଦେଖାଇ ଦେଇଥିଲା ତାର ସ୍ତ୍ରୀକୁ । ପ୍ରଥମ ଦେଖାରେ ହରିଚରଣର ସ୍ତ୍ରୀକୁ ଭଲ ଲାଗି ନଥିଲା ଆନନ୍ଦଙ୍କୁ । ମୁଣ୍ଡରେ ବଡ଼ ଖୋସା, ତା ଉପରେ ଫୁଲମାଳ । ପାନ ଖାଇ ପାଟିଲାଲ । ଆନନ୍ଦକୁ ଦେଖି କେମିତି ହସିଥିଲା ଯେଉଁ ହସ ଭଲ ଲାଗିନଥିଲା ଆନନ୍ଦଙ୍କୁ ବାହାରି ଆସିଥିଲେ ଆନନ୍ଦ । ଆଉ କେବେ ତା ସମାନା ସାମନି ହୋଇ ନାହାନ୍ତି ।

 

ଏମ୍. ଏ, ପରୀକ୍ଷାପରେ ଯାଇ ଶୁଣିଲେ ଯେ ଦିନରାତି ହରିଚରଣ ସାଥିରେ କଳିଲଗାଇଲା ତା ସ୍ତ୍ରୀ । କହିଲା ଚାକର ହୋଇ ପର ଘରେ ଯଦି ରହିବାକୁ ମନ ତାହାହେଲେ ବାହା ହେବାକୁ କାହିଁକି ସଉକି । ରାଗିକରି ଦିନେ ତାକୁ ହରିଚରଣ ଚାପୁଡ଼ାଟାଏ ମାରିଥିଲେ । ତାର କିଛି ଦିନପରେ ଦିନେ ବାପଘରକୁ ଯିବା ନାଁରେ ଆଉ କେଉଁ ଲୋକ ସହିତ କଲିକତା ପଳାଇ ଯାଇଥିଲା । ପଛରେ ସବୁକଥା ଜଣା ପଡ଼ିଲା । ମାଇଁ କହିଲେ ଦେଖି ଚାହିଁ ଭଲ ଝିଅଟିଏ ବାହା କରି ଦେବାକୁ ମନା କରିଥିଲା ହରିଚରଣ । କହିଥିଲା :—

 

: ପୋଡ଼ିଗଲା ତିଅଣରେ ଆଉ ସୁଆଦ ନାହିଁ । ପ୍ରତ୍ୟେକ ସ୍ତ୍ରୀ ଲୋକ ବଦମାସ । ସେଗୁଡ଼ାଙ୍କୁ ଘରକୁ ଆଣିଲେ ଅଶାନ୍ତି ହେବା ଛଡ଼ା ଲାଭ ନାହିଁ ଜାଣି ଜାଣି ଅଶାନ୍ତିକୁ ଡାକିଆଣ ନାହିଁ ମା । ଏମିତି ବରଂ ମୁଁ ସୁଖରେ ଅଛି ।

 

ଅଣ୍ଟାରୁ ଗାମୁଛାଟାକୁ କାଢ଼ି ନିଜ ଆଖିରୁ ଲୁହ ପୋଛି ଆନନ୍ଦଙ୍କ ହାତ ଧରି କହିଲା ।

 

: ଭିତରକୁ ଯାଆ ବାବୁ । ରାତିତ ପାହିଲାଣି । ସେତିକିବେଳୁ ଥଣ୍ଡାଟାରେ ବାହାରେ ଠିଆ ହୋଇଚ । କେତେ କଷ୍ଟରେ କାଶ ରୋଗ ଛାଡ଼ିଚି । ଥଣ୍ଡା ଲାଗିଲେ ପୁଣି ବାହାରିବ । ଶୋଇ ପାରିବନି । କଷ୍ଟ ପାଇବ । କହି କହି ଏଣେ ତେଣେ ମଣ୍ଡପରେ ପଡ଼ିଥିବା ଜିନିଷ ସବୁ ଉଠାଇବାକୁ ଲାଗିଲା ହରିଚରଣ । ଆନନ୍ଦ ଜାଣନ୍ତି । ସେ ନ ଉଠାଇଲେ ଏଘରେ ଜିନିଷର ଯତ୍ନ କିଏ ନେବ ଆଉ ?

 

ଘର ଭିତରକୁ ପଶିଲେ ଆନନ୍ଦଶଙ୍କର । କୁଣିଆଁମାନେ କିଏ କେଉଁଠି ହାଲିଆ ହୋଇ ଶୋଇ ପଡ଼ିଛନ୍ତି । କୁଣିଆଁ ବୋଇଲେ ତ ବେଶି ମାଣିକଗଡ଼ରୁ । ତାଙ୍କ ଶାଶୁଘରର ଲୋକମାନେ । ନିଜର ଆଉମାନେ ଯିଏ ଚିହ୍ନାପରିଚୟ ଲୋକେ ଆସିଥିଲେ ରାତି ରାତି ଚାଲିଯାଇଚନ୍ତି । ନିଜର ଭିତରେ ଭଉଣୀ କୃଷ୍ଣା । ମାମୁଁ ମାଇଁ ତ କେଉଁଦିନୁ ଚାଲି ଯାଇଚନ୍ତି । ମାମୁଁ ମରିବା ବର୍ଷ ନପୂରୁଣୁ ମାଇଁ ଗଲେ । ତା ନ ହେଲେ ଆନନ୍ଦଙ୍କ ଦୁଃଖ ଜୀବନ ଦେଖି ସେମାନେ ଆହୁରି କଷ୍ଟ ପାଇଥାନ୍ତେ-। ସମସ୍ତେ ଚାଲିଗଲେ ଘରଟା ନିଛାଟିଆ ନିରୋଳା ହୋଇଯିବ ପୂର୍ବଭଳି । ଏଣେ ତେଣେ ଚାହିଁଲେ-। ଚିନୁକୁ ଦେଖିଲେନି । କ୍ଳାନ୍ତ ଅବସନ୍ନ ଆଉ ବିଷାଦ ମନରେ ନିଜ ଶୋଇବା ଘରେ ପଶିଗଲେ । ମନେମନେ ଭାବିଲେ, ନିଶ୍ଚୟ କେଉଁଠି କିଛି ଗୋଟାଏ ବୁଝାମଣାର ଅଭାବ ରହିଗଲା-। ତା ନହେଲେ କାହାପାଇଁ ଅନେକ ଦିନର ଆୟୋଜନ ଆଉ ବାହାହେଲା କିଏ ? ଗତ ଦୁଇଦିନ ତଳର କଥା ଆଖି ଆଗରେ ଦିଶିଗଲା ତାଙ୍କର ।

 

ଜିନିଷପତ୍ର କିଣାକିଣି କରିବା ପାଇଁ ସେ ଆଉ ହରିଚରଣ ବାହାରକୁ ଯାଇଥିଲେ । ଫେରି ଆସି କ୍ଲାନ୍ତ ହୋଇ ବାରଣ୍ଡା ଉପରେ ଥିବା ଆର୍ମ ଚେୟାର ଉପରେ ଗଡ଼ି ପଡ଼ିଲେ । ଆଶ୍ଚର୍ଯ୍ୟର କଥା ସବୁଦିନ ଭଳି ଚିନୁ ଆସି ତାଙ୍କ ପାଖରେ ଠିଆ ହୋଇ ଭଲ ମନ୍ଦ କଥା ବୁଝିନଥିଲା କି କଫି ଖାଇବା କଥା ପଚାରି ନଥିଲା । ସେଇ ବାରଣ୍ଡା ଉପରେ ଚେୟାରରୁ ଥାଇ ଲକ୍ଷ୍ୟ କରିଥିଲେ ଯେ ନିଜ ଶୋଇବା ଘର ଝରକା ରେଲିଂ ଉପରେ ମୁଣ୍ଡରଖି ଶୂନ୍ୟ ଆକାଶକୁ ଅନାଇଁ ରହିଥିଲା ଚିନୁ । ଯଦିଓ ଘର ସଂପୂର୍ଣ୍ଣ ଅନ୍ଧକାର, ତଥାପି ସେ ଜାଣିଥିଲେ ସେ ଚିନୁ ବ୍ୟତୀତ ଅନ୍ୟ କେହି ନୁହେଁ ବୋଲି । ଆର୍ମଚେୟାରରୁ ଉଠି ଚିନୁଥିବା ଘର ଭିତରକୁ ପଶିଯାଇ ଲାଇଟ୍ ଜଳାଇ ପ୍ରଶ୍ନ କରିଥିଲେ ।

 

: ଅନ୍ଧାରଟାରେ ଏକୁଟିଆ ଏମିତି ଠିଆହେଇଚୁ ଯେ ? ତା ପରେ ଝିଅ କପାଳରେ ହାତ ରଖି ପଚାରିଥିଲେ ।

 

: ତୋ ଦେହ କ’ ଣ ଭଲ ନାହିଁ କି ମା’ ?

 

: ଭଲ ଅଛି ବାପା ।

 

ଯଦିଓ ଚିନୁ ତାଙ୍କୁ ଜଣାଇ ଦେଇଥିଲା ତା ଦେହ ଭଲ ଅଛି ତଥାପି ତା କହିବା ଭଙ୍ଗୀରୁ କେମିତି ଏକ ଆର୍ତ୍ତନାଦର ସ୍ଵର ଝାଙ୍କୁରିତ ହେବାର ସେ ଅନୁମାନ କରିଥିଲେ । ଝିଅର ମୁହଁକୁ ଗଭୀର ଭାବରେ ନିରୀକ୍ଷଣ କରିଥିଲା । ବଡ଼ କରୁଣ ଆଉ ମଳିନ ଦେଖା ଯାଉଥିଲା ମୁହିଁଟା । ତାର କଳା କଳା ଡୋଳା ଭିତରୁ ଝରି ଆସିଥିବା ଲୁହକୁ ପରମ ସ୍ନେହରେ ପୋଛି ଦେଇ କହିଥିଲେ-

 

: ତୁ କାନ୍ଦୁଚୁ ମା ? ଛିଃ, ମୋ ସୁନା ମାଆଟା ପରା । ତୁ କାନ୍ଦିଲେ ମୁଁ କ’ଣ କରିବି କହିଲୁ ? ନିଜେ ନିଜର ଉଦ୍‌ଗତ କୋହକୁ ଚାପି କହିଥିଲେ ।

 

: ତୋ ଭାଗ୍ୟ, ଆଉ ମୋ ଭାଗ୍ୟ ମା, ପାର୍ଥ ଭଳି ଏକ ଉଜ୍ଜ୍ଵଳ ରତ୍ନକୁ ଆମେ ପାଇଚେ-। ଆଉ କ’ ଣ ଦରକାର । ମଣିଷ ଜୀବନର ସବୁଠାରୁ ବଡ଼ ସଂପଦ ହେଉଚି ତା ଚରିତ୍ର-। ଚରିତ୍ରହୀନ ମନୁଷ୍ୟ ପଶୁ ସହିତ ସମାନ ।

 

ଝିଅ ମଥାକୁ ଆଉଁସି ଦେଇ କହିଥିଲେ ତୁ ଯଦି ପୁଣି କାନ୍ଦିବୁ, ମୁଁ କାନ୍ଦିବି । ତାଙ୍କ କଥା ଶୁଣି ଚିନୁ କହିଥିଲା ।

 

: ନା ବାବା, ମୁଁ ଆଉ ଜମା କାନ୍ଦିବିନି । ତା ପରେ ନିଜେ ନିଜ ଲୁଗା କାନିରେ ଆଖିରୁ ଝରିପଡ଼ୁଥିବା ଲୁହ ଟୋପାକୁ ପୋଛିଆଣି କହିଲା ।

 

: କିନ୍ତୁ ତୁମେ ମୋତେ କଥା ଦିଅ ମୁଁ ଯାହା କହିବି ତୁମେ ମୋ କଥା ମାନିବ ।

 

: ନିଶ୍ଚୟ । ମୋ ସୁନା ମା କଥା ମୁଁ କ’ ଣ କେବେ ଅମାନ୍ୟ କରିଚି । କହ କି କଥା ହସି ହସି ପଚାରିଥିଲେ ସେ ।

 

: ତୁମେ, ମୋତେ ତୁମ ପାଖରୁ ଆଉ କେଉଁଠିକୁ ପଠାଇବ ନାହିଁ । କହିଥିଲା ଚିନୁ ।

 

ପ୍ରଥମେ ସେ ମନେ କରିଥିଲେ ଯେ ଚିନୁ ଗୁରୁତ୍ଵ ନ ଦେଇ ଏ କଥା କହୁଚି ବୋଲି । ଚିନୁର ପିଠିକୁ ଆଉଁସି କହିଥିଲେ ।

 

: ବାଇଆଣୀ । କେଉଁ ଝିଅ କେବେ ତା ବାବା ପାଖରେ ସବୁଦିନେ ରହିପାରେ ? ତାଙ୍କ କଥା ନ ସରୁଣୁ ଚିନୁ କହିଥିଲା ।

 

: ନା, ନା, ବାବା । ମୁଁ ଏସବୁ ଚାହେଁନି । ତୁମକୁ ଛାଡ଼ି ମୋତେ ଅନ୍ୟ କେଉଁଠିକୁ ଯୋର କରି ପଠାଇ ଦିଅନି । ମୁଁ ଆଦୌଖୁସୀ ହୋଇ ପାରିବିନି ।

 

ଝିଅ ମୁହଁକୁ ଆଶ୍ଚର୍ଯ୍ୟ ଭାବରେ ଅନାଇଁ ରହିଥିଲେ କିଛି ସମୟ । ତାପରେ ତାକୁ ଖଟ ଉପରେ ବସାଇ ନିଜେ ବସିଥିଲେ ଆଉ କହିଥିଲ,

 

: ଝିଅ ଜନ୍ମ ପର ଘରକୁ । ଅନ୍ୟ ଘରେ ପରିପୂର୍ଣ୍ଣ ସଂସାର ଗଢ଼ିବାକୁ ତାର ସୃଷ୍ଟି । ନାରୀକୁ ଅନେକ ଅବସ୍ଥା ଦେଇ ଗତି କରିବାକୁ ପଡ଼େ । ପ୍ରଥମେ କନ୍ୟା, ତାପରେ ଜାୟା ଓ ଶେଷରେ ଜନନୀ । ସେଇ ଜାୟା ଆଉ ଜନନୀ ରୂପରେ ହିଁ ନାରୀ ଜୀବନର ଚରମ ସାର୍ଥକତା । ଚିନୁର ଅବିଚଳିତ ଭାବ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ବାହାଘର କଥା ଉଠାଇଲେ ଲାଜରେ ଅନ୍ୟ ଘରକୁ ଯିଏ ପଳାଇ ଯାଏ, ସେଇ ଚିନୁ କେମିତି ଏମିତି କଥା ତାଙ୍କୁ କହି ପାରୁଚି ଭାବି ମନେ ମନେ ଆହୁରି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସେ । ତାଙ୍କୁ ନିରବ ରହିବା ଦେଖି ଚିନୁ କହିଥିଲା,

 

: ବାବା, ତୁମେ ମୋ ବଦଳରେ ସୁମନ୍‌ର ବାହାଘରଟା କରିଦିଅ ।

 

ତା କଥାର ଉତ୍ତର ଦେବାକୁ ଯାଇ ସେ କହିଥିଲେ,

 

: ଆରେ ସେ କଥାତ ନିଶ୍ଚୟ ହେବ । ତୋପରିତ ଆଉ ତା ଉପରେ ମୋର ଆସ୍ଥା ନାହିଁ-। ଦିନ ନାହିଁ ରାତି ନାହିଁ ଝିଅପିଲା ହୋଇ ସବୁବେଳେ ବାହାରେ ବୁଲିବା ମୋର ପସନ୍ଦ ନୁହେଁ-। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯାହା ମୁଁ ପସନ୍ଦ କରେନି, ସେହିସବୁ କାମ ସେ କରୁଚି । ପୁଅପିଲାଙ୍କ ସଙ୍ଗେ ଡ୍ରାମା, ଖେଳ ପିକ୍‌ନିକ୍, ଛିଃ, ତୋତେ ଦେଖି ମଧ୍ୟ ସେ ଶିଖି ପାରୁନି । ଦୁଃଖ ଲାଗୁଚି । ସ୍ଥିର କରିଚି, ତୋ ବାହାଘର ପରେ ମୁଁ ତାର ଯେତେଶୀଘ୍ର ପାରେ ବାହାଘର ଆୟୋଜନରେ ଲାଗିଯିବି-

 

: ତମେ ପାର୍ଥ ସହିତ ସୁମନର ବିଭାଘର କରିଦିଅ ।

 

: ସ୍ଥିର ଆଉ ସ୍ପଷ୍ଟ ଭାବରେ ଚିନୁ କହିଥିଲା । ଚିନୁ କଥା ଶୁଣି ସେ କହିଥଲେ,

 

: ଏ କଥା କେମିତି ହେବ । ପାର୍ଥ ସହିତ ତୋର ବିବାହ ନିଶ୍ଚିନ୍ତ । ତୋ ବୋଉର କୁମାରୀ ବୟସରେ ଧୂଳି ଖେଳର ଶପଥ । ରତ୍ନା ତୋତେ ବୋହୂ କରିବ ବୋଲି ଅନେକ ଦିନରୁ କଳ୍ପନା କରିଚି । ସେଥିପାଇଁ ସେଦିନ ନିର୍ବନ୍ଧ କରି ଗଲା ମନ୍ଦିରରେ । ତାଛଡ଼ା ନିମନ୍ତ୍ରଣ ପତ୍ରରେ ତୋ ସହିତ ପାର୍ଥର ବିବାହ ବୋଲି ଲେଖା ଯାଇଚି । ବନ୍ଧୁ ବାନ୍ଧବ, ସାଙ୍ଗ ସାଥି, ସାଇ-ପଡ଼ିଶା, ସମସ୍ତେ ଜାଣିଲେଣି ତୋ ବାହାଘର ବୋଲି ତୁ ମତେ ଲୋକହସା କରିବୁ ?

 

ତାଙ୍କ କଥା ନ ସରୁଣୁ ଚିନୁ କହିଥିଲା ।

 

: ମୁଁ ଆଦୌ ବିବାହ କରିବିନି । ବିବାହ କଲେ ମୁଁ ଜମା ସୂଖୀ ହେଇ ପାରିବିନି ବୋଲି ଜଣେ ବଡ଼ ଜ୍ୟୋତିଷ କହିଛନ୍ତି ।

 

ବିବାହ କରିବାକୁ ରାଜି ହୋଇ ନଥିଲା ଚିନୁ । ବାଧ୍ୟ ହୋଇ ସେ ସୁମନ୍‌ର ବିଭାଘର ଆୟୋଜନରେ ଲାଗିପଡ଼ିଲେ । ଚିନୁ ଉପରେ ମନେ ମନେ କ୍ଷୁର୍ଣ୍ଣ ହୋଇଥିଲେ । ଆଉ ପୁର୍ବଭଳି ବିଶେଷ କଥା ନ କହି ଗମ୍ଭୀର ରହିଥିଲେ । ଝିଅ ହେଇ ଯଦି ବାପର ଅବାଧ୍ୟ ହେଲା, ସେ ଜଣାଇ ଦେବାକୁ ଚାହିଁଥିଲେ ଯେ ଚିନୁର ଏଇ ଜିଦ୍ ଯେ ତାଙ୍କୁ ବିଶେଷ ଭାବେ ଆଘାତ ଦେଇଚି ବୋଲି ।

 

ଯାହା ହେବାର ନଥିଲା ସେଇକଥା ହେଲା । ସମୟ ପାଇ ନଥିଲେ ରତ୍ନା କିମ୍ବା ପାର୍ଥକୁ ସବୁକଥା ଜଣାଇ ଦେବାକୁ । ବିଭାଘର ଚାରିଦିନ ପୂର୍ବରୁ ପାର୍ଥ ଚାଲି ଯାଇଥିଲା ତା ବୋଉ ପାଖକୁ-। ଯଦିଓ ରତ୍ନମଣୀ ଆସି ପୁଅପାଖରେ ରହିଥିଲେ କିନ୍ତୁ ବିଭାଘର କରିବା ପାଇଁ ଆଗରୁ ପୁରୀ ଚାଲି ଯାଇଥିଲେ । ପୁରୀ ସହରରେ ଭାଗ ମିଳିଥିବା ଘରଟିକୁ ଭଡ଼ା ଲଗାଇ ସେ ଆସି ପୁଅ ପାଖରେ ରହିଥିଲେ । ଏବେ ସେଇ ଘରେ ବାହାଘର କରିବା ପାଇଁ ଚାଲି ଯାଇଥିଲେ । ତାଙ୍କ ଭଳି ସେ ମଧ୍ୟ ଏକୁଟିଆ । ନିଜେ ଯାହା ଆୟୋଜନ କରିବେ । କେବେ ଯାଇ ରତ୍ନମଣୀଙ୍କୁ ସବୁକଥା ବୁଝାଇ ଦେବେ ।

 

ସୁମନ୍ ଓ ଅର୍ଚ୍ଚନା ତାଙ୍କର ଦୁଇଟି କନ୍ୟା । ଦୁହଁଙ୍କ ଆଚରଣରେ ଅନେକ ତଫାତ୍ । ବେଶି ପ୍ରଭେଦ । ଜନ୍ମଦାତା ହୋଇ ସେ ଅନୁଭବ କରିଚନ୍ତି ।

 

ଅର୍ଚ୍ଚନାର ନିଦ ଭାଙ୍ଗେ ପାହାନ୍ତା ପହରରେ କୁକୁଡ଼ା ଡାକ ଶୁଭିଲେ । ତାର ନିତ୍ୟକର୍ମ ସାରି ସେ ‘ଚା’ କିମ୍ବା କଫି ତିଆରି କରେ । ଆଗ ଆଣି ତାଙ୍କୁ ଧରାଇଦେବ । ତାପରେ ହରିଚରଣକୁ । ଶେଷରେ ସୁମନଙ୍କ ପାଖକୁଯିବ । ତା ପରେ ଠାକୁର ପୂଜା କରିବ । ପିଲାଦିନର ଅଭ୍ୟାସ । ପ୍ରତ୍ୟେକ କାମ କେମିତି ନିୟମ ଅନୁସାରେ ।

 

ତାର ପ୍ରତ୍ୟେକ ଆଚରଣରେ ଧୀର, ଶୋଭନ, ଆଉ ଶାନ୍ତଶ୍ରୀ । କିନ୍ତୁ ସୁମନ...ସକାଳ ଆଠଟା ନ ବାଜିଲେ ସେ ବିଛଣା ଛାଡ଼େନି । ନିଦ ଭାଙ୍ଗିଲା ମାତ୍ରେ ଟ୍ରାଞ୍ଜିଷ୍ଟରକୁ ତକିଆ ଉପରେ ରଖି ପ୍ରତ୍ୟେକ ସେଣ୍ଟର୍‌ରୁ କିଛିକିଛି ସଂଗୀତ ଶୁଣି ତା ସହିତ କଣ୍ଠସ୍ଵର ମିଳାଇ ଗୀତ ଗାଇ ଚାଲିଥିବ । ଶୋଇବା ବିଛଣାରେ ଆଉ ‘‘ଚା” ପିଇବ । କେମିତି ଖିଆଲି, ଅଶାନ୍ତ, ଚଞ୍ଚଳମନା, ଏକଯିଦିଆ । କାହାକୁ ସେ ଡରିଯାଏନି । ଶାସନକୁ ଖାତିର ନଥାଏ । ନାଚ, ଅଭିନୟ ପ୍ରତି ତାର ଭାରି ଆଗ୍ରହ ।

 

ଦୂର ହେଉପଛେ ମାଟ୍ରିକ୍ ପାଶ୍ କଲାପରେ ଅର୍ଚ୍ଚନା ମହିଳା କଲେଜରେ ନାମ ଲେଖାଇଲା । ସୁମନ କିନ୍ତୁ ନିର୍ବିକାର ଭାବରେ ପୁଅ କଲେଜରେ ପଢ଼ିବା ପାଇଁ କହିଲା । ନାଆଁ ଲେଖାଇ ଦେଇଥିଲେ । କିଛିଦିନ ପରେ ଦିନେ ଆସି କହିଥିଲା,

 

: ବାବା କଲେଜରେ ନାଟକ ପ୍ରତିଯୋଗିତା ହେଉଚି, ଇଂରାଜୀ ଡ୍ରାମା । ‘ଅଥେଲୋ’ରେ ମୁଁ ଡ୍ରେସ୍ ଡେମୋନା ହୋଇଚି । ଇଂରାଜୀ ଅଧ୍ୟାପକ କହୁଛନ୍ତି ମୋର ଇଂରାଜୀ କହିବା ପ୍ରଣାଳୀ ଖୁବ୍ ଚମତ୍କାର । ଅଧ୍ୟାପକ ନିଜେ ଅଥେଲୋ ପାର୍ଟ...ସୁମନ କଥା ଅସମାପ୍ତ ରଖି ସେ ପ୍ରଶ୍ନ କରିଥିଲେ,

 

: ତୁ ପୁରୁଷମାନଙ୍କ ସହିତ ମିଶି ଅଭିନୟ କରିବୁ ? ନିର୍ବିକାର ଭାବରେ ତାଙ୍କ ଉତ୍ତର ଦେଇ କହିଥିଲା,

 

: କ୍ଷତି କ’ଣ ? ଅପା, ପରିତ ମୁଁ ଲାଜକୁଳି ନୁହେଁ । ମୁଁ ଯଥେଷ୍ଟ ସ୍ମାଟ୍ । ସମସ୍ତେ କହନ୍ତି-। ତାଛଡ଼ା ଏଇଟା ଅଭିନୟ । ହେଇ ଦେଖୁନ, କହି ପ୍ରଚାରପତ୍ରକୁ ତାଙ୍କ ହାତକୁ ବଢ଼ାଇ ଦେଇଥିଲା-। ପ୍ରଚାରପତ୍ର ଦେଖି ସେ ପ୍ରଶ୍ନ କରିଥିଲେ,

 

: ଏଥିରେ ତ ସୁମନ୍ ଲେଖା ହୋଇଚି । ତୋ ନାଁ ତ ଅଜା ଆଈ ସୁମନା ଦେଇଥିଲେ ।

 

ଶଙ୍କୋଚହୀନ ଭାବରେ ତାଙ୍କୁ ସେ ଉତ୍ତର ଦେଇଥିଲା,

 

: ସେ ନାଁଟା ପୁରୁଣାଢ଼ଙ୍ଗର । ମତେ ଭଲ ଲାଗିଲାନି । ସେଇଥିପାଇଁ ସୁମନ କରି ଦେଇଚି । ଏଣିକି ତୁମେ ନାନୀ ଆଉ ହରି ଦାଦା ମତେ ସୁମନ ବୋଲି ଡାକିବ ।

 

ଅର୍ଚ୍ଚନା ଆଉ ସୁମନ୍, ଦୁହେଁ ଦୁଇ ଭଉଣୀ । ତାଙ୍କର ଦୁଇଟି କନ୍ୟା, ଦୁହିଁଙ୍କ ଭିତରେ ଅନେକ ତଫାତ୍ ।

 

କଲେଜ୍ ଡ୍ରାମାରେ ମିଶି କେଉଁଦିନ ରାତି ନଅଟା, କେବେକେବେ ଦଶଟା ମଧ୍ୟ ବାଜିଯାଉଥିଲା, ସେ ଘରକୁ ଫେରେ । ବିଭାଘର ଆଠଦିନ ପୂର୍ବରୁ ପିକ‌୍‌ନିକ୍ କରିଯାଉଚି କହି ରାତି ବାରଟାରେ ଘରକୁ ଫେରିଥିଲା ।

 

ସୁମନ୍‌ର ଏଇ ସବୁ ଆଚରଣକୁ ସେ ଅଦୌ ପସନ୍ଦ କରି ନାହାନ୍ତି । ତଥାପି ତାକୁ ଶାସନ କରି ନାହାନ୍ତି କେବେ । ସେ ଜନ୍ମ ହେଲା ପରେପରେ ଯଜ୍ଞସେନୀ ମୃତ୍ୟୁବରଣ କରିଥିଲା ସେଇଥିପାଇଁ ତା ପ୍ରତି ଶିଶୁବୟସବେଳୁ ଅନାଶକ୍ତ ଭାବ । ଆଗ୍ରହ ଶୂନ୍ୟମନ । ଅକୁଳ ବିକଳରେ ଭଗବାନଙ୍କୁ ପ୍ରାର୍ଥନା ଜଣାଇ ଥିଲେ ସନ୍ତାନରେ ପ୍ରୟୋଜନ ନାହିଁ, ଯାଜ୍ଞସେନୀ ବଞ୍ଚିଉଠନ୍ତୁ । ନିଷ୍ଫଳ ହୋଇଥିଲା ତାଙ୍କର ପ୍ରାର୍ଥନା । ଯାଜ୍ଞସେନୀ ମରିଯିବା ପରେ ଛୋଟ ଛୁଆକୁ ପାଳିବା କଷ୍ଠକର ଭାବି ଯାଜ୍ଞସେନୀର ବୋଉ ସୁମନକୁ ମାଣିକଗଡ଼ ନେଇ ଯାଇଥିଲେ । ମାଣିକଗଡ଼ର ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢ଼ିଥିଲା ଅଜା ଆଈଙ୍କ ଆଦରରେ ପ୍ରତିପାଳିତ ହୋଇ ଯିଦ୍‌ଖୋର୍ ସ୍ଵଭାବ ହୋଇ ଯାଇଥିଲା ସୁମନର । ତାପରେ ମାଣିକଗଡ଼ରେ ଉଚ୍ଚଶିକ୍ଷାର ମାଧ୍ୟମ ନଥିବାରୁ ବାଧ୍ୟହୋଇ ତାକୁ ନିଜପାଖକୁ ନେଇ ଆସିଥିଲେ । ଆଶ୍ଚର୍ଯ୍ୟର କଥା ଏତେଗୁଡ଼ାଏ ବର୍ଷଭିତରେ କେବେ ଦନେ ତା କଥା ମନେପକାଇ ନ ଥିଲେ । ତାକୁ ଦେଖିବାପାଇଁ ଆଗ୍ରହ ପ୍ରକାଶ କରିନଥିଲେ । ସେଇଥି ପାଇଁ ଅନେକ ସମୟରେ ଅଭିମାନ କରି ହରିଦାଦାକୁ ନହେଲେ ଚିନୁକୁ କହେ,

 

: ମୁଁ କ’ଣ ବାବାଙ୍କ ଝିଅକି ? ନାନୀସିନା । ବାବାଙ୍କ ଝିଅ ।

 

ବିଦା ହୋଇ ଗଲାବେଳେ ତାଙ୍କ ଛାତିରେ ମଥାରଖି ଛୋଟ ପିଲା କାନ୍ଦିଲା ପରି ବାବା, ବାବା କହି ଅନେକ କାନ୍ଦି ତାଙ୍କୁ ମଧ୍ୟ କନ୍ଦାଇ ଛାଡ଼ିନଥିଲା । କନ୍ୟା ବିଚ୍ଛେଦର କରୁଣ ସ୍ଵର ହୃଦୟକୁ ତାଙ୍କର ମଥିତ କରି ତୋଳୁଚି । ବିଚ୍ଛେଦର କାରୁଣ୍ୟତା ତାଙ୍କୁ ଆଘାତ ଦେଉଚି । ଜନ୍ମଦାତା ସେ । ମାଆକୁତ ଦେଖିନି । ତାଙ୍କ ବ୍ୟତୀତ ଆଉ କିଏ ଅଛି ଝିଅଦୁଇଟାର କଥା ବୁଝିବାକୁ । କାରରେ ନେଇ ବସାଇ ଦେଲାବେଳେ କେତେ ଜୋରରେ ହାତକୁ ତାଙ୍କର ଭିଡ଼ି ଧରି ବିକଳ ହୋଇ କାନ୍ଦି ଉଠିଥିଲା, ତାକୁ ବୁଝାଇବାକୁ ଯାଇ ନିଜେ କାନ୍ଦି କାନ୍ଦି ପାର୍ଥର ହାତକୁ ଧରି କହିଥିଲେ ।

 

: ପାର୍ଥ, ତୁମେ ମୋର ଅନେକ ଶ୍ରଦ୍ଧା ଆଉ ମମତାର ପାତ୍ର । ଭୁଲ୍‍ ତ୍ରୁଟି ସମସ୍ତଙ୍କର ଥାଏ । ଯଦି କିଛି ଭୁଲ୍ କରେ ତେବେ ମହତ୍‌ଗୁଣରେ କ୍ଷମା ଦେବ । ଚକାଡ଼ୋଳାଙ୍କୁ ପ୍ରାର୍ଥନା କରୁଚି, ତୁମର ଦାମ୍ପତ୍ୟ-ଜୀବନ ସୁଖମୟ ହେଉ ।

 

ବର–କନ୍ୟାସହ ବରଯାତ୍ରୀ ଫେରି ଯାଇଥିଲେ । କିନ୍ତୁ ବରଯାତ୍ରୀ ଆସିବା ପରଠାରୁ ସେ ଚିନୁକୁ ଦେଖିନାହାନ୍ତି । ସୁମନ ବିଦାହୋଇ ଚାଲିଯିବା ସମୟରେ ମଧ୍ୟ ଆସି ତାଙ୍କ ନିକଟରେ ଠିଆ ହୋଇନି । କିନ୍ତୁ ସୁମନ ପାଇଁ କେଉଁଠି ଲୁଚି ଲୁଚି କାନ୍ଦୁଥିବ ନିଶ୍ଚୟ । ଅସଲ କଥା ବାବା ସାମନାରେ ନିଜର ଦୁର୍ବଳତା ପ୍ରକାଶ କରି ପାରିବନି । ସେଥିପାଇଁ କିନ୍ତୁ ଏବେ କାହିଁକି ଆସୁନି ? କାଲି ଖରା ବେଳେ ଆଣି ସରବତ ଯାଚିଥିଲା । ଆଉ କହିଥିଲା ।

 

: ଦିନଯାକ ଓପାସ କରିବ । ପେଟ ଗରମ ହୋଇ ଦେହ ଖରାପହେବ ।

 

ତାକଥା ଶୁଣି ଗମ୍ଭୀର ହୋଇ ସରବତ୍ ଖାଇବେ ନାହଁ କହି ଫେରାଇ ଦେଇ ସେ କହିଥିଲେ,

 

ମାନସିକ ଅଶାନ୍ତି ଭୋଗି ଭୋଗି ଦେହଟା ନଷ୍ଟ ହୋଇଗଲାଣି । ଆଉ ଏ ସ।ମାନ୍ୟ ସରବତ୍ ଖାଇଲେ କ’ଣ ଦେହ ଭଲ ହୋଇଯିବ ।

 

ତାଙ୍କଠାରୁ କୌଣସି ଦିନ ଏଇଭଳି ବ୍ୟବହାର ପାଇ ନଥିଲା । ଚିନୁ ସେଇଥିପାଇଁ ଅଭିମାନରେ ପାଖକୁ ଆଉ ଆସିନି । କିନ୍ତୁ ବିଭାଘରର ସବୁ କଥା ଟିକି ନିଖି ବୁଝିଚି ସେ । ଏମିତିକି ତା ବାବା କ’ଣ ପିନ୍ଧିବେ ତାକୁ ମଧ୍ୟ ଆଲଣାରେ ସଜାଡ଼ି ଦେଇଚି । ସେତ କେବଳ ଅଭିମାନ କରିଥିଲେ ଚିନୁ ଉପରେ । ବିଭାଘରର ସମସ୍ତ ବନ୍ଦୋବସ୍ତ ହେଲାପରେ ନିଜ ଜିଦ୍‌ରେ ଅଟଳ ରହି ବିବାହ କଲାନି ବୋଲି ତା’ରି ଇଚ୍ଛାରେ ସେ ପାର୍ଥ ସହିତ ସୁମନର ବିଭାଘର କରାଇ ଥିଲେ ।

 

ପାର୍ଥ ଆଉ ଚିନୁ ଉଭୟେ ଉଭୟଙ୍କ ପ୍ରତି ନିରବ, ଗଭୀର ପ୍ରୀତି । ଏହା ତାଙ୍କର ନିର୍ଭୁଲ ଧାରଣା । ଯଦିଓ ସେମାନେ ଆଧୁନିକ ଯୁଗର ଯୁବକଯୁବତୀ ମାତ୍ର ଲଜ୍ୟା, ଶଙ୍କୋଚ, ସଂଯମ ଦୁହିଁଙ୍କର ପ୍ରତ୍ୟେକ ଆଚରଣରେ ସେ ଲକ୍ଷ୍ୟ କରିଛନ୍ତି । ଆନନ୍ଦଶଙ୍କରଙ୍କ ଦୃଷ୍ଟିରେ ପାର୍ଥ କେବଳ ସୁନ୍ଦର, ସୁଗଠିତ, ମାର୍ଜିତ ଯୁବକ ନୁହେଁ, ସଂଯମୀ ମନତାର । ନିଜକୁ ଗଢ଼ି ତୋଳିବାର ଅନେକ କଷ୍ଟ ସ୍ଵୀକାର କରିଚି । ଜ୍ଞାନ ଆହରଣ ପ୍ରତି ପ୍ରବଳ ଆଗ୍ରହ । ଅନ୍ୟମାନଙ୍କ ଅପେକ୍ଷା ତାର ଆଚରଣରେ ଯଥେଷ୍ଟ ସ୍ଵତନ୍ତ୍ରତା ସେ ଉପଲବ୍‌ଧି କରିଚନ୍ତି । ପାର୍ଥର ପ୍ରଶାନ୍ତ ଗମ୍ଭୀର ବ୍ୟକ୍ତିତ୍ଵ, ବୁଦ୍ଧିଦିପ୍ତ ରୂପଲାବଣ୍ୟ ସବୁକିଛି ତାଙ୍କୁ ଆକୃଷ୍ଟ କରିଥିଲା ।

 

ଆଉଦିନେ ସେ ବୁଝିଥିଲେ ପାର୍ଥର କେତେ ରକ୍ଷଣଶୀଳ ମନୋବୃତ୍ତି ଥିଲା ଇତିହାସରେ ସମଗ୍ର ବିଶ୍ଵବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ପାଇଲା ଚିନୁ । ଯଦି ଅଫର୍ ଆସେ ଗ୍ରହଣ କରିବ କି ନାହିଁ ବୋଲି ସେ ପାର୍ଥ ସହିତ ପରାମର୍ଶ କରିବାକୁ ତା କ୍ଵାଟରକୁ ଯାଇଥିଲେ । କାରଣ ସେତେବେଳେ ବିଭାଘର ଅଳ୍ପଦିନ ଥାଏ । ସେଇଥିପାଇଁ । ତାଙ୍କ ପ୍ରଶ୍ନ ଶୁଣି ପାର୍ଥ କହିଥିଲା-। ତାର କୌଣସି ପ୍ରୟୋଜନ ନାହିଁ । ଆଉ ଚିନୁ ? ତାଙ୍କର ଅତି ଆଦରର ଚିନୁ ମା । ସେ କେତେ ଧୀର, ସଂଯମୀ, ମଣିଷ ମନକୁ ଛୁଇଁଲା ଭଳି ତାର ଶାନ୍ତ ସ୍ଵଭାବ । କେବଳ କୃତ୍ତି ଛାତ୍ରୀ ନୁହେଁ ଘର ଚଳାଇବାରେ ତାର ଅପୂର୍ବ ଦକ୍ଷତା । ଦୀର୍ଘ ଏତେବର୍ଷ ଧରି ସେ ତାଙ୍କ ଆତ୍ମଜାକୁ ଠିକ୍ ଚିହ୍ନିଛନ୍ତି-। ତେବେ ? କାହିଁକି ?? ପାର୍ଥକୁ ବିବାହ କଲାନି ଚିନୁ ???

 

ହେଇତ, ସେଦିନର କଥା ସ୍ପଷ୍ଟ ମନେ ଅଛି । ପାର୍ଥ ଯେତେବେଳେ ସହରରେ ଆସି ରହିଲା । କିଛିଦିନ ପରେ ପରେ ପଡ଼ିଥିଲା ଅସମ୍ଭବ ଥଣ୍ଡା । ରାତି ଦିନ ଲାଗି ସୁଏଟରଟିଏ ବୁଣୁଥିଲା ଚିନୁ, ସୁଏଟରଟି ଥିଲା ଗାଢ଼ରଙ୍ଗର ।

 

ତାକୁ ସେ ପ୍ରଶ୍ନ କରିଥିଲେ—

 

: ଅଳ୍ପଦିନ ତଳେ ତ ଗୋଟାଏ ବୁଣିଥିଲୁ । ପୁଣି ଗୋଟାଏ କାହିଁକି ବୁଣି ଦୃଷ୍ଟିଶକ୍ତି ନଷ୍ଟ କରୁଚୁ ମା, ତାଛଡ଼ା ଗାଢ଼ାରଙ୍ଗର ସୁଏଟର ପିନ୍ଧିବାକୁ ମୋର କଣ ବୟସ ଅଛି ?

 

: ନା, ଏଇଟା, ମାନେ....ଆଉ କିଛି ନକହି ଲାଜରେ ମୁହଁ ତଳକୁ କରି ଦେଇଥିଲା ଚିନୁ-। ତାର ସେଇ ଲଜ୍ୟାବନତ ଭଙ୍ଗୀରୁ ସେ ଅନୁମାନ କରିଥିଲେ ଯେ ସେଇଟା ସେ ପାର୍ଥ ପାଇଁ ବୁଣିଚି । ଦିନେ ମଧ୍ୟ ନିଜେ ନେଇ ସେଇଟା ପାର୍ଥକୁ ଦେଇ ଆସିଥିଲେ । ସାଧାରଣ ସୁଏଟର ଟାଏ-। କିନ୍ତୁ ନିରବ ପ୍ରିତିର ସ୍ଵାକ୍ଷର ସେଥିରେ କ’ଣ ସେ ଦେଖି ନଥିଲେ ?

 

ତେବେ କାହିଁକି ପାର୍ଥଭଳି ସୁନ୍ଦର, ମାର୍ଜିତ, ବୃତ୍ତି, ଦୃଢ଼ ଚରିତ୍ର ରତ୍ନକୁ ଉପେକ୍ଷା କଲା ଚିନୁ ?

 

ପାର୍ଥ ଏ ସହରକୁ ଆସିବା ପୂର୍ବରୁ ଆଉ କ’ଣ କେହି ତା ହୃଦୟକୁ ଅଧିକାର କରିଥିଲା-??

 

ନା, ଏକଥା କେବେ ହେଲେ ସେ ବିଶ୍ଵାସ କରିବେନି । ତା ହୋଇଥିଲେତ ନିର୍ବନ୍ଧ ସମୟରେ ଚିନୁ ପ୍ରତିବାଦ କରିଥାନ୍ତା । ବାହାଘରର ଅୟୋଜନକୁ ଏତେବାଟ ଆଗେଇ ନେବାକୁ ଦେଇ ନଥାନ୍ତା । କୌଣସି ଦିନ କୌଣସି କଥା ସେ ତାର ବାବାର ଆଜାଣତରେ କରି ପାରିବନି । ସେଇଭଳି ଝିଅ ସେ ନୁହେଁ ।

 

ଅନେକ କ୍ଳାନ୍ତି ନେଇ ଗଡ଼ି ପଡ଼ିଲେ ସେ ବିଛଣାରେ । ଉଠିଲେ ତାକୁ ଡାକି ବୁଝାଇ ଦେବେ । ପାଖକୁ ଆସୁନି । ଅଭିମାନ କରିଚି । ତକିଆଟା ପାଖରେ ଦେଖିଲେ ଚାବିପେନ୍ଥାଟା ଆଉ ତା ତଳେ ଖଣ୍ଡେ ଧଳା କାଗଜ ଭଙ୍ଗା ହୋଇ ଯତ୍ନରେ ରଖା ହୋଇଚି । ଚାବିଟା ଆଜି ପର୍ଯ୍ୟନ୍ତ ତ ଚିନୁ ପାଖରେ ଥିଲା । ତେବେ ଅଭିମାନରେ ଆଣି ରଖି ଯାଇଚି । ବାଇଆଣୀ ମାଆଟା । ବାବା ଯେତେ ତାର ଭଲ ପାଇଁ ଚିନ୍ତା କରୁଥିଲେ ଏକଥା କେମିତି ବୁଝିପାରୁନି । କୌଣସି ଦରକାରୀ କାଗଜ ହୋଇଥିବ ଭାବି କାଗଜଟିକୁ ଖୋଲିଲେ । ଉପରେ ‘ବାବା’ ସମ୍ବୋଧନ ଆଉ ତଳେ ‘ଚିନୁ ବୋଲି ଲେଖାରୁ ଜାଣିଲେ ଏମିତି କୌଣସି କଥା ଘଟିଚି ଯାହାକୁ ମୁହଁରେ ପ୍ରକାଶ କରିବାକୁ ଲଜ୍ୟା ଲାଗିଛି ଆଉ ସେ କଥାକୁ କାଗଜ କଲମ ମାଧ୍ୟମରେ ପ୍ରକାଶ କରିଚି ଚିନୁ । ଚିଠିଟିକୁ ପଢ଼ିଲେ । ସେ ଲେଖିଥିଲା—

 

ବାବା,

 

ଜୀବନରେ ପ୍ରଥମ ଆଉ ଶେଷଥର ପାଇଁ ତୁମର ଅବାଧ୍ୟ ହେବାକୁ ପଡ଼ିଲା ମୋତେ ।

 

ପରିସ୍ଥିତି ମତେ ଏଭଳି କରିବାକୁ ବାଧ୍ୟ କଲା । ସମସ୍ତଙ୍କୁ ମିଛ କହିହୁଏ, କିନ୍ତୁ ମୋ ବାବାଙ୍କୁ ? ଯିଏ କେବଳ ଚିନୁର ବାବା, ଯେଉଁ ବାବାଙ୍କୁ ନେଇ ମୋର ପୃଥିବୀ ଗଢ଼ିଥିଲି ଆଜି ପର୍ଯ୍ୟନ୍ତ । ସେଇ ସକଳ ଭକ୍ତିର ପାତ୍ର ମୋର ବାବାଙ୍କୁ ମୁଁ କେମିତି ମିଛ କହିପାରିଥାନ୍ତି ? ତୁମ ଆଖିରେ କିଛି ଧରାପଡ଼ି ଯିବା ଭୟରେ ତୁମ ଅଜାଣତରେ ଚରଣ ଧୂଳି ମଥାରେ ନବୋଳି ମୁଁ ପରିଚିତ ସହର ତ୍ୟାଗ କରିବାକୁ ବାଧ୍ୟ ହେଲି । ତୁମକୁ ସବୁକଥା ନଜଣାଇଲେ ମୋ ମନରେ ଶାନ୍ତି ଆସିବନି ।

 

ସେଥିପାଇଁ–ସବୁକଥା ଜଣାଇ ଦେଲି ।

 

ବାବା, ତୁମର ଅନେକ ଦିନର କଳ୍ପନା, ବୋଉର ପିଲା ଦିନର ଧୂଳିଖେଳର ଶପଥ, ତୁମ ଚିନୁ, ପାର୍ଥକୁ ବିବାହ କରିବ । ସେ ଦିନ ଆସିଲା । ଦିନରାତି ପରିଶ୍ରମକରି ତୁମେ ବିଭାଘର ଆୟୋଜନରେ ଲାଗିଲ । ଶାଢ଼ି ଗହଣା କିଣିଲ, କିନ୍ତୁ ତୁମ ମନରେ ମୋ ପ୍ରତି ଅଭିମାନ ସେ ଶାଢ଼ି ଗହଣା ମୁଁ ନପିନ୍ଧି, ପିନ୍ଧିଲା ସୁମନ । ଆଉ ବେଦୀରେ ବସିବ । ବାଗ୍‌ଦତ୍ତା କନ୍ୟା ହୋଇ ମୁଁ ଦିଗହଜା ନଉକା ଭଳି ଆଜି ସ୍ରୋତ ମୁଖରେ ଭାସି ଯାଉଚି । କୂଳର ସନ୍ଧାନ ପାଇବି କି ନାହିଁ ଜାଣେନି । ତାଛଡ଼ା ଅନ୍ୟ ଉପାୟ ମୋର ନଥିଲା ।

 

ତୁମେ ଶିକ୍ଷା ଦେଇଚ ସଂଯମହି ପ୍ରତ୍ୟେକ ନାରୀ କିମ୍ବା ପୁରୁଷକୁ ଶ୍ରୀମୟୀ କରି ତୋଳେ ! ଲଜ୍ୟା, ଶଙ୍କୋଚ, ଦୃଢ଼ ଚରିତ୍ର ପ୍ରତ୍ୟେକଙ୍କର ଭୂଷଣ ଆଉ ପରମ ସଂପଦ । ତୁମର ଆଦର୍ଶରେ ନିଜକୁ ଗଢ଼ି ତୋଳିଚି । ଅତି ପିଲାଟି ଦିନରୁ ମୋ ମନରେ ସମସ୍ତେ ଧାରଣା ଦେଲେ ପାର୍ଥର ମୁଁ ବାଗ୍‌ଦତ୍ତା । ତାକୁ ନଦେଖି, ନଜାଣି ମଧ୍ୟ ସେ ଯେ ସ୍ୱାମୀ ହେବେ ସେଇ କଥା ଭାବିଥିଲି-। ପାର୍ଥକୁ ଦେଖିବା ପରେ ଜାଣିଲି ଆଜିର ଏଇ ଯୁବ ଗୋଷ୍ଠୀ ମଧ୍ୟରେ ପାର୍ଥହିଁ ବ୍ୟତିକ୍ରମ-। ମନୁଷ୍ୟ ଜୀବନର ସବୁଠାରୁ ବଡ଼ ସଂପଦ ତାର ଚରିତ୍ର । କିନ୍ତୁ ବାବା ତୁମେ କଣ ବିଶ୍ଵାସ କରି ପାରିବ ସେ ଯେଉଁ ପାର୍ଥ ତୁମ ଦୃଷ୍ଟିରେ, ମୋ ଦୃଷ୍ଟିରେ । ଯେଉଁ ପାର୍ଥ ଥିଲା ଆତ୍ମ କେନ୍ଦ୍ରିକ, ସ୍ଵୟଂ ସଂପୂର୍ଣ୍ଣ ବଳିଷ୍ଠ ଦୃଢ଼ ଚରିତ୍ର ଯୁବକ ତାର ପଦ ସ୍ଖଳନ ହେଲା ବୋଲି । ତୁମର କିମ୍ବା ମୋର ଗଭୀର ଆତ୍ମବିଶ୍ୱାସର ମୂଲ୍ୟ ରଖିଲାନି । ସେ ଯେ ସଂଯମହୀନ ଏକ ବିକୃତ ଅମଣିଷ ।

 

ତୁମେ ଲକ୍ଷ କରିଥିଲ ଆଉ ଅନେକ ସମୟରେ ଗମ୍ଭୀର ହୋଇ ଯାଅ । ତାର କାରଣ ସୁମନ । ସେ ସଂଯମ ହରାଇ ଉତ୍ସୁଙ୍ଖଳତାର ଶେଷ ସୋପାନକୁ ଓହ୍ଳାଇ ତାର କୁମାରୀତ୍ଵ ବଳି ଦେଲା । ତାର କୁମାରୀତ୍ଵ ଅପହରଣ କରି ପରେ ଅସ୍ଵୀକାର କଲା ଯିଏ, ସେ ହେଉଚି ପାର୍ଥ ।

 

ଏସବୁ ଜାଣିଲା ପରେ ବଡ଼ ଭଉଣୀ ହୋଇ ସାନ ଭଉଣୀର ଜୀବନକୁ କଳଙ୍କ ଭିତରେ ରଖି କେମିତି ପାର୍ଥକୁ ବିବାହ କରିଥାନ୍ତି କହିଲ ? ତୁମେ ମୋର ଯିଦ୍ ଦେଖି ମୋ ଉପରେ ବିରକ୍ତ ହୋଇଥିଲ । ଗମ୍ଭୀର ହୋଇ ମୋର ଦେବା ସରବତ୍ ପିଇନଥିଲେ । ତୁମର ସୁନାମରେ କଳଙ୍କ ଆସିବନି, ଆଉ ସୁମନ୍‌କୁ ଠକି ଯିବାକୁ ନ ଦେଇ ମୁଁ ନିଜ ସିଦ୍ଧାନ୍ତରେ ଅଟଳ ରହିଥିଲି । ତୁମ ଦାୟିତ୍ୱ, ତୁମ କର୍ତ୍ତବ୍ୟ ତୁମେ ଠିକ୍ ଭାବରେ ସଂପାଦନ କରିଥିଲ । ମୋ ମନ ଭିତରେ ପାର୍ଥ ଯେଉଁ ସୁଦୃଢ଼ ଅସ୍ଥାନ ଜମାଇ ଥିଲା, ସେ ସବୁ ଫାଙ୍କି । ପାର୍ଥ ଚରିତ୍ର ଭିତରେ ସମଗ୍ର ପୁରୁଷ ଜାତିକୁ ବିଶ୍ଳେଷଣ କଲି । ପୁରୁଷ ମାତ୍ରେହିଁ ଚରିତ୍ରହୀନ, ଏଇ ଧାରଣା ସୃଷ୍ଟି ହୋଇଚି । ବିବାହ ଆଉ ମୋ ଜୀବନରେ ସମ୍ଭବ ନୁହେଁ । ସୁମନ୍ ଆଉ ପାର୍ଥଙ୍କୁ କ୍ଷମାଦେବ । ସେମାନେ ଯେମିତି ସୁଖମୟ ଦାମ୍ପତ୍ୟ ଜୀବନଯାପନ କରନ୍ତୁ, ଆଶୀର୍ବାଦ କରିବ । ତୁମଠାରୁ ଆଜି ଅନେକ ଦୂରକୁ ଚାଲି ଯାଉଚି-। ନିଜ ଗୋଡ଼ରେ ଠିଆ ହେବାର ଶକ୍ତି ସଂଗ୍ରହ କରି ପାରିବି ।

 

ତୁମର ‘ଚିନୁମା’

 

ହାତରେ ଚିଠିଟାକୁ ମୁଠାଇ ଧରି ପିଲାଙ୍କ ପରି କାନ୍ଦି ଉଠିଲେ ଆନନ୍ଦଶଙ୍କର । ସେ ଯଦି ଜାଣିଥାନ୍ତେ, ସେ କଣ କେବେ ଚିନୁ ପ୍ରତି ଗମ୍ଭୀର ଆଚରଣ କରିଥାନ୍ତେ ? ସାନ ଭଉଣୀ ପଇଁ ସର୍ବସଂହା ଧରିତ୍ରୀ ଭଳି, ପାର୍ଥକୁ କ୍ଷମା ଦେଇ ନିରବରେ, ବିନା ପ୍ରତିବାଦରେ ଦୂରେଇ ଗଲା ଚିନୁ । ପୃଥିବୀର କୌଣସି ନାରୀ ପକ୍ଷରେ ଯାହା ସମ୍ଭବ ନୁହେଁ, ଚିନୁ ତାଙ୍କର ସେଇ ଆଦର୍ଶ ଦେଖାଇ ଦେଲା । ଏବେ ସେ ବୁଝି ପାରିଲେ ସବୁକଥା । ଚିନୁର ପାର୍ଥକୁ ବିବାହ ନ କରିବାର କାରଣ ।

 

ମନେ ପକାଇଲେ ଚିନୁର ମୁହଁଟାକୁ । ଯେଉଁ ମୁହଁ ସଦା ସର୍ବଦା ଆତ୍ମବିଶ୍ଵାସ ଆଉ ଦୃଢ଼ତାର ଝଲ୍ ମଲ୍ । ସେ କାହା ନାମରେ ଅଭିଯୋଗ କରିନି । ଅନ୍ଧାରରେ ଠିଆ ହୋଇ କାନ୍ଦୁଥିବାର ଲକ୍ଷ୍ୟ କରି ପଚାରି ଥିଲେ କେବଳ । କେତେ ସୁନ୍ଦର କ୍ଷମା ସୁନ୍ଦର ହସି ହସି ନିଜର ଅନ୍ତରର କ୍ଷତକୁ ଛାତି ଭିତରେ ଚାପି ଦେଇଥିଲା । ସେତେବେଳେ ଆନନ୍ଦଶଙ୍କର କଣ ଜାଣିଥିଲେ ଯେ, ଭଉଣୀ ଠାରୁ ସବୁକଥା ଶୁଣି ସାରାଦିନ ଧରି ଚିନୁ କେଉଁଭଳି ମାନସିକ ଅଶାନ୍ତି ଭୋଗିଚି ଆଉ ହୃଦୟ ସାଗରରେ ଭୟଙ୍କର ତୋଫାନ ସୃଷ୍ଟି ହୋଇଚି ବୋଲି । ଆହା, ହୃଦୟକୁ ମନ୍ଥିତ କରି କରୁଣ ଉଚ୍ଛ୍ୱାସ ତାର ଉଠି ଆସିଥିବ । ଛାତି ଭିତରେ କରୁଣ ରାଗିଣୀ ଅହରହ ବାଜି ଚାଲିଥିବ । ଏବେ ସେ ସବୁକଥା ଚିଠି ପଢ଼ି ତାଙ୍କର ମନେ ହେଉଚି ।

 

ପାର୍ଥ ପ୍ରତି ଶିଶୁ ବୟସରୁ ତାଙ୍କର ଆକର୍ଷଣ । ଅନ୍ୟକୁ ଆକର୍ଷଣ କଲାଭଳି ତାର ଆଚରଣ । ଯେଉଁ କେତେଥର ପାର୍ଥ ତାଙ୍କ ନିକଟକୁ ଆସିଚି, ତାର ପ୍ରତ୍ୟେକ ଆଚରଣ ତାଙ୍କୁ ମୁଗ୍‌ଧ କରି ତୋଳି ଥିଲା । ଆଜିର ଯୁବକ ହୋଇ ବିଭାଘର ପୁର୍ବରୁ ଚାହିଁନି ସେ ଚିନୁ ସହିତ ମିଳା ମିଶା କିମ୍ବା କଥାବାର୍ତ୍ତା ଯାହା ଅନ୍ୟମାନେ କରନ୍ତି । ଯଦି କୌଣସି କାମରେ, କେବେ ଆସେ, ସେଇ ଡ୍ରଇଂ ରୁମ୍‌ରୁ କଥାବାର୍ତ୍ତା କରିସାରି ଧିର ଗମ୍ଭୀର ହୋଇ ଫେରି ଯାଇଚି । ଆଜିର ଯୁବକମାନଙ୍କ ପରି ପ୍ରଗଳ୍‌ଭ ନୁହେଁ । ଦରକାର ଅନୁଯାୟୀ ସେ କଥାବାର୍ତ୍ତା କରେ । ଅଳ୍ପ ବୟସରୁ ତାର ଅପୂର୍ବ ବ୍ୟକ୍ତିତ୍ଵ ମୁଗ୍‌ଧ କରିଥିଲା ଆନନ୍ଦଶଙ୍କରଙ୍କୁ ।

 

ପାର୍ଥ ପିତୃହୀନ । ଅନେକ ଦୁଃଖ କଷ୍ଟ ସହି ନିଜକୁ ଗଢ଼ି ତୋଳିଚି । ସାହାଯ୍ୟ କରିବାକୁ ଇଚ୍ଛାଥିଲେ ମଧ୍ୟ ପାରି ନଥିଲେ କୌଣସି ଦିନ । ମଆ ଓ ପୁଅ, ଉଭୟଙ୍କର ଭୀଷଣ ଆତ୍ମସମ୍ମାନ ବୋଧ, ବାହାଘର ପୂର୍ବରୁ ଦେବା ନେବା ବିଷୟରେ ପଚାରିବାରୁ କହିଥିଲା—

 

: ସେ କଥା ଉଠାଇ ମତେ ଲଜ୍ଜିତ କରନ୍ତୁନି ବାବା । ଆପଣଙ୍କ ଆଶୀର୍ବାଦ ମୋର ଯଥେଷ୍ଟ ।

 

ଅଥତ ସେଇ ପାର୍ଥ କେମିତି ସଂଯମହୀନ....ହୋଇ ପାରିଲା ? ଏତେ ନିମ୍ନଗାମୀ ତାର ଚିନ୍ତାଧାରା ହେଲା କେମିତି ?? ସୁମନ ତୁଳନାରେ ଅର୍ଚ୍ଚନା କେଉଁ ଗୁଣରେ ନ୍ୟୁନ ନୁହେଁ । ଯାଜ୍ଞସେନୀଙ୍କ ରଙ୍ଗର ଉଜ୍ଜ୍ୱଳତା ଯଦିଓ ସୁମନର; କିନ୍ତୁ ଚିନୁ ଅନନ୍ଦଶଙ୍କରଙ୍କ ଭଳି ଶ୍ୟାମଳ ବର୍ଣ୍ଣ । ଗଠନ ତା ବୋଉ ପରି । ସେଇ ଆଖି, ସେଇ ମୁହଁ । ଯାଜ୍ଞସେନୀଙ୍କ ରୂପର ଛୋଟିଆ ସଂସ୍କରଣ ଯେମିତି । ତା’ର ସେଇ ଶ୍ୟାମଳ ବର୍ଣ୍ଣରେ କେମିତି ମାଧୁର୍ଯ୍ୟ ଭରା । ସ୍ଥିର-ତରଙ୍ଗ ଭଳି ସେ ଅଚଞ୍ଚଳ । ଶିଶୁ ବୟସରୁ ସେ ଶାନ୍ତ । ଅନେକ ଶୀତଳତା ତାର ଚରିତ୍ରରେ । ଚିନୁ କେବଳ ଯେ ତାଙ୍କର କନ୍ୟା ନଥିଲା, ଆନନ୍ଦଶଙ୍କରଙ୍କର ଅନେକ ଶୂନ୍ୟତା ଭରା ନିସଙ୍ଗ ଜୀବନର ବଞ୍ଚି ରହିବାର ଉତ୍ସ । ତାଙ୍କ ଶୁଷ୍କମରୁମୟ ଜୀବନରଜଳଧାରା ସଦୃଶ । ସାଥି, ସଙ୍ଗୀ, ସବୁସେ । ଏମିତିକି ମାଆଭଳି ସମୟ ସମୟରେ ଉପଦେଶ ଦେଇଚି ତାଙ୍କୁ ।

 

ସୁମନ୍ ଜନ୍ମ ହେବା ପୂର୍ବରୁ ଯାଜ୍ଞସେନୀ ଦୀନକୁ ଦିନ ଦୁର୍ବଳ ହୋଇଯାଉ ଥିଲା । ସଦା ଭୋଳା, ବହି ପାଗଳା ଆନନ୍ଦଶଙ୍କର ସେତେବେଳେ ଦୁର୍ବଳତାର କାରଣ ବୁଝି ପାରିନଥିଲେ । ଛୋଟ ପିଲା ଚିନୁ ହୁଏତ ହଇରାଣ କରିବ ଏଥିପାଇଁ ତାକୁ ନିଜ ପାଖରେ ଶୁଆଉ ଥିଲେ ଆଉ ତାର ପ୍ରତ୍ୟେକ କଥା ବୁଝୁଥିଲେ । ରାତିରେ ଛାତିରେ ପକାଇ ବୁଲାଉ ଥିଲେ । ଆସ୍ତେ ଆସ୍ତେ ସେ ବଡ଼ ହେଲା ତା ବାବାଙ୍କର ସବୁକଥା ସେ ବୁଝୁଥିଲା । ନୀର୍ଭରଶୀଳ ହୋଇଯାଇଥିଲେ ଆନନ୍ଦଶଙ୍କର ।

 

ଜୀବନର ଯନ୍ତ୍ରଣାକୁ ଭୁଲିଯିବା ପାଇଁ ପରମ ଔଷଧି ରୁପେ ବାଛିନେଇ ଥିଲେ ବହିପଢ଼ା-। ଅନେକ ରାତି ପର୍ଯ୍ୟନ୍ତ ବହିର ସମୁଦ୍ରରେ ବୁଡ଼ିଗଲାବେଳେ, ଶାନ୍ତ, ସମାହିତ ସ୍ଵରରେ ଡାକେ-

 

ବାବା, ତମେ ଶୋଇବନି । ରାତି କେତେ ହେଲାଣି ଘଡ଼ିକୁ ଦେଖିଲ ? ଦେହ ଖରାପ ହେବନି ? ଝିଅକଥା ଶୁଣି ହସି ହସି କହନ୍ତି ।

 

ହଁ, ମା । ଦେହ ଖରାପ ହେଲେ ତୁ ଆଉ ହରିଦାଦା ହଇରାଣ ହେବ । ନୁହେଁ ?

 

ମୁଁ କ’ଣ ସେ କଥା କହିଲି । ତୁମେ କଷ୍ଟ ପାଇବ । ତୁମେ କଷ୍ଟପାଇଲେ ନା ମତେ କିଛି ଭଲ ଲାଗିବନି । ତାପରେ ତାଙ୍କ ହାତରୁ ବହି, ଆଖିରୁ ଚଷମା ନେଇ ଯଥା ସ୍ଥାନରେ ରଖିଦିଏ । ବିଛଣା ଉପରକୁ ଉଠିଯାନ୍ତି ସେ । ତାପରେ ମଶୁରୀ ପକାଏ, ଲାଇଟି ଲିଭାଇ ଦିଏ । ଦେହରେ ତାଙ୍କର ଚଦର ଘୋଡ଼ାଇ ଦେଇ ସାରିବା ପରେ ଧୀର ପଦରେ ନିଜର ବିଛଣାକୁ ସେ ଯାଏ । ଯେଉଁଦିନ ତାର ପଢ଼ାପଢ଼ି ଥାଏ, ତାର ପଢ଼ା ରୁମକୁ ଯାଇ ପଢ଼ିବସେ । ଅବଶ୍ୟ ଏସବୁ ଯାଜ୍ଞସେନୀର ମୃତ୍ୟୁପରର କଥା ।

 

ପ୍ରାଣପ୍ରିୟା ପତ୍ନୀଙ୍କ ବିଚ୍ଛେଦରେ ଅନେକ ରାତ୍ରି ଅନିଦ୍ରା ହୋଇ ଖୋଲା ଝରକାରେ ଆକାଶକୁ ଅନାଇଁ ଖୋଜନ୍ତି ସେଇ ପରିଚିତ ମୁହଁଟିକୁ । ଆଖିରୁ ଝରିପଡ଼େ ଧାର ଧାର ହୋଇ ଲୁହର ଝରଣା ସେତିକିବେଳେ କୁନିକୁନି ପାଦ ପଳାଇ ପଛରେ ଆସି ଠିଆହୁଏ, ଆଉ ଡାକେ ।

 

ବାବା, ଆସ ଶୋଇବ । ମତେ ଏକୁଟିଆ ନିଦଲାଗୁନି । ଯଦି ଖାଇବାକୁ ଇଚ୍ଛା ଲାଗେନି-! ତେବେ ଆସି କହିବ, ‘ବାବା ଆସ ଖାଇବ । ମତେ ଭୋକ କରୁଚି ।

 

ଆନନ୍ଦ ନଖାଇଲେ ସେ ଖାଏନି । କେତେ ଶାନ୍ତ, କେତେ କୋମଳ ତାର କଥା କହିବା ଭଙ୍ଗୀ । ବେଶି ମମତାମୟୀ । କେତେ ଅବା ବୟସ ସେତେବେଳେ, ହୁଏତ ତିନି ଚାରିବର୍ଷ ବୟସର ଶିଶୁ । ମାଆର ମୃତ୍ୟୁପରେ ଅଜା ଆଈ ତାକୁ ମାଣିକଗଡ଼ ନେଇ ଯିବାକୁ ଚାହୁଁଥିଲେ । ତାକୁ ଛାଡ଼ିପାରି ନଥିଲେ ସେ । ଚିନୁ ମଧ୍ୟ ତାଙ୍କୁ ଛାଡ଼ିବାକୁ ରାଜି ହୋଇ ନଥିଲା ।

 

ସେଇ ତିନିବର୍ଷ ବୟସରୁ ଦୀର୍ଘ ଅଠରବର୍ଷ ଧରି ଚିନୁ ତାଙ୍କ ନିଃସଙ୍ଗ ଜୀବନର ସଙ୍ଗୀ । ତା ପାଇଁ ସେ ବାହାର ଦୁନିଆଁକୁ ଭୁଲି ଯାଇଥିଲେ । ସାଙ୍ଗସାଥି ଛାଡ଼ି ଦେଇଥିଲେ । କଲେଜର ପିରିଅଡ଼୍‍ ଓଭର ହେବାମାନେ ଘରକୁ ପଳାଇ ଆସୁଥିଲେ । ଭାବନା ଥିଲା ଚିନୁ କ’ଣ କରୁଥିବ । ଅବଶ୍ୟ ହରିଚରଣ ସାତ ମାଆଠାରୁ ବଳିଗଲା ।

 

ସେଇ ଶିଶୁ ବୟସରୁ ସେ ଜାଣିପାରି ଥିଲା ତାର ବୋଉ ମରିଯାଇଚି ବୋଲି । ସେଇଥିପାଇଁ କୌଣସିଦିନ ବୋଉ ପାଖକୁ ଯିବାପାଇଁ ଅଝଟ କରିନି । ତାର ହସରେ, ଦରୋଟି କଥାରେ ଜୀବନର ଦୁଃଖକୁ ଅନେକ ପରିମାଣରେ ଭୁଲି ଯାଇଥିଲେ ସେ ।

 

ସେଇ ଅତି ଆଦରର ଚିନୁ ଯେ, ନିଜ ଆଖିର ଲୁହକୁ ନିଜେ ପିଇ ଅସହାୟ ନିସହାୟ ଭାବରେ କକ୍ଷଚ୍ୟୁତ ତାରକା ଭଳି ଛଟକି ଗଲା ।

 

ଚିନୁର ପିଲାଦିନ କଥା ମନେ ପକାଇବାକୁ ଗଲେ, ଆନନ୍ଦ ଶଙ୍କରଙ୍କର ମନେ ପଡ଼ିଯାଉଚି ଅନେକ କଥା । ବହୁ ସ୍ମୃତି ବିଜଡ଼ିତ ତାଙ୍କର ଅତୀତ । ଅତୀତ ଉପରେ ପଡ଼ିଯାଇଥିବା ଅବଗୁଣ୍ଠନ ଖୋଲିଦେଲେ ମନେପଡ଼ିବେ ତାଙ୍କ ନନା ରୁଦ୍ରଶଙ୍କର । ଜେଜେ ମାଆ ଶ୍ୟାମାମଣୀ, ସାବତ ବୋଉ ଭୂବନେଶ୍ୱରୀ , ଜାନକୀ ମାଉସୀ, ମାଇଁ କରୁଣା, ଯିଏ ଆନନ୍ଦଙ୍କ ଜୀବନରେ କରୁଣାର ପ୍ରତିମୂର୍ତ୍ତି ଭଳି ଦେଖାଦେଇ ଥିଲେ, ମାମୁଁ ସୋମନାଥ, ପ୍ରାଣପ୍ରିୟା ପତ୍ନୀ ଯାଜ୍ଞସେନୀର ବାପା ଓ ବୋଉ, ନିଳାମ୍ବରୀ, ଭୂବନସାଆନ୍ତ, ପତ୍ନୀର ବଉଳ ରତ୍ନମଣୀ, ଅନନ୍ଦ ଆଉ ଯାଜ୍ଞସେନୀଙ୍କ ବିଭାଘରର ଘଟକୀ କିଆଗଉଡ଼ୁଣୀ ଆହୁରି ଅନେକେ । ସର୍ବୋପରି ଅଭୁଲା ଗାଁ ଦୁଇଟି....... ମୋତିଗଡ଼ ଆଉ ମାଣିକଗଡ଼ ଯେଉଁସବୁ ଘଟଣା ପ୍ରବାହ ଅତୀତ ହୋଇ ଯାଇଥିଲେ ମଧ୍ୟ ଭୁଲିପାରି ନାହାନ୍ତି ଆଜିର ମଧ୍ୟ ବୟସ୍କ ଦର୍ଶନ ଅଧ୍ୟାପକ ଆନନ୍ଦଶଙ୍କର । ଯଦି ଅନେକ ବର୍ଷ ତଳର ସ୍ମୃତିକୁ ଫେରିଆସିବେ, ତେବେ ସ୍ପଷ୍ଟ ଦେଖିବାକୁ ପାଇବେ ରସ୍ତାରେ ସାଙ୍ଗସାଥୀ ଗହଣରେ ହାତରେ ବହିବସ୍ତାନୀ ଜାକି ଚାଲିଯାଉଚି ଗୋଟିଏ ବାଳକ । ତେଲ ଜରଜର ହୋଇ ଚିକ୍‌କଣ କୁଣ୍ଡାହୋଇଚି ମୁଣ୍ଡ । ଗାଲ ମୁହଁରେ ତେଲର ଛାପ । ଘରେ ପଶି ଯାଉ ଯାଉ ଜେଜେ ମାଆ ଉପରେ ବହିବସ୍ତାନୀ ଫୋପାଡ଼ି ଦେଇ ଖାଇବାକୁ ମାଗି ବସେ । ସେ ଆନନ୍ଦ । ଭବାନୀପୁର ଗାଁର ଶ୍ୟାମାମଣୀଙ୍କ ନାତି । ଭବାନୀପୁର-ସାଧାରଣ ଗାଁଟିଏ । ସେ ଗାଁକୁ ମନେ ରଖିଲାଭଳି କୌଣସି ଇତିହାସ ନଥିଲା । ଏବେ ସେ ଗାଁର ଅନେକ ଉନ୍ନତି ହୋଇଚି । ଦୁଇ ଓଳି ବସି ଯାଉଛି । କିନ୍ତୁ ସେତେବେଳେ ପାଖ ସହରକୁ ଯିବାକୁ ହେଲେ ପାଞ୍ଚ କୋଶ ବାଟ ଡଙ୍ଗାରେ ନଈ ପାର ହୋଇ ବିଲ ହିଡ଼ କଡ଼ ଦେଇ ଶଗଡ଼ ଗୁଳାରେ କୋଶେ ବାଟ ଚାଲିଲେ ଯାଇ ବସ୍, ଧରିବାକୁ ହେଉଥିଲା । ସେହି ବସରେ ବସି ସହର ଯିବାକୁ ହେଲେ ରାତି ପାହି ଯାଉଥିଲା । ସେଇଥିପାଇଁ ଭବାନୀପୁରର ରୁଦ୍ରଶଙ୍କର ପୁଅ ଆନନ୍ଦ ଅନେକ ଦିନ ପର୍ଯ୍ୟନ୍ତ ବସ୍ ଦେଖି ନଥିଲା । ରେଳଗାଡ଼ିତ ଦୂରର କଥା । ଉଡ଼ାଜାହାଜ ସାତ ସପନ । ଦିନେ ସେଇ ଆନନ୍ଦ ଉଡ଼ାଜାହାଜରେ ବସି ବିଦେଶ ଭୂଇଁ ଛୁଇଁଥିଲା ।

 

ଆନନ୍ଦର ପ୍ରକୃତି ପିଲାଦିନରୁ ଭାରି ଭୟାଳୁ । ଯେତେ ଅଳି ଅଝଟ ସବୁ ଜେଜେମା ଶ୍ୟାମମଣୀଙ୍କ ପାଖରେ । ସାଙ୍ଗପିଲା ମାଇଲେ କାନ୍ଦି କାନ୍ଦି ଘରକୁ ଫେରି ଆସିବ ପଛେ ପାଟି ଫିଟାଇ କାହା ସାଥିରେ କଳି କରି ପାରେ ନାହିଁ । ଶ୍ୟାମାମଣୀ କିନ୍ତୁ ଅତି ମାତ୍ରାରେ ରାହାବାଳୀ । ନାତି ଦେହରେ ପତ୍ର ପଡ଼ିଲେ ତାଙ୍କୁ.ପଥର ପଡ଼ିଲାପରି ମନେ ହୁଏ । ସେଇଥିପାଇଁ ସେ ଗାଁର ସମସ୍ତେ ତାଙ୍କୁ ଡରି କରପତ୍ର, ଯୋଡ଼ିଥାନ୍ତି । ତାଙ୍କ ପାଟିକୁ ସମସ୍ତଙ୍କର ଭୟ । ଗୋଟିଏ ପାଟିରେ ଗାଁ କମ୍ପି ଯାଉଥିଲା । ଶ୍ୟାମାମଣୀ ଥିଲେ ନାତିଗତ ପ୍ରାଣା । ମା’ ମରା ପିଲା ଆନନ୍ଦ । ପିଲାଦିନରୁ ଦୁର୍ବଳ ସ୍ୱାସ୍ଥ୍ୟ । ପାଠ ପଢ଼ାଇବାକୁ ରାଜି ହୁଅନ୍ତିନି ଶ୍ୟାମାମଣୀ । ଦିନେ ରୁଦ୍ରଶଙ୍କର ନେଇ ସ୍କୁଲରେ ନାମ ଲେଖାଇଦେଲେ । ସନ୍ଧ୍ୟା ହେଉ ହେଉ ନାତିକୁ କୋଳରେ ବସାଇ ଶୁଆଇ ପକାନ୍ତି ଜେଜେମାଆ । ଦିନ ବେଳେ ସ୍କୁଲରେ ଯାହା ପଢ଼ା ହୋଇଥାଏ ସେତିକି । ଦିନେ ସ୍କୁଲକୁ ପରିଦର୍ଶକ ଆସିଲେ । ଆନନ୍ଦକୁ ପାଠ ପ୍ରଶ୍ନ ପଚରାଗଲା । କୌଣସି ଉତ୍ତର ଦେଇନଥିଲା ଆନନ୍ଦ ପରିଦର୍ଶକ ଚାଲିଯିବା ପରେ ଶିକ୍ଷକ ବେତରେ ପିଟିଥିଲେ । ପିଠିସାରା ମାଡ଼ ଦାଗ । କାହାର ଏଡ଼େ ସାହାସ କହି ନାତିକୁ ଧରି ସ୍କୁଲରେ ହାଜର ହୋଇ ଯାଇଥିଲେ । ଶିକ୍ଷକଙ୍କ ଚଉଦ ପୁରୁଷ ଶ୍ରାଦ୍ଧ କରି କରି ଘରକୁ ଫେରି ଆସିଥିଲେ । ଗାଁ ଗୋଟାକ ଯାକ ଆସି ସ୍କୁଲ ଚାରି ପାଖେ ଜମା । ହୁଲସ୍ତୁଲ ପଡ଼ିଗଲା ଗାଁଟା ସାରା । ଶ୍ୟାମାମଣୀଙ୍କର ଗୋଟାଏ ଜିଦ୍ ମାଷ୍ଟର ନଗଲେ ସେ ନାତିକୁ ପଢ଼ିବାକୁ ଛାଡ଼ିବେ ନାହିଁ ।

 

ଆନନ୍ଦର ନନା ରୁଦ୍ରଶଙ୍କର । ଡେଙ୍ଗା ମଣିଷ ମଧ୍ୟମ ଧରଣର ସ୍ୱାସ୍ଥ୍ୟ । ଦେହର ବର୍ଣ୍ଣ ଉଜ୍ଜ୍ୱଳ । କାନ୍ଧରେ ପଇତାଟା ସବୁବେଳେ ପରିଷ୍କାର । ଚିକ୍ ଚିକ୍ । ପାଦରେ କଠଉ । ଦିନରାତି, ପୁରାଣ, ରାମାୟଣ, ମହାଭାରତର ଚର୍ଚ୍ଚା । ଠାକୁରାଣୀ ମଣ୍ଡପରେ ବସି ଗୀତାର ମାହାତ୍ମ୍ୟ ବୁଝାନ୍ତି-। ଆନନ୍ଦ ତା ଜେଜେମାଆ ଠାରୁ ଶୁଣିଥିଲା ଯେ ତା ବୋଉ ମରିଗଲା ପରେ ତା ନନା ଚାକିରି ଛାଡ଼ି ଏମିତି ଠାକୁର ଭକ୍ତ ହୋଇଯାଇଥିଲେ ।

 

ଆନନ୍ଦ, ଶ୍ୟାମାମଣୀଙ୍କ ହାତବାରିସି । ବୋଲହାକ କରିବାକୁ ଆଗଭର । ଆନନ୍ଦର ନନା ଦେଖିଲେ ପାଠ ଶାଠ ନପଢ଼ି ପିଲାଟା ସତ୍ୟାନାସ ହୋଇଯିବ । ଦିନେ ଶିକ୍ଷକଙ୍କୁ କୁହାବୋଲା କରି ପୁଣି ଥରେ ପୁଅକୁ ସ୍କୁଲରେ ଛାଡ଼ି ଆସିଲେ ।

 

ଦୁଇ ଦିନ ପର୍ଯ୍ୟନ୍ତ ମାଆ ଆଉ ପୁଅଙ୍କ ଭିତରେ କଥାବାର୍ତ୍ତା ବନ୍ଦ ହୋଇ ଯାଇଥିଲା । ଆନନ୍ଦ ତା ନନାଙ୍କୁ ଭାରି ଭୟକରେ । ପାଖ ମାଡ଼େନି । ସେ ଦେଖେ ତା ନନାଙ୍କର ମୁହଁଟା ରାଗିଲା ପରି । ସାଙ୍ଗ ପିଲାମାନେ ଥଟ୍ଟାକରି କହନ୍ତି, ଦୁର୍ବାସା ଋଷି । କିନ୍ତୁ ତାଙ୍କର ସେହି ଋକ୍ଷ କଠିନ ହେବାର କାରଣ ପରେ ବୁଝି ପାରିଥିଲେ । ସେତେବେଳେ ସେ ବାଳକ ଆନନ୍ଦ ପରିବର୍ତ୍ତେ ଅଧ୍ୟାପକ ଆନନ୍ଦଶଙ୍କର । ଅନେକ ଦିନ ପରେ ସାବତ ବୋଉ ଭୂବନେଶ୍ୱରୀ ସେ କଥା କହିଥିଲେ-

 

ନିୟମିତ ସ୍କୁଲକୁ ଯାଇ ପଢ଼ାପଢ଼ି କରିବା ଅଭ୍ୟାସରେ ପଡ଼ି ଯାଇଥିଲା । ଅନେକ ସମୟରେ ସନ୍ଧ୍ୟାବେଳେ ତା ନନା ଆସି ଏଘର ସେଘର ହେବେ । ଭୟରେ ବହିପତ୍ର ଧରି ପଢ଼ିବାକୁ ବସିଯାଏ ଆନନ୍ଦ । ତା ନନା ଚାଲିଗଲେ ଜେଜେମାଆ ଧାଇଁ ଆସନ୍ତି, ଲୁଗାକାନିରେ ମୁହଁ ପୋଛିଆଣି ଆଦର କରି କହନ୍ତି, ଓ: ପାଠ ପଢ଼ି ପଢ଼ି ଛୁଆଟା ମୋର କଳାକାଠ ପଡ଼ିଗଲାଣି । ଯଦି ନିଦରେ ଘୁମେଇ ପଡ଼ୁଥିବ, ନନାଙ୍କ କଠଉ ଶବ୍ଦ ଶୁଣିଲେ ନିଦ ଭାଙ୍ଗିଯାଏ । ପୁଣି ପଣିକିଆ ଘୋସାରେ ଲାଗିପଡ଼େ । ନନାଙ୍କୁ ତାର ଭାରି ଡର ।

 

ଥରେ ଆନନ୍ଦର ନନା ଚାରି ପାଞ୍ଚ ଦିନ ହେଲା ଗାଁ’ରେ ନଥିଲେ । ଜେଜେମାଆଙ୍କଠାରୁ ଶୁଣିଥିଲା ପୁରୀ ଯାଇଚନ୍ତି । ତେଣୁ ରବିବାର ଛୁଟିରେ ନପଢ଼ି ଜେଜେମାଆଙ୍କ ପାଖରେ ଗେଲ ହୋଇ କାହାଣୀ ଶୁଣିବାକୁ କୌଣସି ବାଧା ନାହିଁ, ସେଇ ଖୁସିରେ ସ୍କୁଲରୁ ଘରକୁ ଫେରି ଆସୁଥିଲା-। ବାଟରେ ଠିଆ ହୋଇଥିଲେ ଜାନକୀ ମାଉସୀ । ସେ ତା ବୋଉର କେଉଁ ଲେଖାରେ ଭଉଣୀ-। ସେଇଥିପାଇଁ ସେ ତାଙ୍କୁ ମାଉସୀ ଡାକେ । ଅନେକ ସମୟରେ ସ୍କୁଲରୁ ଫେରି ଜାନକୀ ମାଉସୀ ପାଖକୁ ଆନନ୍ଦ ଯାଏ । ଜାନକୀ ମାଉସୀକୁ ଭାରି ଭଲ ଲାଗେ ଆନନ୍ଦର ହସ ହସ ମୁହଁ । ଆନନ୍ଦକୁ ଦେଖିଲେ ଆଦର କରି ଘରକୁ ନେଇଯାଏ । ମୁଣ୍ଡ କୁଣ୍ଡାଇ ଦିଏ । କେଉଁ ଦିନ ପିଠା, ଖଜା, କେଉଁଦିନ ବାଡ଼ିରୁ ପିଜୁଳି, ନହେଲେ କୋଳି, ନହେଲେ ଆଉ ଯାହା ଖାଇବା ଜିନିଷ ଆଦର କରି ଖାଇବାକୁ ଦିଏ । ଜାନକୀ ମାଉସୀ ଘର ବାଡ଼ିରେ ପିଜୁଳି ଆଉ କୋଳି ଭାରି ବଡ଼ ବଡ଼ ଆଉ ସୁଆଦିଆ । ଜାନକୀ ମାଉସୀ ବାପା ନିଧିବୁଢ଼ା କିନ୍ତୁ ଭାରି ଲୋଭି । କାହାକୁ ଗଛର ପତ୍ରଟାଏ ଛୁଆଁଇ ଦେବନି । ଦିନ ରାତି ବାଡ଼ିରେ ବସି ଗଛରେ ଝୁଲାଇଥିବା ଟିଣକୁ ଧଡ଼ଧଡ଼ କରି ବାଦୁଡ଼ି, କୁଆ ତଡ଼େ । ସ୍କୁଲ ବାରଣ୍ଡାରେ ବସି ବିକିବସେ । ସେ ଶୋଇପଡ଼ିଥିଲା ବେଳେ ଗାଁ ର ପିଲାମାନେ ପଶି ଚୋରି କରନ୍ତି । ଆନନ୍ଦ କିନ୍ତୁ କେବେ ଚୋରି କରିନି । ତାକୁତ ଜାନକୀ ମାଉସୀ ଜାଚିକରି ଦେଉଚି । ଏକଥା ଯଦି ସାଙ୍ଗ ପିଲାମାନଙ୍କୁ କହେ, ସେମାନେ ଚୁପ୍ ଚାପ୍ ହସନ୍ତି । ସେମାନଙ୍କ ହସିବା କାରଣ ବୁଝି ପାରେନି, ଆନନ୍ଦ । ପଢ଼ା ପଢ଼ି ଯୋଗୁ ଜାନକୀ ମାଉସୀ ଘରକୁ ଅନେକ ଦିନୁ ଯାଇନଥିଲା । ଘର ବାଟ ମୁହଁରେ ଜାନକୀ ମାଉସୀ ଠିଆ ହୋଇ ଡାକିଲା, ମାଉସୀ ଡାକ ଶୁଣି ଆନନ୍ଦ ପାଖକୁ ଗଲା । ଆନନ୍ଦକୁ ଦେଖି ଜାନକୀ ମାଉସୀ କହିଲା,

 

: ସବୁଦିନେ ତୋପାଇଁ ତୋଳୁଚି ଆଉ ଏଇ ବାଟରେ ଠିଆ ହେଉଚି । ତୋତେ ନଦେଖି ପିଜୁଳି ପାଚିଗଲେ ଫୋପାଡ଼ି ଦେଉଚି । ତୁ କଣ ଏଇବାଟେ ଆଉ ଯାଉନୁକି ? ପିଜୁଳି ଲୋଭ ସମ୍ଭାଳି ନପାରି ଘର ଭିତରକୁ ମାଉସୀ ପଛେ ପଛେ ପଶି ଯାଉ ଯାଉ ଆନନ୍ଦ କହିଲା,—ନନା ପରା ଛୁଟି ବେଳକୁ ସ୍କୁଲରେ ହାଜର । ବିଲ ବାଟରେ ନେଇ ଯାଆନ୍ତି । ସେଇ ବାଟ ଆମ ଘରକୁ ପାଖ କିନା ।

 

: କିରେ, ତୁ କାହିଁକି ଆମ ଘରକୁ ଆଉ ଆସୁନୁ ? ତୋତେ କଣ କିଏ ମନା କରିଛି ? ପ୍ରଶ୍ନ କରିଥିଲା ଜାନକୀ ମାଉସୀ

 

: ନା’ମ, ମନା କିଏ କରିବ ? ହେଲେ ନନାଙ୍କୁ ଡର । ଖାଲି କହୁଛନ୍ତି ପାଠ ପଢ଼, ଫାଷ୍ଟ୍‍, ହ । ନନା ନାହାନ୍ତି ବୋଲି ଏଇ ବାଟେ ଦେଖିବାକୁ ଆସିଲି । ଉତ୍ତର ଦେଲା ଆନନ୍ଦ । ଆନନ୍ଦ ହାତରେ ପିଜୁଳି କେତେଟା ଧରାଇ ଦେଇ ଜାନକୀ ମାଉସୀ ପଚାରିଲେ,

 

: ଆନନ୍ଦ ତୋ ନନା ପୁରୀ ଯାଇଥଲେ ପରା ?

 

ପିଜୁଳି ଖାଉ ଖାଉ ମୁଣ୍ଡ ହଲାଇ ସମ୍ମତ ଦେଇଥିଲା ଆନନ୍ଦ ।

 

: ଫେରିଲେଣି । କହିଲା ଜାନକୀ ମାଉସୀ ।

 

ମୁଁ ତ ପାଠ ପଢ଼ିବାକୁ ଯାଇଥିଲି । ମୁଁ କେମିତି ଜାଣିବି । ଉତ୍ତର ଦେଲା ଆନନ୍ଦ । ନନା ଯେ ପୁରୀରୁ ଫେରିଆସିଲେଣି, ଏଇ ଭୟରେ ଅଧାଖିଆ ପିଜୁଳିକୁ ରଖି ତରତର ହୋଇ ପଳାଇ ଅସିଲା ବେଳେ ଅନନ୍ଦର ହାତକୁ ଭିଡ଼ି ଜାନକୀ ମାଉସୀ କହିଲା;

 

: ଖାଇ ଦେଇ ଯାଆ । ଯଦି ପଚାରିବେ, ତୁ କହିବୁ ଜାନକୀ ମାଉସୀ ଡାକି ନେଇଥିଲା ବୋଲି । ଗୋଟିଏ ପାଖରେ ନନାଙ୍କ ଭୟ, ଅନ୍ୟ ପାଖରେ ପିଜୁଳି ଲୋଭ । ଅଡ଼ୁଆରେ ପଡ଼ିଲା ବେଳେ ଆଦର କରି ତା ପାଟିରେ ପିଜୁଳିକୁ କାଟି ଆଣି ଖୋଇ ଦେଉ ଦେଉ ଜାନକୀ ମାଉସୀ କହିଥିଲା ।

 

ତୋ ନନା, ପୁରୀରେ ବାହାହୋଇ ତୋ ପାଇଁ ନୂଆବୋଉଟିଏ ଆଣିଚନ୍ତି । ଆଜି ସେ ଖୁସି ଥିବେ । ଜମା ରାଗିବେନି । ପିଜୁଳି ଖାଇବା ବନ୍ଦ କରି ଆନନ୍ଦ ଅବିଶ୍ଵାସ ଦୃଷ୍ଟିରେ ମାଉସୀ ମୁହଁକୁ ଚାହିଁ ରହିଲା—

 

ମିଛ କଥା । ନନାମାନେ କଣ ବାହା ହୁଅନ୍ତି ? ସେମିତ ହୋଇଥିଲେତ ମୁଁ ନନାଙ୍କୁ ସେଦିନ ଏତେ କହିଥିଲି ଯେ ନନା, ଜାନକୀ ମଉସୀ ମୋ ବୋଉ ହୋଇଥିଲେ ଭଲ ହୋଇଥାନ୍ତା । ସତରେ ଜାନକୀ ମାଉସୀ, ତୁ ମୋ ବୋଉ ହୋଇଥିଲେ କେତେ ଭଲ ହୋଇଥାନ୍ତା । ତତେ, ନା, ମତେ ଭାରି ଭଲଲାଗେ । ତୁ କେତେ ଭଲ ଆଉ କେତେ ଭଲପାଉ ମତେ ? ନୁହେଁ ?

 

ତାପରେ ଆନନ୍ଦକୁ କୋଳରେ ଚାପି ଧରି ଅନେକ ସମୟ ପର୍ଯ୍ୟନ୍ତ ଲୁହ ଢାଳିଥିଲା । ଆଉ କଇଁ କଇଁ ହୋଇ କାନ୍ଦି କାନ୍ଦି ଘର ଭିତରକୁ ପଳାଇ ଯାଇଥିଲା ଜାନକୀ ମାଉସୀର ଏଇ କାନ୍ଦିବାର କାରଣ ସେତେବେଳେ ବାଳକ ବୟସି ଆନନ୍ଦ କ’ଣ ବୁଝି ପାରିଥିଲା ମାଉସୀର କାନ୍ଦିବାର କାରଣ । ଯେତେବେଳେ ବୁଝିପାରିଥିଲା ।

 

ସେତେବେଳେ ସେ ପ୍ରାପ୍ତ ବୟସ୍କ ଯୁବକ । ମାଇଁ କରୁଣା ଜାନକୀ ମାଉସୀର କାନ୍ଦିବା କାରଣ କହିଲେ । ବୟସର ଉଦ୍ଦାମ ସ୍ରୋତରେ ଜାନକୀ ଆଉ ରୁଦ୍ରଶଙ୍କର ପରସ୍ପରକୁ ଖୁବ୍ ଭଲ ପାଇଥିଲେ । ନିଛାଟିଆ ନିରୋଳା ଆମ୍ବ ତୋଟା, ନଈ କୂଳରେ ବସି ବସି ଦୁହେଁ ଘର ବାନ୍ଧିବାର ସ୍ଵପ୍ନ ଦେଖିଥିଲେ । ଗାଁ’ର ଶିବ ମନ୍ଦିରରେ ଶପଥ କରିଥିଲେ । ଦୁହେଁ ବାହା ହେବେ ବୋଲି । ରୁଦ୍ରଶଙ୍କରଙ୍କ ମାଆ ଶ୍ୟାମାମଣୀ ଅଡ଼ିବସିଲେ ଗାଁ ଝିଅକୁ ବୋହୂ କରିବେନି ! ଦାନ୍ତ ମଳିଖିଆ ନିଧି ବୁଢ଼ା ତାଙ୍କର ସମୁଧି ହୋଇ ପାରିବନି । ଯଦି ପୁଅ ବାହା ହୁଏ’ ତେବେ ଆତ୍ମଘାତି ହେବେ ବୋଲି ଧମକ ଦେଇଥିଲେ । ଅଭିମାନରେ ମାଆର ନିର୍ବାଚିତା ପାତ୍ରୀକୁ ବିବାହ କରିଥିଲେ ରୁଦ୍ରଶଙ୍କର । ରୂଦ୍ରଶଙ୍କର ବିଭା ହୋଇଯିବା ପରେ ଜାନକୀର ବାବା ଅନେକ ପାତ୍ର ଯୋଗାଡ଼ କରିଥିଲେ । କିନ୍ତୁ ଜାନକୀର ଗୋଟିଏ ଯିଦ୍ ସେ ବାହା ହେବେନି । ଶେଷରେ ବାପ ବୁଝାଇଥିଲେ ସେ ମଲା ପରେ ତା ଅବସ୍ଥା କଣ ହେବ । ଲୋକହସା ନକରିବାକୁ ଅନେକ କହିଥିଲେ । ଶେଷରେ ପଇସା ଲୋଭରେ ଗୋଟିଏ ଧନୀ ମଦୁଆ ବୟସ୍କ ଲୋକ ସହ ବାହାଘର ହୋଇଥିଲା ଜାନକୀର । ଶାଶୁଘରେ ଯାଇ ଦେଖିଲା ସାବତ ପୁଅ ଝିଅମାନେ ଜାନକୀ ବୟସର । ତାପରେ ମଦ ଖାଇ ପିଟେ ଜାନକୀ ମାଉସୀକୁ ତା ବର । ଶେଷରେ କଣ ହେଲା ଅତ୍ୟଧିକ ମଦ ପିଇ ଦିନେ ଶୋଇଲାଯେ ଆଉ ଉଠିନି । ହାର୍ଟଫେଲ ହୋଇ ମଲା ବୋଲି ସମସ୍ତେ କହିଲେ । ସାବତ ପୁଅ ଝିଅ ତାକୁ ଘରୁ ବାହାର କରିଦେଲେ । ସେଇଠାରୁ ବିଧବା ହୋଇ ଚାଲି ଆସିଥିଲା ଜାନକୀ ।

 

ମାଆ କଥା ଅନୁସାରେ ରୁଦ୍ରଶଙ୍କର ସିନା ବିବାହ କରିଥିଲେ । ଦିନେ ହେଲେ ସ୍ତ୍ରୀକୁ ଭଲକରି ହସି କଥା ପଦେ କହିନଥିଲେ । ଭଲ ମନ୍ଦ ବୁଝିନଥିଲେ । ସବୁବେଳେ ବାହାରେ ବାହାରେ ବୁଲି ସମୟ କାଟି ଦେଉଥିଲେ । ଆଶ୍ଚର୍ଯ୍ୟ ସହନଶୀଳତା ଥିଲା ଆନନ୍ଦର ବୋଉ ଅହଲ୍ୟାଠାରେ । କେବେ ନିଜର ଦୁଃଖକୁ କାହାକୁ ଜଣାଇ ଦେଇ ନଥିଲେ । ସ୍ଵାମୀଙ୍କର ସମସ୍ତ ଉପେକ୍ଷାକୁ ନିଳକଣ୍ଠୀ ଭଳି ପାନକରି ଯାଉଥିଲେ ଅହଲ୍ୟା । ସ୍ତ୍ରୀର କରୁଣ, ଉଦାସ, ଶାନ୍ତ ମୁହଁକୁ ଚାହିଁ ଅନୁଶୋଚନା ଆସିଥିଲା ରୁଦ୍ରଶଙ୍କରଙ୍କର । ନିଜର ଭୁଲ ବୁଝିଲା ବେଳକୁ ଆନନ୍ଦ ଜନ୍ମ ହେବାର ବର୍ଷ ନ ପୁରୁଣୁ ଅହଲ୍ୟା ସବୁଦିନ ପାଇଁ ତାକୁ ଛାଡ଼ି ଚାଲି ଯାଇଥିଲେ । ସେଇ ବର୍ଷ ବିଧବା ହୋଇ ଫେରି ଆସିଥିଲା ଜାନକୀ । ଭୁଲରେ ତା ମୁହଁ କୁ କେବେ ହେଁ ଚାହିଁ ନଥିଲେ ଆନନ୍ଦର ନନା ରୁଦ୍ରଶଙ୍କର ।

 

ଜାନକୀ ମାଉସୀକୁ କାନ୍ଦିବାର ଦେଖି ତା ପାଖକୁ ଯାଇ ଆନନ୍ଦ ତା ଆଖିରୁ ଲୁହ ପୋଛି କହିଥିଲା—

 

: ତୁ କାନ୍ଦୁଛୁ କାହିଁକି ? ନିଜ ଲୁହ ପୋଛି ମୁହଁରେ ହସ ଫୁଟାଇ କହିଥିଲା ଜାନକୀ ମାଉସୀ,

 

ନା, ରେ କାନ୍ଦିବି କାହିଁକି ? ତୁ ଏଣିକ ତୋ ନନା ଯାହାକୁ ଆଣିଛନ୍ତି ତାକୁ ବୋଉ ବୋଲି ଡାକିବୁ ?

 

ହଁ, ଭଲହେଲା, ମୋର ତ ବୋଉ ନଥିଲା । ବୋଉ ନଥିଲେ ଭାରି ଅସୁବିଧା । ଜେଜେମାଆ ସକାଳୁ ଉଠିପାରୁନି । ତା’ର ତ ବାତ ରୋଗ । ଭାତ ରାନ୍ଧି ଦେଲେ ସିନା ମୁଁ ଚଞ୍ଚଳ ଖାଇ ସ୍କୁଲକୁ ଆସନ୍ତି । ନନା କେତେ ହଇରାଣ ହୋଇଛନ୍ତି । ଯାହାହେଉ ନୂଆବୋଉ ଏଣିକି ରାନ୍ଧିବ ଘର କାମ ବୁଝିବ । ନନା ଆଉ ଜେଜେ ମାଆ ହାଇରାଣ ହେବେନି । ଉତ୍ତର ଦେଇଥିଲା ଆନନ୍ଦ ।

 

ତୁ ସତରେ ତୋ ବୋଉ ପରି ବୋକା । କିଛି ବୁଝିପାରୁନୁ । ଆରେ, ସେ କଣ ତୋ ନିଜ ବୋଉ ହେଇଚି ଯେ, ତୋତେ ରାନ୍ଧି ବାଢ଼ି ଖୁଆଇବ । ସେ ପରା ସାବତ ବୋଉ । ହୁଏତ ଅସହ୍ୟ ଈର୍ଷା ଯନ୍ତ୍ରଣାରେ ଜର୍ଜରିତା ହୋଇ ଜାନକୀ ମାଉସୀ ସେଦିନ ଏସବୁ କଥା କହିଥିଲେ । ଜାନକୀ ମାଉସୀ କଥାଶୁଣି ସଦା ହସହସ ମୁହଁଟା ଆନନ୍ଦର ଶୁଖି ଯାଇଥିଲା । ଆଉ ଘରକୁ ଫେରି ଆସି ଜେଜେମାଆ ଉପରେ ବହି ବସ୍ତାନୀ ଫୋପାଡ଼ି ଦେଇ ପଚାରିଲା,

 

ଜେଜେମାଆ, ନନା ଆଉ ଗୋଟାଏ ବୋଉ ଆଣିଛନ୍ତି ? ନାତିର କଥା ଶୁଣି ରାଗ ଗରଗର ହୋଇ ଶ୍ୟାମାମଣୀ ଉତ୍ତର ଦେଇଥିଲେ,

 

କେଜାଣି ? ତୋ ନନା ନିଆଁ କି ଚୁଲି ପାଉଁଶ ବଙ୍ଗାଳିକି ଖିରସ୍ତାନୀ ଆଣିଚି । ମୁଁ କେମିତି ଜାଣିବି ? ସେତିକିବେଳେ ରୁଦ୍ରଶଙ୍କର ଡାକିଥିଲେ, ତାକୁ । ତାଙ୍କ ପାଖକୁ ।

 

ସଦା ଭୟାଳୁ ସେଇ ଅଳ୍ପ ବୟସର ବାଳକ କେମିତି ଏତେ ସାହାସରେ ଯାଇ ନନା ପାଖରେ ଠିଆ ହୋଇଥିଲା କେଯାଣି । ତାକୁ ପାଖକୁ ନେଇ ରୁଦ୍ରଶଙ୍କର, କହିଥିଲେ—ଆନନ୍ଦ, ଇଏ ତୋର ବୋଉ । ଏଣିକି ତୋର ଯାହା ଦରକାର ତୁ ବୋଉକୁ ମାଗିବୁ । କହି ଦେଖାଇ ଦେଇଥିଲେ ମୁହଁ ତଳକୁ କରିଥିବା ଓଢ଼ଣାପକା ଜଣେ ସ୍ତ୍ରୀ ଲୋକକୁ । ନନାଙ୍କ କଥାଶୁଣି ଆନନ୍ଦ ଯାହା କୌଣସିଦିନ କରିନଥିଲା ସେଇକଥା କରିଥିଲା ସେଦିନ,

 

ନା, ମୋ ବୋଉତ ମରି ଯାଇଚି । ଜାନକୀ ମାଉସୀକୁ ଯଦି କହିଥାନ୍ତି ବୋଉ ଡାକିଥାନ୍ତି, କିନ୍ତୁ ଇଏ ମୋ ବୋଉ ନୁହେଁ । ତାକୁ ବୋଉ ବୋଲି ଡାକିବିନି, ଜମା ଡାକିବିନି । କହି ଫେରି ଆସୁଥିଲାବେଳେ ପିଠିରେ ବାଜିଲା ତା ନନାଙ୍କର କଠଉ ପାହାର । ତାପରେ ପାଖକୁ ଧାଇଁଆସି ଆନନ୍ଦର ବାଳ କେରାକ ଧରି ଅନ୍ୟ ହାତରେ କଠଉରେ ଯେତେ ପାରନ୍ତି ପିତି ଚାଲିଲେ ରୁଦ୍ରଶଙ୍କର ନାତିକୁ ମାଡ଼ ଖାଇବା ଦେଖି ସହିନପାରି ଧାଇଁ ଆସି ପୁଅହାତରୁ କଠଉ ଛଡ଼ାଇ ଫୋପାଡ଼ି ଦେଇ କହିଥିଲେ–

 

ଏ କ’ଣ କରୁଚୁ ରୁଦ୍ର ? ମା ଛେଉଣ୍ଡ, ରୋଗଣା ପିଲା ମରିଯିବନି ? ଏତେ ମାଡ଼ ସହିପାରିବ ??

 

ଯାଉ, ମରିଯାଉ । ଏମିତି କୁଳାଙ୍ଗାର ସୁଅ ବଞ୍ଚିରହି ଲାଭ କଣ ? କହିକହି ବାହାରକୁ ବାହାରି ଯାଇଥିଲେ ଆନନ୍ଦଙ୍କ ନନା ।

 

ବାହାରକୁ ପୁଅ ଚାଲିଯିବା ଦେଖି ନାତିକୁ କୋଳରେ ପୂରାଇ ଲୁହ ବୁହାଇ ଶ୍ୟାମାମଣି କହିଲେ,

 

ହୁଁ, ତୋର କ’ଣ ପୁଅ ଅଭାବ ହେବ । ବାହା ହେଲୁଣି ମନଲାଖି ସ୍ତ୍ରୀ ଆଣିଛୁ । କାଲିକି କାଲି କେତେ ପୁଅର ବାପହେବୁ । ମାକୁ ତାର ତ ଦିନେ ଶାନ୍ତି ଦେଇନଥିଲୁ । ପୁଅକୁ କେମିତି ତା'ର ଭଲ ପାଆନ୍ତୁ ।

 

ଜେଜେମାଆ ଶ୍ୟାମାମଣି କେତେ ଭଲ ପାଉଥିଲେ । ଆଜିର ଆନନ୍ଦଶଙ୍କର ଜେଜେମାଆର ସ୍ମୃତିକୁ ପାଶୋରି ନାହାନ୍ତି । ଭବାନୀପୁର ଛାଡ଼ି ପଳାଇ ଆସିବାର ଦିନ କେତେଟା ନଯାଉଣୁ ନାତିକୁ ଝୁରିଝୁରି କତରାଲଗା ହେଲେ । ତା ପରେ ସବୁଦିନ ପାଇଁ ଆଖି ବୁଜିଥିଲେ । କାହାଠାରୁ ପରେ ଶୁଣିଥିଲେ ଆନନ୍ଦ । ଆଉ ସେହି ସାବତବୋଉ ଭୂବନେଶ୍ୱରୀ ଯେ କେତେ ଭଲ ପରେ ସେ ଆନନ୍ଦଶଙ୍କରଙ୍କର ସଂସାରକୁ ଆସିବାପରେ ଜାଣିଥିଲେ ସେ । ଭୂବନେଶ୍ୱରୀ ଙ୍କ ପାଖରୁ ଶୁଣିଥିଲେ ନନାଙ୍କ କଥା । କେମିତି ପରସ୍ଥିତିରେ ପଡ଼ି ସେ ବିବାହ କରିଥିଲେ ଭୂବନେଶ୍ୱରୀ ସେକଥା ମଧ୍ୟ କହିଥିଲେ ।

 

ନିଜେ ଘରକାମ, ଠାକୁରପୂଜା, ଗାଈଗୋରୁ, ଜମିବାଡ଼ି କଥା, ପୁଅକଥା, ରୋଗଣା । ମାଆର ସେବା, ସବୁ ବୁଝି ବୁଝି ଅଣନିଃଶ୍ୱାସୀ ହୋଇ ଯାଉଥିଲେ ରୁଦ୍ରଶଙ୍କର । ଯୁବକବୟସରେ ଭଲପାଇବାର ଅମୂଲ୍ୟ ରତ୍ନକୁ ହରାଇ, ତାପରେ ନିଜକୁ ସୁଧାରିଲା ବେଳକୁ ପତ୍ନୀବିୟୋଗ, ସବୁମିଶି ଦିନରାତି ଏ ଅବ୍ୟକ୍ତ ଯନ୍ତ୍ରଣାରେ ଜଳୁଥିଲେ । ଆଉ ସେଇଥି ପାଇଁ ଦିନକୁଦିନ ଗମ୍ଭୀର ଆଉ ଋକ୍ଷ କଠୋର ହୋଇ ଯାଉଥିଲା ତାଙ୍କ ପ୍ରକୃତି ।

 

କାର୍ତ୍ତିକ ପୁର୍ଣ୍ଣମୀକୁ ଜଗନ୍ନାଥ ଦର୍ଶନ କରିବା ପାଇଁ ପୁଅ ଯାଇଥିଲେ । ସମୁଦ୍ରରେ ବୁଡ଼ ପକାଇ ଫେରି ଆସିଲା ବେଳେ ବାଟରେ ସ୍ତ୍ରୀ ଲୋକର ଆର୍ତ୍ତଚିତ୍କାର ଶୁଣି ସେ ଦିଗକୁ ଧାଇଁ ଯାଇଥିଲେ । ଦେଖିଲେ ଜଣେ ଯୁବତୀ ସ୍ତ୍ରୀଲୋକକୁ ଘେରି ଯାଇଛନ୍ତି କେତେଜଣ ଅସାମାଜିକ ଯୁବକ । ଅଳ୍ପ ଦୂରରେ ସାହାଯ୍ୟ ପାଇଁ ବିକଳ ଚିତ୍କାର କରୁଥିଲେ ଜଣେ ବୃଦ୍ଧ । ପିଲାଦିନରୁ କୁସ୍ତି କସ୍‌ରତ୍ କରି ଯଥେଷ୍ଟ ଶକ୍ତି ଥିଲା ରୁଦ୍ରଶଙ୍କରଙ୍କର । ହାତରେ ଧରିଥିବା ବାଡ଼ି ଠେଙ୍ଗାଟାକୁ ବୁଲାଇ ଆଣିଲେ । ବାଡ଼ିର ଆଘାତ ପାଇ ଯୁବକମାନେ ଦଉଡ଼ି ପଳାଇ ଯାଇଥିଲେ । ଭୟରେ ଥରୁଥିଲା ଯୁବତୀ ଜଣକ । ସେ ନିଜର ପରିଚୟ ଦେଇଥିଲେ । ସେମାନଙ୍କ ପରିଚୟରୁ ଜାଣିଲେ ଯୁବତୀ ଜଣକ ସେ ବୃଦ୍ଧଙ୍କର ଝିଅ । ସେମାନଙ୍କୁ ନେଇ ତାଙ୍କ ଘରେ ଛାଡ଼ି ଦେଇ ଆସିବା ସମୟରେ ବୃଦ୍ଧଜଣକ ରୁଦ୍ରଶଙ୍କରଙ୍କର ହାତ ଦୁଇଟିକୁ ମୁଠାଇ ଧରି କହିଥିଲେ,

 

ବାବା, ତୁମେ ମୋ କନ୍ୟାର ମାନ ଇଜ୍ଜତ ରକ୍ଷା କରିଛ । ତୁମେ କୁଳୀନ ବ୍ରାହ୍ମଣ । ତୁମରି ହାତରେ କନ୍ୟା ସଂପ୍ରଦାନ କରି ନଶ୍ଚିନ୍ତରେ ଆଖି ବୁଜି ପାରିବି ।

 

ବୃଦ୍ଧଙ୍କ କଥା ଶୁଣି ରୁଦ୍ରଶଙ୍କର କହିଥିଲେ, ଯେ ତାଙ୍କ ପକ୍ଷେ ବିବାହର ପ୍ରଶ୍ନ ଉଠୁନି । ଉପଯୁକ୍ତ କୁଳୀନ ପାତ୍ରର ସନ୍ଧାନ କରି ବୃଦ୍ଧଙ୍କର କନ୍ୟାକୁ ପାତ୍ରସ୍ଥ କରିଦେବାର ପ୍ରତିଶ୍ରୁତ ଦେଇଥିଲେ । ଯେତେବେଳେ ଫେରି ଆସିଥିଲେ ବୃଦ୍ଧଙ୍କ ଯୁବତୀ କନ୍ୟା ଭୂବନେଶ୍ୱରୀ ଲାଜସଙ୍କୋଚ ଭୁଲିଯାଇ ରୁଦ୍ରଶଙ୍କରଙ୍କର ଗୋଡ଼ ତଳେ ପଡ଼ିଯାଇ କହିଥିଲେ,

 

ଦିନେ ସିନା ଆପଣ ଉଦ୍ଧାର କଲେ । ସେଇ ଅସାମାଜିକ ପଶୁମାନେ ଏଇ ସାଇର । ଆପଣ ଚାଲିଗଲା ପରେ ସେମାନେ ହୁଏତ ‘ରାତି’ ରାତି ଆକ୍ରମଣ କରି ସର୍ବସ୍ଵ ଲୁଣ୍ଠନ କରିବେ । ବାପା ବୃଦ୍ଧ । ସାଇ ପଡ଼ିଶାରେ କେହି ଆସି ନିଜ ଜୀବନ ବିପନ୍ନ କରି ସାହାଯ୍ୟ କରିବେନି । କେମିତି ମୁଁ ରକ୍ଷା ପାଇବି ? ତା ଅପେକ୍ଷା ଆପଣ ମୋ ଭାର ସବୁଦିନ ପାଇଁ ନିଅନ୍ତୁ । ଆପଣ ଯଦି ମୋ ଭାର ନନେବେ, ତେବେ ଆତ୍ମହତ୍ୟା କରି ମରିବି ପଛେ ଅସାମାଜିକ ପଶୁଙ୍କୁ ସର୍ବସ୍ଵ ବଳି ଦେବି ନାହଁ ।

 

ତାପରେ ନିଜର ସମସ୍ତ କଥା ଜଣାଇଥିଲେ ଭୂବନେଶ୍ୱରୀ ଙ୍କୁ, ଯେ ସେ ବିପତ୍ନୀକ, ଘରେ ରୋଗଣା ମାଆ ଆଉ ଆଠ ବର୍ଷର ପୁଅ । ତାଙ୍କ କଥା ଶୁଣି ଭୂବନେଶ୍ୱରୀ କହିଲେ ଯେ ତାଙ୍କ ମାଆଙ୍କର ସେବାରେ ସେ ତ୍ରୁଟି କରିବେନି । ମାତୃହୀନ ପୁଅକୁ ମାଆର ମମତା ଦେଇ ପାଳିବେ । ପ୍ରତିବଦଳରେ ରୁଦ୍ରଶଙ୍କରଙ୍କର ଅଇଣ୍ଠା ବ୍ୟତୀତ ଅନ୍ୟ ଆଶା କରିବେ ନାହିଁ ସେ ରାଜି ନହେଲେ ଭୂବନେଶ୍ୱରୀ ଆତ୍ମହତ୍ୟା କରିବେ । ଫଳରେ ସେଇଦିନ ଜଗନ୍ନାଥ ମନ୍ଦିରରେ ଭୂବନେଶ୍ୱରୀ ଙ୍କ ସହିତ ରୁଦ୍ରଶଙ୍କରଙ୍କର ବିଭାଘର ହୋଇ ଯାଇଥିଲା । ତା ପରଦିନ ସେମାନେ ଭବାନୀ ପୁର ଆସିଥିଲେ ।

 

ମାଡ଼ ଖାଇ ମୁହଁ ପୋତି ବାହାରକୁ ପଳାଇ ଆସିଥିଲା ଆନନ୍ଦ । ଜଣେ ଅଚିହ୍ନା ମଣିଷ ଆଗରେ ନନାଙ୍କ ଠାରୁ ମାଡ଼ ଖାଇବା ଯୋଗୁ ବେଶି ଅପମାନ ଲାଗିଥିଲା । ନନାଙ୍କ ଉପରେ ପ୍ରଚଣ୍ଡ ଅଭିମାନ ମନ ନେଇ ଗାଁ ଛାଡ଼ି ନଦୀବନ୍ଧ ଉପରଦେଇ ଚାଲି ଚାଲି ଆସି ପହଞ୍ଚିଥିଲା ମାମୁଁ ଘର ଗାଁ’ ମୋତିଗଡ଼ରେ । ଆନନ୍ଦ ଗାଁ ଛାଡ଼ିବା ପରେ ପରେ ମାଡ଼ି ଆସିଥିଲା ପ୍ରଚଣ୍ଡ ମେଘ ପବନ-। ଗାଁରେ ସେଦନ ସମସ୍ତେ ମନେ କରିଥିବେ ଆନନ୍ଦ କୁଆଡ଼େ ହଜିଗଲା ।

 

ରାତି ଘଡ଼ିକରୁ ବଳି ପଡ଼ିଲା । ସ୍ଵାମୀ ସୋମନାଥଙ୍କ ଫେରିବା ବିଳମ୍ବ ଦେଖି ଏପାଖ ସେପାଖ ହେଉଥିଲେ କରୁଣା । ବର୍ଷା ସାଙ୍ଗକୁ ପବନ । ସତେ ଅବା ପ୍ରଳୟ ହୋଇଯିବ । ମଡ଼୍‍ ମଡ଼୍ କରୀ ସଜନାଗଛ ଭାଙ୍ଗି ପଡ଼ିଲା । ଫୁଲ, କସିରେ ଫାଟି ପଡ଼ୁଥିଲା ଗଛଟା । ଆଠକାଳୀ, ବାରମାସୀ ଛୁଇଁ ଫଳେ । ସେ ଶାଗ, ଆଉ ଛୁଇଁ କେତେ ସୁଆଦିଆ । ନିଜେ ଖାଇ ଗାଁ ଲୋକଙ୍କୁ ବାଣ୍ଟୁ ଥିଲେ କରୁଣା । ଗାଈ ବାଛୁରୀ ଦିଇଟା ଯୋଗକୁ ଦିନ ଥାଉଥାଉ ଗୁହାଳକୁ ଆସିଥିଲେ ଭାରି-। ନହେଲେ ହରୀଟା ପିଲାଲୋକ କେମିତି ଖୋଜିଥାନ୍ତ । ? ବାର ବରଷର ପିଲାଟା । ତଥାପି ସବୁ କାମ କରିବାକୁ ଆଗଭର ।

 

କରୁଣାଙ୍କ ସ୍ଵାମୀ ସୋମନାଥ । ପାଖ ଗାଁ ଗଜରାଜ ପୁରରେ ମାଷ୍ଟର । ଆଗେ ପ୍ରତିଦିନ ଯିବା ଆସିବା କରୁଥିଲେ । ସାଇକେଲ୍‌ ଚଢ଼ି ଚାରି କୋଶ ବାଟ ଗଲାଅଇଲା କଲାବେଳକୁ ପେଟ ବେମାରି ବାହାରି ପଡ଼ୁଥିଲା । ତାପରେ ପ୍ରତି ଶନିବାର ରାତିରେ ଗାଁକୁ ଫେରିଆସି ସୋମବାର ସକାଳୁ ଗଜରାଜପୁର ଯାଉଥିଲେ । ଏଣିକି ଯେମିତି ହେଲେ ଉପର ହାକିମକୁ କହି ମୋତିଗଡ଼ ବଦଳି ହୋଇ ଆସିବାକୁ କାନେ କାନେ ସୋମନାଥଙ୍କୁ କହିଥିଲେ କରୁଣା । ବଦଳି ନହେଲେ ଚାକିରିରୁ ଇସ୍ତଫା ଦେଇ ଘର କଥା ବୁଝ । କୋଉ ଛଅଟା ନା ନଅଟା । ଗୋଟାଏ ବୋଲି ଝିଅ । ନିରିହ ସରଳ ମଣିଷ ସୋମନାଥ । ମୁହଁରେ କାହାକୁ କିଛି କହିପାରନ୍ତିନି । କରୁଣା ହୁସିଆର ହୋଇ ନଥିଲେ, ଘର କଥା, ଗାଈ ଗୋରୁ ଗଲା ଅଇଲା, ଜମିବାଡ଼ି କିଏ ବୁଝିଥାନ୍ତା ? ଶୋଇପଡ଼ିଚି କୃଷ୍ଣା, ଝିଅ ପାଖରେ ଖଟ ଉପରେ ଗଡ୍ ପଡ଼୍ ହେଉ ହେଉ କୁକୁରଟା । ବାହାର ପିଣ୍ଡାରେ ଭୁକି ଉଠିଲା । ଲଣ୍ଠନକୁ ହାତରେ ଧରି କବାଟ ଖୋଲି ଏପାଖ ସେପାଖ ଅନାଇଲେ । ପିଣ୍ଡା ଉପରେ କଏ ଶୋଇଥିବାର ଅନୁମାନ କରି, ଥରେ ଦିଥର ଡାକ ଦେଲେ । ତାପରେ ପାଖକୁ ଯାଇ ଜାଣିଲେ, ଭଣଜା ଆନନ୍ଦ । ଏକୁଟିଆ ମେଘ ଅନ୍ଧାର ରାତିରେ କେମିତି ଆସିଲା ବୋଲି ମନେ ମନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଉଠାଇବାକୁ ଯାଇ ଦେଖିଲେ । ଆନନ୍ଦ ଦେହରେ ଖଇଫୁଟା ତାତି । ହରିକୁ ଡାକ ପକାଇଲେ । ଆଖି ମଳିମଳି ଉଠି ଆସିଲା ହରିଚରଣ । ତାକୁ ଲଣ୍ଠନ ଧରାଇ ଦେଇ ଭଣଜାକୁ କାଖେଇ ଘର ଭିତରକୁ ନେଇ ଆସିଲେ କଋଣା । ଖଟ ଉପରେ ଝିଅ ପାଖରେ ଶୁଆଇ ଦେଇ ଦେହରୁ ଓଦା କୁରୁତା କାଢ଼ି ଦେଲାବେଳେ ଦେଖିଲେ । ପିଠିଟା ଯାକ ମାଡ଼ ଦାଗରେ ଫୁଲିଯାଇଛି । ସୋରିଷ ତେଲ ଗରମ କରି ଆସ୍ତେ ଆସ୍ତେ ପିଠିରେ ମାଲିଶ୍ କରି ଦେଲେ । ଗାଈଖିର ଗରମ କରି ପିଆଇ ଶୁଆଇ ଦେଲେ ।

 

ରାତି ଅଧିକରୁ ବଳିପଡ଼ିଲା ପରେ ସୋମନାଥ ଆସିଲେ । ବର୍ଷାରେ ଓଦା ହୋଇ ଯାଇଥିଲେ । ସ୍ଵାମୀଙ୍କ ହାତରୁ ବ୍ୟାଗ ପ୍ରଭୃତି ରଖିଦେଇ ଶୁଖିଲା ଲୁଗା ଗାମୁଛା ବଢ଼ାଇ ଦେଲେ । ଗାମୁଛାରେ ମୁଣ୍ଡ ପୋଛିପୋଛି ଝିଅ ଶୋଇବା ଯାଗାକୁ ଗଲେ ସୋମନାଥ । ପାଞ୍ଚଦିନ ହେଲା ସେ କୃଷ୍ଣାକୁ ଦେଖି ନାହାନ୍ତି । ଯେଉଁଦିନ ତାପାଇଁ କିଛି ବିସ୍‌କୁଟ କି ଚକଲେଟ କିଣି ଆଣିଥିବେ, ସେଦିନ ମୁହଁ ଫୁଲାଇ ବାପା ସାଥିରେ କଥା କହେନି କୃଷ୍ଣା । ବାହାଘରର ଅନେକ ବର୍ଷପରେ କୃଷ୍ଣା ଆସିଥିଲା ତାଙ୍କ କୋଳକୁ କୃଷ୍ଣଙ୍କ ଜନ୍ମାଷ୍ଟମୀରେ ତାର ଜନ୍ମବୋଲି ତାର ନାମ କୃଷ୍ଣା ଦେଇଥିଲେ । ଝିଅ ତାଙ୍କର ଜୀବନ ଧନ । ଦାଣ୍ଡେ ପାଖରୁ ଛାଡ଼ନ୍ତିନି । ଅତ୍ୟଧିକ ଆଦର କରନ୍ତି । ବିରକ୍ତ ହୁଅନ୍ତି କରୁଣା । କହନ୍ତି, ଗେହ୍ଲା ଆଦର ପାଇ ସତ୍ୟାନାଶ ହେବ ସେ, ଦିନକୁଦିନ ଉପର ମୁହଁ ସ୍ଵଭାବ । ଶାଶୁଘରେ ନିନ୍ଦା ପାଇବି ମୁଁ । ହସନ୍ତି ସୋମନାଥ ଆଉ କହନ୍ତି,

 

କୋଉ ଛଅଟା ନା ନଅଟା ସେ ଶାସନ କରିବି । ଚାହୁଁ ଚାହୁଁ ଦିନ ଚାଲିଯିବ । ସେ ହେବ ପରଘରୀ । ଘରଟା ଯେଉଁ ଅନ୍ଧାରକୁ ସେଇ ଅନ୍ଧାର ।

 

ଝିଅକୁ ଉଠାଇଲାବେଳକୁ ଦେଖିଲେ କୃଷ୍ଣା ପାଖରେ ଶୋଇଛି ଭଣଜା ଆନନ୍ଦ । ଗଲାବର୍ଷ ବ୍ରତଘରକୁ ଯାହା ଦେଖିଥିଲେ । ନହେଲେ କେମିତ ଚିହ୍ନିଥାଆନ୍ତେ କି ? ସବୁକଥା କହିଥିଲେ କରୁଣା, ଆନନ୍ଦକୁ ଦେଖି ମନେପଡ଼ିଗଲା ଭଉଣୀ କଥା । ଗୋଟାଏ ବର୍ଷ ଭିତରେ ବାପାବୋଉ ତାଙ୍କର ଡକାହକା ହୋଇ ଚାଲି ଯାଇଥିଲେ । ସାନଭଉଣୀ ଆହଲ୍ୟାକୁ ତାଙ୍କ ଭରସାରେ ଛାଡ଼ି ଯାଇଥିଲେ । ଆଦର ଯତ୍ନ କରି ଭାଇ ଭାଉଜ ପାଳିଥିଲେ ତାକୁ । ନିଜର ତ ପିଲାଛୁଆ ନଥିଲେ ଜନ୍ମ କଲା ପିଲା ପରି ଦେଖିଥିଲେ କରୁଣା । ଶକ୍ତି ଅନୁସାରେ ଦେଇ ଦେଇ ସତ୍‌ ପାତ୍ରରେ ବିଭା ଦେଇଥିଲେ । ଅହଲ୍ୟା ଯେ ସୁଖୀ ହୋଇପାରି ନଥିଲା ଅନ୍ୟମାନଙ୍କ ମୁହଁରୁ ଶୁଣିଥିଲେ । ଅହଲ୍ୟା କିନ୍ତୁ ମୁହଁ ଫିଟାଇ କୌଣସି ଦିନ ଭାଇ ଭାଉଜଙ୍କୁ ତା କଥା କହିନଥିଲେ । ଯୋଗକୁ ସେ ରହିଲାନି । ତା’ରି ପୁଅ ଆନନ୍ଦ । ସୋମନାଥ ଆଉ କରୁଣା ତାକୁ କେମିତି ଅବହେଳା କରିଥାନ୍ତେ ?

 

ସାରାରାତି ଜ୍ଵର ତାପରେ ବାଉଳି ହେଉଥିଲା ଆନନ୍ଦ । ମୁହଁରେ ସେଇ ଗୋଟିଏ କଥା,

 

‘‘ସେ ମୋ ବୋଉ ନୁହେଁ, ସାବତ ବୋଉ । ମୁଁ ତାକୁ ବୋଉ ବୋଲି ଡାକିବିନି । ”

 

ସୋମନଥ ଆଉ କରୁଣା ଅନୁମାନ କଲେ କିଛି ଗୋଟାଏ ନିଶ୍ଚୟ ଘଟିଚି । ଦୁଇଦିନ ଡାକ୍ତର ଦେଖା ଦେଖି ପରେ ଆନନ୍ଦର ଜ୍ଵର ଉଣା ହୋଇଥିଲା । ସୋମନାଥ କହିଥିଲେ, ପର ଜନିଷ, ତାକୁ ଫେରାଇ ଦେବାକୁ ଅହଲ୍ୟା ବଞ୍ଚିଥିଲେ ସିନା ଯାହା । ସେ’ତ ନାହିଁ । ସେ ଘର ଉପରେ ତାଙ୍କର କୌଣସି ଯୋର ନାହିଁ । ଆନନ୍ଦର କିନ୍ତୁ ଗୋଟାଏ ଯିଦ୍‌ ସେ ଭବାନୀପୁର ତା ନନାଙ୍କ ପାଖକୁ ଆଉ ଫେରି ଯିବନି । ଭଣଜାର ଯିଦ୍ ଦେଖି କରୁଣା କହିଥିଲେ,

 

ଖବର ତ ପାଇଥିବେ ଯେ ଆନନ୍ଦ ତା ମାମୁଁଘରେ ଅଛି ବୋଲି । ତୁମେ ତ ସାଙ୍ଗେ ସାଙ୍ଗେ ଖବର ଦେଇଥିଲ । ହେଲେ ମାଆ ଛେଉଣ୍ଡ ପିଲାଟା ପାଇଁ ମନ ତୁଟିଲାନି । ଏଡ଼ିକି କଠୋର ମଣିଷଟାଏ । ଜାଣିଚତ ସବୁ, ଭଉଣୀକି ତୁମର ସୁଖ ଦେଇ ନଥିଲେ । ଆଉ ସେଇ ସ୍ତ୍ରୀର ପୁଅ ପାଇଁ କେମିତି ମନ ଘାଣ୍ଟି ହୋଇଥାନ୍ତା ତାନହେଲେ ଭବାନୀପୁର ଆଉ ମୋତିଗଡ଼ ଭିତରେ ବାଟ କେତେ ଦୂର କି ହେଲେ ତୁମେ ଥୟ ହୁଅ । ଆନନ୍ଦକୁ ମୁଁ ଛାଡ଼ିବିନି । ଆମର ଅବା କୋଉ ପଞ୍ଚଟା ଦଶଟା ଯେ । ହେଇ ହେଇ ଏତେ ବର୍ଷ ଖାଲି ରଖି ଠାକୁରେ ଝିଅଟାଏ ଦେଲେ । ସେ ପର ଘରକୁ ଯିବା ସଙ୍ଗେ ସଙ୍ଗେ ଏଘର ଅନ୍ଧାର ହୋଇଯିବ । ଅନନ୍ଦ ଆଜିଠାରୁ ମୋ ପୁଅ । ଶାଗ ପେଜ ଖୋଇ ମୁଁ ତାକୁ ମଣିଷ କରିବି । ବଡ଼ ଘରର ଖିରୀ କାକର ତାର ଲୋଡ଼ା ନାହିଁ । ପୁଅଟିଏ ନାହିଁ ବୋଲି ଯାହା ଦୁଃଖ କରୁଥିଲି ସେ ଦୁଃଖ ମୋର ଆଜିଠାରୁ ଗଲା । ଆନନ୍ଦ ଏଘର ଉଜ୍ଜ୍ୱଳ କରିବ ।

 

ଭବାନୀପୁରରୁ ଯୋଗୀଟିଏ ଆସିଥିଲା । ସେ ଆନନ୍ଦକୁ ଚିହ୍ନି ପାରିଲା । କରୁଣା ପଚାରିବାରୁ ସେ କହିଥିଲା,

 

ନାତି ଘର ଛାଡ଼ିବା ଦିନୁଁ ବୁଢ଼ୀ ସାଆନ୍ତାଣୀ-କତରାଲଗା । ଯିଏ ଯେତେ ବୁଝାଇଲେ ନନା ସାଆନ୍ତେ ଅଟଳ । ସେ ଆନନ୍ଦକୁ ଫେରାଇ ନେବେନି । ନିଜେ ଯାଇଚି । ନିଜେ ଆସୁ ବୋଲି କହୁଛନ୍ତି । ଫେରି ଯାଇ ନଥିଲା ଆନନ୍ଦ । ମାଇଁ ଆଉ ମାମୁଁଙ୍କ ସ୍ନେହ ଓ ଆଦର ଯତ୍ନରେ ଭୁଲି ଯାଇଥିଲା ଗାଁ, ଘର, ସାଙ୍ଗ ସାଥୀ ଜେଜେମାଆ, ଆଉ ଭୁଲି ଯାଇଥିଲା ଆଦରର ଜାନକୀ ମାଉସୀକୁ । ପରେ ମାଟ୍ରିକ୍ ପରୀକ୍ଷା ଦେଲା ବର୍ଷ ଭବାନୀପୁରରୁ ଜାନକୀଙ୍କ ମାଉସୀ ଖୁଡ଼ି ତା ବାପାଘର ମୋତିଗଡ଼ ଆସିଥିଲେ ସେ କହିଥିଲେ ଜାନକୀଙ୍କ ମାଉସୀର ଦୁଃଖ ଜୀବନର ଶେଷ କାହାଣୀ । ବାପ ମାରିବା ଦନ କେତେଟା ଯିବା ପରେ ବାଡ଼ି ପିଜୁଳି ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରି ମରିଥିଲା ଜାନକୀ ମାଉସୀ ।

 

ଆନନ୍ଦ ଭଲପିଲା ମନଦେଇ ପାଠ ପଢ଼ିଲା, ମାଇନର୍‌ ବୃତ୍ତି ପରୀକ୍ଷାରେ କେନ୍ଦ୍ରରେ ଯେତେ ପିଲା ପରୀକ୍ଷା ଦେଇଥିଲେ, ସମସ୍ତଙ୍କ ଠାରୁ ବେଶି ନମ୍ବର ରଖି ବୃତ୍ତି ପାଇଥିଲା । ହାଇସ୍କୁଲରେ ନାଁ ଲେଖାଇ ଦେଲେ ସୋମନାଥ । ମୋତିଗଡ଼ ଠାରୁ ଦୁଇ ମାଇଲ ଦୂର । ପ୍ରତିଦିନ ସାଙ୍ଗ ପିଲାଙ୍କ ସାଥିରେ ଦୁଇ ମାଇଲ ବାଟ ଯିବାଆସିବା କରେ । ଫେରିବା ସମୟ ଯଦି କେବେ ବିଳମ୍ବ ହୋଇ ଯାଉଥଲା, ଛୁଆଛଡ଼ା ବିଲେଇ ପରି ଘର ବାହାର ହୁଅନ୍ତି କରୁଣା । ଆନନ୍ଦକୁ ଦେଖିବା କ୍ଷଣି ମୁହଁ ଉଜ୍ଜ୍ୱଳ ହେଇଯାଏ । ହାତରେ ବହିପତ୍ର ନେଇ ରଖିଦେଇ ଖାଇବାକୁ ବାଢ଼ି ବସନ୍ତି । କାନି ପଣତରେ ମୁହଁ ପୋଛି ଦିଅନ୍ତି । ଆନନ୍ଦ ପ୍ରତି କରୁଣାଙ୍କର ଆଦର ଦେଖି କୃଷ୍ଣା ରାଗିଯାଏ, ଆଉ କହେ,

 

ବୋଉ, ତୁ ଭାଇନାକୁ ବେଶି ଭଲ ପାଉଚୁ । ଏଇ ଭାଇନାଟା ପଳାଇ ଯାଆନ୍ତାକି ? ଝିଅ କଥା ଶୁଣି ଆକଟନ୍ତି କରୁଣା ଆଉ କହନ୍ତି,

 

କିଲୋ ! ହିଂସା କରୁଚୁ !

 

କରିବିନି ? ତୁ ତାକୁ ବେଶି ଭଲ ପାଉଚୁ ଯେ, ବାପାଙ୍କୁ କହିଦେବି । ମୁହଁ ଫୁଲାଇ କୃଷ୍ଣା କହେ । ଝିଅ କଥାରେ ହସନ୍ତି କରୁଣା । ହସି ହସି କହନ୍ତି—

 

ତୁ ତ ଅଢ଼େଇ ଦିନର । ସେ’ତ ମୋର ସବୁଦନର । କହି ଭାତଗୁଣ୍ଡାଏ ଖୋଇ ଦିଅନ୍ତି ଆନନ୍ଦ ପାଟିରେ ।

 

ହିଂସ୍ର କୁଟୀ, କଣ୍ଢେଇ ଖେଳ ଖେଳି ଏଇଟାର ମୁଣ୍ଡ ଖରାପ ହେଇଗଲାଣି । ହସି ହସି ଆନନ୍ଦ କହେ । ଆନନ୍ଦ କଥାଶୁଣି ମୁହଁ ମୋଡ଼ିଦିଏ କୃଷ୍ଣା । ସେଇ ରାଗରେ ଆନନ୍ଦ ପଢ଼ୁଥିବା ବେଳେ ଅଜାଣତରେ ଆସି ଆନନ୍ଦ ପିଠିରେ ଦୁମ୍‌ଦାମ୍‌ ଦି’ଟା ଥୋଇଦେଇ ଧାଇଁ ପଳାଇ ଯାଏ । ନହେଲେ ଆନନ୍ଦ ଶୋଇଥିବା ବେଳେ ମୁହଁରେ ହାଣ୍ଡି କଳା ଆଉ ଚୂନର ନିଶ କରିଦିଏ । ଚିତ୍ରବିଚିତ୍ର କରିଦଏ । ସେଇଥି ପାଇଁ କୃଷ୍ଣା ଉପରେ ବିରକ୍ତ ହୋଇ କଥା ବନ୍ଦ୍ କରିଦିଏ ଆନନ୍ଦ । ଭାଇନାର କଥା ବନ୍ଦ ହୋଇଗଲେ ଛଟପଟ ହୁଏ କୃଷ୍ଣା । କାହା ସଙ୍ଗେ କଳି କରିବ ? ଶେଷରେ ପାଖକୁ ଯାଇ ଦୋଷମାନେ । କାନ ମୋଡ଼ି ହୁଏ । ଆଉ କେବେ କରିବିନି ବୋଲି ପ୍ରତିଜ୍ଞା କରେ । ପାଖକୁ ଡାକି ଆନନ୍ଦ ଆଦର କରେ । ପାଠ ପଢ଼ାଇବାକୁ ଡାକେ । ପାଠ ପଢ଼ିଲେ ଅନେକ କଥା ଜାଣି ପାରିବ ବୋଲି କହେ ।

 

ଆନନ୍ଦଙ୍କ କଥା ଶୁଣି କୃଷ୍ଣା କହେ,

 

ତୁ ପାଠ ପଢ଼ ଭାଇନା । ବଡ଼ ମଣିଷ ହେବୁ । ମୁଁ ପାଠ ପଢ଼ି କ’ଣ କରିବି ? ବୋଉ ତ କହୁଚି ହାଣ୍ଡି ଚୁଲି ସମ୍ଭାଳିବା ମୋ କାମ । ମୁଁ କୋଉଁ ଚାକିରି କରବି ଯେ ତୋ ପରି ପାଠ ପଢ଼ିବି । ପୁରାଣ, ଭାଗବତ ବୋଲି ଜାଣିଲେ ମାଇକିନା ଝୁଅ ପାଇଁ ଯଥେଷ୍ଟ ।

 

କୃଷ୍ଣା କଥା ଶୁଣି ଆନନ୍ଦ କହେ,

 

ଥାଉଲୋ ସାତବୁଢ଼ୀ । ତୋତେ କଥାରେ କିଏ ପାରିବ ? ପାଠ ପଢ଼ା ବ୍ୟତୀତ ଅନ୍ୟ କାମକୁ ଆଗଭର କୃଷ୍ଣା । ଗଛ ଚଢ଼ିବା, ନଈ ପହଁରିବା ସେଥିକୁ ଧୁରନ୍ଧର । ଦନେ ବାଡ଼ିରୁ ବଡ଼ ପିଜୁଳିଟାଏ ତୋଳିଆଣି, ଆନନ୍ଦର ପଢ଼ା ଟେବୁଲରେ ଥୋଇ କହିଲା,

 

ଦେଖ । ତୁ ସକାଳ ଯାକ ଲାଗି ଲାଗି ଆଙ୍କୁଡ଼ିରେ ଯାହାକୁ ତୋଳି ପାରି ନଥିଲୁ, ମୁଁ କେମିତି ଗଛରୁ ତୋଳି ଆଣିଲି । ବିଧାତା ତୋତେ ଝିଅ ଜନ୍ମ ଦେଇ ମତେ ପୁଅ ଜନ୍ମ ଦେଇଥିଲେ ଭଲ ହୋଇଥାନ୍ତା ।

 

ମାଇନ୍‌ର ପାଶ୍ କରି କୃଷ୍ଣା ଆଉ ପଢ଼ିଲାନି । ଦୂର ବାଟ ମାଇକିନା ଝିଅ କେମିତି ଯାଇ ପଢ଼ିବ ବୋଲି କରୁଣା ବାରଣ କରିଥିଲେ । ପରେ ସେଇ ଗାଁର ଭଲ ପାତ୍ରଟିଏ ଯୁଟି ଯିବାରୁ କୃଷ୍ଣାକୁ ବାହା କରି ଦେଇଥିଲେ ।

 

ପିଲା ଦିନର ସେଇ ଚଗଲି, ଚଞ୍ଚଳ ପ୍ରକୃତି କୃଷ୍ଣା ଶାଶୁଘରେ ଯାଇ କୃଷ୍ଣପ୍ରିୟା ହେଲା । ପୁଅ, ବୋହୂ, ଝିଅ, ଜୋଇଁ ସ୍ଵାମୀ ନେଇ ପରିପୂର୍ଣ୍ଣ ସଂସାର କରିଚି । ବାହାଘର ଆଠ ଦିନ ଥାଉଣୁ ଚିଠି ପାଇ ଗଗନ ଆଣି ଛାଡ଼ିଦେଇ ଗଲେ । କୃଷ୍ଣା ଆଉ ଗଗନ ସୁଖି ଦମ୍ପତି ।

 

: ବାପା ବୋଉ ମରିଗଲେ ବୋଲି ଭଇନା ତୁ ମଧ୍ୟ ମତେ ପର କରିଦେଲୁ । କେବେ କ’ଣ ଇଛା ହେଉଚି ମୋତେ ଯାଇ ଟିକେ ଦେଖି ଆସିବାକୁ ତୋ ଛଡ଼ା ବାପଘର ବୋଲି ମୋର କିଏ ଅଛି କହିଲୁ ? କୃଷ୍ଣା କଥା ଶୁଣି ଆନନ୍ଦଶଙ୍କର ନିରବ ରହିଥିଲେ । ତାଙ୍କର ସେହି ନିରବତା ଭିତରୁ କୃଷ୍ଣା ହୁଏତ ବୁଝିଥିଲା ଯେ ତା ଭାଇନା ଅତି ଦୁଃଖି । ବନ୍ଧୁବାନ୍ଧବ ଘର ଯିବାକୁ ମାନସିକ ପ୍ରସ୍ତୁତି ହରାଇ ବସିଚନ୍ତି ।

 

ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାଶ୍ କଲା ଆନନ୍ଦ । ସରକାରୀ ବୃତ୍ତି ପାଇଲା । ସହରରେ ହଷ୍ଟେଲରେ ରହି ପାଠ ପଢ଼ିବା କଥା କରୁଣା ଆଉ ସୋମନାଥ ସ୍ଥିର କଲେ । ଆନନ୍ଦ ଯେଉଁଦିନ ଗାଁ ଛାଡ଼ି ହଷ୍ଟେଲ ବାହାରି ଥିଲା, ମାଇଁଙ୍କ ଆଖିରେ ଆଖିଏ ଲୁହ । ଝିଅକୁ ଶାଶୁଘରକୁ ପଠାଇଲା ପରି କାନ୍ଦିଥିଲେ କରୁଣା । ଛୁଟିରେ ଆସି ପହଞ୍ଚିଗଲେ ପିଠାମଣ୍ଡା, ଚିତଉ ଚକୁଳି, ଗଇଁଠା ଏଣ୍ଡୁରି, ଖିରୀ କାକରା, ସବୁ ପ୍ରକାର କରି ଖୁଆନ୍ତି । କହନ୍ତି-ହଷ୍ଟେଲରେ ପାଣିଆ ଡାଲି, ଦରଫୁଟା ଭାତ ଖାଇ ପୁଅ ପାଟି ମୋର ସିଝି ଯାଉଥିବ । ଅନନ୍ଦ ଥିଲା କରୁଣାଙ୍କର ଜୀବନ ସର୍ବସ୍ଵ ।

 

ଦର୍ଶନଶାସ୍ତ୍ରରେ ବୃତ୍ତି ସହ ଏମ୍: ଏ: ପାଶ୍ କରି ଆନନ୍ଦରୁ ସେ ହେଲେ ଅଧ୍ୟାପକ ଆନନ୍ଦଶଙ୍କର । ବିଦେଶରେ ଯାଇ ଡକ୍ଟରେଟ୍ କରିବା ପାଇଁ ବୃତ୍ତି ମିଳିଲା । ପାତ୍ରୀ ଖୋଜି ବସିଲେ କରୁଣା । ଦିନରାତି ସୋମନାଥଙ୍କୁ ଲଗାଇଲେ । ବସାଇ ଉଠାଇ ଦେଲେନି ସୋମନାଥଙ୍କୁ । କରୁଣାଙ୍କ ମନରେ ଭାରି ସନ୍ତୋଷ ଯେ ତାଙ୍କ ପୁଅଭଳି ପାଠୁଆ ପାଖଆଖ ପାଞ୍ଚଖଣ୍ଡରେ ନ ଥିବେ-। ଆନନ୍ଦର କହିବାରେ ସେ ଗରବିଣୀ ।

 

ଏପାଖେ ମୋତିଗଡ଼ । ସେପାଖେ ମାଣିକଗଡ଼ । ମଝିରେ ସାପୁଆ ନଈ । କେଉଁ ଦୂର ପାହାଡ଼ରୁ ବାହାରି ଦୁଇ ଗାଁର ମଝିଦେଇ ବୋହି ଯାଇ ସମୁଦ୍ରରୁ ପଡ଼ିଚି । ବର୍ଷା ଆସିଲେ ସାପ ପେଟ ଫୁଲିଲା ପରି ଫୁଲି ଯାଇ କୂଳ ଉଛୁଳି ପଡ଼େ । ଭୟଙ୍କର ଗର୍ଜନ କରେ । ବର୍ଷା ଛାଡ଼ିଗଲେ ଧୀରେ ଧୀରେ ଗର୍ଜନ କମିଯାଏ । ହେଲେ ଦୁଇ ଗାଁର କ୍ଷତି କରିନି କୌଣସି ଦିନ । ମୋତିଗଡ଼ରେ ସପନେଶ୍ୱରୀ ଯୋଗୁ ରକ୍ଷାପାଏ ଗାଁ । କୋଉ କାଳରେ କାହାକୁ ସପନ ଦେଖା ଦେଇ ଗାଁ ମୁଣ୍ଡରେ ଆମ୍ବତୋଟାରେ ଫୁଟି ବାହାରି ଥିଲେ ଠାକୁରାଣୀ । ସପନ ଦେଖି ସେ ଲୋକ ଗାଁ ମୁଣ୍ଡରେ ଠାକୁରାଣୀଙ୍କ ପାଇଁ ମନ୍ଦିର କରିଥିଲା । ପୁନିଅ ପରବ, ବାହା, ବ୍ରତ ସବୁଥିରେ ଆଗରେ ଆଗ ପୂଜା ଦିଆଯିବ ସପନେଶ୍ଵରୀଙ୍କୁ ।

 

ଆଉ ମାଣିକଗଡ଼ର ମାଣିକେଶ୍ଵରୀ । ସେ ତ ପ୍ରତୀକ୍ଷା ବିପଦ ଆପଦ, ଭଲ ମନ୍ଦ ସବୁଥିରୁ ସେ ଗାଁକୁ ମାଆ ପିଲା ରକ୍ଷା କଲା ପରି କରି ଆସିଛି । ସେମାନେ ଦୁଇ ଉଉଣୀ ବୋଲି ଲୋକେ କହନ୍ତି । ଜଣେ ମନ୍ଦିର ଭିତରେ ଆଉ ଜଣେ ମନ୍ଦିରରେ ରହିବ ନାହିଁ ବୋଲି ସପନରେ କହିଥିଲା । ଶାହାଡ଼ା ଗଛମୂଳେ ସେ ଉଭା । କେତେ ଯେ ସିନ୍ଦୁର ସେଠାରେ ବୋଳା ହୋଇଛି ନ ଦେଖିଲେ ବିଶ୍ଵାସ ହେବନି । ମାଟିର ହାତୀ, ଘୋଡ଼ା, ଛତ୍ରି କେତେ କଳାଶାଢ଼ି । ନାଲିଶାଢ଼ୀ, କାଚ ରୂପା ଆଖି ରୂପା ମକୁଟ । ସୁନା ଚୀତା ସେଇ ଦୁଇ ଠାକୁରାଣୀଙ୍କ ପାଖରେ ଜମା । ଦିନେ କେହି ସେଇଠୁ ଉଠାଇ ନେଇନି । ନେଲେ କୁଆଡ଼େ ସଞ୍ଜ ସକାଳ ପାହିବନି । ଛାତି ଫାଟି ରକ୍ତବାନ୍ତି କରିବ । ଏଇକଥା ଦୁଇଗାଁର ପୁରାତନ ଲୋକେ କହନ୍ତି ।

 

ସାପୁଆ ନଈରେ ପାଣି କେବେ ଶୁଖେନି । ବର୍ଷସାରା ପାଣି ପୂର୍ଣ୍ଣ ଥାଏ । ଯାହାର ନିଜର କୂଅ ଅଛି ସେମାନଙ୍କୁ ଛାଡ଼ିଦେଲେ ଅଧିକାଂଶ ଲୋକେ ନଈରୁ ପାଣି ବ୍ୟବହାର କରନ୍ତି । ଆରେ ଏ ଗାଁରୁ ସେ ଗାଁକୁ ଯିବାକୁ ହେଲେ ଡଙ୍ଗାରେ ପାରି ହେବାକୁ ଚାରିଘଣ୍ଟା ବା ପାଞ୍ଚଘଣ୍ଟା ଲାଗୁଥିଲା, ନଈରେ ବ୍ରିଜ ହେଲା । ବ୍ରିଜ୍ ଉପର ଦେଇ ସହରକୁ ଟ୍ରକରେ କାଠ, ବାଉଁଶ ନେଇ ବ୍ୟବସାୟ କଲେ । ଦଶକୋଶ ଆକ୍ରାନ୍ତରେ ବାଉଁଶ ବଣ ଆଉ ଶାଳ, ଶାଳ, ପିଆଶାଳ, ଶିଶୁ ଅନ୍ୟାନ୍ୟ ଗଛର ବଣ ଦୁଇ ଗାଁର । ବ୍ୟବସାୟୀମାନେ ଆସିଲା ପରଠାରୁ ଗାଁ ପଦା ହୋଇଗଲାଣି-। ବଡ଼ ଗଛଟିଏ କିଣିବା ସାତ ସପନ । ଗାଁ ଲୋକମାନଙ୍କୁ କାଠ ବାଉଁଶ କିଣିବାକୁ ପଡ଼ୁନଥଲା-। ଜଙ୍ଗଲ ଠିକା ନିଆ ହେଲା । ଡିପୋ ଖୋଲିଲା । ବେପାରୀମାନେ ବଡ଼ଲୋକ ହେଲେ-। ମାଣିକଗଡ଼ର ଆଉ ମୋତିଗଡ଼ର ଲୋକମାନେ ଯେଉଁ ଗରୀବକୁ ସେଇ ଗରୀବ, ତାଙ୍କର ଅବସ୍ଥାର ଉନ୍ନତି ହୋଇ ପାରିଲା ନାହିଁ ।

 

ମୋତିଗଡ଼ ଆଉ ମାଣିକଗଡ଼ ଭିତରେ ଅମେଳ । ଆଗେ ଦୁଇ ଗାଁ ଭିତରେ ଘର ମେଳ ଥିଲା । ଗୋଟିଏ ଗାଁରେ ଫୁଲ ଫୁଟିଲେ, ଆର ଗାଁକୁ ବାସ ଚହଟୁଥିଲା । ଗୋଟିଏ ଗାଁର ଝିଅ ଆର ଗାଁକୁ ବୋହୂ ହୋଇ ଯାଉଥିଲା । ଦେବୀ ମେଲଣ, ଦୋଳ ମେଲଣ, ଗୋଟିଏ ପରବ ଭଳି ଦୁଇ ଗାଁର ଲୋକ ଏକତ୍ର କରୁଥିଲେ । ମେଲଣ ପରେ ନଦୀରେ ଭସାଇ ଦେଉଥିଲେ । ବର୍ଷେ ମୋତିଗଡ଼ ମେଢ଼ରୁ ବାଣ ଛିଟିକିଯାଇ ମାଣିକଗଡ଼ର କାହା ଦେହରେ ସବୁ ପଡ଼ିଲା । କେତେଟା ଲୋକ ପୋଡ଼ିହୋଇ ସହରରେ ଡାକ୍ତରଖାନାରେ ପଡ଼ିଥିଲେ ଆଉ ଥରେ ମାଣିକଗଡ଼ର କାହାର ଗାଈ ମୋତିଗଡ଼ର ଜଣକ ବିଲରେ ପଶି ପାଚିଲା ଧାନ କିଆରି ସଫା କରି ଦେଇଥିଲା । କୋର୍ଟ କଚେରୀ ପର୍ଯ୍ୟନ୍ତ କଥାଗଲା । ସେଇଦିନ ଠାରୁ ଅମେଳ ରହିଗଲା ଯେ ରହିଗଲା । ମାଣିକଗଡ଼ର କିଆ ଗଉଡ଼ୁଣୀ ପରକୁ ଆପଣା କରିବାରେ ଭାରି ଦକ୍ଷତା । କାହା ଘରେ ପାଞ୍ଚ ପାଇଟି କରଦିଏତ କାହାଘରେ ପିଲା ସାଇତେ । କାହାଘରେ ବାହାଘରର ଭାର ହାଣ୍ଡିରେ ଚିତ୍ର କାଟି ଦଏ ତ, କାହା ଝିଅକୁ ବାହାକାନ୍ଦଣା ସିଖାଏ । ସବୁଘରେ ସିଏ ହାଜର ହୁଏ । ସମସ୍ତଙ୍କ ଉପକାରରେ ସେ ଆସେ-। ତାର ନିଜର ବୋଇଲେ କେହି ନାହିଁ । ବାଳଶ୍ରୀ ବିଧବା । ସ୍ଵାମୀ ବୋଲି କାହାକୁ ଦେଖି ନଥିଲା-। କାହା ଘରେ ସକାଳ ଖାଇବା ଖାଇଲାଣିତ କାହା ଘରେ ରାତିରେ ଖାଇବା । କାହା ପିଲାକୁ ନଜର ପଡ଼ିଲେ ଲୁଣ ମନ୍ତୁରାଇ ତାର ନଜର ଛଡ଼ାଇ ଦିଏ । କିଏ ଡାକେ ତାକୁ ଖୁଡ଼ୀ, କଏ ଡାକେ ଅପା, କାହାର ବଡ଼ମାଆ ତ, କିଏ ଡାକେ ସହି । ତା ହାତ ତିଆରି ଦହି ଯିଏ ଖାଇଚି ପାଟିରୁ ଛାଡ଼ିବନି । ତାର ନେତି ବୋଲି ଗୋଟିଏ ଗାଈ ଆଉ ବାଡ଼ିରେ କେତୋଟି କଦଳୀ ଗଛରେ ତାର ଗୁଜରାଣ ମେଣ୍ଟିଯାଏ ।

 

ସେଇ କିଆ ଦିନେ ତା ଭାଇ ଝିଅ ଝିଆରୀ କେତକୀ ଘରକୁ ମୋତିଗଡ଼ ଯାଇଥିଲା । କେତକୀର ବର କୁରୁକ୍ଷେତ୍ର ସୋମନାଥଙ୍କର ହାଲିଆ । ଜମିବାଡ଼ି ଦେଖାଚାହାଁ କରେ । ଖାଇ ବସିବା ବେଳେ ଏଣୁ ତେଣୁ କଥା ହେଉ ହେଉ କେତକୀ କହିଥିଲା । ତାଙ୍କ ଖାଉନ୍ଦ ଘର ଭଣଜାଟିଏ ଅଛି । ରୂପ ଯେମିତି ଗୁଣ ସେଇମିତି । ପାଠ ପଢ଼ାରେ କେତେ ବଡ଼ ପଣ୍ଡିତ । ତାଙ୍କ ମାମୁଁ ମାଇଁ ପାତ୍ରୀ ଖୋଜୁଛନ୍ତି । ଆଉ ସାଆନ୍ତାଣୀ କହିଚନ୍ତି ବାହାଘର ଦିନ ଠିକଣା ହେଲେ ପିଇସୀକୁ ଡାକିବାକୁ । ସାହାଯ୍ୟ କରିବା ପାଇଁ । କିଆର ସମସ୍ତ ଗୁଣ ଫୁଲ ବାସିଲା ପରି ମାଣିକଗଡ଼ ଡେଇଁ ମୋତିଗଡ଼ ପର୍ଯ୍ୟନ୍ତ ଛୁଟି ଅସିଥିଲା ଝିଆରୀ କଥା ଶୁଣି କଥା ପଚାରିଲା ।

 

କେଉଁଠି କ’ଣ ପାତ୍ରୀ ଠିକ୍ ହେଇଚି ?

 

ହେଇଚି କାଇଁ ? ଖୋଜାଚାଲିଚି ।

 

ଉତ୍ତର ଦେଇଥିଲା କେତକୀ ।

 

ଆମ ଗାଁର ସାଆନ୍ତଙ୍କ ଝିଅଟିଏ ଅଛି । କଥା ପକାଇଲେ ହୁଅନ୍ତା ନି ? ପ୍ରଶ୍ନ କରିଥିଲା କିଆ ।

 

ତୁ ତାହାଲେ ଖାଉନ୍ଦଙ୍କ ଘରକୁ ଯାଇ କଥାଟା ପକା ।

 

ଝିଆରୀଠାରୁ ଏତକ ଶୁଣି କିଆ ଯାଇ ସୋମନାଥଙ୍କ ଘରେ ହାଜର ହୋଇଥିଲା । ଆଉ କହିଥିଲା, ସେ ତାଙ୍କ ଗାଁର ସାଆନ୍ତଙ୍କ ବଡ଼ ପୁଅର ଝିଅଟିଏ ଅଛି । ଝିଅର ରୂପ ନାହିଁ ନଥିବ-। ଚମ୍ପାଫୁଲ ପରି ଦେହରଙ୍ଗ । ସାଆନ୍ତ ଘର ଭଳି ଥିଲା ଥୋଇଲା ମାନତା ଘର ଆଖ ପାଖ ଦଶ ଖଣ୍ଡ ଗାଁ ଭିତରେ ନାହିଁ ।

 

କରୁଣା କେତକୀଠାରୁ ଆଗରୁ ଶୁଣିଥିଲେ ସାଆନ୍ତଘର ଉଆସକୁ କିଆର ଯିବାଆସିବା ଅଛି । ମାଣିକଗଡ଼ର ସାଆନ୍ତଘର ଚଳଣି କଥା କରୁଣା ଜାଣିଚନ୍ତି । ଅମେଳ ହେଲା ବୋଲି ସିନା । ତା ନହେଲେ ଗାଡ଼ି ଶଗଡ଼ କରି ଦେବୀ ଯାତ୍ରା ଦେଖିବାକୁ ସୋମନାଥ ଆଉ କରୁଣା କେତେଥର ଯାଇଛନ୍ତି । କେତେବଡ଼ କୋଠା । ଅସ୍ଥି ପାଇବନି । ସେମାନେ କଣ ସୋମନାଥ ଆଉ କରୁଣା ଭଳି ଲୋକଙ୍କ ଘରେ ବନ୍ଧୁ ବାନ୍ଧିବେ ? ତେବେ ମଣିଷର ଆଶା ତ । ଭିତିରିଆ ସେମାନଙ୍କର ମତାମତ ଜାଣିବା ପାଇଁ କିଆକୁ କରୁଣା କହିଥିଲେ ।

 

ମାଣିକଗଡ଼ର ଭୂବନ ସାଆନ୍ତ । ଦଶଖଣ୍ଡ ଗାଁ ଭିତରେ ସାଆନ୍ତଘରର ନାଁ ଡାକ । ବଡ଼ଘର, କ୍ଷେତଅମାର, ଟଙ୍କାସୁନା, ପାଟ ପିତାମ୍ବରୀ, ଦାସ ପୋଇଲି, କୋଠିଆ ମୁଲିଆ ବିଲବାଡ଼ି ସବୁଥିରେ ଅଚଳାଚଳ । ମାଣିକଗଡ଼ର ଅଧାଗାଁ ମାଡ଼ି ବସିଚି ସାଆନ୍ତ ଘରର ବଡ଼ ଉଆସ । ଉଆସ ଚାରିପାଖେ ଦୁଇ କୋଶ ଆକ୍ରାନ୍ତରେ ଦୁଇ ପୁରୁଷ ଉଚ୍ଚ ପଥର ପାଚେରୀ । ତା ଭିତରେ ଉପରତଳ ହୋଇ ଚାରିଟା ଖଞ୍ଜା । ବାଶ ଖଞ୍ଜାରେ କୁଣିଆ ମଇତ୍ର, ଗଲାଅଇଲା, ମଝି ଖଞ୍ଜାରେ ଭଣ୍ଡାର ଘର, ରନ୍ଧାଘର, ଖାଇବା ଘର, ବଡ଼ବଡ଼ ହଣ୍ଡାମାନଙ୍କରେ ରନ୍ଧାହୁଏ । ଦିନରାତି ଗହଳ ଚହଳ । ପ୍ରତିଦିନ ଚାରି ପାଞ୍ଚ ଜଣ ଅତିଥି ନଶ୍ଚୟ ଆସି ଜୁଟନ୍ତି । ତା ତଳ ଖଞ୍ଜାରେ ଉପରତଳ ହୋଇ ଦୁଇ ମହଲାରେ ଘରର ଲୋକମାନଙ୍କର ଶୋଇବା ଘର । ଘରମାନଙ୍କରେ ବଡ଼ ବଡ଼ ପୁରୁଣାକାଳିଆ ଶିଶୁକାଠର ରୂପା କାମ ଲଗା ପଲଙ୍କ । ପଲଙ୍କରେ ଦର୍ପଣ ଖଞ୍ଜା । ଲତାପତ୍ର, ପଶୁପକ୍ଷୀ ଚିତ୍ର କଟାଯାଇଚି ସେ ପଲଙ୍କମାନଙ୍କରେ । ତଳ ଖଞ୍ଜାରେ ଦାସୀ, ପୋଇଲି, ଚାକର ବାକର ରହନ୍ତି । ଉଆସ ପଛ ପାଖେ ପୋଖରୀ । ପୋଖରୀ ଚାରିପାଖେ ନଡ଼ିଆଗଛ, ଗୁଆଗଛ ପୋଖରୀର ପାଣି କାଚକେନ୍ଦୁ ଭଳି ନିର୍ମଳ । ପୋଖରୀର ଉପର ପାହାଚର ଗୋଟିଏ ପାଖକୁ ଶିବ ମନ୍ଦିରଟିଏ । ପ୍ରତି ସୋମବାର ଦିନ ବାହାର ଖଞ୍ଜା ବାଟ ଖୋଲା ହୁଏ । ଗାଁ ଲୋକମାନେ ଦର୍ଶନ କରି ଆସନ୍ତି । ତା ଛଡ଼ା ଆମ୍ବ, ଲିଚୁ, ସେପଟା, ଲଙ୍କାଆମ୍ବ ଗଛ ଅଛି । ପ୍ରତିବର୍ଷ ଶହଶହ ଟଙ୍କାର କାଜୁବାଦାମ ବାହାରକୁ ଯାଏ । ବଗିଚାର ଗୋଟିଏ କୋଣକୁ ଗାଈ ଗୁହାଳ । ଦେଶୀ ଆଉ ଜର୍ସି ହୋଇ ପଚାଶ । ମଇଁଷି ଦଶଟା ବଳଦ କୋଡ଼ିଏ ହଳ । ଆଗେ ବେଶିଥିଲେ । ରୋଗ ହେଲା ଯେ ପନ୍ଦରଟା ମଇଁଷି ଗୋଟିଏ ବର୍ଷ ଭିତରେ ପଟ୍ ପଟ୍‌ ମରିଗଲେ । ଲକ୍ଷ୍ମୀବନ୍ତ ମଣିଷ ଭୂବନ ସାଆନ୍ତ-। ଲକ୍ଷ୍ମୀ ଠାକୁରାଣୀ କେଉଁ କଥାକୁ କରିନାହାନ୍ତି । ଭୁଖି, ଭିକାରୀ କେହି ସେ ଘରୁ ଖାଲି ପେଟରେ କି ଖାଲି ହାତରେ ଫେରି ଯାଏନି ।

 

ପ୍ରତିଦିନ ସନ୍ଧ୍ୟାରେ ମହନି ବାରିକ ତେଲ ମାଲିସ କରିବାକୁ ଆସେ । ସେଥପାଇଁ ସେ ଜମି ଖଜା ଖାଇ ଆସୁଛି । ସେ ପ୍ରତିଦିନ ଗାଁର ଭଲମନ୍ଦ ଜଣାଇ ଦିଏ । ଗାଁ ଲୋକେ ଦିନକୁ ଦିନ ଜଟିଳ ହୋଇ ଯାଉଛନ୍ତି । କାହା ସହିତ କାହାର ମନ ମିଳୁନି ଇତ୍ୟାଦି ଇତ୍ୟାଦି । ଆଗଭଳି ବୈଠକଖାନାରେ ବସି ଗାଁ ଲୋକଙ୍କର ଭଲମନ୍ଦ ବୁଝି ପାରୁ ନାହାନ୍ତି । ବଳ ଖସି ଗଲାଣି । ରଜା ଭଳି ଚେହେରା ଭୂବନ ସାଆନ୍ତଙ୍କର । ଡେଙ୍ଗା ଯେମିତି, ମୋଟା ସେମତି । ଉଜ୍ଜ୍ୱଳ ପାଚିଲା ଆମ୍ବ ପରି ରୂପ । ଉଜ୍ଜ୍ୱଳ ରଙ୍ଗର ଦେହଟା ତମ୍ବାଟିଆ ପଡ଼ିଗଲଣି । ରୂପର ଯୋରରେ ସିନା ଗରିବ ଘରର ପିଲା ହୋଇ ଜମିଦାର ଜୋଇଁ ହୋଇଥିଲେ ।

 

ଭୂବନସାଅନ୍ତଙ୍କ ପତ୍ନୀ ନିଳାମ୍ବରୀ । ସେ କେଶବ ସାଆନ୍ତଙ୍କର ଗୋଟିଏ ବୋଲି ଝିଅ । କେଶବ ସାଆନ୍ତେ ଜମିଦାର । ଜମଦାରୀ ଉଠିଗଲା । ହେଲେ ପ୍ରତିପତି, ଖାନ୍‌ଦାନ ଅଚଳାଚଳ ସମ୍ପତ୍ତି ଥିଲା । ଗୋଟିଏ ବୋଲି ଝିଅକୁ ପରଘରୀ କରିଦେବାକୁ ଇଛା ହେଉନଥିଲା । ସମ୍ପତ୍ତି ପରି ଖାଇଯିବେ । ସେଥିପାଇଁ ନିଳାମ୍ବରୀଙ୍କ ମାଉସୀର ନଣନ୍ଦର ପୁଅକୁ ଘରଜୋଇଁ କରି ଆଣିଲେ । ଭୂବନାନନ୍ଦ ଶିକ୍ଷିତ, ବୁଦ୍ଧିମାନ ଚାରିଦିଗକୁ ଦୃଷ୍ଟି । ନିଳାମ୍ବରୀଙ୍କର କୌଣସି କଥାକୁ ନଜର ନଥିଲା କେଶବସାଆନ୍ତ ମଲା ପରେ ସବୁ ଦାୟିତ୍ଵ ଭୂବନାନନ୍ଦଙ୍କ ଉପରେ ପଡ଼ିଲା । ନିଳାମ୍ବରୀ ଦିନରାତି ଖାଇପିଇ ଦାସୀ ପୋଇଲି ନେଇ ତାସ, ଲୁଡ଼ୁ ନେଇ ବ୍ୟସ୍ତ । ଦିନରାତି ପାନ ଭଙ୍ଗା ହୋଇ ଦାସୀ ଯୋଗାଉଥିବ । ଘରଆଡ଼େ ଦୃଷ୍ଟି ଦେବାକୁ ବେଳ ନାଇଁ ? ଦିନକ ପାଇଁ ନିଳାମ୍ବରୀଙ୍କୁ ‘ଘୁଞ୍ଚି ଯା’ ବୋଲି କହିନ୍ତିନି ଭୂବନାନନ୍ଦ ।

 

ଭୂବନ ସାଆନ୍ତଙ୍କର ତିନୋଟି ପୁଅ । ବଡ଼ ବଭୂତିଭୂଷଣ, ମଝିଆ ବିଧୁଭୂଷଣ, ସାନ ଇନ୍ଦୁଭୂଷଣ । ବଡ଼ ପୁଅର ଗୋଟିଏ ଝିଅ, ମଝିଆଁର ତିନୋଟି ପୁଅ ଓ ସାନର ତିନୋଟି ପୁଅ । ତିନ ଭାଇରେ ଗୋଟିଏ ଝିଅ ଯାଜ୍ଞସେନୀ ।

 

ବଡ଼ ବୋହୁ ସୁଲକ୍ଷଣା ବାହାହୋଇ ଆସିବାର କେତେ ବରଷ ପର୍ଯ୍ୟନ୍ତ ପିଲାଛୁଆ ହୋଇ ନ ଥିଲେ । ସେବର୍ଷ କେତେ ଜଣ ପଣ୍ଡିତ କାଶୀରୁ ମାଣିକଗଡ଼ ଆସି ଯଜ୍ଞ କଲେ । ମାଣିକେଶ୍ଵରୀଙ୍କ ପାଖରେ ଯଜ୍ଞ ହେଲା । କେତେ ଗାଁରୁ ଲୋକେ ଥାଟ ପଟୁଆର ହୋଇ ଯଜ୍ଞ ଦେଖି ଆସିଲେ । ଯଜ୍ଞର ପୂର୍ଣ୍ଣାହୁତି ଦିନ ନୀଳାମ୍ବରୀ ଯଜ୍ଞର ଚରୂ ଆଣି ସୁଲକ୍ଷଣାଙ୍କୁ ଦେଇଥିଲେ ଚରୂ ଖାଇ ବର୍ଷ ପୁରୁପୁରୁ ସୁଲକ୍ଷଣାଙ୍କର ଝିଅ ହେଲା । ନୀଳାମ୍ବରୀ ନାତୁଣୀ ନାଆଁ ଦେଲେ ଯାଜ୍ଞସେନୀ । ଯାଜ୍ଞସେନୀର ରୂପ ଦେବୀପ୍ରତିମା ଭଳି । ଗଲା ଅଇଲା ଲୋକେ ଘଡ଼ିଏ ଅନାଇଁ ରହନ୍ତି । ନୀଳାମ୍ବରୀଙ୍କର ଜୀବନର ଧନ ଥିଲା ଯାଜ୍ଞସେନୀ । ନାତୁଣୀକୁ କୋଳରେ ଧରି ଗେଲ କରି କହନ୍ତି, ଝିଅ ନ ଥିଲେ କି ଘରମ ? ଝିଅଯୋଗୁଁ ସିନା ଘର ସୁନ୍ଦର । ତା ହେଲେ ପୁନିଅ ପରବ, ଓଷା ଓପାସ କାହା ପାଇଁ ??

 

ଦାସୀ ପୋଇଲି, କକା ଖୁଡ଼ି, ଗାଁଯାକର ସମସ୍ତଙ୍କର ନୟନର ମଣି ଥିଲା ଯାଜ୍ଞସେନୀ । ବିଭୂତିଭୂଷଣ ଥିଲେ ଶାନ୍ତ ସରଳ ଅମାୟିକ । କାହାର ଭଲମନ୍ଦରେ ନଥାନ୍ତି । ଯାହା ବୁଝିବା କଥା ସେତିକି ବୁଝି ପଶାପାଲି ନ ହେଲେ ତାସ୍‌ମୁଠା ଧରି ବୈଠକଘରେ ବସିଯାନ୍ତି । ଆଗରୁ ଗାଁର ସମବୟସ୍କ ଖେଳାଳି ଦଳ ପହଞ୍ଚି ଯାଇଥିବେ ବାପ ପରି ଚେହରା ବିଭୂତିଭୂଷଣଙ୍କର । ସେଥିରେ ପିଲ୍‌ ପିନ୍ ଧୋତି କୁଞ୍ଚି କରି ପିନ୍ଧିଥିବେ । ଦେହରେ ପତଳା ପଞ୍ଜାବୀ । ପକେଟରେ ପାନ ବଟା । ଦିନରାତି ଖାସ୍ ଜଣେ ଚାକର ତାଙ୍କ ପାନ ଭାଙ୍ଗି ଦେବା ପାଇଁ ହାଜର ହୋଇଥିବ । କେତେ ପ୍ରକାର ମସଲା, କେତକୀ ଖଇରୀ, କେତେ ରକମର ଗୁଣ୍ଡି, ତାଙ୍କର ଦରକାର । ନିଳାମ୍ବରୀଙ୍କର ଏକ ପାନଖିଆ ଗୁଣ ଆୟତ କରିଥିଲେ ବିଭୂତି ଭୂଷଣ ।

 

ବଡ଼ବୋହୁ ସୁଲକ୍ଷଣା ଗୋରାତକତକ ଗୁଣ୍ଠୁଣୀ ହାତୀ ପରି ରୂପ । ଶାନ୍ତ, ଧୀର ସ୍ଥିର । ସବୁ ଦିଗକୁ ଦୃଷ୍ଟି ତାଙ୍କର । ସେଇଥିପାଇଁ ସେ ବୋହୂ ହୋଇ ଅସିବା ଦିନ ଶ୍ୱଶୁର ଉଆସ ଭିତରର ସବୁ ଦାୟିତ୍ୱ ବୋହୁକୁ ଦେଇ ନଶ୍ଚିନ୍ତ ହୋଇଥିଲେ । ସିନ୍ଦୁକ, ବାକ୍‌ସ, ଲୁହା ଆଲମାରୀ, ଟ୍ରେଜେରୀ, ସବୁ ଚାବିପେନ୍ଥା ତାଙ୍କ ଅଣ୍ଟାରେ ବାନ୍ଧିଥିଲେ । ସମସ୍ତଙ୍କ ପ୍ରତି ସମାନ ବ୍ୟବହାର । ଆଖି ଦୁଇଟିରେ ସ୍ନେହ ପରିପୂର୍ଣ୍ଣ । ନ ହସିଲେ କଥା କହିବେନି । ଇନ୍ଦୁ, ଆଉ ବିଧୂତ ଭାଉଜ ବୋଇଲେ ପାଗଳ । ମାଆ ଅବା କେଉଁ କଥା ତାଙ୍କର ବୁଝିଛନ୍ତି ? ସବୁ ତ ସେଇ ଭାଉଜ । ଅସମ୍ଭବ ଭାବରେ ଭକ୍ତି ଶ୍ରଦ୍ଧା କରନ୍ତି ସେମାନେ । ଭୂବନ ସାଆନ୍ତ ଆଉ ନିଳାମ୍ବରୀ ବଡ଼ ବୋହୂ ବିନା ଦଣ୍ଡେ ଚଳିପାରନ୍ତିନି । ସବୁ ଦାୟିତ୍ଵ ବଡ଼ବୋହୁ ଉପରେ । ଦୁଃଖିରଙ୍କି, ଗଲାଆଇଲା, ସମସ୍ତଙ୍କ ପେଟକଥା ସେ ଜାଣନ୍ତି । ଦିନରାତି କାମ ଆଉ କାମ । ଉଆସରୁ ଗୋଡ଼କାଢ଼ି ବାହାରକୁ ଯିବା ସପନ । ଅତି ଦରକାରୀ ନହେଲେ ବାପଘର ଦ୍ୱାର ମୁହଁ ମାଡ଼ିବାକୁ ସମୟ ଦେଉ ନଥିଲା । ଭାଇ ଭଉଣୀମାନେ କାମ ନିମିତ୍ୟ କଲେ । ସେଇ ଯିବେ ଯେ ଗୋଡ଼େ ଗୋଡ଼େ ବାହାରି ଆସିବେ ।

 

ବଧୂଭୂଷଣ ଚାଷ ସମ୍ବନ୍ଧରେ ଉଚ୍ଚଡ଼ିଗ୍ରୀ ନେଇ ଗାଁକୁ ଆସି ଚାଷ ବାସ ଖବର ବୁଝନ୍ତି । ବାହାରୁ ମଞ୍ଜି ସାର, ସବୁ ମଗାଇ ନିଜ ଜମିବାଡ଼ିର ଉନ୍ନତି କରିବା ସଙ୍ଗେ ସଙ୍ଗେ ଗାଁ ଲୋକଙ୍କର ଉନ୍ନତିରେ ଲାଗିଥାନ୍ତି । ତାଙ୍କରି ଚେଷ୍ଟାରେ ସାପୁଆ ନଈରୁ କେନାଲ ଖୋଳା ହୋଇ ମାଣିକଗଡ଼କୁ ଆସିଲା । କେନାଲ ଆସିବାରୁ ବର୍ଷକ ଭିତରେ ଦୁଇ ତିନିଟା, ଫସଲ ହୋଇ ପାରୁଛି । ଆଦର୍ଶ ଗାଁ ହିସାବରେ ମାଣିକଗଡ଼ ପୁରସ୍କାର ପାଇଥିଲା । ବଧୂଭୂଷଣଙ୍କ ପତ୍ନୀ ସହରୀ ଶିକ୍ଷିତା ଝିଅ । ଗାଁରେ ରହିବାକୁ ପ୍ରଥମେ ତାଙ୍କୁ ବଡ଼ ଅଡ଼ୁଆ ଲାଗିଥିଲା । ସହର ପରିବେଶ ଭିତରେ ଯିଏ ବଢ଼ି ଆସିଚି ତାକୁ ଗ୍ରାମ୍ୟ ଜୀବନ ଭଲ ଲାଗିବ କେମିତି । ବିଶେଷ କରି ମନ ଖୁସି କରିବା ପାଇଁ ମାଣିକଗଡ଼ରେ ସିନେମା ଘର ନଥିଲା । ଆସ୍ତେ ଆସ୍ତେ ଦେହସୁହା ହୋଇଗଲା । ଯାହାକୁ ହାତ ଧରି ବାହା ହୋଇଚନ୍ତି ସେ ଯଦି ଗାଁରେ ରହିବେ, ସେ କାହଁକି ନ ରହିବେ ?

 

ଇନ୍ଦୁଭୂଷଣ ରାଜନୀତିରେ ଏମ୍.ଏ ପଢ଼ୁଥିଲେ । ନୀଳାମ୍ବରୀ କହିଲେ ପାଠ ପଢ଼ି କୋଉ ପେଟ ପୋଷିବୁ ଯେ ସହରରେ ରହି ଦେହ ଶୁଖାଇବୁ । ନିଜ ସଂପତ୍ତି ତ କିଏ ଖାଉଚି । ସେଇଥି ପାଇଁ ଶେଷ ବର୍ଷ ପରୀକ୍ଷା ନଦେଇ ମାଣିକଗଡ଼କୁ ଚାଲି ଆସିଥିଲେ ଇନ୍ଦୁଭୂଷଣ । ନାଚ ଥିଏଟର, କୁସ୍ତି କସ୍‌ରତ୍‌, ଫୁଟ୍‌ବଲ ଖେଳ ଏସବୁ ଥିଲା ତାଙ୍କର ପିଲାଦିନର ଅଭ୍ୟାସ, ଗାଁ’ର ସମବୟସ୍କମାନଙ୍କୁ ଏକାଠି କରି ଦଳ ଗଢ଼ିଥିଲେ । ସେ ଦଳର ନା “ସାହାଯ୍ୟ ସମିତି ଦଳ’’ । କେଉଁଠି ଘର ପୋଡ଼ିଲା, କେଉଁ ଗାଁ’ ନଈ ବଢ଼ିରେ ଭାସିଗଲା, କେକଠି ଯୌତୁକ ନ ପାଇ ବର ଉଠି ଯାଉଚି, ଯିଏ ଯେଉଁଠି ବିପଦରେ ପଡ଼ିଲା, ସେଇଠିକୁ ନିଜ ଦଳ ଧରି ହାଜର ହୋଇଯାନ୍ତି । ଏମିତିକି ତାଙ୍କ ନାଁ ଶୁଣିଲେ ବର ଉଠି ଯାଉଥିଲେ ମଧ୍ୟ ବାଧ୍ୟ ହୋଇ ବେଦୀରେ ବିନା ଯୌତୁକରେ ବାହା ହେଉଥିଲା ।

 

ଫୁଟ୍‌ବଲ ଟିମ୍ ଗଢ଼ି ତାଙ୍କୁ ନେଇ ଗାଁ ବାହାରକୁ ଯାଇ ପୁରଷ୍କାର, ପ୍ରଶଂସା ପତ୍ର ଅନେକ ପାଇଥିଲେ । ବେକରେ ଯୁଆଳି ପଡ଼ିଲେ ବାଟକୁ ଆସିବ ଭାବି ବାପା, ମାଆ, ଭାଇ ଭାଉଜ କନ୍ୟାପାତ୍ରୀ ଯୋଗାଡ଼କରି ବିଭା କରାଇ ଦେଲେ । ଯୋଉ କଥାକୁ ସେଇ କଥା । ସ୍ତ୍ରୀ ପିଲା ଜନ୍ମ କରିବା କଷ୍ଟ ପାଇଲା ବେଳକୁ ଗାଁରେ ଥିଏଟର କରିବାରେ ଲାଗି ପଡ଼ିଥିବେ । ଭାଇମାନଙ୍କ ଯୋଗୁ କୌଣସି କଥା ଦେହକୁ ଆଣୁ ନଥିଲେ ।

 

ତିନି ବୋହୁ ଭିତରେ ରୂପରେ, ଗୁଣରେ ସବୁଥିରେ ଉଚ୍ଚା ସୁଲକ୍ଷଣା । ବଡ଼ବୋହୂ ଆଗରେ କେହି ଦିଶନ୍ତିନି ନିଳାମ୍ବରୀଙ୍କୁ । ବଡ଼ ପାଟିରେ ଶାଶୁଙ୍କ ଆଗରେ କଥା କହିବା ସୁଲକ୍ଷଣାଙ୍କୁ କେହି ଦେଖିନି । ଓଢ଼ଣା ଖସାଇ ଚାଲିବା ମଧ୍ୟ ଦେଖିନି । ନଲାମ୍ବରୀଙ୍କ ମତରେ ଏବେ କାଳର ବୋହୁମାନେ ଲାଜ ସରମ ପୋଡ଼ି ଖାଇଦେଲେଣି । ସେଇଥି ପାଇଁ ଶାଶୁ ଶଶୁର କ’ଣ, ଅଇଲାଗଲା ସବୁ ଲୋକେ ସୁଲକ୍ଷଣାଙ୍କୁ ଧନ୍ୟ ଧନ୍ୟ ପ୍ରଶଂସା । ଯାଜ୍ଞସେନୀ, ବଉଳ, ରତ୍ନମଣୀ । ଜଣେ ଅନ୍ୟ ଜଣକୁ ଦିନେ ନ ଦେଖିଲେ ବାଇଆଣୀ । ସାଆନ୍ତ ଘର ତୁଳନାରେ ରତ୍ନମଣୀ ଘର ଅତି ନ୍ୟୁନ । ହେଲେ ମନ ମିଳିଥିଲେ ସେ ନ୍ୟୁନତା ଦୂର ହୋଇଯାଏ । ଯାଜ୍ଞସେନୀଠାରୁ ରତ୍ନମଣୀ ବୟସରେ ବଡ଼ । ବାର ମାସରେ ତେର ପରବ ସାଆନ୍ତ ଘର ଉଆସରେ ଲାଗିଥାଏ । ରତ୍ନମଣୀ ଆସେ ବଉଳ ଘରକୁ । ଦୁହେଁ ଉଆସ ବଗିଚା ଭିତରେ ଆମ୍ବ ଗଛ ତଳେ ବସି ଅନେକ କଥା ହୁଅନ୍ତି । ଫୁଲରୁ ପ୍ରଜାପତି ଧରନ୍ତି । ନଡ଼ିଆ ସଢ଼େଇରେ ଧୂଳିର ଭାତ ରାନ୍ଧି ଜଣକର ପୁଅ ଆଉ ଜଣକର ଝିଅ କରି କଣ୍ଢେଇ ବାହାଘର କରନ୍ତି । ଆଉ ସମୁଦୁଣୀ ଡକାଡ଼କି ହୁଅନ୍ତି । ଦୁହେଁ ମାଇନର୍‌, ପାଶ୍ କରି ଗାଁ ହାଇସ୍କୁଲରେ ନା ଲେଖାଇଲେ । ଅଷ୍ଟମ ଶ୍ରେଣୀ ପାଶ୍ କରୁ କରୁ ରତ୍ନମଣୀର ବିବାହ ସମ୍ବନ୍ଧ ଆସିଲା । ପାତ୍ରଟି ପୁରୀ ଜିଲ୍ଲାର କେଉଁ ଗାଁର । ବାପ କବିରାଜ । ପୁଅ ସଂସ୍କୃତ ସ୍କୁଲର ଶିକ୍ଷକ । ବିଭାଘର ଦିନ ସ୍ଥିର ହେଲା । ଦୁଇ ପରିବାରରେ ସେତୁ ରତ୍ନମଣୀ ଆଉ ଯାଜ୍ଞସେନୀ । ରତ୍ନମଣୀ ଘରୁ ଗୁଆ ନିମନ୍ତ୍ରଣ ଗଲା ସାଅନ୍ତଙ୍କ ଉଆସକୁ । ସାଆନ୍ତଘରୁ ବନାରସୀ ପାଟ, କାନକୁ ସୁନା ପେଣ୍ଡି ଫୁଲ ମିଠେଇଭାର, ଉଖୁଡ଼ାଭାର, ଚାଉଳ ପରିବା ଆଉ ଜୋଇଁ ପାଇଁ ସୁନା‌ ମୁଦି ଓ ଖିରୋଦ୍ରାପାଟ ଆସିଲା ।

 

ରତ୍ନମଣୀ ବିଦାହୋଇ ଶାଶୁଘରକୁ ଗଲାବେଳେ ଦୁଇ ବଉଳ ଭିଡ଼ାଭିଡ଼ି ହୋଇକେତେ କାନ୍ଦିଲେ । ରତ୍ନମଣୀ ମାଣିକଗଡ଼ ଛାଡ଼ିଗଲା ପରେ ମନମରା ହେଲା ଯାଜ୍ଞସେନୀ । ବଉଳର ଅନୁପସ୍ଥିତ ତାକୁ ଅସହ୍ୟ ଲାଗିଲା । କିଛି ଭଲ ଲାଗିଲାନି ।

 

ଦିନରାତି ଉଦାସ ରହିଲା । ସେ ବର୍ଷ ଆଉ ପାଠ ପଢ଼ିବାକୁ ଛାଡ଼ିବାକୁ ରାଜିହେଲେ ନାହଁ ନିଳାମ୍ବରୀ । କୋଉ ଛଅଟା ନା ନଅଟା ସେ ପାଠ ପଢ଼ାଇ ବୁଢ଼ୀ କରିବେ । ବଞ୍ଚି ଥାଉ ଥାଉ ଅଣନାତି ଦେଖିବେ । ଇନ୍ଦୁ, ବିଧୁ ଆଉ ଖୁଡ଼ିମାନଙ୍କର ଇଚ୍ଛା ଯଜ୍ଞ ଅନ୍ତତଃ ମାଟ୍ରିକ୍ ପାଶ୍ କରୁ । କିନ୍ତୁ ମାଆ କଥା କିଏ କାଟିବ ?

 

ନିଳାମ୍ବରୀଙ୍କ ଦେହର ବର୍ଣ୍ଣ ଶ୍ୟାମଳ । ଦୁଇ ପୁରିଆ ପୃଥୁଳ ଦେହ । ଦେହଯାକ ଭର୍ତ୍ତି ଗହଣା । ସାନ ଦୁଇ ବୋହୁ ଗହଣା ନ ପିନ୍ଧିବା ଦେଖି କହନ୍ତି ବଙ୍ଗାଳି ଫେଶନ । ସବୁବେଳେ ବାରହାତିଆ ସମ୍ବଲପୁରୀ ଶାଢ଼ି ପିନ୍ଧିଥିବେ । ବୋହୁମାନେ ପତଳା ଶାଢ଼ି ପିନ୍ଧିଲେ କହିବେ, ‘‘ନିଜ ଦେଶର ପଇସା ପରକୁ ଦେଉଚ । ଏଥିରେ ଦେଶ ଗରିବ ହେବନି ?” ହଦିଓ ବୟସ ଖସିଲାଣି ତଥାପି ପ୍ରତାପ ଯାଇନି । ଗୋଟିଏ ଡାକରେ ସମସ୍ତେ ହାଜର । ଭୟରେ ଥରହର । ଭାତ ଯଦି ଟିକେ ଥଣ୍ଡା ହୋଇ ଯାଇଥିବ ତେବେ ରାନ୍ଧୁଣୀ ଉପରକୁ ଫୋପାଡ଼ି ଦେବେ ଭାତ ଥାଳି । ସେଇଥି ପାଇଁ ସୁଲକ୍ଷଣା ତାଙ୍କ ଖାଇବା ବେଳକୁ ଜାଗ୍ରତ ଥିବେ । ନାତୁଣୀ କିନ୍ତୁ ଡରେନି । ଖାଇ ସାରିଲେ ଜେଜେମାଆ କାନିରେ ମୁହଁ ପୋଛିବ । କୋଳରେ ଶୋଇବ । ପ୍ରତିବର୍ଷ ସାଅନ୍ତଘର ଉଆସରେ ଦଶହରା ସପ୍ତମୀ ପୂଜା ଦୁଇ ଦିନ ଆଗରୁ ବନ୍ଧୁବାନ୍ଧବ, କୁଣିଆଁ ମଇତ୍ର ଜମା ହୁଅନ୍ତି ପୂଜା ଚାରିଦିନ ଭାରି ଗହଳି ହୁଏ ଉଆସ ଭିତରେ । ପରିବାକଟା, ମସଲାବଟା, ପିଠାପଣା ତିଆରି, ପାନଭଙ୍ଗା । ଫୁଲତୋଳା, ଫୁଲଗୁନ୍ଥା, ଦେବୀମଣ୍ଡପ ସଜା, ଏମିତ ସବୁ କାମରେ କାହାକୁ ତର ମିଳେନି । ପନ୍ଦର ଦିନ ଆଗରୁ ମଣ୍ଡପରେ ଚୂନଧଉଳା ହୁଏ । ମାସକପୂର୍ବରୁ ସହରରୁ କାରୀଗର ଆସି ମୂର୍ତ୍ତି ଗଢ଼ନ୍ତି । ଗାଁ ଲୋକେ ଭାବନ୍ତି ଏଇ ପୂଜା ସାଆନ୍ତାଘରର ପୂଜା ନୁହେଁ, ଏ ପୂଜା ସମସ୍ତଙ୍କର । ଅନ୍ୟ ଗାଁମାନଙ୍କର ଶଗଡ଼, ବସରେ ଲୋକେ ଦେବୀ ଦେଖି ଆସନ୍ତି । ଚାରିଦିନ ଧରି କଳଗାଉଣା ବାଜେ-

 

ଠାକୁରାଣୀ ଯେଉଁ ଦିନ ସାପୁଆ ନଈରେ ଦେବୀ ପଡ଼େ, ନିଛାଟିଆ ଲାଗେ ସମସ୍ତିଙ୍କି । ଗାଁସାରା ନିଛାଟିଆ ଲାଗେ ନିଶ୍ଚୟ ଲାଗେ । ସେଦିନ ଯିଏ ଯେଉଁଠି ହାଲିଆ ହୋଇ ପଡ଼ିଯାନ୍ତି । କୁଣିଆଁ, ବନ୍ଧୁ ବାନ୍ଧବ ଘରକୁ ଯିବାରେ ଲାଗନ୍ତି । ବିଶ୍ରାମ ନ ଥାଏ ସୁଲକ୍ଷଣାଙ୍କୁ । ସେଇମିତି ଦିନେ ଠାକୁରାଣୀ ବିସର୍ଜନ ଦିନ ଉଆସ ଭିତରେ ଥିବା ସୁନାର ମାଣିକେଶ୍ଵରୀଙ୍କ ପାଇଁ ଫୁଲ ସଜାଡ଼ୁ ଥିଲେ । ଛାଇ ଲେଉଟିଲାଣି ଘର ମଥାନ ଉପରେ ବସି କୁଆଟା କା’ କା’ କରୁଥାଏ । ତାଙ୍କ ଅଜାଣତରେ ପଛ ପାଖରୁ କିଆ ଗଉଡ଼ୁଣୀ ଆସି ଘରେ ପହଞ୍ଚିଲା । ହାତରେ ଦହିହାଣ୍ଡି । ସୁଲକ୍ଷଣାଙ୍କ ପାଖରେ ଥୋଇ କହିଲା—

 

ଓଳଗି ଗୋ ବୋହୁସାନ୍ତାଣୀ ।

 

ଭୋଗ ସଜାଡ଼ୁ ସଜାଡ଼ୁ ସୁଲକ୍ଷଣା ପଚାରିଲେ—

 

କିଲୋ କିଆ ? ଏତେ ବଡ଼ ପର୍ବ ଗଲା ତୋର ଦେଖା ନାହିଁ ? ତୁ ଏଇ ଗାଁରେ ଥିଲୁଟି-???

 

: ଯାଇଥିଲି କେତକୀ ଘରକୁ । ଯେତେ କହିଲି ଆମ ସାଆନ୍ତ ଘର ପୂଜା । ମତେ ସମସ୍ତେ ଖୋଜିବେ । ସେ କ’ଣ ଛାଡ଼ିଲା, ତା ପିଲାର ନାହି ପଡ଼ିଲାରୁ ଗୋଡ଼େ ଗୋଡ଼େ ବାହାରି ଆସିଚି । କହିଲା କିଆ ।

 

ସତରେ ଲୋ କିଆ ତୁ ଏବର୍ଷ ନ ଥିଲୁ ଯେ କିଛି ଭଲ ଲାଗିଲାନି । ତୋର ଗୋଟାଏ ପାଟିରେ ଘରଦ୍ଵାର କମ୍ପିଯାଏ । କେତକୀ ଭଲ ଅଛି ? ପଚାରିଲେ ସୁଲକ୍ଷଣା ।

 

Unknown

ଭଲ କ’ଣମ ବୋହୁ ? ଗରିବର ସଂସାର । ସେଥିରେ ବି ବରଷର ପିଲା ଜନ୍ମ । ଏଇଥର କାନେ କାନେ କହି ଆସିଚି କିଛି ଚେରେଷ୍ଟା କରିବାକୁ । ଠାକୁର ଯେତିକି ଦେଇଛନ୍ତି ସେଇ ଯଥେଷ୍ଟ । କ’ଣ କରିବି ବଡ଼ ବୋହୁ, ନିଆଁ ଲଗା ମନଟା କ’ଣ ମାନୁଚି, ଆଠଟା ଦିନ ନ ଦେଖିଲେ ଗୋଳେଇ ଘାଣ୍ଟି ହଉଚି । ତାକୁ ଛାଡ଼ିଲେ ମୋର କିଏ ଅଛି ନା ମତେ ଛାଡ଼ିଲେ ତାର କିଏ ଅଛି ? ମାଆସିନା ତାର ଜନମ କରିଥିଲା, ହେଲେ ପାଳିଚିନାଳିଚି ମୁଁ । ଜନମ ହଉହଉତ ମାଆକୁ ଖାଇଲା । ଅନ୍ତୁଡ଼ିଶାଳରୁ ବାପ ତାର‌ ମତେ ଟେକିଦେଇ ବାଆଜୀ ହେଇଗଲା । କହି କହି ଆଖିରେ ଲୁଗାମାଡ଼ି ସୁଁ ମୁଁ ହୋଇ କାନ୍ଦିଲା କିଆ ।

 

ସତକଥା ଲୋ କିଆ । ଜନମ ନ କରି ମଧ୍ୟ ସମସ୍ତେ ଜାଣନ୍ତି ତୁ କେତକୀର ମାଆ ବୋଲି ।

 

ମାଆର ପିଲାମାନଙ୍କ ଚିନ୍ତା ଦିନରାତି । ଉଦାସ କଣ୍ଠରେ କହିଲେ ସୁଲକ୍ଷଣା ।

 

ତୁମ ମନ ଭଲ ନାହିଁକି ବଡ଼ବୋହୁ ? ଏମିତି ଶୁଖିଲା ଦିଶୁଛି ଯେ ସବୁବେଳେ ହସ ହସ ମୁହଁ । ପଚାରିଲା କିଆ ।

 

କାଇଁ, ନା’ ତ ! ଉତ୍ତର ଦେଲେ ସୁଲକ୍ଷଣା ।

 

ତୁମେ ଲୁଚେଇଲେ ଭାବିଚ ମୁଁ ଜାଣି ପାରିବିନି ନୁହେଁ ? ଏ କିଆ ଗଉଡ଼ୁଣିକୁ‌ ସବୁରି ମନକଥା ଜଣା ଗୋ । ଉଡ଼ିଗଲା ଚଢ଼େଇର ପର ଗଣି ଦେବା ଲୋକ ମୁଁ । ମହାପ୍ରସାଦ ଟେକି ଦେଲା ଦିନୁ ମୁଁ ପରା ଏ ଘରର ଝିଅ । ମନକଥା ମୋତେ କହିବନିତ ଆଉ କାହାକୁ କହିବ ?

 

ନାଇଁଲୋ ଝିଅଟା ସକାଳୁ ସକାଳୁ ଖୁଡ଼ି ସାଥିରେ ତା ବାପଘର ଗାଁକୁ ଯାଇଚି ତାଙ୍କ ଗାଁର ଗଜଲକ୍ଷ୍ମୀ ପୂଜା ଦେଖି । ସେଇଥିପାଇଁ ମନଟା ଭଲ ଲାଗୁନି । କହିଲେ ସୁଲକ୍ଷଣା ।

 

ମଲା ମୋର, ଦୁଇ ଚାରିଦିନ ପାଇଁ ଯାଇଛନ୍ତି ବୋଲି ଏମିତି ହେଉଚ । ଆଉ ପର ଘରକୁ ପଠାଇ ତୁମେ କେମିତି ଦିହଧରିବ ? କିଆ କହିଲା । ଦୀର୍ଘନିଃଶ୍ଵାସ ଛାଡ଼ି ସୁଲକ୍ଷଣା କହିଲେ,

 

କେଉଁଠି ତା ପାଇଁ ମାଆ ମାଣିକେଶ୍ଵରୀ ଯୋଗାଡ଼ କରିଛନ୍ତି କେଯାଣି ? ରତ୍ନା ଗାଁକୁ ଗଲାଦିନୁ ତା ମନରେ ସୁଖ ନାହିଁ । କେତେ ସାଙ୍ଗ ହୋଇଥିଲେ ।

 

କେଉଁଠୁ କ’ଣ ସମ୍ବନ୍ଧ ଆସିଲାଣିକି ?

 

ସୁଲକ୍ଷଣାଙ୍କ ନିକଟକୁ ଘୁଞ୍ଚି ଆସିଲା କିଆ, ଆଉ ପଚାରିଲା ।

 

କେତେ ଯାଗାରୁ ଆସୁଚି । କାହା ମନକୁ ପାଉନି । କେଉଁଠି ରୂପ ଖୋଜା‌ ପଡ଼ିଚି ତ କେଉଁଠି ପାଠ, କେଉଁଠି ଘର ବାହୁନୀ । କକା, ଖୁଡ଼ି, ଜେଜେବାପା, ଜେଜେମାଆ ସମସ୍ତଙ୍କର ସେଇ ଚିନ୍ତା । ବାପ ତ ନିଦା ବିଷ୍ଣୁ । ତା ଭାଗ୍ୟରେ କେଉଁଠି କ’ଣ ଅଛି କେଯାଣି ? କହିଲେ ସୁଲକ୍ଷଣା ।

 

ଭାଗ୍ୟ କଥା କହୁଚ ବଡ଼ବୋହୁ ? ସାଆନ୍ତଘର ସୁନା ପ୍ରତିମା ପାଇଁ ପୁଣି ପାତ୍ର ଅଭାବ-? ହେଲେ ମୋ ସାନ ତୁଣ୍ଡରେ ବଡ଼ କଥାଟିଏ କହୁଚି, କେତକୀର ଖାଉନ୍ଦଙ୍କର ଭଣଜାଟିଏ ଅଛି-। ନାଆଁକୁ ଭଣଜା, ନହେଲେ ସେ ତାଙ୍କର ପୁଅ । କେତେ ବଡ଼ ପଣ୍ଡିତ । ରୁପ ଗୁଣ ବାହୁନୀବାକୁ ହେବନି । କେତକୀ କହୁଥିଲା କେତେ ପାଶ୍ କରିଚନ୍ତି । ପୁଣି ସରକାରୀ ପଇସାରେ ଦରିଆପାରୀ‌ କରି ଭଣଜାକୁ ବିଦେଶ ପଠାଇବାକୁ । ବଡ଼ ଆଗ୍ରହ ଭାବରେ ସୁଲକ୍ଷଣା କହିଲେ ।

 

କିଆ ତୁ ବସିଥା । ମୁଁ ମାଆଙ୍କୁ ଦେଖି ଆସେ ଶୋଇଛନ୍ତି କି ଚେତିଚନ୍ତି । କହି ତରତର ହୋଇ ଶାଶୁଙ୍କ ଉଦ୍ଦେଶ୍ୟରେ ମଝି ଖଞ୍ଜାକୁ ଗଲେ । ହାତେ ବହଳ ଗଦି ଦୁଇଟା ତକିଆକୁ ଆଉଜି ବସିଥିଲେ ନୀଳାମ୍ବରୀ । ଗୋଡ଼ ଘସି ଦେଉଥିଲା ଦାସୀ ପୁନି । ପାନ ଖାଇ ପିକ ପକେଇଦେଲା ବେଳକୁ ରୂପା ପୀକଦାନୀ ବଢ଼ାଇ ଦେଉଥିଲା ନେତମାଆ । ଶାଶୁଙ୍କ ପାଖରେ ଠିଆ ହୋଇ ସୁଲକ୍ଷଣା ଓଢ଼ଣାଟାକୁ ଆହୁରି ଟିକିଏ ଟାଣିଦେଲେ ।

 

ଅସମୟରେ ବଡ଼ବୋହୂକୁ ତାଙ୍କ ପାଖରେ ଠିଆ ହେବାର ଦେଖି ଆଶ୍ଚର୍ଯ୍ୟ ହେଲେ । ସେ ଜାଣିଚନ୍ତି ଏଇନେ ତାର କାମର ବେଳ । କ’ଣ ରନ୍ଧା ହେବ, ଠାକୁରଘର ଭୋଗସଜଡ଼ା ଏଇ ସବୁ ବରାଦ କରି ପୂଜାରୀ ଚାକରମାନଙ୍କୁ । ଚରଖି ପରି ବୁଲୁଥିବ । ଏ ଘରକୁ ଗୋଡ଼ଦେବାଦିନୁ ସବୁ ଭାର ତା ଉପରେ । ମାନ୍ୟଥାନ, ଲାଜସରମ, ଧୀର କଥା, ଧୀରଚାଲି ସବୁଥିରେ ପୁରୁଣାକାଳିଆ ଚଳଣୀ । ସେମିତି ହୋଇନଥିଲେ ସାଆନ୍ତଘର ଉଆସକୁ ବଡ଼ବୋହୁ ହୋଇ ଆସିବା କ’ଣ ସହଜ ?

 

ସେ ଅନେକ ଦିନ ତଳର କଥା…

 

ଅନେକ ଯାଗାରୁ ବଡ଼ ପୁଅ ପାଇଁ ପାତ୍ରୀ ଦେଖି ଦେଖି ଥକି ଯାଇଥିଲେ ନିଳାମ୍ବରୀ । କେଉଁଠି ମନ ପାଉନଥିଲା I ଦଶମୀ ପୂଜା ଦିନ ଇଷ୍ଟଦେବୀ ମାଣିକେଶ୍ଵରୀ ପ୍ରଣାମ କରି ମନ କଥା ଜଣାଇ ଫେରିଆସିବା ବେଳକୁ, ଆଖି ପଡ଼ିଲା ଗୋଟିଏ ଝିଅ ଉପରେ । କେତେଜଣ ସ୍ତ୍ରୀଲୋକଙ୍କ ମେଳାରେ ପୂଜା ମଣ୍ଡପ ଉପରକୁ ଉଠି ଆସୁଥିଲା । ପିଠିରେ ଖେଳେଇ ହୋଇ ଯାଇଥିଲା ଝରଣା ପରି କେଶ । ଦେହର ରଙ୍ଗ ସତେ ଅବା ଆଉଟା ସୁନା । ଆଖି ଦୁଇଟି ଲାଖିଲାପରି । ମୁହଁଟିର ଗଠନ ଯେମିତି ଦେବୀ ପ୍ରତିମା । ସ୍ଥିର ହୋଇ ଅନାଇଁ ରହିଥିଲେ । ଘଡ଼ିଏ କାଳ ଏମିତିଟିଏ ତ ସେ ଖୋଜୁଛନ୍ତି । ତାଙ୍କ ଅନ୍ୟମନସ୍କ ଭିତରେ କେତେବେଳେ ସେ ଦର୍ଶନକରି ଚାଲି ଯାଇଥଲା । ଖିଆଲ ହେଲା । ଝିଅଟି ବିଷୟରେ ପାଖ ଆଖରେ ଥିବା ଲୋକଙ୍କୁ ପଚାରିଥିଲେ । ଲୋକମାନେ କହିଲେ ଯେ ସାଆନ୍ତଘର ଲାଖି ବନ୍ଧୁ ସେମାନେ ହେବେନି ।

 

ନିଳାମ୍ବରୀ କହିଲେ ଯେ ଧନ କ’ଣ ସ୍ୱର୍ଗକୁ ନେବ ? କେତେ ଧନ ସମ୍ପତ୍ତି ଦେଖିଛନ୍ତି । ସୁନାଥାଳିରେ ଭାତ ଖାଇ ରୁପା ଢାଳରେ ହାତ ଧୋଇଚନ୍ତି ସେ । ତାଙ୍କର ସେଈ ଚଳନ୍ତି ଲକ୍ଷ୍ମୀ ଲୋଡ଼ା ।

 

ସତକଥା ସୁଲକ୍ଷଣା ଥିଲେ ସାଆନ୍ତ ଉଆସର ଚଳନ୍ତି ଲକ୍ଷ୍ମୀ । ମଣିଷରୂପୀ ରତ୍ନ ! ଦିନେ ଯେ ଦେଖିଥିବ, ତାଙ୍କୁ ଭୁଲି ପାରିବନି । ବୋହୂକୁ ପଚାରିଲେ,

 

କ’ଣ କିଲୋ ମା’ ? ଟିକେ ଗଡ଼ିପଡ଼ିଲୁଣି ।

 

କିଆ ଆସିଚି‌ । ଧୀର ଗଳାରେ ଶାଶୁଙ୍କୁ ଉତ୍ତର ଦେଲେ ସୁଲକ୍ଷଣା !

 

ଭୋଗରାଗ କ’ଣ ଥିବ ତାକୁ ଦେଇପକା । ତାର ତ ସେଇଥିରେ ଆଶା । କହିଲେ ନୀଳାମ୍ବର ।

 

ସେ ମୋତିଗଡ଼ର କେଉଁ ପାଞ୍ଚ କଥା କହୁଚି । କହିଲେ ସୁଲକ୍ଷଣା ।

 

ନିଳାମ୍ବରୀଙ୍କର ମୋଟା ଦେହକୁ ଉଠିବାକୁ ଯଦିଓ କଷ୍ଠ, ତଥାପି ପଲଙ୍କ ଉପରେ ଉଠିବସିଲେ । ଆଗପରି ପ୍ରତାପ ନାହିଁ ତାଙ୍କର । ବଳ ବୟସ ଯାଇଚି । କହିଲେ,

 

ଗଲୁ ତାକୁ ମୋ ପାଖକୁ ଡାକି ଆଣିବୁ କ’ଣ କହୁଚି ମୁଁ ବୁଝିବି ।

 

ଚାଲିଗଲେ ସୁଲକ୍ଷଣା । ସଙ୍ଗେ ସଙ୍ଗେ କିଆକୁ ସାଥିରେ ନେଇ ଶାଶୁଙ୍କ ପାଖରେ ହାଜର ହେଲେ । ନିଳାମ୍ବରୀଙ୍କୁ ଦେଖି କିଆ ତାଙ୍କ ଗୋଡ଼ତଳେ ଲମ୍ବ ହୋଇ ପଡ଼ିଯାଇ କହିଲା,

 

ଜୁଆର ମାଆ ସାଆନ୍ତାଣୀ ।

 

ତାପରେ ପାତ୍ର ସମ୍ବନ୍ଧରେ ସମସ୍ତ କଥା ବର୍ଣ୍ଣନା କରିଗଲା । କୋଟି ନିଧି ପାଇଲେ ନିଳାମ୍ବରୀ । ଯେମିତ ପାତ୍ର ସେ ପସନ୍ଦ କରନ୍ତି ସେଇଭଳି ପାତ୍ର । କେତେ ବଡ଼ ପଣ୍ଡିତକୁ ନାତୁଣୀଜୋଇଁ କରିବେ । ସେଇ ରାତିରେ ନିଲାମ୍ବରୀଙ୍କ ଘରେ ଜରୁରୀ‌ ବୈଠକ ବସିଲା । ବିଧୂଭୂଷଣ କହିଥିଲେ । ତାଙ୍କ ଘର ସମାସ୍କନ୍ଦ ବନ୍ଧୁ ହେବେନି । ତାଛଡ଼ା ମାମୁଁ ଘରେ ଆଶ୍ରିତ । ଇନ୍ଦୁଭୂଷଣ କହିଲେ’ ସେ ଯଜ୍ଞ ତୁଳନାରେ ବୟସ ବେଶି । ନିରବ ରହିଥିଲେ ବିଭୂତିଭୂଷଣ

 

ସ୍ୱଳ୍ପଭାଷିନୀ ସୁଲକ୍ଷଣା । କେବେ କୌଣସି ଦିନ ସ୍ଵାମୀଙ୍କୁ କିଛି କହିନଥିଲେ । ସ୍ୱାମୀଙ୍କ କଥା । ବେଦର ଗାର । ପାତ୍ରଟି ହାତଛଡ଼ା ହୋଇଯିବା ଦେଖି ଚୁପ ହୋଇ ପାରି ନଥିଲେ । ସେଦିନ କେହି ସାଙ୍ଗ ସାଥି ନଆସିବାରୁ ବୈଠକ ଘରେ ଏକୁଟିଆ ବସି ଖବର କାଗଜ ପଢ଼ୁଥିଲେ । ଚାକରାଣୀ ରାଧିକା ଆସି ବୋହୁସାଆନ୍ତାଣୀ ଡାକୁଚନ୍ତି ବୋଲି କହିଲା । ହଠାତ୍ ସ୍ତ୍ରୀଙ୍କର ଅସମୟରେ ଡାକିବା ଦେଖି ଆଶ୍ଚର୍ଯ୍ୟ ହୋଇ ଘର ଭିତରକୁ ଯାଇଥିଲେ । ସ୍ୱାମୀକୁ ଏକୁଟିଆ ଦେଖି ସୁଲକ୍ଷଣା କହିଲେ ।

 

ତୁମେତ ତାସ୍, ପଶା ନେଇ ବ୍ୟସ୍ତ ରହିଲ । ଘରକଥା ଟିକେ ବୁଝ ? ଆଶ୍ଚର୍ଯ୍ୟ ହୋଇ ସ୍ତ୍ରୀଙ୍କ ମୁହଁକୁ ଚାହିଁଲେ ବିଭୂତିଭୂଷଣ । କେବେ କୌଣସି ଦିନ ‌ସୁଲକ୍ଷଣା ତାକୁ ଆସିବାଦିନୁ ଘରକଥା ବୁଝିବାକୁ କହି ନାହାନ୍ତି । ପଚାରିଲେ,

 

ଘରକଥା ? କାହା ଘର କଥା ?

 

ସ୍ଵାମୀଙ୍କ କଥା ଶୁଣି ଉଦାସ ଗଳାରେ ସୁଲକ୍ଷଣା କହିଲେ ।

 

ଗୋଟିଏ ବୋଲି ଝିଅ ତୁମର । ତାକୁ କ’ଣ ପାତ୍ର ବାହୁନି ବାହୁନି ବୁଢ଼ୀ କରିବ ? ତା କଥା ଟିକେ ବୁଝ ।

 

ସେ କଥା ମୁଁ କଣ ବୁଝିବି । ବିଧୁ ଅଛି ଇନ୍ଦୁ ଅଛି । ତା ଛଡ଼ା ବାପା ବୋଉ ଅଛନ୍ତି । ସେମାନେ ତା କଥା ବୁଝିବେନି । ଯଜ୍ଞ ତ ସେଇମାନଙ୍କର ଝିଅ । ତାପରେ ସ୍ତ୍ରୀଙ୍କ‌ ପାଖକୁ ଲାଗିଆସି ହସି ହସି କହିଲେ, ତୁମ କଥା ବୁଝିବାକୁ କିଛି ଯଦି ଅଛି କୁହ ବୁଝିବା

 

ମୋକଥା ? ମୋକଥା ବୁଝିବାକୁ ତୁମର ବେଳକାଇଁ ? କେବେତ କିଛି ବୁଝିନ । ମୋ କାମ ନେଇ ମୁଁ ବ୍ୟସ୍ତ, ତୁମ ଖେଳନେଇ ତୁମେ ବ୍ୟସ୍ତ । ରାତିରେ କଡ଼େ ନିଦଭାଙ୍ଗିଲେ ତୁମେ ଘରକୁ ଫେର । ଲୁହ ଛଳଛଳ ଆଖିରେ ଉତ୍ତର ଦେଲେ ସୁଲକ୍ଷଣୀ ।

 

ତୁମେ କାନ୍ଦୁଚ ? କହି ସ୍ତ୍ରୀଙ୍କ ଓଠକୁ ଟେକିଧରିଲେ । ଆଉ ତାପରେ କହିଲେ, ମୁଁ ତୁମକୁ କେତେ ଭଲପାଏ, ସେକଥା ନକହିଲେ ତୁମେ କ’ଣ ଜାଣିନ ? ତୁମେ କ’ଣ ଭୁଲିଗଲଣି, ବାପଘରକୁ ଯିବାପାଇଁ ‌ତୁମ ଘରର ଲୋକେ ଡାକିଆସିଲେ ଦେହ ଖରାପର ଛଳନାକରି ମୁଁ ଶୋଇରହେ । ତୁମେ ଯାଇପାରନି, ମନେନାହିଁ ? ବାପା ବୋଉ ମୁଣ୍ଡ ଉପରେ ଅଛନ୍ତି, ତା ଛଡ଼ା ବଧୂ ଆସିବାଦିନୁ ମୁଁ ଟିକେ ଫୁଲାଫାଙ୍କିଆ । ତମକୁ ପାଖରେ ବସ କହିଲେତ, ତୁମେ କାମପାଇଁ ସ୍ଥିର ହୋଇ ବସିପାରନି ।

 

ମୋର କିଛିକଥା ବୁଝିବାକୁ କହୁନି । ମୋରତ ନାତି ନାତୁଣୀ ଦେଖିବା ବୟସ ହେଲାଣି-। କହିଲେ ସୁଲକ୍ଷଣା,

 

କିଏ କହିଲା ? ତୁମକୁ ତ ଦେଖିଲେ କାଲି ସକାଳର ନୂଆବୋହୂ ଭଳି ଦେଖାଯାଅ । ହସିହସି କହିଲେ ବିଭୂତିଭୂଷଣ ।

 

ଥଟ୍ଟାଥାଉ ।

 

ତୁମେ ମୋତିଗଢ଼ର ସେଇ ପାତ୍ର କଥାବୁଝ । କହିଲେ ସୁଲକ୍ଷଣା ।

 

ଇନ୍ଦୁ, ବିଧୁକୁ କହିବୁଝିବି । ଉତ୍ତର ଦେଲେ ବିଭୂତି ।

 

ନାହିଁ, ମାଆକୁ କୁହ ଆଦେଶ ଦେବାଭଙ୍ଗିରେ ହସିହସି ସୁଲକ୍ଷଣା କହିଲେ ।

 

କହିବି । ତମ ଆଦେଶ ଶିରୋଧାର୍ଯ୍ୟ । କହି ଚାଲିଗଲେ ସେ । ସୁଲକ୍ଷଣା ଜାଣିଥିଲେ ଶାଶୁ ଯାହା କହିବେ, ସେଇକଥା ହେବ । ସେଇଥିପାଇଁ ସ୍ୱାମୀଙ୍କୁ ଲଗାଇଦେଲେ ଶାଶୁଙ୍କୁ କହିବାକୁ-

 

ବିଭୂତିଭୂଷଣ ମାଆଙ୍କୁ କହିଲେ । ନିଳାମ୍ବରୀ ଜାଣିଲେଯେ ପୁଅ ବୋହୁର‌ ଇଚ୍ଛାଅଛି । ମୋତିଗଡ଼ ସୋମନାଥଙ୍କ ଘରରୁ ମଧ୍ୟସ୍ଥ ପଠାଇଲେ । ମଧ୍ୟସ୍ଥ ଆସି କହିଲେ ଯେ ଯଜ୍ଞ ତୁଳନାରେ ରଙ୍ଗମଇଳା ମାତ୍ର ଜାତକ ସୁଝିଲା ବେଳକୁ‌ ରାଜଯୋଟକ । ଶେଷ ରାୟଦେଲେ ନିଳାମ୍ବରୀ,

 

ସ୍ୱୟଂ ନାରାୟଣଙ୍କ ବର୍ଣ୍ଣ ଶ୍ୟାମଳ । ରାଧାକୃଷ୍ଣଙ୍କର ମିଳନ ଦେଖିବେ ।

 

ପାତ୍ରୀ ଦେଖିଆସିବାକୁ ସୋମନାଥଙ୍କ ପାଖକୁ ଖବର ପଠାହେଲା ।

 

କଥାଟାଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସୋମନାଥ । ମାଣିକଗଡ଼ର ସାଆନ୍ତଘର ବୋଇଲେ କଥାସଇଲା । ତାଙ୍କଘରେ ଯାହା ଦିନକର ଖର୍ଚ୍ଚ ସୋମନାଥଙ୍କ ଭଳି ସାଧାରଣଙ୍କ ପକ୍ଷେ ତାହା ମାସମାସକର ଖର୍ଚ୍ଚ । କେତେ ବଡ଼ଲୋକ ସେମାନେ । ଖିରରେ ହାତ‌ ଆଉ ଘିଅରେ ମୁହଁ ଧୋଇଲାଭଳି‌ ଖାନ୍‌ଦାନୀ । କାହିଁ ସେମାନେ ଆଉ କାହିଁ ସୋମନାଥ ? ସେଇକଥା ସ୍ତ୍ରୀଙ୍କୁ‌ କହିଥିଲେ । ତାଙ୍କ କଥାଶୁଣି କରୁଣା କହିଥିଲେ,

 

ତୁମେ ନାହିଁ କରନି । ଆନନ୍ଦର ଭାଗ୍ୟ‌ ଯଦି ଭଲ ହୋଇଥିବ ତେବେ ନିଶ୍ଚୟ ହେବ । ଆନନ୍ଦ ମୋର କେଉଁଥିରେ ଉଣାକି ? ତୁମେ ମାଣିକଗଡ଼ ଯାଇ‌ ପାତ୍ରୀ ଦେଖି ଆସ । କିଆ କହୁଥିଲା ସାକ୍ଷାତ ଲକ୍ଷ୍ମୀ ପ୍ରତିମା । ହେଲେ ନିଜେ ନ ଦେଖିଲେ କିଏ ବିଶ୍ଵାସ କରିବ ।

 

ପାତ୍ରୀ ଦେଖିଯିବା ପୂର୍ବରୁ ଆନନ୍ଦଙ୍କ ନିକଟକୁ କୃଷ୍ଣା ଜରିଆରେ ଚିଠି ଲେଖାଗଲା ଯେ, ମାଇଁ ଶକ୍ତ ବେମାର । ବସିବା ଯାଗାରୁ ଉଠିଆସ । ସୋମନାଥ ବୁଝିଥିଲେ ଆଜିକାଲିର ପିଲା ତାଙ୍କ ମନରେ କ’ଣ ଥିବ । ହୁଏତ ପରେ ଯଦି ମନା‌କରେ ତେବେ ଅଡ଼ୁଆ ହୋଇଯିବ ଶେଷରେ । ଆନନ୍ଦ ଉପରେ ତାଙ୍କର ଭରଷା ଅଛି । ତଥାପି ତାର ମତ ଦରକାର ବିଦେଶରେ କୌଣସି ନାମକରା ବିଶ୍ଵବିଦ୍ୟାଳୟରେ ଡକରେଟ୍‍ କରିବାର ସୁଯୋଗ ଆନନ୍ଦଶଙ୍କରଙ୍କର ଆସିଲା । ସରକାରୀ ବୃର୍ତ୍ତି ମଧ୍ୟ ମିଳିଲା । ଯିବାର ଆୟୋଜନରେ ଲାଗି ପଡ଼ିବା ବେଳେ କୃଷ୍ଣାର ଚିଠି ପାଇଥିଲେ । ସଙ୍ଗେ ସଙ୍ଗେ‌ ମୋତିଗଡ଼ ଚାଲିଆସିଲେ । କିନ୍ତୁ ମାଇଁଙ୍କୁ ସୁସ୍ଥ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

 

ମାମୁଁଙ୍କ ପାଖରୁ ସମୃଦ୍ଧ କଥା ଶୁଣିଲେ । ମାମୁଁଙ୍କ ମୁହଁ ଉପରେ କିଛି କହିବାର ସାହାସ ନଥିଲା । କୃଷ୍ଣାକୁ କହିଲେ ଯେ ମାସ ଶେଷ ଆଡ଼କୁ ବିଦେଶ‌ ଯିବା କାଗଜ ଆସିଯିବ । ଡକ୍‌ଟରେଟ୍ କରି ଫେରିଲେ ଯାହା ।

 

ରାତିରେ ଶୋଇବା ପୂର୍ବରୁ ପତ୍ରିକାଟିଏ ପଢ଼ିବା ପାଇଁ ଖୋଲିବାବେଳେ ପ୍ରଥମ ପୃଷ୍ଠାରେ‌ ରଖା ହୋଇଥିବା ଫଟୋଟିକୁ ଚାହିଁଲେ । ଅଳ୍ପ ବୟସର କିଶୋରୀର ଫଟୋ । ଫଟୋରୁ ଜଣା ପଡ଼ୁଥାଏ ଖୁବ୍ ସୁନ୍ଦରୀ । ସବୁଠାରୁ ଆକର୍ଷଣୀୟ‌ ତାର ଆଖି ଦୁଇଟି । ତନ୍ମୟ ହୋଇ ଦେଖୁଥିବା ବେଳେ ଦ୍ଵାର ମୁହଁରେ କୃଷ୍ଣାର ହସ ଶୁଣିଲେ । ସଙ୍ଗେ ସଙ୍ଗେ ପତ୍ରିକା ଭିତରେ ଲୁଚାଇଦେଲେ ଫଟୋଟିକୁ । କୃଷ୍ଣା ଘର ଭିତରକୁ ପଶି ଆସୁ ଆସୁ କହିଲା,

 

ବାଃରେ, ବାହା ହେବାକୁ ତ ଇଚ୍ଛା ନାହିଁ । ଫଟୋଟାକୁ ଏତେ ନିଠେଇ ନିଠେଇ ଦେଖୁଚୁ କାହିଁକି । କୃଷ୍ଣା ଆଖିରେ ଧରା ପଡ଼ି ଯାଇଥିବା ଲଜ୍ୟାରେ, କପଟ କ୍ରୋଧ ପ୍ରକାଶ କରି ଧମକ ଦେଲେ ।

 

କୃଷ୍ଣା ।

 

ମଲାମୋର ଇଚ୍ଛା ଯଦି ନାହିଁ, ମୋ ଫଟୋଟା ମତେ ଦେଇଦଉନୁ । ମାଗିଲା କୃଷ୍ଣା ।

 

ତା ହେଲେ । ତୁ ଏଇ ଭିତରେ ଫଟୋଟାକୁ ରଖିଚୁ ନୁହେଁ ? ତୁ ସେଇମିତି କଳିହୁଢ଼ୀ ହୋଇ ରହିଗଲୁ । ବାହା ହୋଇ ମଧ୍ୟ ତୋର କଳିଲଗା ପ୍ରକୃତି ଗଲାନି । ଗଗନ ସହିତ ଦେଖାହେଲେ କହିବି ଯେ ତୋତେ ଦିନରାତି ବସ୍ ଉଠୁ କରିବ । କହିଲେ ଆନନ୍ଦ ।

 

ତୁ ବୁଡ଼ି ବୁଡ଼ି ପାଣି ପିଉଥିବୁ । ଧରା ପଡ଼ି ଗଲାରୁ ମୋ ଉପରେ ରାଗ । ଦେଇଦେ ମୋ ଫଟୋ । ମାଗିଲା କୃଷ୍ଣା । ପତ୍ରିକାଟାକୁ ଓଲଟ‌ ପାଲଟା କଲେ ଆନନ୍ଦ । ଛୋଟ ଫଟୋଟା କେଉଁଠି ରହିଯାଇଥିଲା, ପାଇଲେନି: ମୁହଁଟା ଶୁଖିଗଲା । ଆନନ୍ଦର ଶୁଖିଲା ମୁହଁକୁ ଚାହିଁ ହସି ହସି ସେ ଘରୁ ଚାଲି ଯାଉ ଯାଉ କୃଷ୍ଣା କହିଲା,

 

ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ ? ଦୁଇ ଦିନ ପରେ ସହରକୁ ଫେରି ଯାଉଥିବା ବେଳେ କରୁଣା କହିଥିଲେ ।

 

ମୁଁ ସ୍ଥିର କରିଚି ତୋ ବାହାଘର ସେଇଠି କରିବି । ଫଟୋଟିକୁ ଦେଖି କେମିତି ଆକର୍ଷଣ ଆସିଥିଲା । ଭାରି ସୁନ୍ଦର ସରଳ ଶାନ୍ତ ମୁହଁଟିଏ । ହୁଏତ ସେ ବିଦେଶକୁ ଫେରିଲା ବେଳକୁ ସେଇ ମୁହଁଟି ଆଉ କାହାର ହୋଇଯାଇଥିବ । ନା, ସୁନ୍ଦର ମୁହଁଟି ତାଙ୍କର ହେବ । ଏଇକଥା ଭାବି ମଉନ ରହିଥିଲେ ।

 

ତାଙ୍କ ମଉନ ରହିବାଦେଖି ମାମୁଁ ମାଇଁ ବୁଝିଥିଲେଯେ ମଉନେ ସମ୍ମତ ଲକ୍ଷଣ ।

 

ସହରକୁ ଫେରିଆସି ଘନିଷ୍ଠ ବନ୍ଧୁ, ମନୋରଞ୍ଜନଙ୍କୁ ଦେଖାଇଥିଲେ । ଫଟୋ ଆଉ ସବୁକଥା କହିଥିଲେ । ତାଙ୍କକଥା ଶୁଣି ମନୋରଞ୍ଜନ କହିଥିଲେ ı

 

ପାତ୍ରୀଟି ଖୁବ୍ ସୁନ୍ଦର, ରାଜକନ୍ୟା । କିନ୍ତୁ କଣ୍ଢେଇ ବାହା ହୋଇ କ’ଣ ଖେଳିବୁ ?

 

ତା ମାନେ ?

 

ବନ୍ଧୁ ମୁହଁକୁ ଚାହିଁରହି ପ୍ରଶ୍ନକଲେ ଆନନ୍ଦଶଙ୍କର ।

 

ଆରେ ବୋକା ତୁ ଏତେ ପାଠ ପଢ଼ିଚୁ । ଝିଅଟିକୁ ଦେଖିଲେ ଜଣାପଡ଼ୁଚି କମ୍ ବୟସର-। ବେଶି ପାଠ ଶାଠ ପଢ଼ି ନଥିବ । ତୋ ତୁଳନା ଯଥେଷ୍ଟ ଛୋଟ ।

 

ବରଂ ନାହିଁ କରି ଚିଠି ଲେଖିଦେ ।

 

ଚିଠି ଲେଖିନଥିଲେ ଆନନ୍ଦଶଙ୍କର । ମାମୁଁ ମାଇଁଙ୍କ ଯୋଗୁ ତାଙ୍କ ଜୀବନର ଧାରା ବଦଳି ଯାଇଚି । ସେହି ମାମୁଁ ମାଇଁଙ୍କ କଥାରୁ ବାହାରି ଯିବାକୁ ଚାହିଁ ନଥିଲେ ସେ । ତାଛଡ଼ା ସେଇ ଫଟୋଟିକୁ ଦେଖି କେମିତି ମାୟାରେ ପଡ଼ି ଯାଇଥିଲେ ସେ । ସହରକୁ ଆସିଲାବେଳେ ପତ୍ରିକା ଭିତରୁ ଫଟୋଟି ମିଳିଥିଲା । ଏବେ ମଧ୍ୟ ଏତେ ବର୍ଷ ଧରି ସେଇ ଫଟୋଟିକୁ ତାଙ୍କ ନିଜର ଡାଇରୀରେ ମାରି ସାଇତି ରଖିଚନ୍ତି । ଅଥଚ ସେ କୁଆଡ଼େ ଚାଲିଗଲା ।

 

ପାତ୍ରି ଦେଖିବାଦିନ ସ୍ଥିର ହେଲା । ସୁନା ମୁଦି ଗଢ଼େଇଲେ କରୁଣା । ଶୁଭବେଳା ଦେଖି ସୋମନାଥ ସାଙ୍ଗରେ ବାରିକ, ଆଉ ଗାଁର ଦୁଇଜଣ ମୁରବି ଲୋକଙ୍କୁ ଧରି ମାଣିକଗଡ଼ ଭୂବନ ସାଆନ୍ତଙ୍କ ଉଆସରେ ପହଞ୍ଚିଲେ । ଯାହା କାହାଣୀ ଭଳି ଶୁଣିଥିଲେ କିନ୍ତୁ ଆଖିରେ ଦେଖିଲେ ସତକଥା । ସାଆନ୍ତଘରର ଚଳଣି, ଲୋକବାକ ଆଉ ସବୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପାତ୍ରୀକୁ ଦେଖି ସୋମନାଥଙ୍କ ହୃଦୟ ପରିପୂର୍ଣ୍ଣ ହୋଇଯାଇଥିଲା । ଫେରିଆସି କରୁଣାଙ୍କୁ ସବୁ କଥା କହିଥିଲେ । ସାଆନ୍ତଘର ଉଆସରେ ଯେଉଁ ଖାଦ୍ୟ ଖାଇ ଆସିଥିଲେ ତାର ବାସ୍ନା ପାଞ୍ଚ ଦିନ ପର୍ଯ୍ୟନ୍ତ ତାଙ୍କ ହାତରୁ ଯାଇନଥିଲା । ଖାଣ୍ଟି ଗୁଆ ଘିଅରେ ଖାଦ୍ୟ ତିଆରି ଏବେ ମଧ୍ୟ ଲୋକଙ୍କ ଘରେ ଅଛି ବୋଲି‌ କରୁଣାଙ୍କୁ କହିଥିଲେ । ମାଆ ଛେଉଣ୍ଡ ଆନନ୍ଦ କପାଳରେ ମାଆ ସପନେଶ୍ୱରୀ ଏତେ ସୁଖ ଲେଖିଚନ୍ତି ଭାବି ତୃପ୍ତିରେ ନିଃଶ୍ଵାସ ମାରିଥିଲେ ।

 

ବାହାଘର ହେବ । ମାଣିକଗଡ଼ର ଭୂବନସାଆନ୍ତଙ୍କ ଗେଲବସରିଆ ନାତୁଣୀ ଯାଜ୍ଞସେନୀର । ମାଣିକଗଡ଼ର ସାରା ପଡ଼ିଲା ଉଠିଲା । ମାଣିକଗଡ଼ର ବୋହୂଝିଅ, ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଭଲପାଉଥିଲେ ଯାଜ୍ଞସେନୀକୁ । ମାତିଉଠିଲେ ଆନନ୍ଦରେ । ମୋତିଗଡ଼ ଆଉ ମାଣିକ ଗଡ଼ର ପୁରୁଖା ଲୋକମାନେ‌ ଖୁସି ହେଲେ । ଯାହାହେଉ ଏତେ ଦିନରେ ବାଦ ବିଦାଦ ମେଣ୍ଟିଯିବ ।

 

ଦାନସାମଗ୍ରୀ, ଗହଣା ଗାଣ୍ଠି, ଦେବାନେବ, ଭୋଜିଭାତ, କୁଣିଆଁ ଚର୍ଚ୍ଚା, ବାଜା ରୋଷଣୀ ସବୁ ଏଇଁ ପାଣିପରି ହାତଗୋଲା ଖର୍ଚ୍ଚ କଲେ ସମସ୍ତେ । ଇନ୍ଦୁକୁ ବଳି ବିଧୂ, ସେମାନଙ୍କୁ ବଳି ତାଙ୍କର ସ୍ତ୍ରୀମାନେ । ଭୂବନସାଆନ୍ତେ ଆଉ ନିଳାମ୍ବରୀଙ୍କର ସିନ୍ଧୁକ ଖୋଲା ଖର୍ଚ୍ଚ । ତାଙ୍କ ଅମଳରେ ଯେତେ ଗହଣା ପେଡ଼ିରୁ କାଢ଼ି କାରିଗର ଡାକି ନୂଆ ଗହଣା ଗଢ଼ାଇ ନାତୁଣୀକୁ ଦେଲେ ନିଳାମ୍ୱରୀ-। ଯାଜ୍ଞସେନୀର ବଉଳ ରତ୍ନମଣୀ ଘରକୁ ଗୁଆ ନିମନ୍ତ୍ରଣ ଗଲା । ରତ୍ନମଣୀଙ୍କର ପୁଅ ଜନ୍ମ ହେବା ଯୋଗୁ ବାହାଘରରେ ଯୋଗ ଦେଇ ପାରିବନି ବେଲି ତାଙ୍କ ଶଶୁର ଚିଠି ଲେଖିଥିଲେ । ମର୍ଯ୍ୟାଦା-! ଅନୁସାରେ ବେଭାର ପଠାଇ ଥିଲେ ।

 

ବାହାଘର ସରିଲା । ବାଣ, ବାଜା, ଆଲୁଅ, ରୋଷଣୀରେ କମ୍ପି ଯାଇଥିଲା ମାଣିକଗଡ଼-। ପନ୍ଦର ଦିନ ଆଗରୁ ଯେତେ ବନ୍ଧୁ ବାନ୍ଧବ, କୁଣିଆ, ମଇତ୍ର ସମସ୍ତଙ୍କୁ ଗୁଆ ନିମନ୍ତ୍ରଣ ଗଲା-। ସେମାନେ ଆସି ଉଆସରେ ଗହଳି ଜମାଇ ଥିଲେ । ମୋତିଗଡ଼ରୁ ଯେଉଁମାନେ ବରଯାତ୍ରୀ ଯାଇଥିଲେ ସେମାନେ ଏମିତି ବାହାଘର ଦେଖିନଥିଲେ କି ଏମିତି ଭୋଜିଭାତ ଖାଇନଥିଲେ ବୋଲି କହିଥିଲେ । ସହରରୁ ଟିଜୁଳି ଆଲୁଅ ଆଣି ଉଆସକୁ ଇନ୍ଦ୍ରଭୂବନ ଭଳି ସଜାଇଥିଲେ ଇନ୍ଦୁଭୂଷଣ ।

 

ବିଦାହେଲା ଝିଅ । ବିଦା ହୋଇ ଗଲାବେଳେ ଜେଜେବାପା, ଜେଜେମାଆ, କକା, ଖୁଡ଼ିଙ୍କୁ ଭିଡ଼ିଧରି କାନ୍ଦିଥିଲା ଯଜ୍ଞ । ବାପାଙ୍କୁ ଭିଡ଼ିଧରି ବାହୁନି ବାହୁନି କାନ୍ଦିଲାବେଳେ ଛୋଟ ପିଲାଙ୍କ ପରି କାନ୍ଦିଥିଲେ ବିଭୂତିଭୂଷଣ । ଯଜ୍ଞ ଲାଗି ସିନା ତାଙ୍କ ଘର ସୁନ୍ଦର । ସେ ଚାଲିଗଲେ ଘର ଅନ୍ଧାର ହୋଇଯିବ । ଝିଅକୁ ଧରି ବେଶି ବିକଳ ହୋଇ କାନ୍ଦିଥିଲେ ସୁଲକ୍ଷଣା । ମାଅ ଝିଅଙ୍କ ଆଖିର ଲୁହ ଆଉ ବୁକୁର କୋହ ଦେଖି ସମସ୍ତଙ୍କ ଛାତି ବିଦିର୍ଣ୍ଣି ହୋଇଯାଇଥିଲା । ଯେତେ ଦାସୀ, ପୋଇଲି, ଚାକରବାକର ସମସ୍ତେ କାନ୍ଦିଥିଲେ । ଯଜ୍ଞ କାନ୍ଦୁଥିଲା କି ବାହାଘରମ ? ଶାଢ଼ି ଗହଣାରୁ କ’ଣ ମିଳିବ ? ସମସ୍ତଙ୍କୁ ଛାଡ଼ି ସେ କେମିତି ରହିବ । ସମସ୍ତେ ଘରେ ପଶିଲେ ଯଜ୍ଞକୁ ଡାକରା । ଜେଜେମାଆର ତ ଜପା ମାଳୀ ଯଜ୍ଞ ।

ବାପା, ବୋଉ, କକା, ଖୁଡ଼ି, ଜେଜେବାପା, ଜେଜେମାଆ, ଗାଁ ଭୁଇଁ ଘରଦ୍ଵାର, ଜନ୍ମସ୍ଥାନ ଛାଡ଼ି ଲୁହର ନଈ ବୁହାଇ ଯଜ୍ଞ ଚାଲିଯାଇଥିଲା ଶାଶୁଘରକୁ । ଶାଶୁଘରେ ପହଞ୍ଚି ଦେଖିଲା । ବାପଘର ଆଉ ତା ଶାଶୁଘର ଭିତରେ ଅନେକ ଫରକ୍ । ବେଶି ତଫାତ୍ । ତାଙ୍କ ଘରେ କେତେ ଲୋକବାକ । ଆଉ ଶାଶୁଘରେ ଆଙ୍ଗୁଠିରେ ଗଣି ଆଣିଲେ ଜମା ଚାରି ପାଞ୍ଚ ଜଣ ମଣିଷ । ସେ ପର୍ଯ୍ୟନ୍ତ ଯଜ୍ଞସେନୀକୁ ଦେଖିବାର ସୁଯୋଗ ପାଇ ନଥିଲେ ଆନନ୍ଦ । ହାତଗଣ୍ଠି ପଡ଼ିବା ବେଳେ ଚମ୍ପାଫୁଲ ରଙ୍ଗର ନରମ କୋମଳ ହାତଟିଏ ତାଙ୍କ ହାତ ସହିତ ମିଶିଥିଲା । ସେ ହାତର କ୍ଷଣିକ ସ୍ପର୍ଶରେ ସେ ଉନ୍ମତ ହୋଇଥିଲେ ।

ଚଉଠି ଦିନ ରାତିରେ ଭୋଜି ସରୁ ସରୁ ଅନେକ ରାତି ହୋଇଯାଇଥିଲା । ସହରରୁ ଆସିଥିବା ସାଙ୍ଗ ସାଥୀମାନେ ଆଗରୁ ଖାଇ ବିଦା ହୋଇ ଯାଇଥିଲେ । ସମସ୍ତେ ଯଜ୍ଞର ରୁପ ପ୍ରଶଂସା କରି ଯାଉଥାନ୍ତି । ଗାଁ ଭୂଇଁ ଲୋକ ଖାଇ ସାରିବା ପରେ କୃଷ୍ଣା ଆସି ଡାକିଲା ।

ଭାଇନା, ଯା ଦେଖିବୁ ତୋ ସୁନା କଣ୍ଢେଇକି । ଜାଣିଚୁନା, ଦେଖିବାକୁ ଦେବୀପ୍ରତିମା । ତା ମୁଣ୍ଡରେ କେତେ ବାଳ । ସତରେ ପାଖରୁ ଛାଡ଼ିବାକୁ ଇଚ୍ଛା ହେଉନି । ସୁନ୍ଦର ମୁହଟିକୁ ଦେଖିଦେଲେ ପେଟ ପୂରିଯିବ, କହି ହସି ହସି ଆନନ୍ଦକୁ ବାସରଘରେ ଠେଲି ଦେଇ କବାଟି କିଳିଦେଲା କୃଷ୍ଣା ।

ବାସର ଘର ଭିତରକୁ ପଶିଲେ ଆନନ୍ଦ । ଘରଟି ସାରା ଉଜ୍ଜ୍ୱଳ ପ୍ରଦୀପରେ ଆଲୋକରେ ଆଲୋକିତ । ଅନେକ କାଠଞ୍ଚପା ଫୁଲରେ ସାଜି ଦେଇଥିଲା କୃଷ୍ଣା । ସେ ଫୁଲର ବାସ୍ନା ଆସୁଚି । ଘର ମଝିରେ ଯୋଡ଼ା ପଲଙ୍କ । ପଲଙ୍କ ଉପରେ ଶୋଇଚି ତାଙ୍କ ସୁନା କଣ୍ଢେଇ । ପାଖକୁ ଗଲେ । ଛୋଟ ଦେହରେ ବାରହାତର ବନାରସୀ ପାଟ ଗୁଡ଼ାଇ ହୋଇଥିଲା । ଦେହଯାକ ଭର୍ତ୍ତି ଗହଣା । ସୁନା ଗହଣା ଆଲୁଅରେ ଝଲସି ଉଠୁଥିଲା । ତନ୍ମୟ ହୋଇ ମୁହଟିକୁ ଚାହଁଲେ । ସତରେ ଦେବୀ ପ୍ରତିମା । ଓଠ ତଳେ ଆଙ୍କୀଲା ଭଳି କଳାଜାଇ ଚିହ୍ନ । ମୁହଁଟିକୁ ବେଶି ସୁନ୍ଦର କରିଥିଲା । ଏତେ ସୁନ୍ଦର ହୋଇଥିବ ସେ ଭାବିନଥିଲେ । ଟଣା ଟଣା କଜ୍ଜ୍ୱଳ ଲଗା ଆଖି ଦୁଇଟି ବନ୍ଦ ହୋଇ ଯାଇଥିଲା । ଆଖିରୁ ଲୁହ ଝର ସେ କଜ୍ଜ୍ୱଳ ସବୁ ଧୋଇ ହୋଇ ଗାଲ ଉପରେ ଶୁଖିଯାଇଥିଲା । ହୁଏତ କାନ୍ଦି କାନ୍ଦି ଶୋଇଯାଇଚି । ଘରକଥା ମନେ ପଡ଼ୁଥିବ । ସେ’ତ ନିଜେ ଦେଖିଛନ୍ତି ତାଙ୍କ ଘରର ସମସ୍ତେ କେମିତିବିକଳ ହୋଇ କାନ୍ଦୁଥିଲେ । ସେମାନଙ୍କ କାନ୍ଦ ଦେଖି ନିଜ ଆଖିରୁ ଲୁହ ବାହାରି ଆସିଥିଲା ତାଙ୍କର ।

ସ୍ତ୍ରୀ ପାଖରେ ଯାଇ ଲାଗିକରି ବସିଲେ । ତକିଆଟା ମୁଣ୍ଡରୁ ଖସି ଯାଇଥିଲା । ତାକୁ ଠିକ୍ କରି ଦେଲା ବେଳକୁ ଚମକି ଉଠି ବସିଲା ଯାଜ୍ଞସେନୀ । ଲାଜରେ ଓଢ଼ଣା ଟାଣିଦେଲା । ଓଢ଼ଣାଟାକୁ ତା ମୁଣ୍ଡରୁ ଖସାଇ ଦେଇ ତା ହାତକୁ ଧରି ପଚାରିଥିଲେ ।

ତୁମେ କାନ୍ଦୁଥିଲ ? ତୁମ ଘର କଥା ମନେ ପଡ଼ୁଚି ନୁହେଁ । ତୁମଘର କେତେ ବଡ଼ ଆଉ ଆମଘର କେତେ ଛୋଟ । ଏଇଥିପାଇଁ ।

ଉହୁଁ । ମୋ ମୁଣ୍ଡ ବଥାଉଥିଲା । ସେଇଥିପାଇ । ମୁଁ କାନ୍ଦୁଥିଲି । ମୋ ମୁଣ୍ଡ ବଥାଇଲେ ମତେ ଭାରି କଷ୍ଟ ହୁଏ । ଜେଜେମାଆ, ବୋଉ, ରତନି, ବାସନ୍ତୀ ଔଷଧ ଘସିଲେ ଯାଇ ମୁଣ୍ଡବ୍ୟଥା ଛାଡ଼େ । କହିଥିଲା ଯଜ୍ଞା

କାହାକୁ କହିଥିଲେ କିଏ ମୁଣ୍ଡରେ ଔଷଧ ଲଗାଇ ଦେଇଥାନ୍ତା ।

ମୁଁ ତ କାହାକୁ ଚିହ୍ନିନି । କେମିତି କହିଥାନ୍ତି ?

ମତେ ? କହିଥିଲେ ଆନନ୍ଦ ।

ତମକୁ ତ ମୁଁ ଦେଖିନଥିଲି । ଚିହ୍ନିଥାନ୍ତି କେମିତି ?

ମୁହଁ ଶୁଖାଇ ଉତ୍ତର ଦେଇଥିଲା, ଯଜ୍ଞ ।

ଆଚ୍ଛା । କହି ହସି ହସି ସେଲଫରୁ ମୁଣ୍ଡବଥା କମିବା ଔଷଧ ଶିଶି ଆଣି ଯଜ୍ଞର ମୁଣ୍ଡକୁ କୋଳରେ ରଖି କପାଳରେ ଔଷଧ ଘସିବାକୁ ଲାଗିଲେ ଆନନ୍ଦ । ଅଳ୍ପ ସମୟରେ ଉଠିପଡ଼ିଲା ଯଜ୍ଞ ଆଉ ଆନନ୍ଦର ହାତକୁ ଧରିପକାଇ କହିଲା, ଥାଉ ।

କାହିଁକି ? ପଚାରିଥିଲା ଆନନ୍ଦ !

ବରମାନେ କ’ଣ ଔଷଧ ଘସି ଦିଅନ୍ତି ? କହିଲା ଯଜ୍ଞ ।

କିଏ କହୁଚି, ପ୍ରଶ୍ନକରିଥିଲେ ସେ ।

ଜେଜେମାଆ । ଉତ୍ତର ଦେଇଥିଲା ଯଜ୍ଞ ।

ତୁମ ଜେଜେମାଆ ତୁମକୁ ଆଉ କ’ଣ ସବୁ କହିଚନ୍ତି ! ହସି ହସି ପଚାରିଥିଲେ ଆନନ୍ଦ-

ତୁମେ ବଡ଼ ପଣ୍ଡିତ । ବହୁତ..ପାଠ ପଢିଚ । ଶୁଣ, ମୁଁ ଅଳ୍ପ ପାଠ ପଢ଼ିଚି । ତୁମେ ମୋ ଉପରେ ବିରକ୍ତ ହେବନି । ଭୟମିଶା କଣ୍ଠରେ କହିଥିଲା ଯଜ୍ଞ ।

ଆରେ ତୁମେ ପରା ମୋ ସ୍ତ୍ରୀ ।’ ନିଜର ସ୍ତ୍ରୀ ଉପରେ କିଏ କ’ଣ ରାଗିବ ? ତା ଛଡ଼ା ତୁମପରି ସୁନ୍ଦର କଣ୍ଢେଇ ଉପରେ କିଏ କ’ଣ ରାଗି ପାରିବ‌ ଆମେ, ଦୁହେଁ ଜୀବନସାଥୀ । ପରସ୍ପରକୁ ସ୍ନେହ, ସୋହାଗ, ଭଲପାଇବା ଦେଇ, ପରସ୍ପରର ସୁଖ ଦୁଃଖ ବୁଝି ଚଳିଲେ ଆମ ଜୀବନ ସୁନ୍ଦର ହେବ । କହିଥିଲେ ଆନନ୍ଦ ।

ତୁମେ ବେଶି ପାଠ ପଢ଼ିଚ ବୋଲି ସବୁକଥା ଜାଣିପାରୁଚ ନୁହେଁ ? କହିଥିଲା ଯଜ୍ଞ ।

ମୁଁ ବିଦେଶରୁ ଫେରି ଆସିଲେ ଅନେକ କଥା ଶିଖାଇଦେବି । ବିଦେଶର କଥା ସବୁ ତୁମକୁ କହିବି, ଆନନ୍ଦ କହିଥିଲେ ।

ତୁମେ ବିଦେଶ ଯିବ ?

ଆଗ୍ରହ ହୋଇ ପଚାରିଥିଲା ଯଜ୍ଞ ।

ହୁଁ । ଆହୁରି ପାଠ ପଢ଼ିବାକୁ ।

ଉତ୍ତର ଦେଇଥିଲା ଆନନ୍ଦ ।

ଆଉ ମୁଁ: ପଚାରିଥିଲା ଯଜ୍ଞ ।

ତୁମେ ତୁମ ଘରକୁ ଯିବ । କହିଥିଲେ ଆନନ୍ଦ ।

କି ମଜା ? କହି ଖୁସିରେ ତାଳି ମାରିଥିଲା ଯଜ୍ଞ । ଆଉ ଆନନ୍ଦଙ୍କ ହାତକୁ ଯାବୋଡ଼ି ଧରି ପ୍ରଶ୍ନ କରିଥିଲେ । ସତ କହୁଚ ? ମୁଁ ଆମ ଘରକୁ ଫେରିଯିବି । ଜାଣିଚନା, । ମୁଁ ଆମ ଘର ଛାଡ଼ି ଆସିଲାବେଳେ ମୋ ବୋଉ, କେତେ ବିକଳ ହୋଇ କାନ୍ଦୁଥିଲା । ଆଉ ମୋ ବାପା ମଧ୍ୟ । ବାପାମାନେ କ’ଣ କେବେ କାନ୍ଦନ୍ତି ! କିନ୍ତୁ ମୋତେ ଛାଡ଼ିବା ଦିନ କାନ୍ଦୁଥିଲେ । …..ବାହାରୁ ପଶିଆସିଲେ ଯଜ୍ଞ ସେଇଟା ଦେ, ଯଜ୍ଞ ସେଇଟା ଦେ । ମୁଁ ନାହିଁ ଆଉ କାହାକୁ ଡାକିବେ ? କହି କଇଁ କଇଁ ହୋଇ କାନ୍ଦି ଉଠିଲା ଯଜ୍ଞ । ସ୍ତ୍ରୀର ମୁଣ୍ଡକୁ କୋଳରେ ରଖି ସ୍ନେହରେ ଲୁହ ପୋଛିଆଣି କହିଥିଲେ ।

ଛି, ଆଜି ପରି ଦିନରେ କିଏ କାନ୍ଦେ ? ଆଜିପରା ଆମର ଆନନ୍ଦର ଦିନ । ସହରର ଉଚ୍ଚ ଶିକ୍ଷିତ ଝିଅମାନଙ୍କୁ ଦେଖି ଦେଖି ଆଧୁନିକ ପ୍ରତି କେମିତି ବିତୃଷ୍ଣା ଭାବ ଆନନ୍ଦଙ୍କ ମନରେ । ଯଜ୍ଞ ଉଚ୍ଚଶିକ୍ଷିତା ନହେଲେ ନାହିଁ । ପାଠ ପଢ଼ାରୁ ତାଙ୍କୁ କ’ଣ ମିଳବ । ସେ ସରଳ । ମଣିଷ ସରଳ ହେଲେ ଜଟିଳତା ସ୍ପର୍ଶ କରି ପାରିବ ନାହିଁ । ତାଙ୍କ ଜୀବନକୁ ସୁନ୍ଦର ସାର୍ଥକ କରି ତୋଳିବ ଯଜ୍ଞ ।

 

ଅଷ୍ଟମଙ୍ଗଳା ଭାର ନେଇ ଯଜ୍ଞର ସାନକକା, ଇନ୍ଦୁଭୁଷଣ ଆସିଥିଲେ । ରାତି ପାହିଲେ ଯଜ୍ଞ ଫେରିଯିବ ତାଙ୍କ ଘରକୁ । ସେଇ ରାତିରେ ଆନନ୍ଦ ସ୍ତ୍ରୀକୁ ପଚାରିଥିଲେ,

 

ତୁମେ କାଲି ତୁମ ଘରକୁ ଯିବ, ନା ? ଖୁସିରେ ମୁଣ୍ଡ ହଲାଇ ଉତ୍ତର ଦେଇଥିଲା ଯଜ୍ଞ ।

 

ମୋ କଥା ତୁମର ମନେପଡ଼ିବ ? ପଚାରିଲେ ସେ ।

 

ବହୁତ ମନେ ପକାଇବି । ତୁମେ ମୋ ମୁଣ୍ଡରେ ଔଷଧ ଲଗାଇ ଦେଇଥିଲ, ସେଦିନ ମୋ ବାଳରେ ଗୋଲାପଫୁଲ ଆଣି ଲଗାଇ ଦେଇଥିଲ । ଆଉ କେତେବଡ଼ ପିଜୁଳିଟାଏ ଆଣି ମତେ ଦେଇଥିଲ ? ସତରେ ତୁମେ କେତେ ଭଲ ସବୁକଥା ଯାଇ ଆମଘରେ ସମସ୍ତଙ୍କୁ କହିବି । ବଉଳଥିଲେ ମଜା ହୋଇଥାନ୍ତା । ତାକୁ ମଧ୍ୟ କହିଥାନ୍ତି ।

 

ତୁମ ବଉଳ ? ପ୍ରଶ୍ନ କରିଥିଲେ ଆନନ୍ଦ ।

 

ହଁ, ମୋ ବଉଳ । ଆମେ ବଉଳ ଅମାବାସ୍ୟାଦିନ ଆମ୍ବ ବଉଳ ଖୁଆଖୋଇ ହୋଇ ବଉଳ ବସିଥିଲୁ । ତାର ନାଁ ରତ୍ନମଣୀ । ଆରେ ଯାଃ, ବଉଳର ନାଆଁ ଟା ଧରିପକାଇଲି । କହି କାଣୀ ଆଙ୍ଗୁଠିଟାକୁ ଦାନ୍ତରେ କାମୁଡ଼ି ଦେଇଥିଲା ଯଜ୍ଞ ।

 

ତୁମ ଘରେ ତ କାଇଁ ତୁମ ବଉଳକୁ ଦେଖିନଥିଲି ? କହିଥିଲେ ଆନନ୍ଦ ।

 

ତୁମେ କେମିତି ଦେଖିଥାନ୍ତ ? ସେ’ତ ଯାଇ ତା ଶାଶୁଘରେ । ତାର ପରା ପୁଅ ହେଇଚି-। ସେଇଥି ପାଇଁ ସେ ମୋ ବାହାଘରକୁ ଆସିନଥିଲା ।

 

ତାପରେ ଆନନ୍ଦଙ୍କର ହାତକୁ ହଲାଇଦେଇ କହିଥିଲା । ତୁମେ ଜାଣିଚ । ଆମେ କଣ୍ଢେଇ ବାହାଘର କଲାବେଳେ ସମୁଦୁଣୀ ଡକା ଡକି ହେଉ । ବଉଳ କହୁଥିଲା ବଡ଼ ହେଲେ ଅମେ ସତରେ ପୁଅ ଝିଅ ବାହାଘର କରିବା ।

 

ତା ମାନେ ବାହାଘର ନ ହେଉଣୁ ତୁମେ, ପୁଅ ଝିଅ ବାହାଘରର ଚିନ୍ତା କରି ସାରିଥିଲ-? ହସି ହସି କହିଥିଲେ ଆନନ୍ଦ । ତାପରେ କ’ଣ ଚିନ୍ତାକରି ଯଜ୍ଞ ମୁହଁକୁ ଚାହିଁ ପ୍ରଶ୍ନକରିଥିଲେ ।

 

ଜାଣିଚ ଯଜ୍ଞ, ତୁମ ସାଥିରେ ଏଇଲେ କେତେଦିନ ପର୍ଯ୍ୟନ୍ତ ମୋର ଦେଖା ହୋଇ ପାରିବନି ?

 

କାହିଁକି ? ଆଶ୍ଚର୍ଯ୍ୟ ଭାବରେ ପ୍ରଶ୍ନ କରିଥିଲା ଯଜ୍ଞ ।

 

ମୁଁ କାଲି ସହରକୁ ଯାଉଚି । ଗୋଟାଏ ସପ୍ତାହ ପରେ ଡକ୍ଟରେଟ୍ କରିବା ପାଇଁ ଆମେରିକା ଚାଲିଯିବି । ଉତ୍ତର ଦେଇଥିଲେ ସେ ।

 

ଫେରିବ କେବେ ? ପ୍ରଶ୍ନ କରିଥିଲା ଯଜ୍ଞ ।

 

ଡକ୍ଟରେଟ୍‌ କରି ସାରିଲେ ।

 

ଏଇ କଥା ପଦେ କହିଲାବେଳେ ତାଙ୍କ ଆଖି ଛଳ ଛଳ ହୋଇ ଯାଇଥିଲା । ତାଙ୍କର ଛଳ ଛଳ ଆଖିକୁ ଦେଖି ଯଜ୍ଞ ପଚାରିଲା ।

 

ଆମଘର ଛାଡ଼ି ଆସିବା ବେଳେ ଆମ ଘରେ ସମସ୍ତେ କାନ୍ଦୁଥିଲେ । ସେମାନେ ସିନା ମୋର ନିଜର ବୋଲି କାନ୍ଦିଲେ, ତୁମେ କାହିଁକି କାନ୍ଦୁଚ ?

 

କାନ୍ଦିବିନି ! ମୁଁ ଯେ ତୁମର ସମସ୍ତଙ୍କ ଠାରୁ ଆପଣାର ବେଶି ଅନ୍ତରଙ୍ଗ । ତୁମକୁ ଛାଡ଼ି ଏତେ ଗୁଡ଼ାଏ ଦିନ କେମିତ ରହିବି ଭାବୁଛି । ତୁମ କଥା ମୋର ବହୁତ ମନେପଡ଼ିବ ଯଜ୍ଞ । ଅଶ୍ରୁଭିଜା ଗଳାରେ କହିଥିଲେ ଆନନ୍ଦ ।

 

ତୁମେ ବେଶି ପାଠ ପଢ଼ିଚ ବୋଲି ଏଇ କଥା ଜାଣିପାରୁଚ ନୁହେଁ, କହିଥିଲା ଯଜ୍ଞ ।

 

ଯଜ୍ଞ ଯେ ତାଙ୍କର କେତେ ସରଳ ସେଇ ପ୍ରଥମ ଦେଖାରୁ ଜାଣି ପାରିଥିଲେ ଆନନ୍ଦଶଙ୍କର ।

 

ଯଜ୍ଞ ଫେରି ଯାଇଥିଲା ମାଣିକଗଡ଼ । ଯଜ୍ଞର ଆଠୋଟି ଦିନର ଅନୁପସ୍ଥିତି ତାଙ୍କ ଘର ଲୋକଙ୍କୁ ଆଠ ଯୁଗ ଭଳି ମନେ ହେଇଥିଲା । ନାତୁଣୀକୁ କୋଳରେ ପୁରାଇ ଅନେକ କଥା ପଚାରିଲେ ନିଳାମ୍ବରୀ । ଜେଜେମାଆ କୋଳରେ ଶୋଇ ଶୋଇ ଯଜ୍ଞ କହିଥିଲା,

 

ଜାଣିଚୁ ଜେଜେମାଆ, ‘ବର ଭାରି ଭଲ । ମୁଣ୍ଡ ବଥାଇଲା ସେ ଔଷଧ ଲଗାଇଦେଲା । ମୋ ମଥାରେ ଫୁଲ ଖୋସି ଦିଏ । ଆଉ ମୋ ବାଳକୁ ଦେଖି କହେ ‘‘ତୁମ ନାଁ ଯାଜ୍ଞସେନୀ ନହେଇ କେଶବତୀ କନ୍ୟା ହେବା କଥା’’ । ଆଉ ମଜା କଥା ଜାଣିଚ, ମୁଁ ଆମ ଘରକୁ ଆସିବା ଦିନ ଲୁଚେଇ ଲୁଚେଇ କାନ୍ଦୁ ଥିଲା ।

 

ହସି ହସି ଆଦରରେ ନାତୁଣୀ ଗାଲକୁ ଚିପି ଦେଇଥିଲେ ନିଳାମ୍ବରୀ ।

 

ଦଗ୍‌ଧ ବୈଶାଖରେ ଉତପ୍ତ ହେଲା ପୃଥିବୀ, ଶ୍ରାବଣରେ ତରୁଲତା ପଲ୍ଲବିତ ହେଲେ । ଆଶ୍ୱିନ ଆକାଶରେ ଉଡ଼ିବୁଲିଲେ କେତେ ଜାତିର ପକ୍ଷୀ । ଆଉ ଫଗୁଣ ଆସିଲେ ବଡ଼ ଅଗଣାରେ ମଲ୍ଲୀଫୁଲର ମହକ ଛୁଟିଲା । କଅଁଳିଆ ଆମ୍ବଗଛ ଡାଳରେ କୋଇଲି ସ୍ୱର ଶୁଭିଲା । ଦିନ, ମାସ, ବର୍ଷ ବଦଳିଗଲା । ନୂଆ ହେଲା ପୁରୁଣା, ମାଣିକଗଡ଼ର ଭୂବନ ସାଆନ୍ତଙ୍କର ଅଲିଅଣୀ ନାତୁଣୀ ଯାଜ୍ଞସେନୀର ‘ଅନେକ ପରିବର୍ତ୍ତନ’ ହୋଇଯାଇଥିଲା । ଚଳଚଞ୍ଚଳ କିଶୋରୀ ବୟସ ଡେଇଁଯାଇ ପରିପୂର୍ଣ୍ଣା ଯୁବତୀ ହେଲା । ତା ଚାଲି ଥିରି ଥିରି ହେଲା, କଥା ଧୀର, ଅନେକ ଶାନ୍ତ ସୁଧୀର ତାର ପ୍ରତ୍ୟେକ ଆଚରଣରେ ।

 

ଯଜ୍ଞ ଭାବିଥିଲା ବାପଘରେ ଖୁବ ମଜାରେ ଦିନ କଟିବ । କିନ୍ତୁ ଦିନରାତି ସେଇ ସୁନ୍ଦର କଥା କୁହା ମଣିଷଟିର କଥା ମନେ ପଡ଼ିଯାଉଥିଲା । ସେଲି ବାପଘର ସେଇ ବାପା ବୋଉ, ଜେଜେବାପା, ଜେଜେମାଆ, କକାଖୁଡ଼ି, ଭାଇମାନେ ଅଛନ୍ତି । ତଥାପି ମନଟା ଉଦାସ ଲାଗୁଥିଲା ବେଳେ ବେଳେ । କେମିତି କିଛି ଭଲ ନଲାଗିବା ଭଲ । ବଉଳ ପାଖରେ ଥିଲେ ପଚାରିଥାନ୍ତି ।

 

ବିଦେଶରେ ପହଞ୍ଚି ଚିଠି ଖଣ୍ଡିଏ ଲେଖିଥିଲେ ଆନନ୍ଦ । ଅଳ୍ପ ଶିକ୍ଷିତ ହାତଲେଖା କାଳି ବଲବଲ ଯଜ୍ଞର ଉତ୍ତର ଯଜ୍ଞ ଚିଠି ପାଇଥିଲେ । ବିଦେଶ ଭୂଇଁରେ ସେଇ ଚିଠିଟି ଯେ କେତେ ଆନନ୍ଦ ଦେଇଥିଲା । ତାକୁ ପରମ ସଂପଦ ଭଳି ସାଇତି ରଖିଥିଲେ । ରାତିରେ ନିରୋଳା ନିର୍ଜ୍ଜନରେ, ସେଇ-ଚିଠିଟିକୁ କାଢ଼ି ପଢ଼ୁଥିଲେ । ଯେତେଥର ପଢ଼ୁଥିଲେ, ସିହରଣ ଖେଳି ଯାଉଥିଲା ତାଙ୍କ ଦେହ ମନରେ । ଅଳ୍ପ କେତେ ଦିନ ଦେଖାରେ ଆନନ୍ଦଙ୍କ ହୃଦୟ ଭିତରେ ଦୃଢ଼ ଆସ୍ତାନ କମାଇପାରିଥିଲା ଯାଜ୍ଞସେନୀ । ଚିଠି ପଢ଼ି ପଢ଼ି ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ବିତାଇ ଦେଇଥିଲେ ବିଦେଶ ଭୂଇଁରେ ।

 

ମାଣିକେଶ୍ୱରୀଙ୍କ ଦର୍ଶନ ସାରି ଫେରିଲା ବେଳକୁ ଯଜ୍ଞ ଦେଖିଲା ବାଟଘର ମେଲାରେ କଳା ଇନ୍ଦୁଭୁଷଣ ଖବର କାଗଜ ପଢ଼ୁଚନ୍ତି । ଆଉ ସମସ୍ତେ ଶୁଣୁଚନ୍ତି । ସମସ୍ତେ ଯେତେବେଳେ ଉଠି ଯାଇଥିଲେ ଆସ୍ତେ ୨ ଖଟ ଉପରୁ ସେହି ଖବର କାଗଜଟିରୁ ଉଠାଇ ନେଇ ଯଜ୍ଞ ଦେଖିଥିଲା ଆନନ୍ଦଙ୍କ ଫଟୋ ବାହାରିଚି । ଆଉ ଶହ ଶହ ବିଦେଶୀ ଗ୍ରନ୍ଥଙ୍କ ଭିତରେ କୃତିତ୍ଵ ସହ ସୁନାମ ଅର୍ଜନ କରିଥିବା କଥା ଲେଖା ହୋଇଚି । ଛାତି ଭିତରେ ଆନନ୍ଦର ସ୍ରୋତ ଖେଳି ଯାଇଥିଲା । ଫଟୋଟିକୁ ଚାହିଁ ରହିଥିଲେ ଏକଲୟରେ । ମଣିଷଟି ଯେମିତି ସୁନ୍ଦର, ତାଙ୍କ କଥା ସେଇଭଳି ସୁନ୍ଦର । ହାତ ଲେଖା ଚିଠିଟିର ଅକ୍ଷର ମଧ୍ୟ ମୁକ୍ତାଭଳି । ତନ୍ମୟ ହୋଇ ଚାହିଁ ଦେଖିଲା ବେଳେ ନିଳାମ୍ୱରୀ ଡାକିଥିଲେ ।

 

କେତେ ଲୁଚେଇ ଲୁଚେଇ, ଦେଖୁଚୁ ଲୋ ରାଧିକା, ଏଥର ତୋ ଶ୍ୟାମ ଆସୁଚି ।

 

ସତକୁ ସତ ଦିନେ ଅପରାହ୍ନର ଖରା, ଯଜ୍ଞ ଘର ବାଡ଼ି ବଗିଚାର ନଡ଼ିଆ ଗଛ ଉପରେ ଝଲମଲ କଲାବେଳକୁ, ଚାକରବାକର, ଦାସୀ-କୋଇଲି, କୋଠିଆ ହଳିଆ, ଗୁମାସ୍ତା ଆଉ ଘରର ପ୍ରତ୍ୟେକ ଲୋକ ତତ୍ପର ହୋଇ ଉଠିଥିଲେ । ବିଦେଶରୁ ଏତେଦିନ ପରେ ଜୋଇଁ ଫେରି ଆସୁଛନ୍ତି-। ଏଇଥି ପାଇଁ ମାଣିକଗଡ଼ ସାରା ଚହଳପଡ଼ିଲା । ବିଦେଶ ଫେରା ଜୋଇଁଙ୍କୁ ଦେଖିବା ପାଇଁ ଘରେ ଯାତ୍ରା ପରି ଲୋକ ! ବଡ଼ ପୋଖରିରେ ଜାଲ ପକାହେଲା । ବଡ଼ ବଡ଼ ମାଛ ଧରା ହେଲା-। ସେଦିନ ଭୋଜିଭାତର ସୁଅ ଛୁଟି ଯାଇଥିଲା ସାଆନ୍ତଙ୍କ ଉଆସରେ ।

 

ନାତୁଣୀକୁ ଡାକି ନିଳାମ୍ବରୀ କହିଲେ ।

 

ଯାଆଲୋ ରାଧିକା । ମନ ଉଚ୍ଛନ୍ନ ହେଇଯିବଣି ଶ୍ୟାମଘନକୁ ଦେଖିବାକୁ । ରାତି ରାତି ଅନିଦ୍ରା ହୋଇ ଖବର କାଗଜରୁ ରୂପ ଦେଖୁ ଥିଲୁ । ମନମାନୁ ନଥିଲା । ଏବେ ନିଜେ ଆସିଚି । ଟିକିଏ ଆଗରୁ ମୋ ପାଖକୁ ଆସିଥିଲା । ତାକୁ ସବୁକଥା ତୋର କହିଦେଇଚି ।

 

ମିଛେଇ ! ତୋତେ ଖାଲି ସବୁ ଜଣା । କହିଲା ଯଜ୍ଞ ।

 

ମତେ ସବୁ ଜଣାଲୋ । କହି ପାନଖିଆ ପାଟିକୁ ଦେଖାଇ ହସିଥିଲେ ନିଳାମ୍ବରୀ ।

 

ନିଳାମ୍ବରୀ ଝିଅ ସିନା ଜନ୍ମ କରିନଥିଲେ ହେଲେ ଏଇ ନାତୁଣୀ ଉପରେ ଝିଅର ସ୍ନେହ ଅଜାଡ଼ି ଦେଇଥିଲେ । ଯଜ୍ଞ ଆଗରେ ତାକୁ କେହି ଦିଶନ୍ତିନି । ନାତୁଣୀ ଦେହରେ ପତରପଡ଼ିଲେ ନିଜ ଦେହରେ ପଥରପଡ଼ିଲା ପରି ତାଙ୍କୁ ଲାଗୁ ଯଜ୍ଞ ସୁନାର ଚାନ୍ଦ ମାଗିଲେ ଗଢ଼ାଇ ଦେବାକୁ ତିଆରି ହେବେ । ଯଜ୍ଞ ସିନା ଥିଲା । ଉପରେ କପଟକ୍ରୋଧ, ଭିତରେଭିତରେ କିନ୍ତୁ ଇଚ୍ଛା କେମିତିଟିକେ ଦେଖନ୍ତା ସେଇ ମଣିଷଟିକୁ । ଯାହା ପାଇଁ ରାତି ରାତି ଅନିଦ୍ରା ହୋଇ ବିତାଇ ଦେଇଚି ଏତେ ଗୁଡ଼ାଏ ଦିନ । ଜେଜେମାଆକୁ ଖତେଇ ହୋଇ ବାଡ଼ି ଆଡ଼କୁ ବାହାରିଗଲା । ପ୍ରତିଦିନ ବାଡ଼ି ବଗିଚାରୁ ଫୁଲ ତୋଳି ମାଣିକେଶ୍ୱରୀଙ୍କ ପାଇଁ ଫୁଲମାଳା ଗୁନ୍ଥି ପଠଉଥିଲା । ବିଦେଶରୁ କେମିତି ଶୁଭରେ ଲେଉଟି ଆସିବା ପାଇଁ । ଫୁଲ ତୋଳୁ ତୋଳୁ ଅନ୍ୟମନସ୍କ ଭାବେ ଝରକାକୁ ଦୃଷ୍ଟି ପଡ଼ିଯାଇଥିଲା । ଝରକା ପାଖକୁ ମୁହଁ କରି ବସିଥିଲେ ଆନନ୍ଦ । ଦୁହିଙ୍କର ଦୃଷ୍ଟି ବିନିମୟ ହୋଇଥିଲା । ଆନନ୍ଦ ଲକ୍ଷ କରିଥିଲେ ସତେ ଯେମିତ ମୁଠାଏ ଅବିର କିଏ ବେଳିଦେଲା ଯଜ୍ଞ ମୁହଁରେ । ସେହି ଦୃଷ୍ଟିରେ ଆନନ୍ଦଙ୍କ ହୃଦୟରେ ବିଦ୍ୟୁତର ତଡ଼ିତ୍ ସ୍ରୋତ ପ୍ରବାହିତ ହେଲା ପରି ମନେ ହୋଇଥିଲା ତାଙ୍କର । କାଳେ ଘରଲୋକ କିଏ ଦେଖି ପକାଇବ, ବିଶେଷକରି ଜେଜେମାଆ । ଚିଡ଼ାଇ । କହିବ ଲୁଚି ଲୁଚି ବରକୁ ଦେଖୁଚି ବୋଲି ସେଇଥିପାଇଁ ଘର ଭିତରକୁ ଦଉଡ଼ି ପଳାଇ ଯାଇଥିଲା ଯଜ୍ଞ । ଅନେକ ଦିନପରେ ସ୍ତ୍ରୀକୁ ଦେଖି ଛାତି ଭିତରେ ମୃଦୁ କମ୍ପନ ଅନୁଭବ କରିଥିଲେ ଆନନ୍ଦ । ଯଜ୍ଞର ସୁନ୍ଦର ମୁହଁଟିକୁ ମନେପକାଇ ସେ, ବିଦେଶରେ ଏତେ ଦିନ କଟାଇ ଆସିଥିଲେ ।

 

ମାଣିକଗଡ଼ରେ ଗୋଟିଏ ଦିନ ରହି ମୋତିଗଡ଼ ଫେରି ଆସିଥିଲା ଆନନ୍ଦ । ତାପରେ କର୍ମକ୍ଷେତ୍ରରେ ଯୋଗ ଦେଇଥିଲେ । ସହରରେ ବସାଘର ଯୋଗାଡ଼ କରିବା ପାଇଁ ମାମୁଁ ଚଠି ଲେଖିଲେ । ଘର ବନ୍ଦୋବସ୍ତ କଲାପରେ ମାଇଁ ଯଜ୍ଞକୁ ଆଣି ଆନନ୍ଦଙ୍କ ପାଖରେ ଛାଡ଼ିଦେଇ ଯାଇଥିଲେ । ଗହଳି ଭିତରୁ ଆସି ଏକୁଟିଆ ଚଳିବାକୁ ଯଜ୍ଞକୁ ଯଦିଓ ଖରାପ ଲଗିଥିଲା, କିନ୍ତୁ ସ୍ଵାମୀ ସହିତ ନିଭୃତ ଘରକରଣାର ମଧୁର ଆନନ୍ଦରେ ମାତି ଉଠିଥିଲା । ଏକଥା ଜାଣି ପାରିଥିଲେ ଆନନ୍ଦ ।

 

ଦିନ ପରେ ଦିନ ବିତି, ମାସ ଶେଷ ହୋଇ ବର୍ଷ ଘୁରିଯାଏ । ପଢ଼ା ପାଗଳ ଆନନ୍ଦଶଙ୍କର ବହି ସମୁଦ୍ର ଭିତରେ ବୁଡ଼ି ଯାଉଥିଲେ । କଲେଜରେ ଅଧ୍ୟାପନା, ଘରେ ଦର୍ଶନ ସମ୍ବନ୍ଧୀୟ, ଏବଂ ଅନ୍ୟାନ ବହି ପଢ଼ାରେ ସମୟ ବିତାଉ ଥିଲେ । ଘରର ଭଲମନ୍ଦ ହରିଚରଣ ଉପରେ । ତା ଛଡ଼ା ଶାଶୁଘରୁ ଯଜ୍ଞ ସାଥିରେ ଜଣେ ଚାକରାଣୀ ଆଉ ଗୋଟିଏ ବନ୍ଧୁଣିଆ ଆସିଥାଏ । ବିଶେଷ କିଛି ଦେଖିବାକୁ ପଡ଼ୁନଥିଲା ଆନନ୍ଦଙ୍କୁ । ନିଜର ପଢ଼ାପଢ଼ି ପାଇଁ ସ୍ଵତନ୍ତ୍ର ଗୋଟିଏ କୋଠରୀ ଥିଲା । କୌଣସି କାମ ନକଲେ ମଧ୍ୟ ଆନନ୍ଦ କଲେଜ ଯାଇଥିବା ସମୟରେ ସେ କୋଠରିଟିକୁ ପରିଷ୍କାର କରି ସଜାଇ ରଖେ ଯଜ୍ଞ । ବେଳେବେଳେ ଆନନ୍ଦ ଯଜ୍ଞକୁ ଧରି ସାଙ୍ଗ ସାଥୀ ଘରକୁ ବୁଲି ଯାଉଥିଲେ । ବୁଲାବୁଲି କରିବାକୁ ଯଜ୍ଞର ବେଶି ଆଗ୍ରହ ନଥାଏ । ଆନନ୍ଦ ଯେତେବେଳେ ପଢ଼ୁଥାନ୍ତି କେତେବେଳେ କେମିତି ହରିଚରଣ ସହିତ କଥାବାର୍ତ୍ତା କରୁଥିଲା ଯଜ୍ଞ । ଅନେକ ସମୟରେ ଚୁପଚାପ୍ ରହୁଥିଲା ।

 

ବହି ପଢ଼ା, ଖବର କାଗଜ ପଢ଼ା, ଏମିତିରେ ବେଳେବେଳେ ଅନେକ ରାତି ହୋଇଯାଇଥିଲା । ଖିଆଲ ରହେନି । ବିଦେଶରେ ଏକୁଟିଆ ରହି ବହି ପଢ଼ା ଅଭ୍ୟାସରେ ପଡ଼ି ଯାଇଥିଲା । କାନ୍ଥ ଘଡ଼ିରେ ଦିନେ ଦିନେ ରାତି ଏଗାର, ବାରଟା ଏମିତି ହୋଇଯାଏ । ସବୁ ଛାଡ଼ିଦେଇ ଉଠି ଆସନ୍ତି । ଏଘର ସେଘର ଖୋଜି ଆଣନ୍ତି ଯଜ୍ଞକୁ । ଅଧିକାଂଶ ଦିନ ଶୋଇପଡ଼ିଥିବାର ଲକ୍ଷକରନ୍ତି । ସ୍ତ୍ରୀର ପାଖରେ ବସି ମୁହଁକୁ ଅନାନ୍ତି । ଗଭୀର ନିଦରେ ଆଚ୍ଛନ୍ନ କିନ୍ତୁ କେମିତି କରୁଣ ମନେ ହୁଏ ତାର ମୁହଁଟା । ନିଜକୁ ଅପରାଧି ମନେକରନ୍ତି ସେ । ମାଇଁ ଥିଲାବେଳେ ବେଶ୍ ସମୟ କଟି ଯାଉଥିଲା, କିନ୍ତୁ ଗାଁ ଘରଦ୍ୱାର, ମାମୁଁ ସବୁଛାଡ଼ି କେମିତି ରହି ପାରନ୍ତେ । ମାଇଁ କିଛି ଦିନ ରହି ମୋତିଗଡ଼ ଚାଲିଯାଇଥିଲେ । ମାମୁଁ ମାଇଁଙ୍କୁ ସହରରେ ନିଜ ପାଖରେ ରଖିବା ପାଇଁ ଅନେକ କହିଥିଲେ ସେ । କିନ୍ତୁ ବୟସ ହେଲେ ନିଜ ଗାଁ’ ଭୁଇଁ ସମବୟସର ଦଳ ଏମାନଙ୍କୁ ଛାଡ଼ି ବିଦେଶ ଜୀବନ ଭଲ ଲାଗିବନି ବୋଲି ସେମାନେ ଆନନ୍ଦଙ୍କ ପାଖରେ ଆସି ରହି ନଥିଲେ ।

 

ଆଦରରେ ସ୍ତ୍ରୀର ମୁହଁରେ ଝୁଲି ପଡ଼ିଥିବା ଅଯତ୍ନ ବାଳକୁ ଉଠାଇ ଗଭୀର ମମତାରେ ଆସ୍ତେ ଡାକନ୍ତି—

 

ଯଜ୍ଞ ।

 

ଗହନ ନିଦରେ ଆଚ୍ଛନ୍ନ ଥାଏ ଯଜ୍ଞ । ଆନନ୍ଦଙ୍କ ଡାକ ଶୁଣି ସଙ୍ଗେ ସଙ୍ଗେ ଉଠିବସେ । ଆଉ ନିଜକୁ ଅପରାଧୀ ମନେକରି କହେ—

 

ଶୋଇ ପଡ଼ିଥିଲି ।

 

ତୁମକୁ ଭାରି ଏକୁଟିଆ ଲାଗୁଚି, ନୁହେ ? ସ୍ତ୍ରୀର ମୁହଁକୁ ଚାହିଁ ପ୍ରଶ୍ନ କରନ୍ତି ଆନନ୍ଦ ।

 

କିଏ କହିଲା ? ଉତ୍ତର ଦିଏ ସେ ।

 

ମୁଁ ନିଜେ ଅନୁଭବ କରୁଛି ଦେଖୁଚି ମଧ୍ୟ ।

 

କହନ୍ତି ଆନନ୍ଦ ।

 

ତୁମେ ତ ମୋ ପାଖରେ ଅଛ । ଏକୁଟିଆ ଲାଗିବ କାହିଁକି ? ତା’ ଛଡ଼ା ହରିଦାଦା, କୋଇଲି ମା, ବନା ତ ଅଛନ୍ତି । କହେ ଯଜ୍ଞ ।

 

ତୁମ ଘରକୁ ଯାଇ କିଛିଦିନ ବୁଲି ଆସିବ ?

 

ସ୍ତ୍ରୀର ମଥା ଆଉଁସି ଦେଇ ପ୍ରଶ୍ନ କରନ୍ତି ଆନନ୍ଦ ।

 

ନା, ତୁମକୁ ଛାଡ଼ି ଆଉ କୁଆଡ଼େ ଯାଇ ରହି ପାରିବିନି । ତୁମକୁ ଛାଡ଼ି ଏତେ ଦିନ ରହିଥିଲି । ଜାଣ ଆମ ଘରେ ଏତେ ଲୋକ ଥିଲେ ତଥାପି ତୁମ କଥା ବେଶି ମନେ ପଡ଼ୁଥିଲା । କିଛି ଭଲ ଲାଗୁ ନ ଥିଲା । ତୁମକୁ ଛାଡ଼ି ରହିବା ଭାରି କଷ୍ଟ ମୁଁ ନିଜେ ଜାଣିଚି । କହେ ଯଜ୍ଞ—

 

ଗଭୀର ସ୍ନେହରେ ଯଜ୍ଞର ଓଠକୁ ଛୁଇଁ ଆଦର କରନ୍ତି ଆନନ୍ଦ । ଯଜ୍ଞ ପାଖରେ ନ ଥିଲେ ତାଙ୍କୁ କ’ଣ କଷ୍ଟ ହେବନି ? ଆଗେ ସିନା ଏକା ଥିଲେ । କିନ୍ତୁ ଯଜ୍ଞ ଆସିବା ଦିନୁ ତାଙ୍କ ସମସ୍ତ ଦେହ ମନରେ ଆସ୍ଥାନ ଜମାଇ ବସିଚି ଯଜ୍ଞ । ସ୍ନେହ ସୋହାଗ, ଭଲପାଇବାରେ ଅଣନିଃଶ୍ୱାସୀ ହୋଇ ପଡ଼ିଛନ୍ତି ଆନନ୍ଦ । ଆନନ୍ଦଙ୍କ ଅନେକ ଦୁଇ ଜୀବନର ସୁଖଦାତ୍ରୀ ଯାଜ୍ଞସେନୀ-। ତାକୁ ପାଇ ପୃଥିବୀର ସମସ୍ତ ସୁଖ ସେ ହାତମୁଠାରେ ପାଇଥିଲେ ।

 

ଦିନେ ପରୀକ୍ଷା ଖାତା ଦେଖୁଥାନ୍ତି ଆନନ୍ଦ । କମ୍ ସମୟ ଭିତରେ ଗୁଡ଼ାଏ ଖାତା ଦେଖି ଫେରାଇବା ପାଇଁ ଉପରୁ ଆଦେଶ ଆସିଥାଏ । ଦିନବେଳେ କଲେଜ ସେଥିରେ ଗଣ୍ଡଗୋଳ ଲାଗି ଛାତ୍ରମାନଙ୍କର କୋର୍ସ ସରି ନ ଥିବାରୁ ଅଧିକା କ୍ଲାସ ନେବାକୁ ପଡ଼ୁଥାଏ । ରାତିରେ ପରୀକ୍ଷା ଖାତା ଦେଖା । ଅଧିକାଂଶ ଦିନ ରାତି ଅନେକ ହୋଇ ଯାଉଥିଲା, ଯଜ୍ଞ ଖାଇଦେଇ ଶୋଇପଡ଼ିବାରୁ ଅନେକ ଥର କହନ୍ତି, ସେ ଶୁଣନ୍ତି । ସେମିତ ଦିନେ ରାତି ବାରଟାରୁ ବଳି ପଡ଼ିଥିଲା । ହରିଚରଣର ଡାକରେ ଖାତା ଦେଖା ବନ୍ଦ କରି ପ୍ରଶ୍ନ କଲେ,

 

କ’ଣ ହରିଚରଣ ।

 

ଉଦ୍‌ବିଘ୍ନ ଗଳାରେ ହରିଚରଣ କହିଲା,

 

ବୋହୁମାଆ ପଡ଼ିଯାଇଛନ୍ତି । ମୁଣ୍ଡ ବୁଲାଇ ଦେଇଥିବ ବି କାମ ଯେତେ ମନାକଲେ କାମ କରିବାକୁ ଆଗ । ଆମେତ ଏତେଗୁଡ଼ାଏ ଅଛୁ । ତା’ଛଡ଼ା ସକାଳେ କି ସନ୍ଧ୍ୟାରେ ଭଲ କରି ଖାଇବା ତ କାଇଁ ମୁଁ ଦେଖୁନି ।

 

ହରିଚରଣର କଥା ନ ସରୁଣୁ ଧାଇଁଗଲେ ଆନନ୍ଦ । ଯଜ୍ଞ ଯେଉଁଠି ପଡ଼ି ଯାଇଥିଲା ସେଇଠାରୁ ପିଲାଙ୍କୁ କୋଳେଇଲା ପରି କୋଳେଇ ବିଛଣା ଉପରକୁ ନେଇ ଆସି ଶୁଆଇ ଦେଲେ-। ମନେ ମନେ ଭାବିଲେ ଯଜ୍ଞ ପ୍ରତି ଖୁବ୍ ଅବହେଳା କରୁଚନ୍ତି । କେତେ ଗେଲବସରରେ ସେ ତାଙ୍କ ଘରେ ବଢ଼ିଥିଲା । ତାଙ୍କ ପାଖରେ ସହରରେ ଆସି ରହିବା ଦିନୁ ଆଠଦିନରେ ଗୁମାସ୍ତା, ନହେଲେ କକା ଶଶୁରମାନେ ନହେଲେ ଶଶୁର ନିଜେ ଆସି ଦେଖି ଯାଉଛନ୍ତି ଯଜ୍ଞକୁ । କେଉଁକଥା ଅଭାବ କରୁ ନାହାନ୍ତି । ଘର ଚଳିବାର ପ୍ରତ୍ୟେକ ଜିନିଷ ଆଣି ଭରି ଦେଉଛନ୍ତି ଅଥଚ ସ୍ଵାମୀ ହୋଇ ସେ ଅବହେଳା କରୁଛନ୍ତି । ନା, ଆଉ କେବେ ଏମିତି ଅବହେଳା କରିବେନି ।

 

ହରିଚରଣ, କୋଇଲି ମାଆକୁ ଯଜ୍ଞ ପାଖରେ ଜଗାଇ ନିଜେ ଡାକ୍ତର୍‌ ଡାକିବାକୁ ଚାଲିଗଲେ । ପାଖରେ ଜଣେ ଡାକ୍ତର ରହୁଥିଲେ । ସେ ସଙ୍ଗେ ସଙ୍ଗେ ଆସି ପରୀକ୍ଷା କଲେ । ଆଉ ପରୀକ୍ଷାରୁ ଜଣାପଡ଼ିଲା ଯେ ଯଜ୍ଞ ସନ୍ତାନସମ୍ଭବା । ଆନନ୍ଦରେ ଅଧୀର ହେବା ସଙ୍ଗେ ସଙ୍ଗେ ବିବ୍ରତ ହେଲେ ଆନନ୍ଦ । ଡାକ୍ତର କହିଗଲେ, ଦୁର୍ବଳ, ସେବା ଯତ୍ନ, ଆରାମ, ଖାଦ୍ୟ ସବୁ ଯତ୍ନ କରିବାକୁ କହିଗଲେ । ଏ ବିଷୟରେ ସେ କ’ଣ ଅବା ଜାଣନ୍ତି ସେଇଥି ପାଇଁ ହରିଚରଣକୁ ମୋ ତିଗଡ଼ ପଠାଇଲେ । ମାମୁଁ ମାଇଁ ସାଙ୍ଗେ ସାଙ୍ଗେ ପହଞ୍ଚି ଯାଇଥିଲେ । ମାଣିକଗଡ଼କୁ ଖବର ପଠା ହେଲା । ବିଭୂତିଭୂଷଣ ଆସି ପହଞ୍ଚି ଯାଇଥିଲେ । ଆଉ ସାଙ୍ଗରେ ଯଜ୍ଞକୁ ମାଣିକଗଡ଼ ନେଇ ଯାଇଥିଲେ ।

 

ଆନନ୍ଦ ଭାବିଥିଲେ ନିଶ୍ଚିନ୍ତରେ କଲେଜ କାମ ସାରିଦେବେ । କିନ୍ତୁ ପ୍ରତିମୁହୂର୍ତ୍ତରେ ପତ୍ନୀର ଅନୁପସ୍ଥିତିକୁ ଗଭୀର ଭାବରେ ଅନୁଭବ କରିଥିଲେ । କିଛି ଭଲ ଲାଗେନି । ଏଣେତେଣେ ବୁଲି ଆସନ୍ତି । ବେଳେବେଳେ ରାତିରେ, ନଖାଇ ଶୋଇ ପଡ଼ନ୍ତି ।

 

ଦିନେ ଟେଲିଗ୍ରାମ ପାଇଲେ ଯେ ତାଙ୍କର ଝିଅଟିଏ ହୋଇଛି । ସେ ଯେ ସନ୍ତାନର ପିତା ହେଲେ ଏକଥା ଭାବି ଖୁସିରେ ଅଧୀର ହୋଇ ଯାଇଥିଲେ । କନ୍ୟାର ଜନ୍ମଉତ୍ସବ ପାଳନ ପାଇଁ ଶଶୁରଙ୍କ ଚିଠି ପାଇ ମାମୁଁ ମାଇଁଙ୍କ ସହ ସେ ମାଣିକଗଡ଼ରେ ପହଞ୍ଚିଥିଲେ । ନବଜାତକକୁ ଦେଖି ତାଙ୍କ ପିତୃହୃଦୟରେ ବାତ୍ସଲ୍ୟ ମମତାର ସ୍ରୋତ ଖେଳି ଯାଇଥିଲା । ନିଜେ ନାମକରଣ କରିଥିଲେ ‘ଅର୍ଚ୍ଚନା’ । ମାଣିକଗଡ଼ରେ ଦୁଇଦିନ ରହି ଫେରି ଆସିଥିଲେ ସେ । ଅର୍ଚ୍ଚନାକୁ ଦୁଇଟି ମାସ ହେବା ପରେ ଯାଜ୍ଞସେନୀ ଝିଅକୁ ନେଇ ତାଙ୍କ ପାଖକୁ ଆସିଥିଲେ ।

 

କୌଣସି କାମରେ ମନ ନଦେଇ ଦିନରାତି ପତ୍ନୀ ଆଉ ଝିଅକୁ ନେଇ ସୁଖରେ ମାତି ଉଠିଥିଲେ । ଏମିତି କି ଲିଜର ପିରିଡ଼ିଟାଏ ପାଇଲେ, ଘରକୁ ପଳାଇ ଆସୁଥିଲେ । କାରଣ ନଥାଇ ଛୁଟି ନେଉଥଲେ । ଶିଶୁ ଅର୍ଚ୍ଚନାର ଆକର୍ଷଣ ତାଙ୍କୁ ଟାଣି ଆଣୁଥିଲା । ଯଦିଓ ଅର୍ଚ୍ଚନା ଦେଖିବାକୁ ଯାଜ୍ଞସେନୀ ପରି କିନ୍ତୁ ରଙ୍ଗ ଆନନ୍ଦଙ୍କ ପରି ହୋଇଥିଲା । ପତ୍ନୀ ଓ କନ୍ୟାକୁ ନେଇ ସୁଖରେ ଅଣନିଃଶ୍ଵାସୀ ହୋଇପଡ଼ିଥିବା ବେଳେ ରତ୍ନମଣୀର ବିଧବା ସମ୍ବାଦ ପାଇଥିଲେ । ବଉଳର ବିଧବା-! ହେବାଖବର ପାଇଁ କାନ୍ଦୁଥିଲା ଯଜ୍ଞ । ଅର୍ଚ୍ଚନାର ଜନ୍ମଉତ୍ସବବେଳେ ରତ୍ନମଣୀ ପୁଅକୁ ନେଇ ମାଣିକଗଡ଼ ଆସିଥିଲା । ସେଇଠି ପରିଚୟ ହୋଇଥିଲା ରତ୍ନମଣୀଙ୍କ ସହିତ । ଆଇ ଦେଖିଥିଲେ ପାର୍ଥଙ୍କୁ । ସେଇ ଅଳ୍ପ ବୟସରୁ ପାର୍ଥ ସ୍ଵତନ୍ତ୍ର ବୋଲି ସେ ଅନୁମାନ କରିଥିଲେ । ଧୀରସ୍ଥିର, ଚୁପ୍‌ଚାପ୍ ପାର୍ଥକୁ ଦେଖିବାକ୍ଷଣୀ ମୁଗ୍‌ଧ ହୋଇଥିଲେ ଆନନ୍ଦଶଙ୍କର । ଆଉ ଦୁଇ ବାନ୍ଧବୀଙ୍କୁ ପରିହାସ କରି କହିଥିଲେ,

 

ପିଲାଦିନେ ତ ସମୃଧୁଣି ଡକାଡ଼କି ହେଉଥିଲ । ଏବେ ଜଣଙ୍କର ପୁଅ ଆଉ ଜଣଙ୍କର ଝିଅ ହେଲା । ସତରେ ଦୁହେ ସମୃଦୁଣୀ ହୋଇଯାଅ ?

 

ଆନନ୍ଦଶଙ୍କରଙ୍କର କଥା ଶୁଣି କହିଥିଲେ,

 

ଆପଣମାନେ ଆଉ ଆମେ ? ଆକାଶ ପାତାଳ ଫରକ୍ । ଏତେ ବଡ଼ ଭାଗ୍ୟ ମୋର କଣ ହେବ ?

 

ବଉଳ କଥା ଶୁଣି ଯାଜ୍ଞସେନୀ କହିଥିଲା, ସେମିତ କଥା କାହିଁକି କହୁଚୁ ବଉଳ ? ମୋ ଝିଅ ସାଥିରେ ତୋ ପୁଅର ବାହାଘର ନିଶ୍ଚୟ ହେବ । ଯଦି ସେତେଦିନ ପର୍ଯ୍ୟନ୍ତ ବଞ୍ଚିଥାଏ । ତେବେ ଶପଥ ରଖିବି । ଯଦି ମରିଯାଏ, ତେବେ ଝିଅର ବାପା ସେ କଥା ଜାଣିବେ ।

 

ଆହା କେଉଁ ଅଶୁଭ କ୍ଷଣରେ ସତେ ଯାଜ୍ଞସେନି ମୁହଁ ରୁ ସେକଥା ବାହାରିଥିଲା ।

 

ଦିନଟା ଥିଲା ଶନିବାର । ଶେଷ ଚାରିପିରିଅଡ୍ ଲିଜର ଥାଏ । ଶିଶୁ ଅର୍ଚ୍ଚନାର ଦରୋଟି କଥା, ହସ ତାଙ୍କ ପାଇଁ ପ୍ରାଣ ପ୍ରାଚ୍ୟୁର୍ଯ୍ୟ ହୋଇଯାଇଥାଏ । ଝିଅ ପାଖେ ରହିବାକୁ ପ୍ରବଳ ଇଚ୍ଛା । ଛୁଟି ହେବାକ୍ଷଣି ଘରକୁ ଚାଲିଆସନ୍ତି । ସେଇମିତି ଦିନେ କଲେଜରୁ ଆସୁଥିଲେ ଗେଟ ପାଖରେ ପିଅନ ଆଣି ଚିଠିଟିଏ ବଢ଼ାଇଦେଲା । ରିକସାରେ ବସିପଡ଼ି ଚିଠିଟି ଖୋଲି ପଢ଼ିଲେ,

 

‘‘ପୁଅ ବୋଲି ସମ୍ବୋଧନ କରିବାକୁ ସାହସ ହେଉନି । ତେବେ ତୁମ ବାପା ଯେତେବେଳେ ଅସହାୟ କୁମାରୀକୁ ବିବାହ କରି ଘରକୁ ଆଣିଥିଲେ ସେହି ଦୃଷ୍ଟିରୁ ତୁମେ ମୋ ପୁଅ । ସେଇ ଅଧିକାର ନେଇ ଚିଠି ଲେଖିବାକୁ ସାହାସ କଲି । କେବେ କ’ଣ ମନେପଡ଼ୁନି ମୋ ପରି ଏକ ଦୁଃଖି ମାଆଟିର କଥା ? କେମିତି ଭାବରେ ବଞ୍ଚି ରହିଚି ବୋଲି କ’ଣ ଜାଣିବାକୁ ଇଚ୍ଛା ହେଉନି ?

 

ପ୍ରେରକ କିଏ, ଚିଠିଟା ପଢ଼ି ଜାଣି ପାରିଥିଲେ । ଆଖି ସାମନାରେ ଅନେକ ଦିନ ତଳର ସେହି ଦୃଶ୍ୟଟି ମନେ ପଡ଼ିଲା । ଗୋଟିଏ ଅବଗୁଣ୍ଠନବତୀ ରମଣୀ । ଯାହାକୁ କେବେ ଦେଖିନଥିଲେ ଆନନ୍ଦ । ବାହାଘର ବେଳେ ମାମୁଁ ମାଇଁ ଖବର ଦେଇଥିଲେ । କୌଣସି ପ୍ରତିଉତ୍ତର ସେମାନଙ୍କଠାରୁ ପାଇ ନଥିଲେ । ଯେଉଁ ବାପର ମାଆମଲା ସନ୍ତାନ ପ୍ରତି କୌଣସି ସ୍ନେହମମତା ନାହିଁ, ସେଇଠିକୁ ଅଭିମାନ ମନରେ ଆଉ କୌଣସି ଦିନ ଫେରି ଯାଇନଥିଲେ । ଅନେକ ଦିନୁତ ସମ୍ବନ୍ଧ ତ୍ରୁଟି ଯାଇଥିଲା । ଜନ୍ମସ୍ଥାନକୁ ଫେରିଯିବାର କୌଣସି ଆକର୍ଷଣ ଆସି ନଥିଲା ତାଙ୍କ ମନରେ ।

 

କିନ୍ତୁ ସେ ଅଳ୍ପଶିକ୍ଷା ପାଇଥିବା ଅକ୍ଷରରେ କି ଆକର୍ଷଣ ଥିଲା କେଜାଣି ଅନେକ ବର୍ଷ ପରେ ଟାଣି ହୋଇଯାଇଥିଲେ ଜନ୍ମସ୍ଥାନକୁ । ଘରକୁ ଫେରିଗଲେ ହୁଏତ ଯଜ୍ଞ ବାରଣ କରିବ, ସେଇଥିପାଇଁ କଲେଜରୁ ସିଧା ବସ୍ ଷ୍ଟାଣ୍ଡକୁ ଯାଇଥିଲେ । ଟିକେଟ ଟିଏ କାଟି ବସରେ ବସିଥିଲେ-। ସଞ୍ଜ ବୁଡ଼ୁବୁଡ଼ୁ ଭବାନୀପୁର ଗାଁରେ ପହଞ୍ଚି ଯାଇଥିଲେ । ଦୀର୍ଘ ଅନେକ ବର୍ଷ ପରେ ଜନ୍ମମାଟିରେ ପାଦପକାଇ ଆନନ୍ଦର ପୁଲକ ଖେଳିଗଲା ତାଙ୍କ ମନରେ ।

 

ଅନେକ କିଛି ପରିବର୍ତ୍ତନ ହୋଇଯାଇଥିଲା ଭବାନୀପୁର । ଧୁଳିଧୁସରିତ ଗ୍ରାମ ପଥ ବଦଳରେ ସୁନ୍ଦର ପିଚୁଢ଼ଳା ରାସ୍ତା । ରାସ୍ତାରେ ବିଜୁଳିବତୀ । ମହାନଦୀ ଉପରେ ବ୍ରିଜ୍ ହୋଇ ତାଙ୍କ ଗାଁ । ବାଟଦେଇ ପ୍ରତିଦିନ ଟ୍ରକ ଯିବା ଆସିବା କରୁଚି । ପାହାଡ଼ରୁ ଟ୍ରକବୋଝେଇ ଲୁହାପଥର ଯାଉଚି । ଅନେକ ପରିବର୍ତ୍ତନ ହୋଇଥିଲା । ବସ୍‌ଷ୍ଟାଣ୍ଡରେ ରିକ୍‌ସା । ଅଧିକାଂଶ ଘର ମାଟି ଚାଳ ବଦଳରେ ଚୂନ ଧଉଳା ସିମେଟ ଘର । ତେବେ ଭିତରେ ଗାଁ । ଲୋକମାନେ ସୁଖୀ କି ଦୁଃଖି ସେଇମାନେ ଜାଣିଥିବେ । ସେ ପଢ଼ୁଥିବା ଗାଁ ମୁଣ୍ଡର ଛପରଛାଉଣୀ ମାଟିର ସ୍କୁଲପରିବର୍ତ୍ତେ ଧଳା ଚକ୍‌ଚକ୍ ବଡ଼ କୋଠାଘରର ହାଇସ୍କୁଲ । କମ୍ପାଉଣ୍ଡ, ଭିତର ହଷ୍ଟେଲ ଦେଖାଥିଲା । ଆଉ ଟିକିଏ ଆଗକୁ ଯାଇ ଦେଖିଲେ ପ୍ରାଇମେରୀ ହେଲ୍‌ଥ ସେଣ୍ଟର, ବ୍ଲକ ଅଫିସ ସମବାୟ ଷ୍ଟୋର । ଅନେକ କିଛି । ତାଙ୍କ ପିଲାବେଳେ ମନେଥିଲା ସାମାନ୍ୟ ରୋଗ ହେଲେ ଚିକିତ୍ସା ଅଭାବରୁ ଲୋକେ ମରିଯାଉଥିଲେ । ସହରକୁ ଯିବାର ସୁବିଧା ନଥିଲା । ତା ଛଡ଼ା ଅନେକ ଖର୍ଚ୍ଚ । ଲୋକେ ତାହେଲେ ସୁବିଧାରେ ଔଷଧପତ୍ର, ଚିକିତ୍ସା ପାଇବେ, ସମବାୟ ଷ୍ଟୋରରୁ ସୁବିଧା ଦରରେ ଖାଉଟି ଜିନିଷ ପାଉଥିବେ ଭାବି ଖୁସି ହୋଇଥିଲେ । କିନ୍ତୁ ସତରେ ସେମାନେ କ’ଣ ଲାଭ ପାଇଥିଲେ ସେଇ ଭବାନୀପୁରର ଲୋକମାନେ କହି ପାରିବେ କେବଳ ।

 

କିଛି ବାଟ ଆଗେଇ ଯାଇ ଏପାଖ ସେପାଖ ଚାହିଁଥିଲେ । ନିଜ ନିଜ ଘର ବାଟରେ ବସି ସ୍ତ୍ରୀ, ପୁରୁଷମାନେ ନିଜ କାମରେ ବ୍ୟସ୍ତଥିଲେ । ତାଙ୍କୁ କେହି ଚିହ୍ନି ପାରିଲେନି । କୌଣସି ଚିହ୍ନା ମୁହଁ ଟିଏ ତାଙ୍କ ଆଗରେ ପଡ଼ି ନଥିଲା । ନିଜ ଘରଟି ଯେ କେଉଁଠି ହୋଇପାରେ ଅନୁମାନ କରିପାରି ନଥିଲେ । ଅଳ୍ପ ଦୂରରେ ଖେଳୁଥିବା ପିଲାମାନଙ୍କ ପାଖକୁ ଯାଇଥିଲେ । ସେମାନେ ଆନନ୍ଦଙ୍କୁ ପ୍ରଶ୍ନବାଚି ଦୃଷ୍ଟିରେ ଅନାଇ ରହିଥିଲେ । ସେମାନଙ୍କୁ ଦେଖି ଆନନ୍ଦଙ୍କର ପିଲାଦିନର କଥା ମନେପଡ଼ିଲା । ସେଇ ପିଲମାନଙ୍କ ଭଳି ସେ ଦିନେ ଗାଁ ଦାଣ୍ଡରେ ଖେଳୁଥିଲେ । ବୁଲୁଥିଲେ । ଆଜି ସେ ଅପରିଚିତ । ଗୋଟିଏ ପିଲାକୁ ଡାକି ତାଙ୍କୁ ନନାଙ୍କ ନାଁ ଧରି କହିବାରୁ ସେ ନେଇ ଗୋଟିଏ ଘର ଦ୍ଵାର ମୁହଁକୁ ନେଇଯାଇଥିଲା ଆଉ କବାଟ ବାଡ଼େଇ ବାଡ଼େଲ ଡାକିଥିଲା, ଆନନ୍ଦ ବୋଉ ଖୁଡ଼ୀ, ଆନନ୍ଦବୋଉ ଖୁଡ଼ୀ ।

 

ଛାତି ଭିତରଟା କରୁଣ ହୋଇଯାଇଥିଲା । ସେ ନ ଥାଇ ମଧ୍ୟ, ତାକୁ ନ ଦେଖି ମଧ୍ୟ ଜଣଙ୍କର ପୁଅ ହୋଇପାରିଛନ୍ତି । ଏଇ କଥା ମନେକରି, ଆନନ୍ଦ ଅନାଇଲେ ତାଙ୍କ ଜନ୍ମସ୍ଥଳୀକୁ । ଜରାଜୀର୍ଣ୍ଣ ଘର । ଯତ୍ନ ଆଉ ମରାମତି ଅଭାବରେ ଭାଙ୍ଗିଯିବାକୁ ବସିଲାଣି ।

 

ଚୁନ ବଦଳରେ ମାଟି ଲିପା ହୋଇଚି । ଭିତରୁ କବାଟ ବନ୍ଦ ଥିଲା । ପିଲାଟି କବାଟ ବାଡ଼େଇବା କ୍ଷଣି, ଆନନ୍ଦ ଭାବିଥିଲେ ନନାଙ୍କୁ ଦେଖିବେ । ନନା କ’ଣ ତାକୁ ଆଦର କରି କୋଳେଇ ନେବେନି । ଆନନ୍ଦ ନିଜେ ପୁଣି ବାପା ହେଇଛନ୍ତି । ସବୁ ଭୁଲି ସେ ନନାଙ୍କ ଗୋଡ଼ତଳେ ପଡ଼ିଯିବେ ।

 

ଜାଉଁଳି କବାଟ କେଁ କେଁ ଶବ୍ଦ କରି ଖେଳିଗଲା । ମୁଣ୍ଡରେ ଓଢ଼ଣା ଟାଣି ବାହାରକୁ ମୁଣ୍ଡ ବାହାରକରି କହିଲେ,

 

କ’ଣ କିରେ ମଦନ ?

 

ସେଇ ପିଲାଟି ଯିଏ ଆଣି ଛାଡ଼ି ଦେଇଥିଲା ସେ କହିଲା

 

ଏଇ ବାବୁଜଣକ ତୁମ ଘର ପଚାରୁଥିଲେ । କହି ଦଉଡ଼ି ଦଉଡ଼ି ଖେଳ ଯାଗାକୁ ଚାଲି ଯାଇଥିଲା ।

 

କାହାକୁ ଖୋଜୁଚ ? ପ୍ରଶ୍ନ କରିଥିଲେ ସେ ।

 

ଏଇଟା ରୁଦ୍ରଶଙ୍କର…..

 

ତାଙ୍କ କଥା ଅଧା ରଖି ସେ କହିଥିଲେ,

 

ହଁ ।

 

ମୁଁ ତାଙ୍କ ପୁଅ… । ଗଳାରେ ଯୋରଦେଇ କହିଥିଲେ ।

 

ଆନନ୍ଦ । ସଂପୂର୍ଣ୍ଣ କଲେ ସ୍ତ୍ରୀଲୋକ ଜଣକ । ତାପରେ ଓଢ଼ଣା ଟାକୁ ମୁଣ୍ଡରୁ ତଳକୁ ଘୁଞ୍ଚାଇଦେଇ କହିଥିଲେ,

 

ମୁଁ, ତୁମ ବୋଉ ।

 

ବୋଉ ବୋଲି ଜାଣିପାରି ତାଙ୍କ ଗୋଡ଼ ଛୁଇଁ ପ୍ରଣାମ କରିଥିଲେ ଆନନ୍ଦ । ଖୁସିରେ ଅତିଶଯ୍ୟ ହୋଇ ଓଢ଼ଣାଟା ସଂପୂର୍ଣ୍ଣ ଖସି ଯାଇଥିଲା ତାଙ୍କର । ଆନନ୍ଦ ଦେଖିଲେ ତୈଳହୀନ ଋକ୍ଷମେଶ, ମଳିନ ବେଶବାସ, ନିରାଭରଣ । ସବୁ ଦେଖି ଜାଣିପାରିଥିଲେ ତାଙ୍କ ନନା ଆଉ ନାହାନ୍ତି । ଆଖିରେ ଲୁଗା ଚାପି କୋହଭରା କଣ୍ଠରେ ଡାକିଥିଲେ,

 

ଭିତରକୁ ଆସ ।

 

ବୋଉଙ୍କ ପଛେ ପଛେ ଭିତରକୁ ଯାଇଥିଲେ ଆନନ୍ଦ । ଯେଉଁ ଘରେ ତାଙ୍କର ବାଳକ ବୟସର କିଛି ଦିନ ବିତିଥିଲା ତାକୁ ଚାହିଁଲେ । ଗୋଟିଏ ହାତ ନଥିବା ଭଙ୍ଗା ଚୌକିରେ ବସିବାକୁ କହି ଯେଉଁ ଘରେ ଜେଜେମା ଶ୍ୟାମାମଣୀ ଶୋଇଥିଲେ । ସେ ଘରକୁ ପଶିଯାଇ ଲଣ୍ଠନଟିଏ ଜଳାଇ ଆଣି ରଖିଦେଇ ଚାଲି ଯାଉଥିଲେ । ଲଣ୍ଠନର କାଚଟି ଅଳ୍ପ ଭାଙ୍ଗି ଯାଇଥିଲା । ସେହି ଭଙ୍ଗା ବାଟ ଦେଇ ପବନ ପଶି ଧପ୍ ଧପ୍ କରୁଥିଲା । ଲିଭିଗଲେ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯିବ । ସତେ ଯେମିତି ଭୂତକୋଠି ଭିତରେ ଅଦୃଶ୍ୟ ଶକ୍ତି ତାଙ୍କୁ ବନ୍ଦୀ କରି ଦେଉଚି, ସେମିତି ମନେ ହେଉଥିଲା । ତାପରେ ଶୁଣିଲେ ହୁଏତ ତାଙ୍କ ବୋଉ କହୁଥିଲେ କାହାକୁ,

 

ସପନମାଆ । ଗଲୁ ଇସ୍କୁଲ ପାଖ ଗୁଡ଼ିଆ ଦୋକାନରୁ ମିଠାଟିକେ କିଣି ଆଣିବୁ ।

 

ପଇସା ଦିଅ । ସପନି ମାଆର ଗଳା ।

 

ତାକୁ କହିବୁ କାଲି ସକାଳେ ଦେବି । ବୋଉଙ୍କ ଗଳା ।

 

ସେ କ’ଣ ସନ୍ଧ୍ୟାରେ ଉଧାର ଦେବ । ଦାନ୍ତ ମଳିଖିଆ ବୋଲେ ସରିଚି । ସେମିତି କରି କୋଠା ପିଟୁଚି ନା । ତେବେ ଯାଉଚି ।

 

ଆନନ୍ଦ ବୁଝି ପାରିଥିଲେ । କେତେ ଅଭାବରେ ଚଳୁଥିଲେ ତାଙ୍କ ବୋଉ । ପାଖକୁ ଆସିଲେ ତାଙ୍କ ବୋଉ ଭୁବନେଶ୍ଵରୀ ତାଙ୍କୁ ଦେଖି ଅନେକ କୋହଚାପି ଆନନ୍ଦ ପଚାରିଲେ,

 

ନନାଙ୍କର କ’ଣ ହେଇଥିଲା ?

 

କି ଜ୍ଵର ହେଲା କେଜାଣି ଛଅମାସ ଭୋଗିଲେ । ଦିନକୁ ଦିନ ସୁଖି କଣ୍ଟା ହେଇଗଲେ । କଥା କହିବାକୁ କଷ୍ଟ ଲାଗିଲା । ଯାହା ପଇସାପତ୍ର ଥିଲା ସବୁ ଖର୍ଚ୍ଚ ହେଲା । ଡାକ୍ତର ଚିକିତ୍ସା କଲେ-। ପନ୍ଦର ଦିନ ତଳେ । ରାତି ଅଧରେ ଖଟରୁ ଖସିପଡ଼ିଲେ । ଡାକ୍ତର ଡକାହେଲା । କଥା କହିବା ବନ୍ଦ କରି ଦେଇଥିଲେ । ଖାଲି ଠାରକରି ଯାହା କହୁଥାନ୍ତି । ଦୁଇ ଦିନ ପରେ ଚାଲିଗଲେ-। ବେମାର ପଡ଼ିବା ଦିନୁ କେତେ କହିଲି ଗୋଟିଏ ବୋଲି ପୁଅ ତୁମର ତାକୁ ଡକାଅ । ମନା କରିଥିଲେ କହିଥିଲେ, ‘‘ବାପା ହୋଇ ତା ପ୍ରତିତ କର୍ତ୍ତବ୍ୟ କରିନି । ଅସମୟରେ ତାର ସାହାଯ୍ୟ ପାଇଁ କାହିଁକି ଚାହଁବି । ସେ ବା କାହିଁକି ଆସିବ । ବାପା ବୋଲିତ ସେଇ ପିଲାଦିନୁ ଭୁଲିଯାଇଚି-। ସେ ଯେଉଁଠି ଥାଉ ସୁଖରେ ଥାଉ’’ ଖବର କାଗଜରୁ ବିଦେଶ ଯିବାକଥା, ଫେରିବ, କଥା ସବୁ ପଢ଼ି ମତେ କହନ୍ତି । ବାହାଘରକୁ ଯିବାର ଭାରି ଇଚ୍ଛା ଥିଲା, କହିଲେ, ‘‘ତୁମେ ତାର କିଏ ? ମୁଁ ନିଶ୍ଚୟ କହିଥିଲି’ ମୁଁ ତାର ବୋଉ । କହିଥିଲେ, “ନା, ତୁମେ ତାର କେହି ନୁହଁ । ଶେଷବେଳକୁ ଦିନେ କହିଥିଲେ ଯେ ତାଙ୍କ ପରେ ତୁମ ପାଖକୁ ଜଣାଇବାକୁ । ସେ ତୁମ ଦାୟିତ୍ଵ ନେବ ! ଆଖିରୁ ଲୁହ ପୋଛିଥିଲେ ତାଙ୍କ ବୋଉ ।

 

ମୋ ଠିକଣା କେମିତି ଜାଣିଲ ?

 

ପ୍ରଶ୍ନ କରିଥିଲେ ଆନନ୍ଦ । ତାଙ୍କ କଲେଜର ଜଣେ ପିଅନ ଭବାନୀପୁରର । ସେଇ ପିଅନ ପାଖରୁ ଆନନ୍ଦଙ୍କର ସବୁ ଖବର ପାଆନ୍ତି ବୋଲି ତାଙ୍କ ବୋଉ ଭୂବନେଶ୍ୱରୀ କହିଥିଲେ । ତାପରେ ଭବାନୀପୁରରେ ଦୁଇଟି ଦିନ ରହି ପୁରୁଣା ସମ୍ପର୍କୀୟମାନଙ୍କୁ ଦେଖା କରିଥିଲେ । କେତେ ଖୁସି ହୋଇଯାଇଥିଲେ ସେମାନେ ଆଉ ଯେଉଁମାନେ ତାଙ୍କର ସମ୍ପତି ଜବରଦସ୍ତ ଖାଉଥିଲେ ସେମାନେ ହୁଏତ ମନେ ମନେ ବିରକ୍ତ ହୋଇଥିବେ ନିଶ୍ଚୟ । ସେମାନଙ୍କୁ ଡାକି ସମସ୍ତଙ୍କ ସହିତ କଥାବାର୍ତ୍ତା କରି ଜମିବାଡ଼ି ଘର ସବୁ ବିକ୍ରି କରି ଦେଇଥିଲେ । ସେ ଟଙ୍କା ସବୁ ସ୍କୁଲ ଆଉ ଡାକ୍ତରଖାନକୁ ଦାନ କରି ଦେଇ ବୋଉଙ୍କୁ ଧରି ଫେରି ଆସିଥିଲେ । ଦୁଇ ଦିନ ପରେ ଟ୍ୟାକ୍‌ସିରୁ ଘର ବାଟ ମୁହଁରେ ଓହ୍ଲାଇ ଥିଲେ । ଝିଅକୁଧରି ବାଟରେ ଖେଳାଉଥିଲା ହରିଚରଣ । ତାଙ୍କୁ ଦେଖିବାକ୍ଷଣି ହରିଚରଣ କାଖରୁ ତାଙ୍କ ପାଖକୁ ଡେଇଁପଡ଼ିଥିଲା ଚିନୁ । ହରିଚରଣ କହିଥିଲା ଯେ ତାଙ୍କୁ ନଦେଖି ଦୁଇଦିନ ହେଲା ଯେଉଁ କାନ୍ଦ । ଝିଅକୁ ଆଦର କରି ସ୍ତ୍ରୀ ଉଦ୍ଦେଶ୍ୟରେ ଏପାଖ ସେପାଖ ଆଖି ପକାଇ ଆଣିଥିଲେ । କେଉଁଠି ଯଜ୍ଞକୁ ନଦେଖି ହରିଚରଣକୁ ପଚାରି ଥିଲେ । ହରିଚରଣ କହିଥିଲା ଯେ ଠାକୁର ଘରେ ପୂଜା କରୁଛନ୍ତି । ଦୁଇ ଦିନ ହେଲା ନଖାଇ ନପିଇ ଅସମ୍ଭାଳ ଅବସ୍ଥା । କଲେଜକୁ ଯାଇ ସେହି ପିଅନ ପାଖରୁ ଚିଠି ପାଇବାକଥା ଆସି କହିବାରୁ ଶାନ୍ତ ପଡ଼ିଥିଲେ ।

 

ଠାକୁର ଘର ବାଟ ମୁହଁକୁ ଯାଇ ଦେଖିଲେ ପିଠିସାରା କେଶ ଖୋଲା ପଡ଼ିଚି । ଆଖିରେ ଲୁହ । ଆନନ୍ଦଙ୍କୁ ଦେଖିଲାକ୍ଷଣି ତାଙ୍କ ହାତକୁ ଧରି କାନ୍ଦିଉଠି କହିଥିଲା,

 

ତୁମେ ମୋତେ ଏମିତି ମାନସିକ କଷ୍ଟ କାହିଁକି ଦେଉଚ ? ହାତଟିକୁ ଚାପି ଧରି କରୁଣ ଭାବରେ କହିଥିଲେ,

 

ଯଜ୍ଞ, ବୋଉ ଆସିଛନ୍ତି । ମୋ ନନା ଚାଲିଗଲେ । ଚିଠି ପାଇ ଗାଁକୁ ଯାଇଥିଲି । ଆସ ଉଠ । ସବୁକଥା ବୁଝିଥିଲା ଯଜ୍ଞ । ଅସ୍ତବ୍ୟସ୍ତ ହୋଇ ଶାଶୁଙ୍କୁ ଦେଖିବାକୁ ଉଠି ଆସିଥିଲା । ଏଇ ସାବତବୋଉ ପାଇଁ ଦିନେ ଜନ୍ମକଲା ବାପମାଆ ନଥିବା ପୁଅକୁ ବାଡ଼େଇ ଥିଲେ । ରାତାରାତି ଗାଁ ଛାଡ଼ି ମାମୁଘରକୁ ପଳାଇ ଆସିଥିଲେ । ବୋଲି ମାଇଁଙ୍କଠାରୁ ଶୁଣିଥିଲା ସିଏ । କିନ୍ତୁ ମନରେ କୌଣସି ଅଭିମାନ ନକରି ଚିଠି ପାଇ ସାବତ ବୋଉକୁ ନେଇ ଆସିଛନ୍ତି । କେତେ ମହତ ଆଉ ହୃଦୟବାନ୍ ତାଙ୍କ ସ୍ଵାମୀ ବୋଲି ଭାବିଥିଲେ । ପଛର ସବୁକଥା ଭୁଲିଯାଇ ଶାଶୁଙ୍କ ପରିଚର୍ଯ୍ୟାରେ ଲାଗି ପଡ଼ିଥିଲା ଯଜ୍ଞ ।

 

ବୋହୁକୁ ଛାତିରେ ଆଉଜାଇ ଆଦରରେ କହିଥିଲେ ଭୂବନେଶ୍ୱରୀ । ମୋତିଗଡ଼ରୁ ଅନେକ ଲୋକ ଭବାନୀପୁର ଆସନ୍ତି ତାଙ୍କରିମାନଙ୍କ ପାଖରୁ ଶୁଣିଥିଲେ, କିନ୍ତୁ ଆଖିରେ ଦେଖି ନ ଥିଲେ । ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ ଭଳି ବୋହୂ ତାଙ୍କର । ଦେଖିଲେ ସତେ ପେଟପୁରୀ ଯାଉଥିଲା-। ତାଙ୍କର ରାମ ପରି ପୁଅ ଆଉ ସୀତା ଠାକୁରାଣୀ ପରି ବୋହୁ । ପରିପୂର୍ଣ୍ଣ ସଂସାର । ଅଥଚ ସବୁଥାଇ ଏତେଦିନ ଧରି ସେ କେତେ ମାନସିକ ଯନ୍ତ୍ରଣା ଭୋଗିଥିଲେ । ତାଙ୍କରି ମେଳରେ ଭୁଲି ଯାଇଥିଲେ ତାଙ୍କର ଅସହାୟ ବୈଧବ୍ୟ ଜୀବନର ଯନ୍ତ୍ରଣା । ପୁଅକୁ ବଳି ପୁଅ, ବୋହୁକୁ ବଳି ବୋହୁ ଆଦର ଯତ୍ନ, ସ୍ନେହମମତା, ସମ୍ମାନ କେଉଁଥିରେ ଉଣା କରି ନଥିଲେ । ଆନନ୍ଦ ଓ ଯାଜ୍ଞସେନୀ । ଟିକି ନାତୁଣୀଟି ଦିନରାତି ତାଙ୍କ ପଛେ ପଛେ ମାଆ ମାଆ କହି ଧାଉଁଥିଲା । ତାଙ୍କ ହୃଦୟ ପରିପୂର୍ଣ୍ଣ ହୋଇ ଯାଇଥିଲା । କାରୁଣ୍ୟଭରା ଦୁର୍ବିସହ ଜୀବନର ଯନ୍ତ୍ରଣାକୁ ପାଶୋରୀ ଦେଇଥିଲେ । ସ୍ଵର୍ଗରାଜ୍ୟର ସନ୍ଧାନ ତାଙ୍କୁ ମିଳିଥିଲା ସତେ ।

 

ଆଉ ସ୍ଵର୍ଗ ରାଜ୍ୟର ସୁଖ ପାଇଲା ପରି ପାଇଥିଲେ ଆନନ୍ଦଶଙ୍କର । ସ୍ତ୍ରୀ, କନ୍ୟା, ବୋଉ ସମସ୍ତଙ୍କୁ ନେଇ ଆନନ୍ଦରେ ଦିନ ଗଡ଼ି ଯାଉଥିଲା । ସେହି ସୁଖୀ ଜୀବନରେ ଦେଖାଦେଲା ଆକସ୍ମିକ ଝଡ଼ ।

 

ଦ୍ଵିତୀୟ ସନ୍ତାନ ଜନ୍ମ ହେବାପୂର୍ବରୁ ବେଶିମାତ୍ରାରେ ଦୁର୍ବଳ ହୋଇ ଯାଉଥିଲା ଯଜ୍ଞ । ସଦା ଉଜ୍ଜ୍ୱଳ ଆଖି ଦୁଇଟା ମଳିନ ଆଉ ନିଶଭ୍ର ହୋଇ ଯାଉଥିଲା । ସବୁ ଲକ୍ଷ୍ୟ କରୁଥିଲେ ଆନନ୍ଦଶଙ୍କର । ରାତିରେ ଦେହରେ ଉତ୍ତାପ ଅନୁଭବ କରି ସ୍ପେସାଲିଷ୍ଟ ପାଖକୁ ନେଇ ଯାଇଥିଲେ-। ଅନ୍ୟ ଡାକ୍ତରମାନେ ମଧ୍ୟ ଦେଖିଲେ । ବିଶ୍ରାମ, ଯଥ୍ୟ, ଔଷଧ ସବୁର ବ୍ୟବସ୍ଥା ହେଲା । ଯଜ୍ଞର ସବୁ ଯତ୍ନ ନେଉଥିଲେ ସେ । ଦୁଇଓଳି ଡାକ୍ତରମାନଙ୍କୁ ପାଖକୁ ଯିବା ଆସିବା କରିବା ନିତି ଦିନିଆ କାମ ହୋଇ ଯାଇଥିଲା ।

 

ଜନ୍ମ ହେଲା ଦ୍ୱିତୀୟ ସନ୍ତାନ । ଅବସ୍ଥା ଖୁବ୍ ଗୁରୁତର ହେବାରୁ ନର୍ସିଂ ହୋମକୁ ନେଇଯିବାକୁ ହୋଇଥିଲା । ଖବର ପାଇ ଶାଶୁଶଶୁର ସମସ୍ତେ ଆସି ପହଞ୍ଚି ଯାଇଥିଲେ ଆଉ ମୋତିଗଡ଼ରୁ ମାମୁଁ ମାଇଁ ମଧ୍ୟ । ସମସ୍ତଙ୍କ ଅଜାଣତରେ ବ୍ଲଡ଼ କ୍ୟାନ୍‌ସର୍ ଜୀବାଣୁ ତାର ଦେହରେ ସଂକ୍ରମିତ ହୋଇଯାଇଥିଲା । ବଡ଼ବଡ଼ ଡାକ୍ତରମାନେ ଦିନରାତି ଚିକିତ୍ସା ଚଲାଇଲେ । ପାଣିପରି ପଇସା ଖର୍ଚ୍ଚ କରି ବାହାରୁ ଔଷଧ ମଗାଇ ଦିଆହେଲା । ଛୁଟି ନେଇ ଯଜ୍ଞ ପାଖରେ ଦିନରାତି ଜଗି ବସିଥାନ୍ତି ଆନନ୍ଦ । ଭୋକ ଶୋଷ ଭୁଲି ଯାଇଥିଲେ । ନିଷ୍ଫଳ ହୋଇଯାଇଥିଲା ଯତ୍ନ । ବିଫଳ ହୋଇଥିଲା ପରିଶ୍ରମ । ଆନନ୍ଦଙ୍କର ପ୍ରାଣଶୂନ୍ୟ କରି ଚାଲି ଯାଇଥିଲା ଯଜ୍ଞ ।

 

ଉଦ୍‌ଭ୍ରାନ୍ତ ହେଇଥିଲେ ଆନନ୍ଦଶଙ୍କର । ବିଭ୍ରାନ୍ତ ହୋଇଥିଲା ମନ । ଅହରହ ଛାତି ଭିତରେ ବାଜିଉଠିଥିଲା କାନ୍ଦଣାର ଲହରୀ, ଏକାକୀ ଦୂର ବେଦନା ଅନୁଭବ କରି ଆଖିରୁ ଝରି ଯାଉଥିଲା ନିରବ ଅଶ୍ରୁଧାର । ପତ୍ନୀର ପ୍ରତ୍ୟେକ ସ୍ମୃତି ତାଙ୍କୁ ଅସ୍ଥିର କରି ତୋଳୁଥିଲା । ଚତୁର୍ଦ୍ଦିଗରେ ବାତାବରଣ ଧ୍ଵନିତ ହୋଇଥିଲା ଯେମିତି, ସେ ନାହିଁ....ସେ ନାହିଁ । ତା ସହିତ ଯେ ତାଙ୍କର ଆଉ ଦେଖା ହୋଇପାରିବନି ଏକଥା ବିଶ୍ୱାସ କରି ପାରୁନଥିଲେ । ଦିନରାତି ଅସହ୍ୟ ପିଡ଼ାରେ ଜର୍ଜରିତ ହୋଇ ଖାଇବା ପିଇବା ଛାଡ଼ି ଆଖିରୁ ଲୁହ ଢାଳିଥିଲେ ।

 

ତାଙ୍କର ଏଇ ଅବସ୍ଥା ଦେଖି ସ୍ଵଳ୍ପଭାଷିଣୀ ଶାଶୁ ସୁଲକ୍ଷଣା ତାଙ୍କ ସାମନାକୁ ଆସି କହିଥିଲେ,

 

ଛୁଆ ଦୁଇଟାଙ୍କୁ ମୁଁ ନେଇ ଯାଉଚି । ସେ’ତ ରହିଲାନି । ତୁମେ ଆଉ ଥରେ ଘରସଂସାର କର । ତୁମର ଦୁଃଖ ଦେଖି ଛାତି ଫାଟି ଯାଉଚି ।

 

ନା, ଏ ଜୀବନରେ ଆଉ ସେକଥା ସମ୍ଭବ ନୁହେଁ । ଯଜ୍ଞର ସ୍ଥାନରେ ଆଉ କାହାକୁ ଥୋଇ ପାରିବେନି, ସେକଥା ହେଲେ ତାର ଭଲପାଇବା ପ୍ରତି ଅବମାନନା ହେବ । ତାର ସ୍ଥାନ ଆଉ କେହି ପୁରଣ କରି ପାରିବେନି । ଶାଶୁଙ୍କୁ ଏଇକଥା କହିଥିଲେ ସେ ।

 

ନାତୁଣୀର ମୃତ୍ୟୁ ସମ୍ବାଦ ପାଇ ଆକସ୍ମିକ ମୃତ୍ୟୁ ବରଣ କରିଥିଲେ ଜେଜେମାଆ ନିଳାମ୍ବରୀ । ବାଧ୍ୟହୋଇ ସୁଲକ୍ଷଣା ମାଣିକଗଡ଼ ଫେରି ଯାଇଥିଲେ । ଅର୍ଚ୍ଚନାକୁ ଛାଡ଼ି ନଥିଲେ ଆନନ୍ଦ । ତାକୁ ବାଦ୍ ଦେଲେ ସେ କ’ଣ ନେଇ ବଞ୍ଚିଥାନ୍ତେ ? ଜନ୍ମହେଲା ଝିଅକୁ ଗାଁକୁ ନେଇ ଚାଲି ଯାଇଥିଲେ ସୁଲକ୍ଷଣା ।

 

ଆନନ୍ଦଙ୍କର ହସଖୁସିର ସଂସାରରେ ଆକସ୍ମିକ ଏଇ ମେଘ ନଥିବା ବଜ୍ରପାତରେ ଗଭୀର ବ୍ୟଥା ପାଇଥିଲେ ଭୂବନେଶ୍ୱରୀ । ଆନନ୍ଦଙ୍କୁ କହିଥିଲେ,

 

ଏଇ ବିକଳ ଜୀବନ ଦେଖିବା ପାଇଁ ମୁଁ କ’ଣ ବଞ୍ଚି ରହିବି । ତା ଅପେକ୍ଷା ବରଂ କେଉଁ ତୀର୍ଥରେ ଯାଇ ରହିବି ।

 

ଶେଷରେ ସେଇ କଥା ହେଇଥିଲା । ବୃନ୍ଦାବନର ଏକ ଆଶ୍ରମରେ ତାଙ୍କର ରହିବା ବ୍ୟବସ୍ଥା କରିଦେଇଥିଲେ । ସେ ଚାଲି ଯାଇଥିଲେ ।

 

ବଉଳର ମୃତ୍ୟୁ ସମ୍ବାଦ ପାଇ ଧାଇଁ ଆସିଥିଲା ରତ୍ନମଣୀ । ସାଥିରେ ପାର୍ଥ । କେତେଅବା ବୟସ ସେତେବେଳେ ଛଅ କିମ୍ବା ସାତ ବର୍ଷ । ଦୁଇ ଦିନ ରହି ଯାଇଥିଲେ ରତ୍ନମଣୀ-। ଘର ଆଗରେ ବାଲିଘର କରି ପାର୍ଥ ଅର୍ଚ୍ଚନା ଖେଳିଥିଲେ । ଅର୍ଚ୍ଚନା ଯାଇ ଗୋଡ଼ରେ ସେ ବାଲିଘର ଭାଙ୍ଗି ଦେଇଥିଲା । କାହାକୁ କିଛି ନ କହି ଚୁପ୍ ହୋଇ ଉଠି ଯାଇଥିଲା । ଚିନୁ ସହିତ ଖେଳିନଥିଲା । ସେ ଦିନଯାକ ତା ସହ କଥା କହିନଥିଲା । ରତ୍ନମଣୀ ତାକୁ ଆଉ ଚିନୁକୁ ଡାକି ମିଶାଇ ଦେଇଥିଲେ । ଆଉ କହିଥିଲେ,

 

ସେ ପରା ତୋ ଜୀବନ ସାଥୀ । ତାକୁ ତୁ ବାହା ହେବୁ । ତା ସଙ୍ଗେ ଅପଡ଼ ହେଉଚୁ ? ସେଇ ଅଳ୍ପ ବୟସରୁ ପାର୍ଥ ବୁଝିଥିଲା ଅର୍ଚ୍ଚନାକୁ ସେ ବିବାହ କରିବ । ତାପରେ ହସି ହସି ଚିନୁର ହାତକୁ ଧରି ଖେଳିବାକୁ ଡାକି ନେଇଥିଲା ।

 

ଚାଲିଯିବାବେଳେ ରତ୍ନମଣୀ ତାଙ୍କୁ ବୁଝାଇଥିଲେ,

 

ଆପଣ କେତେବଡ଼ ବିଦ୍ଵାନ । କେତେ ଜାଣିବାର, ବୁଝିବାର । ଏମିତି ଯଦି ଧର୍ଯ୍ୟହରା ହେବେ ପିଲାଙ୍କୁ କିଏ ଦେଖିବ ? ମୋ କଥା ଥରେ ଭାବି ଦେଖନ୍ତୁ । ସ୍ଵାମୀହୀନା ଅସହାୟ ବିଧବା ମୁଁ । କେମିତି ଭାବରେ ବଞ୍ଚିଚି ? କ’ଣ ନେଇ ବଞ୍ଚିଛି ?? ତଥାପି ମତେ ବଞ୍ଚି ରହିବାକୁ ହେବ । ଏଇ ପାର୍ଥ ପାଇଁ । ତାଙ୍କ ସନ୍ତାନଙ୍କୁ ଉପଯୁକ୍ତ କରିବା ପାଇଁ । ମୃତ୍ୟୁ ସମୟରେ ପାର୍ଥର ବାପା କହିଯାଇଥିଲେ ଯେ ସ୍ଵାର୍ଥପର ଭଳି ଦୂରେଇ ଯାଉଚି । ଏତେ ଶୀଘ୍ର ଯଦି ଚାଲିଯିବାର ଜାଣିଥାନ୍ତେ ବିବାହ କରିନଥାନ୍ତେ ।

 

ରତ୍ନମଣୀ ଓ ପାର୍ଥ ଚାଲି ଯାଇଥିଲେ । ମନରେ କିଛି ଦୃଢ଼ତା ଆଉ ଶକ୍ତି ସଞ୍ଚୟ କରି ଜୀବନ ନିର୍ବାହ କଲେ । ସଙ୍ଗୀହେଲେ ହରିଚରଣ, ଆଉ ଶିଶୁ ଅର୍ଚ୍ଚନା । ତାଙ୍କର ଅତି ଆଦରର ‘ଚିନୁମାଆ’ । ସେଇ ଶିଶୁ ବୟସରୁ ସେ ତାଙ୍କର ସାଥୀ, ସଙ୍ଗୀ ସବୁକିଛି । କଲେଜରୁ ଫେରି ଆସି ଯେତେବେଳେ ପଚାରିବେ,

 

ତୁ ଖାଇଲୁଣି ମା ?

 

କୁନି କୁନି ହାତରେ ତାଙ୍କ ଗଳା ଭିଡ଼ି କହେ,

 

ତୁମେ ପଲା ଖାଇନ ।

 

ରାତି ଅନିଦ୍ରାର ଦୁଃଖ ଭୁଲିବା ପାଇଁ ଯେତେବେଳେ ବହି ପଢ଼ି ପଢ଼ି ସମୟ କଟାଇ ଦିଅନ୍ତି, ଦେଖନ୍ତି ନଶୋଇ ବିଛଣାରେ ଏପାଖ ସେପାଖ ହେଉଚି ପଚାରନ୍ତି,

 

କିରେ ମା, ତୁ ଶୋଇନୁ ?

 

ଆସ୍ତେ କହିବ, ତୁମେ ପଲା ଶୋଇନ ।

 

ପୂର୍ବଭଳି ଶୋଇବା ଘରେ ପାଖାପାଖି ଦୁଇଟି ଖଟ ପଡ଼ିଥାଏ । ଗୋଟିଏ ଖଟରେ ସେ ଚିନୁକୁଧରି ଶୋଉଥଲେ । ଅନ୍ୟଟିରେ ଯଜ୍ଞର ବଡ଼ ତୈଳଚିତ୍ରଟିଏ ରଖି ଦେଇଥିଲେ । ତଳେ ନଶୋଇ ତାଙ୍କ ଛାତି ଉପରେ ଶୁଏ । ତଳେ ଶୋଇ ଦେଲେ କାନ୍ଦିଉଠୁଥିଲା । ତିନି ବର୍ଷ ବୟସରୁ ଛାଇପରି ତାଙ୍କ ପଛେ ପଛେ ଲାଗିଥିଲା ।

 

ପରିବର୍ତ୍ତନଶୀଳ ପୃଥିବୀ । ନୂତନ ହେଲା ପୁରାତନ । ସମୟର ନଈ ବୋହିଯାଏ । ପ୍ରଥମେ ଭୂବନେଶ୍ଵରୀଙ୍କ ମୃତ୍ୟୁ ସମ୍ବାଦ ଆସିଥିଲା । ତାର କେତେ ବର୍ଷ ପରେ ମାମୁଁଙ୍କ ମରିବାର ବର୍ଷ ପୂରୁପୂରୁ ମାଇଁ ଚାଲିଯାଇଥିଲେ । ଯେଉଁମାନେ ତାଙ୍କ ଜୀବନ ସହିତ ଜଡ଼ିତ ହୋଇଥଲେ, ଆସ୍ତେ ଆସ୍ତେ ସମସ୍ତେ ଦୂରେଇ ଗଲେ । ସମସ୍ତଙ୍କ ସ୍ମୃତି ପାଶୋରୀ ହୋଇଯାଏ କିନ୍ତୁ ଯଜ୍ଞର ମୃତ୍ୟୁ ଅନ୍ୟମାନଙ୍କ ପାଇଁ ଯେତେ ସହଜ, ଆନନ୍ଦଙ୍କ ପାଇଁ ସହଜ ହୋଇ ଯାଇନଥିଲା । ଯଜ୍ଞର ସ୍ମୃତି ଉତ୍ପୀଡ଼ନ କରେ । ଦିନେଦିନେ ରାତି ପାହିବାର ଅନେକ ପୁର୍ବରୁ ନିଦ ଭାଙ୍ଗିଯାଏ । ଯଜ୍ଞର ଫଟୋ ପାଖକୁ ଉଠି ଆସନ୍ତି । ଚାହିଁ ରହନ୍ତି ଏକଲୟରେ । ଅସ୍ଥିରତା ଦେଖାଦିଏ । କେମିତି ଏକ ଶୂନ୍ୟତା ବୋଧ । ଆଖିରୁ ଲୁହ ଟୋପା ବାହାରି ଆସେ । ଠିକ ସେତିକିବେଳେ କହିବ,

 

ବାବା ତୁମ ଦେହ ଭଲନାହିଁ ଆସ ଶୋଇବ । ତୁମେ ଶୋଇବ ମୁଁ ତୁମ ମୁଣ୍ଡ ଆଉଁସି ଦେବି । ଗପ କହି ଶୁଆଇ ଦେବି । ଅବିକଳ ସେମିତି ସବୁକଥା ସେ ତାକୁ ଶୋଇଲାବେଳେ କହିଥାନ୍ତି । ଅପରିପକ୍ୱ ବୟସରୁ ବାବା ପାଇଁ କେତେ ସଜାଗ । ହରିଚରଣ ମନାକଲେ ତାଙ୍କ ପାଇଁ ପାଣି ଗ୍ଲାସ ଆଣି ରଖିବ ଖାଇଲାବେଳେ । ଗ୍ଲାସରୁ ଚହଲି ଚହଲି ପାଣି ପଛେ ଅଧା ଗ୍ଲାସ ହୋଇଯାଇଥିବ ତଥାପି ସେ ବାପ ପାଇଁ କାମ କରିବାକୁ ଆଗଭର ।

 

ଚିନୁ ପାଇଁ ସେ ବାହାର ଜଗତରୁ ବିଚ୍ଛିନ୍ନ ହୋଇଥିଲେ । ସାଙ୍ଗ ସାଥୀ ସବୁତ ଭୁଲିଥିଲେ ଯଜ୍ଞ ବଞ୍ଚିଥିବା ବେଳୁ । ପିରିଅଡ଼୍ ଓଭର ହେଉ ହେଉ ଘରକୁ ପଳାଇ ଆସନ୍ତି । ଏକୁଟିଆ କ’ଣ କରୁଥିବ । କାନ୍ଦୁଥିବ । ଏଇ ଭବନାରେ ।

 

ଆସ୍ତେ ଆସ୍ତେ ଚିନୁ ବଡ଼ ହେଲା । ପାଠ ପଢ଼ିଲା । ସାଙ୍ଗରେ ଖୁଆଇ ପିଆଇ ନେଇ ଯାଉଥିଲେ । ସ୍କୁଲରେ ଛାଡ଼ି କଲେଜ ଯାଆନ୍ତି । ଫେରିଲାବେଳେ ନେଇ ଆସନ୍ତି । ଥରେ ତାଙ୍କୁ ଜର ହେଇଥିଲା । ପାଖରେ ବସି ମୁଣ୍ଡ ଚିପିଦେବ । କୁଆଡ଼େ ଛାଡ଼ି ଯିବନି । କେତେ ତାର ସେବା ମନୋଭାବ, ସେଇ ପିଲାବୟସରୁ ଜାଣିଥିଲେ । ଟିକେ ବଡ଼ ହେଲା ପରେ ପୋଷାକପତ୍ର ପରିଷ୍କାର ରଖିବା ଠାରୁ ପେନରେ କାଳି ପୂରାଇବା, ଜୋତା ସଫା କରି ଆଣି ପିନ୍ଧିବାକୁ ଦେବା, ସବୁ ଯେମିତି ତାର କାମ ବୋଲି ଭାବି ନେଇଥିଲା । ସତେ ଯେମିତି ଆନନ୍ଦଙ୍କର ବୋଉ ତାଙ୍କର ଝିଅ ହୋଇ ଜନ୍ମ ହୋଇଥିଲା । ତାର ପ୍ରତ୍ୟେକ ଆଚରଣ ମାଧୁର୍ଯ୍ୟଭରା । ହସିଲେ ଆସ୍ତେ ହସିବ । କଥା କହିଲେ ବଡ଼ପାଟି କରିବନି । ତାଙ୍କ ଜାଣିବାରେ ତା ଆଖିରୁ କେବେ ଲୁହ ଝରିବା ସେ ଦେଖିନଥିଲେ । କିନ୍ତୁ ଆଜି କେତେବଡ଼ ଯନ୍ତ୍ରଣାକୁ ଚାପି, ଜୀବନର ପରମ ସଂପଦକୁ ସାନ ଭଉଣୀ ପାଇଁ ତ୍ୟାଗ କରି ସର୍ବସଂହା ଧରିତ୍ରୀ ଭଳି ଦୂରେଇ ଗଲା । ସେତେବେଳେ କ’ଣ ସେ ଜାଣିଥିଲେ ଯେ ନିଜ ଲୁହକୁ ପିଇ, କୋହକୁ ଚାପି ତା ପାଇଁ କଣା ହୋଇଥିବା ଶାଢ଼ି ଗହଣାକୁ ସାନ ଭଉଣୀକୁ ପିନ୍ଧାଇ ସୁମନକୁ ବେଦୀକୁ ପଠାଇବାର କାରଣ ।

 

ଭଲକରି ଚିନୁର ମୁହଁକୁ ମନେପକାଇଲେ ସେ । କେତେ ସୁନ୍ଦର ଲାଜ ଶଙ୍କୋଚ ମିଶା ମୁହଁ । ତା ବୋଉ ପରି ତାର ଆଖି ଦୁଇଟି ସ୍ଵତନ୍ତ୍ର । ସେ ଆଖିରେ ସମସ୍ତଙ୍କ ପାଇଁ କରୁଣା ଏକତ୍ରିତ ଯେମିତି । ଗଭୀର ଆତ୍ମବିଶ୍ୱାସ ଆଉ ଦୃଢ଼ତାର ସଙ୍କଳ୍ପ ନେଇ ଅନିଶ୍ଚିତ ପଥରେ ଆଗେଇ ଯାଇଚି ତାଙ୍କର ଚିନୁ । ନିଜ ମଥାକୁ ଚାପି ଧରି କହିଲେ,

 

ଆଃ ଚିନୁ, ତୋ ଜୀବନରେ ଏଇ ବିୟୋଗାତ୍ମକ ନାଟକ ଦେଖିବି ବୋଲି ମୁଁ କଣ ତୋତେ ଏକାକୀ ଏତେବାଟ ଆଗେଇ ଆଣିଥିଲି ମା ? ତାପରେ ମନକୁ ମନ କହିବାକୁ ଲାଗିଲେ,

 

ପାର୍ଥ, ତୁମେ ଏ କ’ଣ କଲ ? ଭଦ୍ରତାର ଆବରଣ ଗଲେ ଏତେ ନିମ୍ନଗାମୀ ତୁମର ମନ ?? କେଉଁଠି ଲୁଚାଇ ରଖିଥିଲ । କ୍ଷଣିକ ଉତ୍ତେଜନାର ପ୍ରଲୋଭନ ତୁମ ବଳିଷ୍ଠ ଚରିତ୍ରକୁ ଏଡ଼ିଦେଇ ପାରିଲାନି ?? ସେଇ ଆଦିମକ୍ଷୁଧା, ଜଣକ ଆଖିରୁ ଲୁହର ଶ୍ରାବଣ ଝରାଇ ଆଉ ଜଣଙ୍କର ଜୀବନରେ ଫଗୁଣର ସବୁଜ ସୁଷମା ମଣ୍ଡିତ କରିବାକୁ ଗଲ ।

 

ଅର୍ଚ୍ଚନା ତୁମକୁ ବିବାହ କରିଥାନ୍ତା ପାର୍ଥ । ତୁମକୁ ଆଶ୍ରୟ କରି ଲତା ପତ୍ର, ପୁଷ୍ପରେ ଶୋଭିତ ହୋଇଥାନ୍ତା । ନିଜେ ପରିପୂର୍ଣ୍ଣା ହେବା ସଙ୍ଗେ ସଙ୍ଗେ ତୁମ ଜୀବନକୁ ସରସ, ସୁନ୍ଦର ମଧୁମୟ କରିଥାନ୍ତା । ଏମିତ ଭାବରେ ତାର ଚିର ବସନ୍ତ ମନରେ ବର୍ଷାର ଝରଣ ସୃଷ୍ଟି କରି ତାକୁ ନିଃଶେଷ କରିଦେଲ କାହିଁକି ?

 

ପାର୍ଥ ପ୍ରତି ଦିନେ ଅଧିକ ମାତ୍ରାରେ ଆକୃଷ୍ଟ ହୋଇପଡ଼ିଥିଲେ । ତା ପରିବର୍ତ୍ତେ ଘୃଣାର ଶୀକାର ଉଠିଲା ମନରେ । ଛିଃ, ଏମାନେ ପୁଣି ଶହ ଶହ ଛାତ୍ରମାନଙ୍କର ଚରିତ୍ର ଗଠନ କରିବାର ଦାୟିତ୍ଵ ନେଇଛନ୍ତି ।

 

ଯାଜ୍ଞସେନୀର ଆକସ୍ମିକ ମୃତ୍ୟୁ ଦିନ ଯେଉଁଭଳି ମାନସିକ ଯନ୍ତ୍ରଣା ଭୋଗିଥିଲେ, ଆଜି କନ୍ୟାର ବିଚ୍ଛେଦରେ ଅନେକ ଦିନ ପରେ ସେଇଭଳି ମାନସିକ ଯନ୍ତ୍ରଣା ଅନୁଭବ କଲେ ସେ । ଆଜି ସେ ଏକା । ବଡ଼ ଏକା । ଅନେକ ଶୂନ୍ୟତା ଘେରି ଯାଇଚି ତାଙ୍କ ଜୀବନକୁ । ସମସ୍ତ ଜୀବନଟା ତାହେଲେ ଏମିତି ଅନେକ ଶୂନ୍ୟତାରେ ବୁଡ଼ିଯିବ । ଏହି କଥା ଭାବି ଭାବି କ୍ଳାନ୍ତ ଆଉ ଅବଶ ମନରେ ବିଛଣାରେ ଗଡ଼ିପଡ଼ିଲେ ଆନନ୍ଦଶଙ୍କର ।

Image

 

Unknown

ଆଳାପ

 

ଝିଲ୍ଲି ଝିଙ୍କାରିତ ନିରବ ରାତ୍ରୀ । ନିରନ୍ଦ୍ର ଅନ୍ଧକାର । ସେଇ ନିରବ ରାତ୍ରୀ ଆଉ ନିରନ୍ଧ୍ର ଅନ୍ଧକାରକୁ ଭେଦ କରି ନିର୍ଦ୍ଦିଷ୍ଟ ପଥରେ ଆଗେଇ ଯାଉଚି ରାଜ୍ୟ ପରିବହନ ବସ୍‌ଟା । ପଥପରେ ପଥ, ଅତିକ୍ରମ କରି ଚାଲିଚି ସେଇ ପଥ ମଧ୍ୟରେ କେତେ ସହର, କେତେ ଗାଁ, ନଦୀ ନାଳ ଅତିକ୍ରମ କରି ବନ ପଥ ମଧ୍ୟରେ ଗତିକରି ଚାଲିଛି । ଘଞ୍ଚ ଅରଣ୍ୟାନୀ, ବିସ୍ତୃତ ଜଙ୍ଗଲ । ଉଭୟ ପାଖରେ ପାହାଡ଼ ଅନେକ ବଡ଼ ବଡ଼ ଗଛ ସବୁ ପଛରେ ରହିଯାଉଚି । କୋଳାହଳ ଶୂନ୍ୟ, ନିଶୂନ, ନିଛାଟିଆ ବନପଥ ।

 

ଦୁଇଜଣକିଆ ଲେଡିଜ୍‌ ସିଟରେ ଗୋଟିଏ ସିଟରେ ଆଉଜି ବସିଚି ଅର୍ଚ୍ଚନା । ବସ୍ ଭିତର ଅନେକ ଅନ୍ଧକାର । କାହାରି ମୁହଁ ଦେଖାଯାଉନି । ବସ୍ ଭିତରୁ ବାହାରକୁ ଅନାଇଁଲା ସେ । କୌଣସି ଷ୍ଟାଣ୍ଡରେ ସେ ଜହ୍ନ ଉଠିବା ଦେଖିଥିଲା । କିନ୍ତୁ ଏବେ ଆକାଶ ସଂପୂର୍ଣ୍ଣ ଅନ୍ଧକାର । ଜହ୍ନଟା ଆକାଶରେ ଆତ୍ମଗୋପନ କଲାଣି । ହୁଏତ ପୂର୍ଣ୍ଣମୀ ପାଖାପାଖି କୌଣସି ତିଥି ହୋଇଥିବ । ଆକାଶରେ କେତେଟା ତାରା କେବଳ ମିଟ୍‌ମିଟ୍ କରୁଚନ୍ତି । ବସ୍‍ର ହେଡ୍‍ଲାଇଟ ସାମାନ । ପାଖ ଦେଖାଯାଉଚି । ବାହାରକୁ ମୁଣ୍ଡ ବାହାରକଲା । ଅନେକ ଶୀତଳ ଲାଗିଲା । ତାପରେ ଭିତରକୁ ମୁଣ୍ଡ ଆଣି ଘଡ଼ିକୁ ଅନାଇଁଲା । ରାତି ଗୋଟାଏ ପାଖାପାଖି । ଯାତ୍ରୀମାନେ ଘୁମେଇ ପଡ଼ିଚନ୍ତି । ଆଉ କେତେଜଣ ନିଜ ନିଜ ଭିତରେ କିଛି କଥା ହେଉଚନ୍ତି । ସେମାନଙ୍କ କଥା ବସ୍‍ର ଶବ୍ଦରେ ଅସ୍ପଷ୍ଟ ଶୁଭୁଚି । ମଝିରେ ମଝିରେ କାହାର ପିଲାଟିଏ କାନ୍ଦିଉଠୁଚି । ହୁଏତ ମାଆଟି ତାର ଘୁମେଇ ପଡ଼ିଚି କି କଣ । ପାଖ ସିଟରେ ବସିଥିବା ଭଦ୍ର ମହିଳା ଜଣକ ନିଦ ଘୋରରେ ଆଉଜି ପଡ଼ୁଛନ୍ତି ଅର୍ଚ୍ଚନା ଉପରକୁ । କେତେବେଳେ ଅର୍ଚ୍ଚନା ମୁଣ୍ଡ ସହିତ ତାଙ୍କ ମୁଣ୍ଡ ବାଡ଼େଇ ହୋଇଯାଉଚି । ଅସ୍ୱସ୍ଥି ଲାଗୁଚି ଅର୍ଚ୍ଚନାକୁ । ଯେତେପାରେ ନିଜକୁ ଘୁଞ୍ଚେଇ ଆଣୁଛି । ଯେତେ ଚେଷ୍ଟା କଲେ ମଧ୍ୟ ନିଦ ତା ଆଖିକୁ ଆଦୌ ଆସୁନି । ଭିତରେ ଯେତେ କଠିନ ହେବାକୁ ଚେଷ୍ଟା କରି ମଧ୍ୟ ନିରବ ଅଶ୍ରୁଧାର ଆଖିରୁ ତାର ବୋହି ଯାଉଚି । ତା ବାବାଙ୍କ ମୁହଁଟା ମନେ ପଡ଼ିଯାଇ ଛାତି ଭିତରଟା କେମିତ ଲାଗୁଛି । ବିଭାଘର ଅନେକ ବେଳୁ ସରିଯାଇଥିବ । ଭୋଜି ଭାତ ସରିଯିବା ପରେ ପରେ ବର କନ୍ୟା ବିଦା ହେଇ ଯିବାର କଥା ଥିଲା । କାରଣ ରାତି ପାହିଲେ ଗୁରୁବାର । ଅବସ୍ୟ ବାବା ତାର ଏସବୁ ଅନ୍ଧବିଶ୍ୱାସକୁ ମାନୁନଥିଲେ । ତେବେ ସମାଜରେ ଚଳିବାକୁ ହେଲେ ଛୋଟ ବଡ଼ ଅନେକ କଥା ଇଚ୍ଛାନଥିଲେ ମଧ୍ୟ ବେଳେ ବେଳେ ମାନିବାକୁ ହୁଏ । ବର କନ୍ୟାଙ୍କୁ ବିଦା କରିଦେଇ ବାବା ତାର ନିଶ୍ଚୟ କ୍ଳାନ୍ତି ଅନୁଭବ କରିବେ । ସେଇଥିପାଇଁ ଘର ଭିତରକୁ ଆସି ତାଙ୍କ ଶୋଇବା ବିଛଣାରେ ଗଡ଼ିପଡ଼ି ଚିନୁ, ଚିନୁ, କହି ଡାକିବେ । କାରଣ ବାବା ତାର କେତେ ସମୟ ତା ଉପରେ ଗମ୍ଭୀର ହୋଇ ରହିପାରିବେ ? ବିଭା ହେବନାହିଁ ବୋଲି ତାଙ୍କୁ କହି ଦେବାପରେ ସେ ଲକ୍ଷ କରିଥିଲା ବାବା ତା ସହିତ ଭଲକରି କଥାବାର୍ତ୍ତା କରିନଥିଲେ । ସରବତ୍, ଚା, କଫି, ଯାହା ଯାଚିଥିଲେ ପିଇନଥିଲେ । ସେତେବେଳେ ସେ’ତ ବୁଝିନଥିଲେ ପ୍ରକୃତ କାରଣ, କାହିଁକି ଚିନୁ ମାଆ ତାଙ୍କର ବାହା ହେବନି ବୋଲି କହୁଚି । ଯେତେବେଳେ ସେ ଲେଖିଥିବା ଚିଠିଟି ପଢ଼ିବେ ସେତେବେଳେ ଜାଣି ପାରିବେ ସବୁକଥା ବେଦୀରେ ବସି ବାହା ହେବା ଝିଅ ତାଙ୍କର ଆଜି ନିରୁଦ୍ଧିଷ୍ଟା ହୋଇ ବରିନେଉଚି ଅଜ୍ଞାତବାସ ।

 

ଏହା ବ୍ୟେତିତ ଆଉ କ’ଣ କରିଥାନ୍ତା ସେ । କେଉଁ ବଡ଼ ଭଉଣୀ କ’ଣ ଚାହେଁ ନିଜର ସାନ ଭଉଣୀ ଜୀବନକୁ କଳଙ୍କମୟ କରି ସୁଖର ସଂସାର କରିବାକୁ ?

 

ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅର୍ଚ୍ଚନା ଜାଣିଥିଲା ସେ ହେବ ପାର୍ଥର ସ୍ତ୍ରୀ । ସେଇଥିପାଇଁ ଭଲପାଇବାର ପାଦପ୍ରଦୀପ ଜାଳି ବସିଥିଲା ଅପରିପକ୍ଵ ବୟସରୁ । ପାର୍ଥକୁ ଦେଖିଲା ପରେ ଜାଣିପାରିଥିଲା ସ୍ୱୟଂ ସମ୍ପୂର୍ଣ୍ଣ ଏକ ସ୍ଵତନ୍ତ୍ର ପୁରୁଷ । ଯାହାର ମୁଖମଣ୍ଡଳ ଆତ୍ମପ୍ରତ୍ୟେୟ ଆଭାରେ ଉଦ୍‌ଭାସିତ । ଆଉ ସେଇଥିପାଇଁ ତା ମନରେ ଲୁଚି ରହିଥିଲା ସ୍ଵୀକୃତିର ଗୋପନ ସ୍ଵାକ୍ଷର ।

 

ସବୁ ଲିଭିଗଲା । ଆନନ୍ଦର କମ୍ପନ ନୁହେଁ । ବେପଥୁର ସିହରଣ ନୁହେଁ, ଘୃଣାର ଜ୍ଵାଳା । ବୁଶ୍ଚିକର ଦଂଶନ ତୀବ୍ର ଭାବରେ ଅନୁଭୂତ ହେଇଥିଲା । ହୃଦୟର ସବୁ ଘୃଣା ଅଜାଡ଼ି ଦେଇଥିଲା ପାର୍ଥ ଉପରେ । ସୁସଜ୍ଜିତ, ସୁନ୍ଦର ମନଉପବନରେ ମାଡ଼ିଗଲା କାଳବୈଶାଖୀ ଝଡ଼ । ନଷ୍ଟଭ୍ରଷ୍ଟ କରିଦେଲା ତାର ସମସ୍ତ କାମନା-ବାସନାକୁ ! କେଉଁ ପାପ ପାଇଁ ସେ ସବୁ ସୁଖରୁ ବଞ୍ଚିତା ହେଲା-? କାହିଁକି ତା ଜୀବନରେ ଏତେବଡ଼ କାରୁଣ୍ୟ ଅଜାଡ଼ି ହୋଇ ପଡ଼ିଲା । କିନ୍ତୁ ଯେଉଁଦିନ ସେ ପାର୍ଥକୁ ପ୍ରଥମେ ଦେଖିଥିଲା କେତେ ମଧୁର ଆଉ କେତେ ଅନୁରାଗ ପୂର୍ଣ୍ଣ ସେ ଦିନଟି....-। ଅନ୍ୟମାନଙ୍କ ତୁଳନାରେ ପାର୍ଥଠାରେ ଯଥେଷ୍ଟ ସ୍ଵତନ୍ତ୍ରତା ଲକ୍ଷ କରିଥିଲା । ପାର୍ଥର ପ୍ରଶସ୍ଥ କପାଳ, ସୁତୀକ୍ଷ୍ନ ନାସିକା, ପ୍ରଶାନ୍ତ, ଗମ୍ଭୀର ମୁଖମଣ୍ଡଳ, ବଳିଷ୍ଠ ଅବୟବ ସବୁ ମିଶି ଏକ ଅପରୂପ ରୂପ ଲାବଣ୍ୟର ସୋମ୍ୟଶାନ୍ତ ପୁରୁଷ ସେଦିନ ଠିଆ ହୋଇଥିଲା ଅର୍ଚ୍ଚନା ସାମନାରେ । ଆଉ ଅର୍ଚ୍ଚନା ଭଳି ଦୃଢ଼ ଚରିତ୍ର କିଶୋରୀର ସଂଯମୀ ମନ ତଳେ ସୃଷ୍ଟି ହୋଇଥିଲା ଭଲପାଇବାର ଅୟି ମାରମ୍ଭ-। ସେଦିନଟିକୁ ମନେ ପକାଇବାକୁ ଚେଷ୍ଟାକଲା ଅର୍ଚ୍ଚନା ।

 

ଶୀତ ଶେଷ । ବସନ୍ତର ଆରମ୍ଭ । ହୁଏତ ମାସର ନାମ ଫଗୁଣ । ତା ନ ହୋଇଥିଲେ ତାଙ୍କ ଘର ଆଗରେ ଏତେ ମଲ୍ଲିଫୁଲ କେମିତି ଫୁଟିଥାନ୍ତା ? ସବୁ ଦିନମାନଙ୍କ ପରି ବଗିଚାର ଟ୍ୟାପ୍‍ରୁ ପାଇପ୍ ଲଗାଇ ସେ ଗଛ ମୂଳରେ ପାଣି ଢାଳୁଥିଲା । ଆଉ ଯେତେବେଳେ କ୍ରମବିଲୟମାନ ଗୋଧୂଳିର ଅଙ୍ଗରାଗ ଉପରେ ଶୀତଳ ସଞ୍ଜର ପରଶ ଲାଗିବାକୁ ଆରମ୍ଭ କରିଥିଲା, ଠିକ୍ ସେତିକିବେଳେ ସୂର୍ଯ୍ୟର ସମସ୍ତ ଦିପ୍ତି ନେଇ ପାର୍ଥ ତା ସମ୍ମୁଖରେ ଦଣ୍ଡାୟମାନ ହେଇ ନିଜର ପରିଚୟ ଦେଇଥିଲା,

 

ମୁଁ ପାର୍ଥ ।

 

ଦୁଇଦିନ ତଳେ ତା ବୋଉର ବଉଳ ରତ୍ନାମାଉସୀ ତା ବାବାଙ୍କ ପାଖକୁ ଲେଖିଥବ ଚିଠି କଥା ପାର୍ଥଙ୍କୁ ଦେଖି ମନେପଡ଼ି ଯାଇଥିଲା ।

 

ସେ ଲେଖିଥିଲେ, ‘‘ପାର୍ଥ ଯାଉଚି । ଦିଲ୍ଲୀରୁ ତାର ଓଡ଼ିଶାକୁ ବଦଳି ହେଲା । ତାକୁ ଦେଖିବେ । ବଡ଼ ଯତ୍ନ କରି ଏକାକୀ, ଏକୁଟିଆ ମାତୃହୀନ ସନ୍ତାନକୁ ମଣିଷ କରିଚି । ଆପଣଙ୍କ ଠାରୁ ସେ ପାଇବ ବାପର ମମତା ଆଉ ଆଶୀର୍ବାଦ । ସେଇ ଆଶାରେ ଦିନ, ମାସ, ବର୍ଷ ଗଣିଚି । ଅର୍ଚ୍ଚନାର ଉପଯୁକ୍ତ ହେଇ ପାରିଚି ବୋଲି ମୋର ବିଶ୍ୱାସ”

 

ବାବା ଚିଠିଟି ପଢ଼ିସାରି ବଢ଼ାଇ ଦେଇଥିଲେ ତା ହାତକୁ ଆଉ କହିଥିଲେ, ‘‘ପାର୍ଥ ଆସିବ’’ । ତାହେଲେ ଏଇ ସେ ପାର୍ଥ । ଯାହକୁ ନଦେଖି ସେ ଅନେକ କିଛି କଳ୍ପନା କରିଥିଲା । ଅର୍ଚ୍ଚନାର କୁମାରୀ ଜୀବନର କଳ୍ପନାର ରାଜପୁତ୍ର । ପାର୍ଥ ତାକୁ କିଛି ସମୟ ନିରବରେ ଗମ୍ଭୀର ଦୃଷ୍ଟି ନେଇ ଅନାଇଁଥିଲେ ଆଉ ପ୍ରଶ୍ନ କରିଥିଲେ,

 

ତୁମେ ନିଶ୍ଚୟ ଅର୍ଚ୍ଚନା ?

 

ପାର୍ଥଙ୍କ ପ୍ରଶ୍ନ ଶୁଣି ଉତ୍ତର ଦେବାକୁ ଯାଇଁ ତାଙ୍କ ମୁହଁକୁ ଚାହିଁଦେଇଥିଲା । ଦୁହିଁଙ୍କ ଦୃଷ୍ଟି ବିନିମୟ ହୋଇଥିଲା । ଅଦ୍ଭୁତ, ଅନାବୃତ ସେ ଦୃଷ୍ଟିର ସୌନ୍ଦର୍ଯ୍ୟ । ସେଇ ଦୃଷ୍ଟି ମାଧ୍ୟମରେ ଦୁହେଁ ହଜି ଯାଇଥିଲେ । ପାର୍ଥଙ୍କର ଚାହିଁବା ଭଙ୍ଗୀରେ ଅନୁରାଗ ଉଦ୍‌ଭାସିତ ହେଲା ପରି ମନେ ହୋଇଥିଲା ଅର୍ଚ୍ଚନାକୁ । ଅନୁରାଗର ମହାସମୁଦ୍ର ଭିତରେ ଅବଗାହନ କରିଥିଲା ଅର୍ଚ୍ଚନା । ପାର୍ଥର ଚାହାଣୀରେ ପୁସ୍ପର ପରିପୂର୍ଣ୍ଣ ବର୍ଣ୍ଣଶୋଭା ଦେଖିଥିଲା । ପଦ୍ମକଢ଼ୀଟି ମୁଦ୍ରିତ ଥାଏ ଅର୍ଚ୍ଚନାର ହୃଦୟରେ ସେଇ ପରି ପ୍ରେମ ମୁଦ୍ରିତ ଥିଲା । କିନ୍ତୁ ପାର୍ଥଙ୍କର ଚାହାଣୀ ଝଲକରେ ସେଇ ମୁଦ୍ରିତ ପ୍ରେମ ବିକଶିତ ହୋଇ ପଦ୍ମଫୁଲ ପରି ଫୁଟି ଉଠିଥିଲା । ଦିବସର କର୍ମକ୍ଳାନ୍ତ ସୂର୍ଯ୍ୟ ଢଳି ଯାଇଥିଲେ ପଶ୍ଚିମ ଦିଗରେ ।

 

ସ୍ଥିର ଶାନ୍ତ, ସଂଯମୀ ମନ ସମୁଦ୍ରରେ ଅଶାନ୍ତ ଉର୍ମି ଉଠିଥିଲା । କେମିତି ଏକ ବିଚିତ୍ର ଅନୁଭୂତି ତା ମନରେ ଜାଗିଉଠିଥିଲା ସେଦିନ । ନୁପୁରର ରୁଣୁଝୁଣୁ ଶବ୍ଦ ପରି ଛାତି ଭିତରେ ଅହରହ ବାଜି ଉଠିଥିଲା । ଅଥଚ କେହି କାହାକୁ ଦେଖି ନଥିଲେ । ପରିଚୟନଥିଲା ।

 

ଅନେକ ଦିନ ତଳେ ସମ୍ବାଦ ପତ୍ର ପଢ଼ି ବାବା ତାକୁ ଦେଖାଇଥିଲେ । ସେ ସମ୍ବାଦ ପତ୍ରରେ ପାର୍ଥଙ୍କର ଫଟୋ ଓ ପରିଚୟ ବାହାରିଥିଲା । ଦିଲ୍ଲୀର ସମଗ୍ର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୃତ୍ତିଛାତ୍ର । ଓଡ଼ିଶାର ଗୌରବ, ପାର୍ଥ । ତାଙ୍କର ଥିସିସି ଆମେରୀକାର ମିଶିଗନ୍ ବିଶ୍ଵବିଦ୍ୟାଳୟର ଖ୍ୟାତନାମା ପ୍ରଫେସରଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ । ଏଇ କଥା ଲେଖାଥିଲା । ଫଟୋଟି ପରିଷ୍କାର ଦେଖାଯାଉନଥିଲା । ମୁହାଁମୁହିଁ ଦେଖିବା ପରେ ଜାଣିଥିଲା ପାର୍ଥ ସ୍ୱତନ୍ତ୍ର । ତାଙ୍କ ପରିଚୟ ସେ ନିଜେ ।

 

ଫାଇନାଲ ପରୀକ୍ଷା ପାଇଁ ବ୍ୟସ୍ତ ରହିଲା ଅର୍ଚ୍ଚନା । ପରୀକ୍ଷା ସରି ଫଳ ପ୍ରକାଶ ପାଇଥିଲା । ଇତିହାସରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାଶ୍ କରିଥିଲା ଅର୍ଚ୍ଚନା । ସେଇ ଅବସରରେ ପାର୍ଥଙ୍କ ଠାରୁ ପାଇଥିଲା ଦୁଇ ଧାଡ଼ିର ହାତଲେଖା ଖଣ୍ଡିଏ ଯାହାକୁ ସେ ଅମୂଲ୍ୟ ସମ୍ପଦ ଭଳି ସାଇତି ରଖିଲା ଅନେକ ଦିନ ସାଇତି ରଖିଥିଲା ଅନେକଦିନ ପର୍ଯ୍ୟନ୍ତ । ସେ ଲେଖିଥିଲେ,

 

ଅର୍ଚ୍ଚନା, ତୁମ ସଫଳତାରେ ଶୁଭେଚ୍ଛା ଜଣାଉଚି । ଯଦିଓ କୌଣସି କଥା ସେଥିରେ ଲେଖାନଥିଲା । ପାର୍ଥ’ ତଥାପି ସେଇ ଗୋଟିଏ ଧାଡ଼ିର ଲେଖାପଢ଼ି ଅର୍ଚ୍ଚନାର ମନ ଉପବନରେ ଥିବା ନମ୍ରକମ୍ର ସହକାରରେ କୋକିଳର କୁହୁବାନ ଶୁଣିଥିଲା ।

 

ସେଇ ପ୍ରଥମଦିନ ବ୍ୟତିତ ଅନ୍ୟ କୌଣସି ଦିନ ପାର୍ଥଙ୍କ ସହିତ ଅର୍ଚ୍ଚନାର ସାକ୍ଷାତ୍ ଘଟିନଥିଲା । କେବେ କେମିତି ଯଦି ତା ବାବାଙ୍କପାଖକୁ କଣକାମରେ ଆସିଚନ୍ତି, ସେହି ଡ୍ରଇଁ ରୁମ୍‌ରୁ ଫେରି ଯାଇଛନ୍ତି । ନିଜର ରକ୍ଷଣଶୀଳ ମନୋବୃତ୍ତି ଆଉ ଲଜ୍ୟା ଯୋଗୁ ସାମନାକୁ କେବେ ଯାଇ ନଥିଲା । ଅଥଚ ତାଙ୍କ ଭାବନାରେ ଅନିଦ୍ରା ହୋଇ ରାତ୍ରିର ପ୍ରହର ଗଣୁଥିଲା । ବେଳେବେଳେ ସୁମନ୍ ଆସି ପାର୍ଥଙ୍କ କଥା ଗଳ୍ପକରେ । କହେ,

 

ଭଦ୍ରଲୋକ ଏତେଗମ୍ଭୀର ଯେ, କୌଣସି କଥା କହିବାକୁ ସାହାସ ହୁଏନି । ଥରେ ଯାହା ଲେକ୍‌ଚର ଦେବେ ସେତିକି; ଆଉଥରେ ପଚାରିବାକୁ ପିଲାଙ୍କର ସାହାସ ହୁଏନି । ମତେ ବାବା ଏଇ ଗମ୍ଭୀର ପ୍ରକୃତି ଆଦୌ ପସନ୍ଦ ନୁହେଁ ।

 

କିନ୍ତୁ ପାର୍ଥଙ୍କର ସେଦିନର ଗମ୍ଭୀର ବ୍ୟକ୍ତିତ୍ଵ ଅର୍ଚ୍ଚନା ପାଇଁ ଆକର୍ଷଣୀୟ ଥିଲା । ପାର୍ଥଭଳି ଦୃଢ଼ଚରିତ୍ରର ସ୍ଵାମୀର ସେ ସ୍ତ୍ରୀ ହେବ, ଏକଥା ଜାଣି ଗଭୀର ଦୃଷ୍ଟିରେ ମନ ଭରିଯାଇଥିଲା ।

 

ଦିନେ ପାର୍ଥଙ୍କ ବସାରେ ରହୁଥିବା ଚାକର ପିଲାଟି ମହାପ୍ରସାଦ ନେଇ ଆସିଥିଲା । ଘରେ କେହିନଥିଲେ । ସେଭୋଗ ରଖିଥିଲା । ମଝିରେ ମଝିରେ ମହାପ୍ରସାଦ ନେଇ ସେଇ ପିଲାଟିକୁ ପାର୍ଥ ତାଙ୍କ ଘରକୁ ପଠାନ୍ତି । ପାର୍ଥ ଯେତେବେଳେ ଘରକୁ ଯାଉଥିଲେ, ତାଙ୍କବୋଉ ଅର୍ଚ୍ଚନା ପ୍ରଭୃତିଙ୍କ ପାଇଁ ମହାପ୍ରସାଦ ଭୋଗ ପଠାଉଥିଲେ । ତା’ରି ପାଖରୁ ଅର୍ଚ୍ଚନା ଶୁଣିଥିଲା ପାର୍ଥଙ୍କ ଦେହ ଭଲନାହିଁ ଆଉ କଲେଜ ଦୁଇଦିନ ହେଲା ଯାଇନାହାନ୍ତି ବୋଲି । ପାର୍ଥଙ୍କର ଅସୁସ୍ଥତା ଶୁଣି ଅସ୍ଥିରତା ଶୁଣି ଅସ୍ଥିରତା ଅନୁଭବ କରିଥିଲା ଅର୍ଚ୍ଚନା । ଦିନେ ସେ ପୁଣି ତ ତା’ର ସ୍ଵାମୀ ହେବେ । ପାର୍ଥଙ୍କୁ ଦେଖିଯିବାପାଇଁ ସ୍ଥିର କଲା । ବାବା କିମ୍ବା ସୁମନ୍ ନଥିଲେ । କଲେଜ ଯାଇଥିଲେ । ବାନ୍ଧବୀଘରକୁ ଯାଉଚି ବୋଲି ହରିଦାଦାକୁ କହି ରିକ୍‌ସାଟିଏ ଡାକି ବାହାରିପଡ଼ିଲା । ପାର୍ଥଙ୍କର ଘରଟା ସେ ଅନୁମାନ କରି ଜାଣିଥିଲା । ରିକ୍‌ସାବାଲା ଠିକ୍ ସ୍ଥାନରେ ପହଞ୍ଚାଇ ଦେଇଥିଲା । ପାର୍ଥଙ୍କ ଘରପାଖରେ ନେମ୍ ପ୍ଲେଟ୍ ପଢ଼ି ଓହ୍ଲାଇ ପଡ଼ିଲା ଅର୍ଚ୍ଚନା । ରିକ୍‌ସାବାଲାକୁ ଅପେକ୍ଷା କରିବାକୁ କହି ବାରନ୍ଦା ଉପରକୁ ଉଠିଯିବାମାତ୍ରେ ଛାତିରେ ସ୍ପନ୍ଦନର ବେଗ ବଢ଼ିଥିଲା । ପାଦ ଚିପିଚିପି ଭିତରେ ପଶିଯାଇଥିଲା । ପାର୍ଥ ଯେଉଁଘରେ ଥିଲେ ସେଇ ଘରଟିରେ ଉଙ୍କି ମାରିଥିଲା । ଛୋଟ କୋଠରୀ । ଗୋଟିଏ କଣକୁ ସେଲ୍‌ଫ ବହି, ମ୍ୟାଗାଜିନ୍, ପତ୍ରିକା ପରିପୂର୍ଣ୍ଣ ଥିଲା ସେଲ୍‌ଫଟି । ସେଗୁଡ଼ିକ ସଜାଇ ରଖିବା ଭଙ୍ଗୀ ଅଦ୍ଭୁତ । ସେଲ୍‍ଫ ଉପରେ ଶିଙ୍ଗର ନାଆଟିଏ-। ନାଆ ଭିତରେ ଦୁଇଜଣ ଆରୋହୀ । ଜଣେ ପୁରୁଷ ଅନ୍ୟଜଣେ ସ୍ତ୍ରୀ । ତାପାଖରେ ଶଙ୍ଖମଲମଲ ପଥରର ତାଜମହଲଟିଏ ରଖା ହୋଇଥିଲା । କୋଠରୀର ଅନ୍ୟ ପାଖରେ ଟିପୟ ଉପରେ ଫୁଲଦାନୀ । ଫୁଲଦାନୀ ଭିତରେ ଶୁଭ୍ରସତେଜ ଫୁଲଗୁଡ଼ିଏ ।

 

ଘର ମଝିରେ ସିଙ୍ଗଲ୍ ସାଇଜ୍‌ର ବେଡ୍ । ତା’ ଉପରେ ବିଛଣା । ବିଛଣା ଉପରେ ପରିଷ୍କାର ବେଡ଼୍‌କଭର । ସମଗ୍ର କୋଠରୀଟି ସଂପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନତାର ଦୃଶ୍ୟ ପରିସ୍ଫୁଟ । ଏଇଭଳି ପରିଷ୍କାର ଆଉ ପରିଚ୍ଛନ୍ନତା ଅର୍ଚ୍ଚନା ହୃଦୟ ଓ ମନର ସାମିଲ ।

 

ବେଡ଼୍ ପାଖରେ ଛୋଟିଆ ଟେବୁଲ ଉପରେ ରେଡ଼ିଓ । ରେଡ଼ିଓ ଉପରେ ଷ୍ଟାଣ୍ଡରେ ପାର୍ଥଙ୍କର ଫଟୋ । ବିଛଣା ଉପରେ ଶୋଇ ପତ୍ରିକା ପଢ଼ୁଥିଲେ ପାର୍ଥ । ପବନରେ ପର୍ଦ୍ଦାଟା ଉଡ଼ିଯିବାରୁ ଦ୍ଵାର ଆଡ଼କୁ ଚାହିଁଦେଲେ । ଆଉ ପ୍ରଶ୍ନ କରିଥିଲେ,

 

ତୁମେ ? ମୁଁ କ’ଣ ସ୍ଵପ୍ନ ଦେଖୁଚି ??

 

ପାର୍ଥଙ୍କ କଥାଶୁଣି ଲାଜରେ ଫାଟିପଡ଼ି ଓଷ୍ଠପ୍ରାନ୍ତକୁ କାମୁଡ଼ି ମୁହଁ ପୋତି ଦେଇଥିଲା ସେ-

 

ବିଛଣାରୁ ଉଠିପଡ଼ି ଚେୟାରଟିଏ ଟାଣିଦେଇ କହିଥିଲେ,

 

ବସ ।

 

ଲାଜଲାଜ ହୋଇ ବସି ପଡ଼ିଥିଲା ଅର୍ଚ୍ଚନା । ପାର୍ଥ କହିଥିଲେ,

 

ଲାଜ, ସଙ୍କୋଚ, ଅନେକ ସମୟରେ ମଣିଷକୁ ଅଧିକ ସୁନ୍ଦର କରେ । ସେଥିରେ ଶ୍ରୀ ଥାଏ । ତୁମର ଲଜ୍ୟାଭଙ୍ଗୀ ସତରେ ମୋ ମନକୁ ଛୁଇଁ ଯାଉଚି । କିନ୍ତୁ, ହଠାତ୍ ତୁମେ ?

 

ଆପଣଙ୍କ ଦେହ ଭଲନାହିଁ ଶୁଣି...

 

ତା କଥା ଅସମାପ୍ତ ରଖି ପାର୍ଥ ପଚାରିଥିଲେ,

 

ଆସିଚ ? ନୁହେଁ ?? ମୋ ଦେହ ଭଲନାହିଁ, କିଏ କହିଲା ?

 

ମୃଦୁହସିଲେ ସେ ।

 

ଆପଣଙ୍କ ଚାକର ପିଲାଠାରୁ ଶୁଣିଲି, ଉତ୍ତର ଦେଇଥିଲା ସେ ।

 

ତୁମେ କ’ଣ ମୋ ବିଷୟରେ ତାକୁ ପଚାରିଥିଲ ? ପ୍ରଶ୍ନ କରିଥିଲେ ପାର୍ଥ ।

 

କିଛି ନକହି ନିରବ ରହିଥିଲା ଅର୍ଚ୍ଚନା ।

 

ମତେ ଆପଣ ? ତୁମେ, କହିପାରୁନ ଅର୍ଚ୍ଚନା ?

 

ଉଦାସ କଣ୍ଠରେ କହିଥିଲେ ସେ ।

 

ପାର୍ଥଙ୍କର ଏଇ ପଦକ କଥା ବଡ଼ ସୁନ୍ଦର ଭାବରେ ଅର୍ଚ୍ଚନା କାନରେ ବାଜିଥିଲା ସେଦିନ-। ପାର୍ଥଙ୍କର କଥା କହିବା ଭଙ୍ଗୀ ଅଦ୍ଭୁତ ମନେ ହୋଇଥିଲା ତାର । ତାକୁ ଦେଖିବା କ୍ଷଣି ତାଙ୍କର ଚକ୍ଷୁର ଆଲୋକ ଆନନ୍ଦରେ ଉଦ୍‌ଭାସିତ ହୋଇଯାଇଥିଲା । ସେ ଦୁଷ୍ଟି ଯେ ସଂପୂର୍ଣ୍ଣ ସ୍ନେହ ଆଉ ପ୍ରତିର, ଅନୁଭବ କରିଥିଲା ସେ । ବିଛଣାରୁ ଉଠିଯାଇ କାନ୍ଥ ଆଲମିରାରୁ ପ୍ଲେଟରେ କିଛି ସନ୍ଦେଶ ଆଣି ଅର୍ଚ୍ଚନା ହାତକୁ ବଢ଼ାଇ ଦେଇ କହିଥିଲେ ।

 

ପ୍ରଥମ ଥର ପାଇଁ ତୁମେ ମୋ ଘରକୁ ଆସିଚ । ତେଣୁ ଯାହାଅଛି ସେଥିରେ ଅତିଥି ସତ୍କାର କଲି ।

 

ନା, ଥାଉ କହିଲାବେଳେ ପାର୍ଥଙ୍କ ହାତ ସହିତ ତାର ହାତର ସ୍ପର୍ଶ ଲାଗିଥିଲା ତଡ଼ିତ୍‌ର ସ୍ରୋତବୋହି ଯାଇଥିଲା ତା ଛାତିଭିତରେ । ଲାଜରେ ମୁହଁ ପୋତି ଦେଇଥିଲା । ତାକୁ ଭୟ ଲାଗୁଥିଲା କଣ ଭାବିଥିବେ । କିଛିସମୟପରେ ତାର ଲଜ୍ୟାନତ ମୁହଁଟିକୁ ନିଜ ହାତରେ ଟେକି ପାଟିରେ ସନ୍ଦେଶ ଖୁଆଇ ଦେଇଥିଲେ । ନିରବ ରହିଥିଲେ ପାର୍ଥ । ଅର୍ଚ୍ଚନା ମଧ୍ୟ ନିରବ ରହିଥିଲା । ନିରବତା ଭିତରେ ସତେ ଯେମିତି ସେମାନେ ଅନେକ କଥା ହୋଇଥିଲେ । ପ୍ରେମର ଭାଷା ଅପେକ୍ଷା ନିରବତା ଯେ ଅଧିକ ସୁନ୍ଦର ବେଶି ମଧୁର । ସେ କଥା ସେଦିନ ଅନୁଭବ କରିଥିଲା ସେ-। ତାପରେ ନିଜ ବିଛଣାରେ ବସିପଡ଼ି ସେ କହିଥିଲେ ।

 

ବାବା, ଆସିଥିଲେ । ତୁମ ସଫଳତାର ସମ୍ବାଦ ତାଙ୍କଠାରୁ ପାଇଲି । କୌଣସି କଲେଜରୁ ଅଫର୍ ଆସିଲେ ତୁମେ ଯୋଗ ଦେବକି ନାହଁ ମୋର ମତ ମାଗିଥିଲେ । ବାବାଙ୍କୁ ବାରଣକରି ଦେଇଚି । କହିଚି, କ’ଣ ଦରକାର ଏସବୁର । ଅର୍ଚ୍ଚନା ମୁହଁକୁ ଚାହିଁ ପ୍ରଶ୍ନ କରିଥିଲେ, ‘‘ମୁଁ ଠିକ୍ କହିନି ?” ତାପରେ କହିଲେ । ଜାଣ ଅର୍ଚ୍ଚନା, ମୁଁ ଚାହେଁ ଛୋଟ ଏକ ଘରକରଣା । ଅଧ୍ୟାପନା ସାରି କ୍ଳାନ୍ତ ଶ୍ରାନ୍ତ ମୋର ଫେରିବା ପଥକୁ ତୁମେ ଅନାଇଁ ବସିଥିବ । ଆମଘରଟିରେ କେବଳ ତୁମେ ଆଉ ମୁଁ । ମୁଁ ଆଉ ତୁମେ । ସ୍ନେହ, ପ୍ରିତି, ଆଦର ସୋହାଗ ଦେଇ ତୁମେ ମୋ ଜୀବନକୁ ପରିପୂର୍ଣ୍ଣ କରିବ । ମୋ ମତରେ ଯେଉଁଠି ସ୍ଵାମୀ ଓ ସ୍ତ୍ରୀ ଉଭୟେ ଉପାର୍ଜ୍ଜନ କ୍ଷମ ହୁଅନ୍ତି, ସେ ଘରକରଣା ସୁନ୍ଦର ସାର୍ଥକ ହୋଇ ପାରେନି, ନୁହେଁ ଅର୍ଚ୍ଚନା ?

 

ପାର୍ଥଙ୍କର ସମସ୍ତକଥାକୁ ନିରବ ରହି ସମ୍ମତି ଜଣାଉଥିଲା । ତାପରେ ଘର ଫେରିଯିବାକୁ ଉଠିଥିଲା, କହିଥିଲା,

 

ମୁଁ ଯାଉଚି । ବାବା କଲେଜରୁ ଫେରି ମତେ ଖୋଜିବେ । ଅର୍ଚ୍ଚନା ମୁହଁକୁ ସ୍ଥିର ଅପଲକ ଚାହାଁଣୀ ଚାହିଁ ପାର୍ଥ କହିଥିଲେ,

 

ମୁଁ ? ମୁଁ କ’ଣ ତୁମକୁ ଖୋଜୁନି ??

 

ନିସ୍ତବ୍ଦରାତିରେ । ନିଭୃତ ପହରରେ । ମୁଁ ତୁମକୁ କଳ୍ପନା କରିଥିଲି ।

 

ତୁମର ସେ ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବାକୁ ମୋପାଖରେ ଭାଷା ନାହିଁ । ଏକ ଅନାସ୍ଵାଦିତ ଜୀବନର ବର୍ଣ୍ଣେଗନ୍ଧେ ପରିପୁର୍ଣ୍ଣ ସେ ସୌନ୍ଦର୍ଯ୍ୟ । ତମକୁ ଦେଖିଲାପରେ ମୁଁ ଜାଣିପାରିଚି ମୋର ଏକାକୀ ନିସଙ୍ଗ ସାଥୀହୀନ, ଏକକ ଜୀବନର ମାନସୀ କେବଳ ତୁମେ । ତୁମେ କେବଳ ମୋ ଜୀବନକୁ ପରିପୂର୍ଣ୍ଣ କରିବ ।

 

ତାପରେ ଉଠି ଯାଇ ସେଲ୍‌ଫରୁ ତାଜମହଲଟିକୁ ଉଠାଇ ଆଣି ତା ହାତରେ ଧରାଇ ଦେଇ କହିଥିଲେ,

 

ତୁମର ସଫଳତା ପାଇଁ ମୋର ଏଇ ସାମାନ୍ୟ ଉପହାର । ଅର୍ଚ୍ଚନା ଆଜିର ଏଇ ଦିନଟି ମୋ ପାଇଁ ଆନନ୍ଦମଧୁରର ମୁହୂର୍ତ୍ତ । ଅନେକଦିନ ପର୍ଯ୍ୟନ୍ତ ଭାବନାର ଖୋରାକ ଯୋଗାଇବ । ତାପରେ ଫୁଲଦାନୀରୁ କିଛି ଫୁଲଆଣି ତା ହାତକୁ ବଢ଼େଇ କହିଥିଲେ ।

 

ଏଇ ଶୁଭ୍ର ସତେଜ ଫୁଲପରି ତୁମେ ମୋ ଜୀବନକୁ ସୁବାସିତ କରିବ ।

 

ତାପରେ ବିଦାୟ ନେଇ ଚାଲିଆସିଥିଲା ଅର୍ଚ୍ଚନା । ସ୍ଥିର ଅପଲକ ଦୃଷ୍ଟିରେ ତାକୁ ପାର୍ଥ ଚାହିଁ ରହିଥିବାର ସେ ଲକ୍ଷ୍ୟକରିଥିଲା । ସେତେବେଳେ କ’ଣ ଭାବିଥିଲି ଯେ ପାର୍ଥ ସହିତ ତାର ଶେଷ ଦେଖାବୋଲି ।

 

ପାର୍ଥଙ୍କ ସହିତ ସେଇ ସାକ୍ଷାତରେ ଅର୍ଚ୍ଚନା ମନ ଆକାଶରେ ସପ୍ତରଙ୍ଗର ଇନ୍ଦ୍ରଧନୁ ଆଙ୍କି ହୋଇଯାଇଥିଲା । ବସନ୍ତ ଆଗମନୀରେ ପୃଥିବୀ ବିଚିତ୍ରବର୍ଣ୍ଣରେ ସାଜି ହେଲାପରି ଅର୍ଚ୍ଚନାର ମନପବନରେ ଫୁଟିଉଠିଥିଲେ ବସନ୍ତଋତୁର ସମସ୍ତ ଫୁଲ । ପବନ କଣାରେ ସତେ ଯେମିତି ସେଇଫୁଲ ମାନଙ୍କରୁ ଭାସି ଆସିଥିଲା ଅନେକଫୁଲର ସୁରଭି ।

 

ଶୁଭଦିନ ଦେଖି ପାର୍ଥଙ୍କର ବୋଉ ଆସି ନିର୍ବନ୍ଧ କରିଗଲେ । ଶାଢ଼ି, ମୁଦି ପିନ୍ଧାଇ ଆର୍ଶୀବାଦ କରିଗଲେ । ବିଭାଘରର ଶୁଭଦିନ ଯେତିକି ନିକଟ ହେଉଥାଏ ଅର୍ଚ୍ଚନାର ମନରେ କୂଳ ପ୍ଳାବିନୀ ଆନନ୍ଦ ଝରଣାର ଜଳପରି ବିପୁଳ ତୃପ୍ତିରେ ପ୍ରବାହିତ ହୋଇଚାଲିଥାଏ । ନୂତନ ଛନ୍ଦ, ନୂତନ ରାଗିଣୀରେ ତା ମନବୀଣାରେ ସ୍ଵର ବାଜି ଉଠିଥିଲା । ତାର ସମସ୍ତ ମନରେ ନୂତନ ଜୀବନର ସ୍ଵାଦ । ଶାନ୍ତ ସୁନ୍ଦର ସାବଲୀଳ ନୀଡ଼ ରଚନା କରିବାର ସ୍ୱପ୍ନ ଦେଖାଇଥିଲେ ପାର୍ଥ । ପାର୍ଥ ଭଳି ଦୃଢ଼ ଚରିତ୍ର ଆଉ ସୂର୍ଯ୍ୟର ଦିପ୍ତି ପରି ସ୍ୱାମୀ ପାଇବାର ସ୍ୱପ୍ନ ଦେଖୁଥିଲା ।

 

ସେଇ ସ୍ଵପ୍ନ ଗୋଟିଏ ମୁହୂର୍ତ୍ତ ଭିତରେ କେମିତି ଭାଙ୍ଗିଯାଇଥିଲା ଆଉ କେମିତି ଭାବରେ ତା ଜୀବନରେ ଗୋଟିଏ ବଡ଼ ବିସ୍ଫୋରଣ ଘଟି ତାର ସବୁକିଛି ନଷ୍ଟଭଷ୍ଟ କରିଦେଇଥିଲା, ସେଇକଥା ସ୍ମରଣ କରି ବସରେ ବସିବସି ଏକାକୀ ଅନ୍ଧକାର ରାତ୍ରିରେ ଲୁହ ଢାଳୁଥିଲା ଅର୍ଚ୍ଚନା । ସମୟଟା ଥିଲା, ଶାନ୍ତଶୀତଳ, କଅଁଳ ସକାଳ । ସକାଳର ନରମ କିରଣ ଅର୍ଚ୍ଚନାର ଘରର ପ୍ରତ୍ୟେକ ବସ୍ତ୍ରକୁ ଛୁଇଁ ଛୁଇଁ ଯାଉଥିଲା । ସେତିକିବେଳେ ଫୁଲ ମାଳାଟିଏ ଗୁନ୍ଥି ରାଧା କୃଷ୍ଣଙ୍କର ମୂର୍ତ୍ତିକୁ ପିନ୍ଧାଇ ନେଇ ଏପାଖ ସେପାଖ ଅନାଇଁଥରେ ଅର୍ଚ୍ଚନା । ସବୁଦିନ ପରି ସୁମନ ତାକୁ ଥଟ୍ଟା କରିବାକୁ ଆସିନଥିଲା । ଅତି ପିଲାବେଳୁ ତାର ଠାକୁର ଦେବତା ପତି ବିଶ୍ୱାସ ଆସିଥିଲା । ସେ ବିଶ୍ଵାସ ତାକୁ ହରିଦାଦା ଦେଇଥିଲେ । ସେ କହନ୍ତି, ଠାକୁର ନିଶ୍ଚୟ ଅଛନ୍ତି ମା । ସେ ନଥିଲେ ଏତେବଡ଼ ପୃଥିବୀ କେମିତି ଆତଜାତ ହେଉଚି । ସେହି ଥରେ ମେଳାରୁ ରଧାକୃଷ୍ଣଙ୍କର ମୂର୍ତ୍ତି କିଣି ଆଣିଥିଲା । ତାକୁ ପୂଜା କରୁଥିଲା । ପ୍ରତିଦନ ଧୂପଦୀପ, ଫୁଲଚନ୍ଦନ ଦେଇ ତା ପୂଜା କରିବା ଦେଖି ସୁମନ ହସେ ଆଉ କହେ:

 

ନାନୀ, ସଂସାର ଗୋଟାକର, ଅନ୍ଧବିଶ୍ଵାସ ତୋ ପାଖରେ । ମାଟିରେ ତିଆରି ମୂର୍ତ୍ତିକୁ ଠାକୁର କରି ପୂଜା କରୁଚୁ । ତାଙ୍କ ରୂପଯେ କେମିତି କେହି କହି ପାରିବେନି । ଏତେ ପାଠ ପଢ଼ି ତୋର ଅନ୍ଧବିଶ୍ୱାସ ଗଲାନି ।

 

ଅର୍ଚ୍ଚନା, ସୁମନ ଉପରେ ନ ରାଗି ହସେ । ସେ ଜାଣେ ସୁମନ ଅତି ମାତ୍ରାରେ ଚଞ୍ଚଳ ପ୍ରକୃତି । ଅତ୍ୟାଧୁନିକ, ଘରକରଣା ପ୍ରତି ତାର ଆଗ୍ରହଶୂନ୍ୟ ଭାବ । ନିଜକୁ ବିଭିନ୍ନ ରଙ୍ଗରେ ସଜାଇ ସେ କଲେଜକୁ ଯାଏ । ପାଠ ପଢ଼ା ଅପେକ୍ଷା ଅନ୍ୟସବୁ ପ୍ରତି ତାର ବେଶି ଆଗ୍ରହ । ସକାଳ ଆଠଟା ପର୍ଯ୍ୟନ୍ତ ବିଛଣାରେ ପଡ଼ିଥିବ । ଦାନ୍ତ ନଘସି ବେଡ଼୍‌ଟିର ଚିତ୍କାର । ବାବା ଅବଶ୍ୟ ସୁମନର ଏସବୁ ଆଚରଣକୁ ସୁଖପାଆନ୍ତିନି । ବୋଉ ଯେତେବେଳେ ନାହିଁ ତାର ଯାହାକିଛି ବଡ଼ ଭଉଣୀ ହିସାବରେ ସେ ସହିବନି ତ ଆଉ କିଏ ସହିବ ? ତଥାପି ଦିନକୁଦିନ ବେଶି ଅବାଧ୍ୟ ହୋଇ ଯାଉଥିଲା । ଅନେକ ରାତିରେ ଦିନେ ଦିନେ ଫେରୁଥିଲା । ଏତେ ରାତିରେ ଫେରିବାର କାରଣ ପଚାରିଲେ କହିବ:

 

ତୁମ ବାବା ଆଉ ଝିଅଙ୍କ ପୃଥିବୀ ଭିତରେ ମୋ ସ୍ଥାନ କାହିଁ ? ସେ ଦୃଷ୍ଟିରେ ମୁଁ ଯାହାକରୁଚି ମୋ ନିଜ ଇଚ୍ଛାରେ କରୁଚି । ମୋ ପାଇଁ କାହାର ଭାବନା କରିବା କଥା ନୁହେଁ ।

 

ସୁମନ ଜାଣିପାରୁ ନଥିଲା ତା ପାଇଁ ବାବା ପ୍ରତ୍ୟେକ କଥା କେତେ ବୁଝୁଥିଲେ । ସେ କ’ଣ କମ୍ ଭାବନା କରିଥିଲା ସାନଭଉଣୀଟି ପାଇଁ । ମାଣିକଗଡ଼ରୁ ଯେତେବେଳେ ଆସି ପହଞ୍ଚିଥିଲା କେତେ ଖୁସି ହୋଇଥିଲା ଅର୍ଚ୍ଚନା ।

 

ଅର୍ଚ୍ଚନା ବିଭାଘରର ଦୁଇଦିନ ପୂର୍ବର ଘଟଣା, ନିକଟରେ ପରୀକ୍ଷା ପାଇଁ ସେ କେଉଁ ସାଙ୍ଗ ଘରକୁ ପଢ଼ିବାକୁ ଯାଇ ପୂର୍ବ ରାତିରେ ଅନେକ ବିଳମ୍ବରେ ଫେରିଥିଲା । ତାକୁ ଉଠାଇବାପାଇଁ ଶୋଇବା ଘରକୁ ଯାଇଥିଲା ଅର୍ଚ୍ଚନା । ଯେଉଁ ସୁମନ୍ କଥାରେ, ହସରେ, ଘର କମ୍ପିଯାଏ, ସେ ତକିଆରେ ମୁହଁମାଡ଼ି ଖୁବ୍ ବିକଳ ହୋଇ କାନ୍ଦୁଥିବାର ଦେଖିଥିଲା । ଅର୍ଚ୍ଚନାର ବାହାଘର ଦୁଇଦିନ ପରେ । ହୁଏତ ବଡ଼ଭଉଣୀର ଅନୁପସ୍ଥିତି ସହି ପାରିବନି, ସେଇଥିପାଇଁ କାନ୍ଦୁଚି ବୋଲି ଭାବି, ସୁମନର ଅତି ନିକଟରେ ବସି ତା ମୁଣ୍ଡବାଳକୁ ସାଉଁଳି ଦେଉ ଦେଉ କହିଥିଲା ।

 

ଛିଃ ମୋ ସୁନାଭଉଣୀଟା ପରା । କାନ୍ଦେନା, ଆହୁରି ଅଧିକ ଯୋରରେ କାନ୍ଦି କାନ୍ଦି ସୁମନ କହିଥିଲା,

 

ନାନୀ, ପୁରୁଷର ଭୁଲାଣିଆ କଥାରେ ଭୁଲିଯାଇ ମୁଁ ତଳକୁ, ଅତି ତଳକୁ ଖସିଯାଇଚି । ଆଶ୍ଚର୍ଯ୍ୟ ହୋଇ ଭଉଣୀର ମୁହଁକୁ କିଛି ସମୟ ଚାହିଁ ସେ ପ୍ରଶ୍ନ କରିଥିଲା ।

 

କଣ ହେଇଚି କହ ?

 

ଅର୍ଚ୍ଚନା କୋଳରେ ମୁହଁ ଜାକି କାନ୍ଦି କାନ୍ଦି କହିଥିଲା ।

 

ସେଇ ନିଷ୍ଠୁର କାମୁକ ପୁରୁଷ ମୋର ସବୁକିଛି ଅପହରଣ କରିନେଇ ଏବେ ଅସ୍ଵୀକାର କରୁଚି ।

 

କିଏ ସେ :କଠିନ ଆଉ କଠୋର କଣ୍ଠରେ ପ୍ରଶ୍ନ କରିଥିଲା ସେ । କିନ୍ତୁ ନିରବ ରହି କାନ୍ଦି ଚାଲିଥିଲା ସୁମନ ।

 

ବିଶ୍ଵାସ କରେ, ମୁଁ ବାବାଙ୍କୁ କିଛି କହିବିନି । ତୁ ମତେ କେବଳ କହ କିଏ ସେ ? ମୁଁ ତା ପାଖକୁ ଯିବି । ଭଉଣୀକୁ ଆଦରକରି ପଚାରିଥିଲା ଅର୍ଚ୍ଚନା ।

 

ମୁଁ ଆତ୍ମହତ୍ୟା କରିବି । ତା ବ୍ୟତିତ ମୋର ଅନ୍ୟ ଉପାୟ ନାହିଁ ।

 

ଛିଃ, ଆତ୍ମହତ୍ୟା କରିବୁ । ଆତ୍ମହତ୍ୟା ଯେ ମହାପାପ । ତୁ ଆତ୍ମହତ୍ୟା କଲେ କ’ଣ ସେଇ କାମୁକ ପୁରୁଷମାନେ ସତ୍‌ପଥକୁ ଆସିବେ । ଏଇପରି ଅନେକ ଝିଅଙ୍କୁ ପ୍ରଜାପତି ମନ ନେଇ ଲୁଣ୍ଠନ କରି, ଶେଷରେ ସେମାନେ ସୁନ୍ଦର ସଂସାର ଗଢ଼ିବେ ଆଉ ହେବେ ସମାଜର ପ୍ରତିଷ୍ଠିତ ଲୋକ । ତୁ ମତେ ଖାଲି ତା ନା କହିଦେ । ଦୃଢ଼ କଣ୍ଠରେ କହିଥିଲ ଅର୍ଚ୍ଚନା ।

 

ମୁଁ ପାରିବିନି । ଅବିଚଳିତ କଣ୍ଠରେ ସୁମନ ଉତ୍ତର ଦେଇଥିଲା ।

 

ସୁମନ, ମୁଁ ତୋର ବଡ଼ଭଉଣୀ । ଆମର ବୋଉ ନାହିଁ । ତୋ ପ୍ରତି ମୋର କ’ଣ କିଛି କର୍ତ୍ତବ୍ୟ ନାହିଁ । ମୁଁ ଖାଲି ଜାଣିବାକୁ ଚାହେଁ କିଏ ତୋର ଏତେ ସୁନ୍ଦର ଜୀବନକୁ ନଷ୍ଟକରିଦେଲା ? ତୋ ହସ ଲିଭାଇ ଦେଲା ?? ପଚାରିଥିଲା ଅର୍ଚ୍ଚନା ।

 

ତୁ କଣ ବିଶ୍ୱାସ କରିବୁ ? କହିଥିଲା ସୁମନ୍ ।

 

କରିବି । ଗଳାରେ ଯୋରଦେଇ କହିଥିଲା ଅର୍ଚ୍ଚନା ।

 

ପାର୍ଥ । ତାର ସନ୍ତାନ.....ଅସ୍ପଷ୍ଟ ରଖି ଝଡ଼ଭଳି ସେ ଘରୁ ଚାଲିଯାଇଥିଲା ସୁମନ୍ । ପାର୍ଥର ନାଁଟା ସୁମନ୍ ମୁହଁରୁ ଶୁଣି, ଚିତ୍କାର କରିନଥିଲା ଅର୍ଚ୍ଚନା । ତାର ସମସ୍ତ ଶରୀର ଦେଇ ଏକ ହିମଶୀତଳ ସ୍ରୋତ ପ୍ରବାହିତ ହୋଇଯାଇଥିଲା । ବିସ୍ମୟ, ଘୃଣା, ଲଜ୍ୟାରେ ଭରି ଯାଇଥିଲା ଅର୍ଚ୍ଚନାର ମନ । ଆଉ ଭାବିଥିଲା ଯେତେ ଶିକ୍ଷା ପାଇଲେ ମଧ୍ୟ, ସଭ୍ୟତା ଉନ୍ମତ୍ତି ହେଲେ ମଧ୍ୟ ବଳିଷ୍ଠ ଚରିତ୍ରକୁ ଏଡ଼ି ଦେଇ ପାରୁନି ଆଦିମକ୍ଷୁଧା । ଦୁଇଟି ଦିନ ପରେ ତାର ପାର୍ଥ ସହିତ ବାହାଘର ହୋଇଥାନ୍ତା । ସମସ୍ତ ଇନ୍ଦ୍ରିୟ ତୀବ୍ର ପ୍ରବାହରେ ତରଙ୍ଗର ସ୍ରୋତ ପରି, କଳକଳ ଧ୍ଵନିରେ ଆଗେଇ ଯାଉଥିଲା, ସୁମନ୍‍ର କଥା ଶୁଣି ସେ ତରଙ୍ଗର ସ୍ରୋତ ବାଧା ପାଇ ଯାଇଥିଲା । ଆତ୍ମଗ୍ଳାନିରେ କ୍ଷତବିକ୍ଷତି ହେଇଗଲା ତାର ସମସ୍ତ ଦେହ ଆଉ ମନ । ପାଦ ତଳର ମାଟି ଅନେକ ତଳକୁ ଖସି ଯାଇଥିଲା ପରି ମନେ ହେଇଥିଲା । ତାକୁ ଯେମିତି ଲାଗିଥିଲା ସେ ଅତଳ ଅନ୍ଧକାରରେ ବୁଡ଼ିଯାଉଚି । ଅନେକକ୍ଷଣ ଧରି ଭାବି ଭାବି ସେଇ ସବୁକଥା ତାର ସ୍ନାୟୁ ଉପରେ ଅତ୍ୟଧିକ ଚାପ ନେଇଥିଲା । ଅସ୍ଥିର ହୋଇଥିଲା ମନ । ଅସହ୍ୟ ଉତ୍ତେଜନାରେ ଉତ୍ତପ୍ତ ହୋଇଯାଇଥିଲା ମସ୍ତିଷ୍କ । ଅନେକ ସମୟଧରି ହାତ ପାପୁଲିରେ ମୁହଁ ଢାଙ୍କି ବିକଳ ହୋଇ ଲୁହ ଢାଳିଥିଲା । ସେଇ ଆଖିର ଲୁହରେ ଧୋଇ ହୋଇ ଯାଇଥିଲା ଜୀବନର ସମସ୍ତ କାମନା ଓ ବାସନା । ବିଭିନ୍ନ ବର୍ଣ୍ଣରେ ଅନୁରଞ୍ଜିତ, ବିଭିନ୍ନ ରଙ୍ଗରେ ରଙ୍ଗାୟିତ ହୋଇଥିଲା ତାର କୁମାରୀ ମନ, ସେହି ମନଟି ତମସାର ଘନକୃଷ୍ଣ ଆବରଣ ତଳେ ଢାଙ୍କି ହୋଇଯାଇଥିଲା । ଛାତି ଭିତରେ ଅକୁହା ବେଦନା, ଯାହା କହିହେବାର ନୁହେଁ, ସହିବାର ନୁହେଁ । ଆଖିର ଲୁହରେ ଧୋଇ ହୋଇଗଲା ଜୀବନର ସମସ୍ତ ସୁଷମା । ଅର୍ଚ୍ଚନା ଦୃଷ୍ଟିରେ ସତ୍, ସୁନ୍ଦର, ସୁଶୋଭନ ପାର୍ଥ, ଗୋଟିଏ ଦିନ ଭିତରେ ସଂଯମହୀନ, ନଷ୍ଟଚରିତ୍ର, ପ୍ରତାରକ ଆଉ କଳଙ୍କିତ ନାୟକ ହୋଇଯାଇଥିଲେ ।

 

ବିରହ ମଧୁର, ବିଚ୍ଛେଦ ଦୁଃସହ, କିନ୍ତୁ ଉପେକ୍ଷା ? ସର୍ବାପେକ୍ଷା ନିର୍ମିାନ୍ତିକ ଯନ୍ତ୍ରଣା ଦିଏ-। କ୍ଷୋଭରେ ଅପମାନରେ ପରାଜୟ ଗ୍ଳାନିରେ କ୍ଷତିବିକ୍ଷତ ହୋଇ ଯାଇଥିଲା ତାର କୁମାରୀ ମନ-। ତାକୁ ଉପେକ୍ଷାକରି ପ୍ରଣୟିନୀ ଭାବରେ ସୁମନ୍‍କୁ ବାଛି ପାରିଲେ ? ତାପରେ ପାର୍ଥ ଦେଇଥିବା ତାଜମହଲଟି ଉଠାଇ ନେଇ ବଗିଚା ଆର ପଟକୁ ଫୋପାଡ଼ି ଦେଇଥିଲା । ହୁଏତ ତଳେ ପଡ଼ି ଭାଙ୍ଗିଯାଇଥିବ ତାଜମହଲ । ଭାଙ୍ଗିଯାଉ । ମଣିଷର ମନ ତ ଭାଙ୍ଗିଗଲା ।

 

ତାପରେ ଶୋଇବା ଘରେ ଝରକାରେ ମୁଣ୍ଡ ରଖି ଝରଝର ହୋଇ କାନ୍ଦୁଥିବା ବେଳେ ବାବା ତାର ପଚାରିଥିଲେ ।

 

ତୁ କାନ୍ଦୁଚୁ ?

 

ହୁଏତ ବାବା ତାର ନିଶ୍ଚୟ ଭାବିଥିବେ ଯେ ତାଙ୍କୁ ଛାଡ଼ି ଚାଲିଯାଉ ଥିବାରୁ ଚିନୁ ଯାଙ୍କର କାନ୍ଦୁଚି ବୋଲି । ତାର କାନ୍ଦିବାର କାରଣ କାହାକୁ ସେ ଜଣାଇ ଦେଇନଥିଲା । ସେ ଯେ ଭୟଙ୍କର ଝଡ଼ ତୋଫାନର ସମ୍ମୁଖୀନ ହୋଇ ସର୍ବସ୍ଵ ହରାଇ ଦେଇଚି ସେକଥା ମଧ୍ୟ ତା ବାବା ଜାଣିନଥିଲେ-। କେବଳ ତା ପରିବର୍ତ୍ତେ ସୁମନ୍‍ର ପାର୍ଥ ସହିତ ବାହାଘର କରିବାପାଇଁ ସେ ଜିଦ୍ ଧରିଥିଲା-। ବାବା ତା ଉପରେ ଅଭିମାନ କରି ଗମ୍ଭୀର ରହିଥିଲେ । ଯଦିଓ ତାକୁ ଦୁଃଖ ଲାଗୁଥିଲା କିନ୍ତୁ ଉପରେ ଉପରେ ରହି ଭିତରେ ଭିତରେ ଅନେକ କାନ୍ଦିଥିଲା ସେ । ବେଦନା ଯେତେ ତୀବ୍ର ହେଉ ପଛେ ଯାହା ସତ୍ୟ ତାକୁ ମାନି ନେବାପାଇଁ ବଡ଼ ସତର୍କ ଆଉ ସନ୍ତପଣରେ ଲୁହ ପୋଛି ନିଜ ମନକୁ ନିଜେ ସ୍ଥିର କରିଥିଲା । ଲୁହ ଝରାଇ ଦୁର୍ବଳତା ପ୍ରକାଶ କଲେ ବାବା ଜାଣିପାରିବେ-। ସେଇଥି ପାଇଁ ସହର ତ୍ୟାଗୀ ହେବାର ସଂକଳ୍ପ ନେଇଥିଲା । ନିଜ ଗୋଡ଼ରେ ନିଜେ ଠିଆ ହେବାର ସାହାସ ସଞ୍ଚୟ କରିଥିଲା । ଆଉ ଉପରେ ଅସମ୍ଭବ ଦୃଢ଼ତା ଫୁଟାଇ ଅଭିନୟ କରିଥିଲା ।

 

କାହା ଉପରେ ପ୍ରତିଶୋଧ ନେଇଥାନ୍ତା ସେ : ସାନଭଉଣୀ ଉପରେ । ନା, ସେ ସୁଖରେ ଘରସଂସାର କରୁ । ଏଇକଥା ଭାବି ନିଜ ପାଇଁ କିଣା ଶାଢ଼ି ଗହଣା ସବୁ ସୁମନ୍‍କୁ ପିନ୍ଧାଇ ଦେଇଥିଲା । ପ୍ରତିବାଦ କରିଥିଲା ସୁମନ୍ । ଭିତରେ କାନ୍ଦି, ଉପରେ ହସ’ ଫୁଟାଇ କହିଥିଲା ।

 

ତୁପରା ମୋର ସାନଭଉଣୀ । ତୋତେ ଅନ୍ଧାର ଭିତରେ ଛାଡ଼ିଦେଇ ମୁଁ ଆଲୋକ ସନ୍ଧାନରେ ମାତି ପାରିବି ? ତୋର ସୁନ୍ଦର ଜୀବନକୁ ଯିଏ ନଷ୍ଟ କରିଚି ସେ ତୋତେ ଗ୍ରହଣ କରନ୍ତୁ-

 

ଶେଷରେ ଭାବିଚିନ୍ତି ସ୍ଥିର କରିଥିଲା କିଛି ଦିନ ଯାଇ ଦେବଯାନୀ ପାଖରେ ରହିବା କଥା । ଦେବଯାନୀ ତାର ପ୍ରିୟ ବାନ୍ଧବୀ । ଏମ୍:ଏ ପଢ଼ୁ ପଢ଼ୁ ତାର ବାହାଘର ହୋଇଯାଇଥିଲା । ମାଟ୍ରିକ ପରଠାରୁ ସେ ଆଉ ଦେବଯାନୀ ଏକା ସଙ୍ଗରେ ସେପର୍ଯ୍ୟନ୍ତ ପଢ଼ି ଆସିଥିଲେ । ଦେବଯାନୀର ବାପା ମନୋରଞ୍ଜନ, ଆଉ ବାବା, ଦୁହେଁ ଘନିଷ୍ଠ ବନ୍ଧୁ ସହପାଠୀ ଓ ସହକର୍ମୀ ପ୍ରଥମେ ଅର୍ଚ୍ଚନା ପାଇଁ ଦେବଯାନୀର ସ୍ଵାମୀ ଗୀତିମୟର ପ୍ରସ୍ଥାବ ଆସିଥିଲା । ଅର୍ଚ୍ଚନାର ବିବାହ ପାର୍ଥ ସହିତ ଅନେକଦିନୁ ସ୍ଥିର ଯୋଗୁ ଗୀତିମୟ ପାଇଁ ଦେବଯାନୀର ବିବାହ ସ୍ଥିର କରାଇଥିଲେ ତାର ବାବ ! ଦୁଇ ପରିବାର ଭିତରେ ବହୁତ ଘନିଷ୍ଠତା ଥିଲା ।

 

ଗଲା ପୂଜାଛୁଟିରେ ଦେବଯାନୀ ଓ ଗୀତିମୟ ତାଙ୍କ ପାଖ ଦେଇ ତାଙ୍କ ଗାଁକୁ ଯାଇଥିଲେ । ଗୋଟିଏ ଦିନ ସେମାନଙ୍କ ସହିତ ରହିଥିଲେ । ଗୀତିମୟ ଖୁବ୍ ମେଳାପି । କିନ୍ତୁ ପ୍ରଗଲ୍‌ଭ । ଥରେ ଗପିବାକୁ ଆରମ୍ଭ କଲେ, ଚୁପ୍ ହୋଇ ରହିପାରନ୍ତିନି । ସୁମନ୍ ସହିତ ବେଶ୍ ମିଶିଯାଇଥିଲେ । ସଦା ଗମ୍ଭୀର ବାବା ମଧ୍ୟ ଗୀତିମୟଙ୍କ ସହିତ ତାସ୍ ଖେଳି, ଖୁସି ଗପ କରିଥିଲେ-। ତାସ୍ ଖେଳିବାବେଳେ ଅର୍ଚ୍ଚନାକୁ ଡାକ ପଡ଼ିଥିଲା । ଅର୍ଚ୍ଚନାକୁ ତାସ୍ ଖେଳି ଆସେ ନାହିଁ ବୋଲି ମନା କରିବାରୁ ସୁମନ୍ ଓ ଗୀତିମୟ ପାର୍ଟନର୍ ହୋଇ ଖେଳିଥିଲେ । ଅସଲ କଥା ଅର୍ଚ୍ଚନା ଅନ୍ୟ ପୁରୁଷମାନଙ୍କ ଆଗରେ ସେତେ ସହଜ ହୋଇ ପାରେନି । ଗଲାବେଳେ କହିଥିଲେ-

 

ବୁଝିଲ ଦେବଯାନୀ, ତୁମ ବାନ୍ଧବୀ ଜୀବନ ଥିବା ପାଷାଣ ପ୍ରତିମା । ପୃଥିବୀର ସବୁ ଗମ୍ଭୀରତା ତାଙ୍କ ପାଖରେ ସ୍ରଷ୍ଟା ହୁଏତ ତାଙ୍କୁ ସ୍ଵତନ୍ତ୍ରକରି ଗଢ଼ିଛନ୍ତି । ଆମ ଦ୍ଵାରା ବାବା ମାପିଚୁପି କଥା କହିବା ସମ୍ଭବ ନୁହେଁ । ତାଙ୍କ କଥା ଶୁଣି ଦେବଯାନୀ ଉତ୍ତର ଦେଇଥିଲା ।

 

ଆଉ କଣ ତୁମପରି ଅଯଥା ଦିନରାତି ବକ୍ ବକ୍ ହୋଇ ଶକ୍ତି ଅପଚୟ କରନ୍ତା । ରୋଗୀମାନଙ୍କ ସହିତ ବକର ବକର ହୋଇ ତୁମେ ଭାବୁଚ ସମସ୍ତେ ରୋଗୀ । ମୋ ପରି ମୋ ପାର୍ଟନର ସୁମନ ଠିକ୍ ଅଛି । ଦେବଯାନୀ କଥା ଶୁଣି ହସି ହସି କହିଥିଲେ ସେ । ଗୀତିମୟଙ୍କର ଆଉ ଏକ ଗୁଣ, ମିଛ କଥାକୁ ଏମିତି ଭାବରେ ସଜାଇ କହନ୍ତି ଯିଏ ଭାବିବ ସତକଥା । ଗୀତିମୟ ଓ ଦେବଯାନୀ ସେ ସର୍ବୋତ ଭାବେ ସୁଖୀ ତାଙ୍କୁ ଦେଖି ମନେ ହୋଇଥିଲା ତାର । ଦେବଯାନୀ ପାଖରେ ରହି ଭବିଷ୍ୟତଃ ଜୀବନର କର୍ମପନ୍ଥା ସ୍ଥିର କରିବା ପାଇଁ ସବୁ ସାର୍ଟିଫିକେଟ, ଦରକାରୀ ଜିନିଷ, ଆଉ ହାତରେ କିଛି ଟଙ୍କା, ସବୁ ଗୋଟିଏ ଲେଦର ସୁଟକେଶ୍ ଭିତରେ ଭର୍ତ୍ତିକରି ସମସ୍ତଙ୍କ ଅଲକ୍ଷରେ ବରଯାତ୍ରୀ ଆସିବା ପୂର୍ବରୁ ସହର ଛାଡ଼ିଥିଲା । ଯୋଗକୁ ଦେବଯାନୀ ରହୁଥିବା ସହରକୁ ଯିବାପାଇଁ ବସ୍‌ଟିଏ ଠିଆ ହୋଇ ଛାଡ଼ିବାର ଶେଷ ଘଣ୍ଟି ଦେଇସାରିଥିଲା । ତରତର ହୋଇ ଚାଲୁଥିବା ବସ୍‌କୁ ଉଠି ଆସିଥିଲା ସେ । ଅସୁବିଧା ଯୋଗୁ ଟିକେଟ କରିପାରିନି ବୋଲି କଣ୍ଡକ୍‌ଟରଙ୍କୁ ଜଣାଇଦେଇ ଟିକେଟର ଦାମ ଯାହା ଦେଇଥିଲା । ମେଘ ଅନ୍ଧାର ରାତିରେ ଦିଗହଜା ନଉକା ବତୀଘରର ସନ୍ଧାନ ପାଇଲା ପରି ଦେବଯାନୀ କଥା ସେହିଭଳି ମନେ ହୋଇଥିଲା ଅର୍ଚ୍ଚନାର । ଅଳ୍ପଦିନ ତଳେ ଦେବଯାନୀର ମାଆ ହେବା ଖବର ଗୀତିମୟ ଦେଇଥିଲେ । ଛୋଟ ଛୁଆକୁ ନେଇ ଏତେ ବାଟ ଯାଇ ବିଭାଘର ଯୋଗ ଦେଇ ନପାରିଥିବାରୁ ଦୁଃଖିତ ହୋଇଥିଲା । ତା ନହେଲେ କ’ଣ କରିଥାନ୍ତା ସେ ?

 

ବସ୍ ଚାଲିଚି । ପଥପରେ ପଥ ଅତିକ୍ରମ କରି ଯାଉଚି । ଅର୍ଚ୍ଚନା ମନ ଭିତରେ ସେଇ ଗୋଟିଏ ଚିନ୍ତା । ଗୋଟାଏ ଭାବନା । ସେଇ ଭାବନା ଭିତରେ କେତେବେଳେ ଶୀତଳ ପବନ ପରଶ ଲାଗି ନିଦ ଆସି ଯାଇଥିଲା ଅର୍ଚ୍ଚନାକୁ । ଗୋଳମାଳ, ଗହଳ ଚହଳରେ ନିଦ ଭାଙ୍ଗିଗଲା । ଆଖି ଖୋଲି ଚାହିଁଲା । ସେ କେଉଁଠି ପ୍ରଥମେ ଭାବି ପାରିଲାନି । ସବୁକଥା ମନେ ପଡ଼ିଗଲା । ବସ୍‌ଟି ନର୍ଦ୍ଧିଷ୍ଟ ସହରର ଷ୍ଟାଣ୍ଡରେ ପହଞ୍ଚିଯାଇଚି । ଅର୍ଚ୍ଚନା ଦେଖିଲା ରାତିର ଅନ୍ଧାର ବଦଳରେ ଦିନର ଆଲୁଅ ସୁସ୍ପଷ୍ଟ । ସକାଳର କର୍ମମୁଖର ସୂର୍ଯ୍ୟକିରଣ ଚତୁର୍ଦ୍ଦିଗ ବିଛାଇ ହୋଇ ଯାଇଚି । ଯାତ୍ରୀମାନେ, ଓହ୍ଲାଇ ପଡ଼ିବା ଦେଖି ହାତରେ ସୁଟକେଶ୍ ଉଠାଇ ବସ୍‌ରୁ ତଳକୁ ଓହ୍ଲାଇ ପଡ଼ିଲା । ପ୍ରଥମେ ଇତସ୍ତତଃ ହେଲା । କେଉଁଠିକୁ ଯିବ ? ଦେବଯାନୀର ଘର ଠିକଣା ସେ ଜାଣିନି । ଗୀତିମୟ ହସ୍‌ପିଟାଲରେ ଥିବ ଭାବି ରିକ୍‌ସାଟିଏ ଡାକି ହସ୍‌ପିଟାଲ ଉଦ୍ଦେଶ୍ୟରେ ଚାଲିବାକୁ ଇଙ୍ଗିତ ଦେଲା ରିକ୍‌ସାବାଲକୁ ।

 

ହସ୍‌ପିଟାଲ ଗେଟ୍ ମୁହଁରେ ରିକ୍‌ସା ଅଟକିଲା । ତାର ଭଡ଼ା ଦେଇ ଗେଟ୍ ଭିତରେ ପଶିଗଲା । ଭାବିଲା ଯଦି ତାଙ୍କୁ ନ ପାଇବ କେମିତି ତାଙ୍କର ଘର ଠିକଣା ସଂଗ୍ରହ କରିବ ? ତଥାପି ସାହାସ ସଞ୍ଚୟ କଲା । କୌଣସି ଡାକ୍ତର ତ ନିଶ୍ଚୟ ତାଙ୍କ ଠିକଣା ବତାଇ ପାରିବେ । ଏହି କଥା ଭାବି ସେ ବାରଣ୍ଡା ଉପରେ ଠିଆ ହୋଇ ଏପାଖ ସେପାଖ ଅନାଇଲା । ସେଇବାଟ ଦେଇ ଜଣେ ଡାକ୍ତର ଚାଲି ଯାଉଥିଲେ । ଝିଅଟି ଏପାଖ ସେପାଖ ହୋଇ କାହାକୁ ଖୋଜୁଛି ଭାବି ପ୍ରଶ୍ନକଲେ ।

 

କାହାକୁ ଖୋଜୁଚ ମା ?

 

ତାଙ୍କ ମାଆ ସମ୍ବୋଧନରେ ବାବାଙ୍କ କଥା ମନେ ପଡ଼ିଥିଲା । ଡାକ୍ତରଙ୍କ ମୁହଁକୁ ଅନାଇଲା ଅର୍ଚ୍ଚନା । ପ୍ରଶାନ୍ତ ମୁଖମଣ୍ଡଳ । ସେ ମୁଖମଣ୍ଡଳରେ ହାସ୍ୟର ଝଲକ ଅବିକଳ ତା’ ବାବାଙ୍କ ପରି । ସେଇ ବୟସ ପାଖାପାଖି । ଡାକ୍ତର ମାତ୍ରେହିଁ ଏମିତି ମୁହଁ ହେବା ଉଚିତ ଭାଵ ସଙ୍କୋଚ ସହିତ କହିଲା,

 

ଡାକ୍ତର ଗୀତିମୟଙ୍କୁ ଖୋଜୁଚି ।

 

ସେ କ’ଣ ତୁମର ଆତ୍ମୀୟ ? ପ୍ରଶ୍ନ କରିଥିଲେ ସେ ।

 

ହଁ । ନିରବରେ ମଥା ହଲାଇ ସମ୍ମତି ଦେଇଥିଲା ଅର୍ଚ୍ଚନା ।

 

ଆସ ମୋ ସାଥିରେ । ହେଇ, ସେ ପାଖ ଚେମ୍ବରରେ । ସେ ରୋଗୀ ଦେଖୁଛନ୍ତି । କହି ଆଗେଇ ଗଲେ ସେ, ଆଉ ତାଙ୍କ ପଛେ ପଛେ ଅର୍ଚ୍ଚନା । ତାଙ୍କୁ ସେ ଗୀତୀମୟଙ୍କ ଚେମ୍ବରର ଦ୍ଵାର ମୁହଁରେ ଛାଡ଼ି ଚାଲିଗଲାବେଳେ କହିଲେ,

 

ମୁଁ ଭିତରକୁ ଯାଇଥାନ୍ତି । କିନ୍ତୁ ଗୋଟାଏ ସିରିଅସ୍ ଅପରେଶନ୍ ଥିବାରୁ ଯାଉଚି ଭାରି । କହି ଚାଲିଯାଇଥିଲେ । ଠିକ୍ ସମୟରେ ଭଗବାନ ସାହାଯ୍ୟ କଲା ପରି ଦେବଦୂତ ଭଳି ଆସି ଡାକ୍ତର ଜଣଙ୍କ ପହଞ୍ଚି ଗୀତିମୟଙ୍କ ଚେମ୍ଵର ଦେଖାଇ ଦେଇଥିଲେ ।

 

ଗୀତିମୟଙ୍କ ଚେମ୍ବର ଦ୍ଵାରରେ ପର୍ଦ୍ଦା ଝୁଲୁଥୁଲା । ଉପରେ ନେମ୍ ପ୍ଲେଟ୍ । ପର୍ଦ୍ଦା ଟେକି ଚେମ୍ବର ଭିତରକୁ ପଶି ଗଲାବେଳେ ଦେଖିଲା, ଗୀତିମୟ ଜଣେ ରୋଗୀକୁ ପରୀକ୍ଷା କରିସାରି ପ୍ରେସ୍‌କିପ୍‌ସନ ଲେଖୁଚନ୍ତି । କ୍ଳାନ୍ତ ହୋଇ ସେ ନ କହିବା ପୂର୍ବରୁ ଖାଲିଥିବା ଚେୟାରଟିରେ ବସିପଡ଼ି ନମସ୍କାର ଜଣାଇଥିଲା ତାଙ୍କୁ । ପ୍ରଥମେ ଗୀତିମୟ ତାଙ୍କୁ ରୋଗିଣୀ ବୋଲି ମନେ କରିଥିଲେ । ପ୍ରତି ନମସ୍କାର କରିବାକୁ ଯାଇ ହାତ ଅଟକି ଯାଇଥିଲା ତାଙ୍କର । ସ୍ଥିର ଅପଲକ ଦୃଷ୍ଟି ନେଇ ଅର୍ଚ୍ଚନା ମୁହଁକୁ ଚାହିଁରହିଲେ କିଛି ସମୟ । ସେ ଯେମିତି ଅର୍ଚ୍ଚନାର ଉପସ୍ଥିତିକୁ ବିଶ୍ୱାସ କରି ପାରୁନଥିଲେ ।

 

ଗୀତିମୟ ତାଙ୍କୁ ଆଶ୍ଚର୍ଯ୍ୟ ଭାବରେ ଚାହଁବା ଦେଖି ଅର୍ଚ୍ଚନା କହିଲା,

 

କ୍ଵାଟରଟା ଦେଖିନି । ସେଇଥିପାଇଁ ବସ୍‌ରୁ ଏଇଠିକୁ ସିଧା ଚାଲିଆସିଛି ।

 

ନିଜର କେତେଟା ଦରକାରୀ କାମସାରି ଅର୍ଚ୍ଚନା ଗୀତିମୟ ବାହାରକୁ ଆସିଲେ । ଅର୍ଚ୍ଚନା ହାତରୁ ସୁଟ୍‌କେଶଟାକୁ ନେଉ ନେଉ ଗୀତିମୟ ପ୍ରଶ୍ନକଲେ ।

 

ଯଦି କିଛି ମନେ ନକରିବ, ତେବେ ଗୋଟାଏ କଥା ପଚାରିବି ?

 

ନିମନ୍ତ୍ରଣ ପାଇଚନ୍ତି । ଆଉ ଭାବୁଚନ୍ତି ବେଦୀରେ ବସିବା ପରିବର୍ତ୍ତେ...

 

ହଁ ଅର୍ଚ୍ଚନା, ସେଇକଥା । ହଠାତ୍ ତୁମର ଆବିର୍ଭାବ ମତେ ପ୍ରଥମେ ସ୍ଵପ୍ନ ଭଳି ମନେ ହୋଇଥିଲା ।

 

କ୍ଵାଟରକୁ ଚାଲନ୍ତୁ । ସବୁକଥା କହିବି ଆପଣଙ୍କୁ । କହି ଗୀତିମୟଙ୍କ ପଛେ ପଛେ ଚାଲିଲା ଅର୍ଚ୍ଚନା । ହସ୍‌ପିଟାଲ କମ୍ପାଉଣ୍ଡ ଭିତରେ ଗୀତିମୟଙ୍କ କ୍ଵାଟର । ଘର ଭିତରକୁ ପଶି ଯାଉ ଯାଉ ସ୍ତ୍ରୀଙ୍କୁ ଡାକପକାଇଲେ ଗୀତିମୟ ।

 

ପୁଅକୁ ଶୁଆଇ ପକାଉଥିଲା ଦେବଯାନୀ । ଏତେ ଶିଘ୍ର ହସ୍‌ପିଟାଲରୁ ସ୍ଵାମୀଙ୍କୁ ଫେରି ଆସିବା ଦେଖି ଉଠିଆସିଲା ବାହାରକୁ । ଆଖି ଆଗରେ ଅର୍ଚ୍ଚନାକୁ ଦେଖି ବେଶି ଆଶ୍ଚର୍ଯ୍ୟ ଲାଗିଥିଲା ତାକୁ । ସବୁକଥା ନିସଙ୍କୋଚ ଭାବରେ ସେମାନଙ୍କୁ ଖୋଲି କହିଥିଲା ଅର୍ଚ୍ଚନା ।

 

ଦୀର୍ଘ ଚାରୋଟି ମାସ ସେମାନଙ୍କ ପାଖରେ ରହିଥିଲା ଅର୍ଚ୍ଚନା । ତାଙ୍କରି ଘରେ ବିଶେଷ ଭାବେ ପରିଚିତ ହୋଇଥିଲା ଡାକ୍ତର କିଂଶୁକରାୟଙ୍କ ସହିତ । ପ୍ରଥମ ଦିନ ତାଙ୍କୁ ହସ୍‌ପିଟାଲରେ ଦେଖିଥିଲା ତାଙ୍କ ପ୍ରତି ଶ୍ରଦ୍ଧା ଭକ୍ତି ବଳେ ବଳେ ଆସିଯାଇଥିଲା । ତାଙ୍କ ପାଖରେ ସହଜ ହେଇ ଯାଇଥିଲା ଅର୍ଚ୍ଚନା । ଦେବଯାନୀ, ତା ପୁଅ, ଗୀତିମୟ ଓ ଡାକ୍ତର କିଂଶୁକ ଏମାନଙ୍କ ମେଳରେ ଜୀବନର ଅନ୍ତର୍ଦାହକୁ କିଛି ପରିମାଣରେ ଭୁଲି ଯାଇଥିଲେ ଅର୍ଚ୍ଚନା । ଦୀର୍ଘ ଚାରିମାସ ଭିତରେ ଗୀତିମୟଙ୍କ ନିକଟରେ ମଧ୍ୟ ସହଜ ହୋଇ ପାରିଥିଲା ସେ । ସାନ ଭଉଣୀ ଭଳି ତାକୁ ସ୍ନେହ କରିଥିଲେ । ଅର୍ଚ୍ଚନା ମଧ୍ୟ ବଡ଼ଭାଇ ଭଳି ଭକ୍ତି କରିଥିଲା ଅନେକ ସମୟରେ ଡାକ୍ତର କିଂଶୁକ ବୁଝାନ୍ତି, ତୁ କହୁଛୁ ଦୁଃଖି । କିନ୍ତୁ ମୋ କଥା ଥରେ ଭାବି ଦେଖିଲୁ, ତଥାପି ମୁଁ ବଞ୍ଚିଛି । କର୍ତ୍ତବ୍ୟ କରି ଚାଲିଚି । ସବୁ କଥାରେ ଭାଙ୍ଗିପଡ଼ିବା ଉଚିତ ନୁହେଁ । ଜୀବନଟା ଅନେକ ଉଠାପକାର ସମଷ୍ଟି । ଡାକ୍ତର କିଂଶୁକ ଦୁର୍ଘଟଣାରେ ସ୍ତ୍ରୀ, ଏକମାତ୍ର ଝିଅକୁ ହରାଇଥିଲେ । ସେଇ ଦୁଃଖକୁ ଭୁଲିଯିବା ପାଇଁ ଦିନରାତି, ରୋଗୀମାନଙ୍କ ସେବା କରି ଜୀବନ ଯନ୍ତ୍ରଣା ଭୁଲିଯିବାକୁ ଚାହୁଁଥିଲେ । ଅର୍ଚ୍ଚନ ତାର ଜୀବନଯନ୍ତ୍ରଣାକୁ ଭୁଲିଯିବା ପାଇଁ ସେହି ମାଳଅଞ୍ଚଳରେ ଏକ ବେସରକାରୀ ମହିଳା କଲେଜରେ ଅଧ୍ୟାପିକା ହେଲା । ଏଥିପାଇଁ ଗୀତିମୟ ଆଉ ଡାକ୍ତର କିଂଶୁକ ବହୁତ ସହାଯ୍ୟ କରିଥିଲେ । ଡାକ୍ତର କିଂଶୁକଙ୍କୁ ସମସ୍ତେ ମାନନ୍ତି । ଭକ୍ତି ଶ୍ରଦ୍ଧା କରନ୍ତି । ଡାକ୍ତରବାବୁ କହିଲେ ସମସ୍ତେ ପାଗଳ । ତାଙ୍କରି ଚେଷ୍ଟାରେ କଲେଜ ହଷ୍ଟେଲରେ ସିଙ୍ଗଲ୍‌ରୁମ୍‌ଟିଏ ଅର୍ଚ୍ଚନାକୁ ମିଳିଥିଲା । ବାପା, ମାଆ ନଥିବା ଗୋଟିଏ ଆଦିବାସୀ ଝିଅକୁ ଆଣି ଅର୍ଚ୍ଚନା ପାଖରେ ରଖାଇ ଦେଇଥିଲେ ଡାକ୍ତର କିଂଶୁକ । ତା ନାଁ ମଇନା । ଡାକ୍ତର କିଂଶୁକ ବଦଳିହୋଇ ସେ ଯାଗାରୁ ଚାଲିଯାଇଥିଲେ । ଫରେନରେ ମେଡ଼ିସିନ ସ୍ପେଷାଲାଇଜ୍‌ଡ଼ କରିବା ପାଇଁ ଗୀତିମୟ ମଧ୍ୟ ଚାଲିଯାଇଥିଲେ । ସାଥିରେ ଦେବଯାନୀ ଓ ପୁଅକୁ ମଧ୍ୟ ନେଇ ଯାଇଥିଲେ । ଗଲାବେଳେ ଗୀତିମୟ କହିଥିଲେ ଯେ କେବେ ଯଦି କିଛି ଦରକାର ପଡ଼େ ଲେଖିଲେ, ସାହାଯ୍ୟ କରିବାକୁ ସେ ପ୍ରସ୍ତୁତ । ଗୀତିମୟ ଜାଣିଥିଲେ ଅର୍ଚ୍ଚନା ତାର ସମସ୍ତ ହୃଦୟ ମନ ଦେଇ ପାର୍ଥକୁ ଭଲ ପାଇଥିଲା । ସେ ହୃଦୟ ଭିତରେ କୌଣସି ପୁରୁଷ କୌଣସି ଦିନ ସ୍ଥାନ ପାଇନି । ସେଇଥିପାଇଁ ଅନ୍ୟ କାହାକୁ ବିବାହ କରି ସୁଖ ସଂସାର କରିବାକୁ ଅର୍ଚ୍ଚନାକୁ କହିନଥିଲେ । ସେମାନେ ଚାଲିଯିବା ପରେ ଅନେକ ଦିନ ପର୍ଯ୍ୟନ୍ତ ଖରାପ ଲାଗିଥିଲା । ତେବେ ସମୟ ସ୍ରୋତରେ ସବୁ ଭୁଲି ହୋଇଯାଏ । ଗୀତିମୟ ଓ ଡାକ୍ତର କିଂଶୁଙ୍କର ଉପକାର କଥା ଭୁଲି ପାରେନି ଅର୍ଚ୍ଚନା । ଆଉ ଭୁଲିପାରେନି ତାର ଅତିତକୁ । ତା ଜୀବନର ପ୍ରଥମ ପୁରୁଷ ପାର୍ଥ । ଦିନଦିନ ଧରି ଅନ୍ୟ କୁମାରୀମାନଙ୍କ ପରି ବର୍ଷାରାତିରେ, ଶୀତଳ ଜ୍ୟୋସ୍ନାଝରା ସଞ୍ଜରେ, ନିରୋଳା ନିଭୃତରେ ସମସ୍ତ ଭାବନାର କେନ୍ଦ୍ର ବିନ୍ଦୁ, ଥିଲା ପାର୍ଥ ।

 

କ’ଣ ଭାବିଥିଲା ଆଉ କ’ଣ ଘଟିଗଲା । ଅସମାପ୍ତ ହୋଇଗଲା ତାର ଭଲ ପାଇବାର ଇତିହାସ । ଅଦୃଷ୍ଟିରେ ହୁଏତ ଏଇକଥା ଲେଖାଥିଲା । ଏବେ ଜାଣିଚି ଜୀବନ ଜ୍ଵଳାରେ ଜଳିବା ପାଇଁ କାହିଁକି ଏତେ ସ୍ଵପ୍ନ ଦେଖିଥିଲା । ତା ମନର ଫଗୁଣ ବନରେ ଫୁଲର ମହୋତ୍ସବ ସୃଷ୍ଟିକରି ସେଥିରେ ଅଗ୍ନି ସଂଯୋଗ କରିଦେଲେ ପାର୍ଥ । ଫୁଲଜାକ ସବୁ ଜଳିଗଲେ । ହୃଦୟ ଭିତରେ ଗଢ଼ିଥିବା ପ୍ରିତିର ମହଲ ଭାଙ୍ଗିଯାଇ ଧ୍ଵଂସ ସ୍ତୁପରେ ପରିଣତ ହୋଇଗଲା । ଥରେ ପୁରୁଷକୁ ଚିହ୍ନି ସାରିବା ପରେ ସେହି ନଷ୍ଟଚରିତ୍ର ପୁରୁଷ ମାଧ୍ୟମରେ ଚିହ୍ନି ଦେଇଥିଲା ସମଗ୍ର ପୁରୁଷଙ୍କୁ । ଆଉ ଥରେ ଘର ବାନ୍ଧିବା କଥା ହୃଦୟରେ ସ୍ଥାନ ଦେଇ ପାରିନି । ଜୀବନର ପରମ ପୁରୁଷ ଅନୁପମ ପାର୍ଥର ରୂପ ବିବର୍ଣ୍ଣ ହୋଇଯାଇଥିଲା । ପାର୍ଥର ନାମାଙ୍କିତ ନର୍ବନ୍ଧର ସ୍ମାରକୀ ସୁନା ମୁଦିଟି ଆଙ୍ଗୁଠିରୁ କାଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ କାଢ଼ି ପାରିନି । ଅନେକ ସମୟରେ ପାର୍ଥ ଆଉ ସୁମନର ସୁଖି ସଂସାରର ଚିତ୍ର କଳ୍ପନା କରି ଇର୍ଷା ଲାଗେ । ମନରେ ଅନୁଶୋଚନା ଆସେ । ସେ କ’ଣ ଚରିତ୍ରହୀନ ପାର୍ଥକୁ ବିବାହ କରି ସୁଖି ହୋଇପାରିଥାନ୍ତା । ମନଭିତରେ ସଦାସର୍ବଦା ସନ୍ଦେହ ନେଇ କେମିତି ସ୍ଵାଭାବିକ ଜୀବନ ବିତାଇ ଥାଆନ୍ତି । ଭଲ ହେଇଚି ସୁମନ୍ତ ବିବାହ ପୂର୍ବରୁ ସବୁକଥା କହିଦେଇଥିଲା । ସୁମନକୁ ଠକିଯିବାକୁ ଦେଇନି । ସମସ୍ତଙ୍କୁ ଛାଡ଼ି ଆଦରି ନେଲା ଅର୍ଚ୍ଚନା ଅଜ୍ଞାତବାସ । ଯୋରକରି ହୃଦୟ ଭିତରୁ ତଡ଼ିଦିଏ ପାର୍ଥର ଭାବନା । ତଥାପି ବେଳେବେଳେ ତାର ଛାତି ଭିତରୁ କଣ୍ଠନାଳୀ ଚାପି ହୋଇ ବାହାରି ଆସେ ଏକ ଅବ୍ୟକ୍ତ ବେଦନା । ସେ ବେଦନା ଭିତରେ ଲୁକ୍‌କାୟିତ ହୋଇଥାଏ ଅନେକ ଅଭିଯୋଗ । ସେ ଅଭିଯୋଗ ହେଲା,

 

“ମୁଁ ତୁମକୁ ବିବାହ କରିଥାନ୍ତି ପାର୍ଥ । ମୋ କୁମାରୀ ଜୀବନର ପରମ ପୁରୁଷକୁ ଛଡ଼ାଇନେଇ ବିକୃତ ଅମଣିଷ ପୁରୁଷକୁ ଠିଆ କଲ କାହିଁକି ? ଅପରିପକ୍ଵ ବୟସରୁ ଜଳିଥିବା ଭଲପାଇବାର ଉଜ୍ଜ୍ଵଳପ୍ରଦ ପ୍ରଦୀପକୁ ନିଜ ହାତରେ ଲିଭାଇ ଦେଲ କାହିଁକି ? ଦୁହେଁ ମିଶି ସୁନ୍ଦର ସାବଲୀଳ ଘର ସଂସାର କରିବା କଥା ଦେଇ ନିଷ୍ଠୁର ଭାବରେ ଏମିତି ପ୍ରତାରଣା କଲ କାହିଁକି ?

Image

 

Unknown

ସ୍ଥାୟୀ

 

ମୁହୂର୍ତ୍ତ ପରେ ମୁହୂର୍ତ୍ତ ଶେଷ ହୋଇଯାଏ । ଅଳସ ଉଷା ଅତିକ୍ରାନ୍ତ ହୋଇଯାଇ ହୁଏ ମଧ୍ୟାହ୍ନ । କର୍ମ ଚଞ୍ଚଳ ସୂର୍ଯ୍ୟ କ୍ଳାନ୍ତ ଶାନ୍ତ ହୋଇ ଢଳିଯାନ୍ତି ପଶ୍ଚିମ ଦିଗରେ । ଉଦୟରାଗ ପରିବର୍ତ୍ତେ ଅସ୍ତରାଗର ସ୍ପର୍ଶ ଲାଗେ ପଶ୍ଚିମ ଆକାଶରେ ଦିନପରେ ଦିନ, ମାସ ପରେ ମାସ । ଋତୁ ଆସେ । ଋତୁ ଯାଏ । ବର୍ତ୍ତମାନ ହୁଏ ଅତିତ । ରହିରହି ଅତିତର ସ୍ମୃତି ଉତ୍ପୀଡ଼ନ କରେ ହୃଦୟକୁ ବିଶେଷ କରି ଅବସର ଦିନମାନଙ୍କରେ । ଅବସରମାନେ ଅନେକ କିଛି ଭାବନା । ସେଇ ଭାବନା ମାନେ ତ ଯନ୍ତ୍ରଣା ।

 

ଅନେକ ସମୟରେ ରାତି ପାହିବାର ଅନେକ ପୂର୍ବରୁ ନିଦ ଭାଙ୍ଗିଯାଏ ପାର୍ଥ ପ୍ରତୀମଙ୍କର । କର୍ତ୍ତବ୍ୟ ଜଞ୍ଜାଳ ଭିତରେ ଯେତେ ବୁଡ଼ି ରହିଥିଲେ ମଧ୍ୟ ଛାତି ଭିତରେ ଥିବା ନିଭୃତ କୋଣରେ ମନର ବେହେଲିଟି ବାଜିବାଜି ଯାଏ । ନିସଙ୍ଗ ଶୂନ୍ୟତାର ମୂର୍ଚ୍ଛନା ତାଙ୍କ କାନକୁ ଶୁଭେ ସେ ମୂର୍ଚ୍ଛନା ତାଙ୍କ ନିଜ ବ୍ୟତିତ ଅନ୍ୟକେହି ଶୁଣି ପାରିବେନି କୌଣସି ଦିନ । ଅସହିଷ୍ଣୁ, ହୋଇପଡ଼ନ୍ତି ସେ । କେହି କିଛି ଭଲ ଲାଗନ୍ତିନି । ପଦଚାରଣ କରି କରି, ବେଳେବେଳେ ଶୂନ୍ୟ ଆକାଶକୁ ଅନାଇଁ ସିଗାରେଟ୍ ପରେ ସଗାରେଟ ଟାଣିଚାଲନ୍ତି । ମନରେ ଦୁଃଖକୁ ଭୁଲିବାପାଇ ଅନେକ ଲୋକ ନିଶାର ଅଶ୍ରୟ ନିଅନ୍ତି । ସେଇମିତି ସେ ଧୁମ୍ରପାନର ନିଶାକୁ ଅଶ୍ରୟ କରିଚନ୍ତି ।

 

ଦେହରେ ପକାଇଥିବା ସାଲଟାକୁ କାର୍‌ର୍ ସିଟ୍ ଉପରେ ରଖି ପଞ୍ଜାବୀ ପକେଟରେ ହାତ ଭର୍ତ୍ତିକଲେ । ସିଗାରେଟ୍ ପ୍ୟାକେଟ୍‌ଟା ବାହାର କରି ଆଣିଲେ । ଲାଇଟର୍‌ଟା ପାରିଲେନି । ହୁଏତ ଘରେ ରହିଗଲା କି କ'ଣ ? ତାଙ୍କର ଠିକ ମନେପଡ଼ୁଛି । ବୋଉ ଜିନିଷ ପତ୍ର ସଜାଡ଼ିଲାବେଳେ ଲାଇଟର୍‌ଟା ତାଙ୍କ ହାତକୁ ଦେଇଥିଲେ । ହୁଏତ ଘରେକେଉଁଠି ରଖିଦେଲେ ବୋଧହୁଏ । ତାଙ୍କ ସିଗାରେଟ୍ ପ୍ରତି ବୋଉ ତାଙ୍କର ସ୍ଵଭାବିକ୍ ବୋଲି ଧରି ନେଲେଣି । ଅଥଚ ସିଗାରେଟ୍‍ତ ଦୂରର କଥା, ପାନ, ଚା ପ୍ରଭୃତି କୌଣସି ବାଜେ ଅଭ୍ୟାସ ତାଙ୍କର ନଥିଲା । ଏବେ କିନ୍ତୁ ନିରବ ରହିଯାଇଛନ୍ତି । କିନ୍ତୁ ଯେତବେଳେ ପାର୍ଥ ଅସହିଷ୍ଣୁ ହୋଇପଡ଼ନ୍ତି । ଶୋଇବାଘରୁ ବାହାରି ଆସି ସିଗାରେଟ ପରେ ସିଗାରେଟ ଟାଣନ୍ତି, ପଛେ ପଛେ ଆସି ଖାଲି ଏତିକି କହନ୍ତି ।

 

ସେ ଗୁଡ଼ାକ କାହିଁକି ଏତେ ଅଭ୍ୟାସ କରୁଚୁ । ଛାତି ରୋଗ ବାହାରିବ ।

 

ଅଭ୍ୟାସ ହୁଡ଼ି ପାରିନାହାନ୍ତି ସେ । କାର୍‌ର ଗତି ବଢ଼ିଚି ! ଚଳନ୍ତା କାର୍ ଭିତରୁ ବାହାରକୁ ଅନାଇଲେ ସେ । ଭଲକରି ସକାଳ ହେଇନି । ସହରର ପଥ ଘାଟ ଏଇ ଅଳ୍ପ ଅନ୍ଧକାର ଭିତରେ ଅସ୍ପଷ୍ଟ । କେତୋଟି ଯାନବାହାନକୁ । ବାଦ୍ ଦେଲେ ଲୋକ ଚଳାଚଳ ଆରମ୍ଭ ହୋଇନି । ରାସ୍ତା ଘୁମେଇ ପଡ଼ିଚି । ଅଳ୍ପ ସମୟ ପରେ କର୍ମଚଞ୍ଚଳ ହେବ ପଥଘାଟ, ମନୁଷ୍ୟ, ପଶୁପକ୍ଷୀ, ତରୁଲତା ସମସ୍ତେ ।

 

ବ୍ରେକ୍ ଦେବା ସଙ୍ଗେ ସଙ୍ଗେ କାର୍‌ଟି ରହିଗଲା । ଗେଟ୍ ଖୋଲି କାର୍‌ଟିକୁ ସାଇଡ୍‍ କଲା ଡ୍ରାଇଭର ରହିମ୍ । ସାଲ୍‍ଟାକୁ ସିଟ୍‌ରୁ ଆଣି ନିଜ, ଦେହରେ ପକାଇଲେ । ଦ୍ଵାର ଖୋଲିନେଲା ରହିମ୍ । ଓହ୍ଲାଇପଡ଼ିଲେ ପାର୍ଥ । ତାଙ୍କ ପଛେ ପଛେ ଓହ୍ଲାଇପଡ଼ିଲା କୌଶିକ । ଲଗେଜ୍ କ୍ୟାରିଅର୍ ଜିନିଷ କାଢ଼ିଲା ରହିମ ତିନିଜଣଜାକ ଷ୍ଟେସନ୍‌ର ଗେଟ୍ ଦେଇ ପ୍ଲାଟଫର୍ମରେ ଠିଆ ହୋଇବା ଟ୍ରେନ ପାଖକୁ ଗଲେ । ଏୟାର କଣ୍ଡିସନ ସ୍ଲିପର କୋଚରେ ଆଡଭାନ୍‌ସ ଟିକେଟି ହୋଇଥିଲା । ସେହି ନିର୍ଦ୍ଧିଷ୍ଟ କମ୍ପାଟମେଣ୍ଟ୍ ସେ ଓ କୌଶିକ ଚଢ଼ିଗଲେ । ସୁଟକେଶ, ଟିଫିନ୍ କ୍ୟାରିଅର୍, ୱାଟର ବ୍ୟାଗ୍, ଫ୍ଲାକ୍‌ସ ସବୁ ଭିତରେ ରଖି ତଳକୁ ଓହ୍ଲାଇଗଲା ରହିମ୍ । ସେମାନେ ଭଲରେ ଭଲରେ ଆସି ଠିକ୍ ଟାଇମରେ ପହଞ୍ଚି ଯିବା କଥା ବୋଉଙ୍କୁ ଜଣାଇଦେବାକୁ ପାର୍ଥ ରହିମ୍‌କୁ କହିଥିଲେ । ରହିମ୍ ନ ଫେରିବା ପର୍ଯ୍ୟନ୍ତ ଉଦ୍‌ବିଘ୍ନ ଥିବେ ତାଙ୍କ ବୋଉ । ଆଜିକାଲି ରାସ୍ତାଘାଟ କଥା, ସେଥିରେ ରାତିସମୟ । ଏଇକଥା ଭାବି ପ୍ରଥମେ ବ୍ୟସ୍ତ ହେଉଥିଲେ । ତା ଛଡ଼ା ପାର୍ଥଙ୍କୁ ଦୁଇଦିନ ତଳେ ସର୍ଦ୍ଦିକାଶ ହୋଇ ସାମାନ୍ୟ ଜ୍ଵର ହେଇଥିଲା । ଏତେ ବାଟ ଟ୍ରେନରେ ଯିବାକୁ ବାରଣ କରିଥିଲେ ତାଙ୍କ ବୋଉ । ଆଗରୁ କଥା ଦେଇ ପରେ କୌଶିକକୁ ଏକୁଟିଆ ଫେରିଯିବାକୁ ଭଲ ଲାଗି ନଥିଲା ତାଙ୍କୁ କୌଶିକ ତାଙ୍କର ଛାତ୍ର ଥିଲା । ତା ସହିତ ପାର୍ଥଙ୍କର କେବଳ ଶିକ୍ଷକ ଓ ଛାତ୍ରର ସମ୍ପର୍କ ଭିତରେ ଆବଦ୍ଧ ନଥିଲା । ଛୋଟ ଭାଇ ପରି ତାକୁ ଭଲ ପାଉଥିଲେ ସେ ! ନିଜେ ପାର୍ଥଙ୍କର ବୋଉ ମଧ୍ୟ କୌଶିକକୁ ସ ପଈ ଦେଖୁଥିଲେ । ପାର୍ଥଙ୍କ ପାଖରେ ରହି ସେ ଅଧ୍ୟାପକ ଥବା କଲେଜରୁ ପାଶ୍ କରି ସାରିବାପରେ ଓଡ଼ିଶାର କୌଣସି ଏକ ଆଦିବାସୀ ବହୁଳ ଅଞ୍ଚଳରେ ନୂଆକରି ଖୋଲିଥିବା କଲେଜରେ ଗଣିତ ଅଧ୍ୟାପକ । କଲେଜ୍‌ର ପ୍ରତିଷ୍ଠା ଦିବସ ଉପଲକ୍ଷେ ମୁଖ୍ୟଅତିଥି ଭାବରେ ତାଙ୍କୁ ନିମନ୍ତ୍ରଣ କରି ନେଉଚି । କିଛିଦିନ ତଳେ ପାର୍ଥଙ୍କ ମତାମତ ମାଗି ଚିଠି ଲେଖିଥିଲା-। ନିଜର ସମ୍ମତି ଦେଇ ଉତ୍ତର ଲେଖିଥିଲେ ସେ ।

 

ସାର୍, ଆପଣ ସ୍ଲିପରେ ଶୋଇଯାନ୍ତୁ । ବର୍ଥରେ ବେଡିଂ ଖୋଲି ବିଛଣା ସଜାଡ଼ୁ ସଜାଡ଼ୁ କୌଶିକ କହିଲା,

 

ବର୍ଥକୁ ଉଠିଯାଇ ବସି ପଡ଼ିଲେ ପାର୍ଥ । ଝରକାର କାଚ ଉଠାଇ ବାହାରକୁ ଅନାଇଁଲେ-। ପାହାନ୍ତି ପାହାନ୍ତି ପହରର ଫିକା ଫିକା ଉଷା ପରିବର୍ତ୍ତେ ଆକାଶରେ ସକାଳର ରଙ୍ଗ ଲାଗିଚି-! ଜହ୍ନଟା ମଉଳି ଯାଇ ଆକାଶର ଗୋଟାଏ କଣକୁ ସ୍ଥିର ରହିଯାଇଛି । ଅଥଚ ଏଇ ଜହ୍ନ ଉଦୟ ବେଳେ ଅନେକ ଆଲୋକରେ ଉଦ୍ଭାସିତ ହୋଇଥାଏ ।

 

ସକାଳର ରଙ୍ଗ ଲାଗି ଅଦ୍ଭୁତ, ଅପୂର୍ବ ଦେଖାଯାଉଛି, ଆକାଶଟା । ଟ୍ରେନ୍ ଆସ୍ତେ ଆସ୍ତେ ଚାଲିବାକୁ ଆରମ୍ଭ କଲା । ପଛରେ ରହିଗଲା କୋଳାହଳ ଦିଲ୍ଲୀ ଷ୍ଟେସନ । ଅସ୍ପଷ୍ଟ ହେଲା ହକରମାନଙ୍କର ଚିତ୍କାର । ଟ୍ରେନ୍ କିଛି ବାଟ ଆସିବ ପରେ ଦେଖାଗଲା ଶଙ୍ଖ ମଲମଲ ପଥର ନିର୍ମିତ ତାଜମହଲ । ସମ୍ରାଟ ସାହାଜାନ୍‌ଙ୍କର ପବିତ୍ର ପ୍ରେମର ନିଦର୍ଶନ ଏଇ ଗଳମହଲ । ପ୍ରାଣପ୍ରିୟା ବେଗମଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେ ଏହାକୁ ନିର୍ମାଣ କରାଇଥିଲେ । ଶହ ଶହ ବର୍ଷ ଅଗର୍ଭ ହୋଇଥିଲେ ମଧ୍ୟ ତାଙ୍କ ପ୍ରେମ ଅମର ହୋଇ ଯାଇଚି । ଏଇ ତାଜମହଲ ମାଧ୍ୟମରେ । ଟ୍ରେନର ଗତି ବଢ଼ିଯାଇ ଆଗେଇ ଯିବାରୁ ଅନେକ ପଛରେ ରହିଗଲା ତାଜମହଲ । ହତାଶର ଏକ ଦୀର୍ଘଶ୍ଵାସ ଛାତି ଭିତରୁ ବାହାରି ଆସିଲା । ଜୀବନଟା ତାଙ୍କ ପାଇଁ ବଡ଼ କ୍ଳାନ୍ତିକର । ଏକଘରିଆ, ଏକାକୀ ଜୀବନ । ସେଇ ଏକାକୀତୃର ବେଦନା ଅନୁଭବ କରି ଆସିଥିଲେ । ସେମିତି ବେଦନା ଏବେ ମଧ୍ୟ ସେ ଅନୁଭବ କରୁଛନ୍ତି ।

 

ପରମଲଗ୍ନ ତାଙ୍କ ଜୀବନରେ ଆସିଥିଲା, ଆସିବାପୂର୍ବରୁ ଅଶୁଭ ଲଗ୍ନ ହୋଇ ଯାଇଥିଲେ । ଅମୃତର ସ୍ଵାଦ ପାଇଁ ଆଗେଇ ଗଲାବେଳକୁ, ହଳାହଳ ବିଷ ହୋଇ ଯାଇଥିଲା । ଗୋଟାଏ ଶାନ୍ତ ତୋମଳ ମୁହଁ ଅନେକ ଘୃଣା ନେଇ ତାଙ୍କ ଜୀବନ ପରିଧିରୁ ଦୂରକୁ ଛିଟିକି ଗଲା । ସେଇ ମୁହଁଟା ପାଇଁ ହୃଦୟଟା ଶୂନ୍ୟ ହୋଇଗଲା । ବେଳେ ବେଳେ ନିଜ ମନକୁ ପ୍ରଶ୍ନ କରନ୍ତି ସେ । ତାଙ୍କ ଜୀବନର ଏଇ ଶୂନ୍ୟତା ପାଇଁ ଦାୟୀ କିଏ ? ଅର୍ଚ୍ଚନା ? ସୁମନ ?? ନା ତାଙ୍କର ଭାଗ୍ୟଲିପି-???

 

ଅନେକ ବର୍ଷ ନୁହେଁ କି ? ହଁ, ଅନେକ ବର୍ଷ ପରେ ସେ ଯାଉଛନ୍ତି ବହୁ ସ୍ତୃତି ବିଜଡ଼ିତ ଓଡ଼ିଶାକୁ । ଦିଲ୍ଲୀ ଜବାହରଲାଲ ନେହୁରୁ ବିଶ୍ଵବିଦ୍ୟାଳରୁ କୃତିତ୍ଵ ସହ ଗୋଲଡ ମେଡଲ୍‌ ପାଇ ସେ ଏମ୍.ଏ: ପାଶ୍ କଲା ପରେ ପି.ଏଚ୍:ଡି. କରିଥିଲେ ।

 

ତା’ ପରେ ସେହି ବିଶ୍ଵବିଦ୍ୟାଳୟରେ ହୋଇଥିଲେ ଅଧ୍ୟାପକ । ଓଡ଼ିଶାରେ ଯାଇ ଅଧ୍ୟାପକ ହେବାକୁ ତାଙ୍କ ବୋଉଙ୍କର ଏକାନ୍ତ ଇଚ୍ଛା । ଶେଷରେ ଭୁବନେଶ୍ଵରର କୌଣସି ସରକାରୀ କଲେଜର ଅଧ୍ୟାପକ ହୋଇ ଓଡ଼ିଶା ଫେରି ଯାଇଥିଲେ ।

 

ସମସ୍ତଙ୍କ ଜୀବନରେ କିଛି ନାଁ କିଛି ଇତିହାସ ଥାଏ । ସେଇଭଳି ଇତିହାସ ଥିଲା ପାର୍ଥ ପ୍ରତିମଙ୍କର । ତାଙ୍କ ନିଜ ବ୍ୟତୀତ ସେ ଇତିହାସ ଆଉ କେହି କେବେ ଜାଣି ପାରିବ ନାହିଁ । ଟ୍ରେନର କମ୍ପାଟମେଣ୍ଟର ବର୍ଥରେ ଶୋଇ ଶୋଇ ସେହି ଇତିହାସକୁ ମନେ ପକାଇଲେ । ଆଖି ଆଗରେ ଭାସି ଉଠିଲା ସେଇ ଛୋଟ ଗାଁଟି । ଗାଟିର ଚାରିପାଖେ ବିସ୍ତୃତ ନଡ଼ିଆ ଗଛର ବଣ । ଗାଁ ପାଖ ଦେଇ ବଙ୍କେଇବଙ୍କେଇ ନଈଟିଏ ବୋଲି ଯାଉଥିଲା । ଆଉ ସେଇ ଗାଁର ଛୋଟ ବାଳକ ପାର୍ଥ ଖଣ୍ଡିଏ ସାଧାରଣ ସାର୍ଟ ପେଣ୍ଟ୍ ସାବୁନରେ କାଚି ତକିଆତଳେ ଚାପିଦେଇଥାଏ ରାତିରେ । ସକାଳୁ ଉଠି ତାକୁ ପିନ୍ଧା ଯାହାଥିବ ଖାଇ ପ୍ରତିଦିନ ଦୁଇ ମାଇଲ୍ ବାଟ ଚାଲି ଚାଲି ହାଇସ୍କୁଲକୁ ପଢ଼ିବାକୁ ଯାଏ । ଫେରିଲା ବେଳକୁ ଭୀଷଣ ଭୋକ l ଯାହା ବୋଉ ବାଢ଼ି ଦିଅନ୍ତି, ଆସ୍ତେ ଆସ୍ତେ ଖାଏ । କାଳେ ଶୀଘ୍ର ସରିଯିବ । ଆଉ ମାଗିଲେ ଦେଠେଇ ଭଗବତୀ ଧାଇଁ ଆସିବେ, ଆଉ ତାର ବୋଉ ହାତଟାକୁ ଛିଞ୍ଚାଡ଼ି ଦେବେ ନହେଲେ ତାଙ୍କ ଗାଲରେ ଖୁନ୍ଦା ମାରି କହିବେ,

 

କେଡ଼େ ରାକ୍ଷସ ଲୋ ମା, ସତରେ ଯେମିତି ନଅଙ୍କରୁ ଉଠି ଆସିଚି । ଗୁଣ୍ଡା ଗିଳିବାକୁ ବାପ ଯେମିତି ଥୋଇ ଦେଇଚି ? ବିଧବା ବୋଉ ବ୍ୟତୀତ ତାଙ୍କର ନିଜର ବୋଇଲେ ଆଉ କେହି ନଥିଲେ, ସେଇ ଅଳ୍ପ ବୟସରୁ ପାର୍ଥ ଜାଣିଥିଲେ । ଦାରିଦ୍ର୍ୟର କଷାଘାତରେ ସେ ନିସ୍ପେସିତ । ଦଦେଇ, ଦେଠେଇଙ୍କ ଆଶ୍ରୟରେ ପ୍ରତିପାଳିତ । କିନ୍ତୁ ହୃଦୟ ଭିତରେ ଗୋଟିଏ ଉତ୍କଳ ସ୍ଵପ୍ନ; ସେ ବଡ଼ ହେବେ । ସେଥିପାଇଁ ଅନେକ ପାଠ ପଢ଼ିବାକୁ ହେବ । ବିଧବା, ବୋଉ ତାଙ୍କର ଦିନରାତି ହାଡ଼ଭଙ୍ଗା କଠିନ ପରିଶ୍ରମ କରିଯାଉଥିଲେ, ଏକମାତ୍ର ପିତୃହୀନ ପୁଅକୁ ମଣିଷ କରିବା ଆଶାରେ-

 

ଦଦେଇଙ୍କର ଅନେକ ପୁଅଝିଅ । ସେମାନଙ୍କର ଯତ୍ନ, ଘରର ଯାବତୀୟ କାମ, ସେଥିରେ ଦେଠେଇ ଭଗବତୀଙ୍କ ପାଇଁ ସ୍ଵତନ୍ତ୍ର ସେବା । ସେ ଖାଇବାକୁ ମାଗିବାକ୍ଷଣି ଭାତ ଗଳା ହୋଇ ବଢ଼ାହେବା ଦରକାର । ତାତିଲା ଭଜା ତରକାରୀ ନହେଲେ ଭାତ ଥାଳି କଚଡ଼ା । ଖାଇସାରି ହାତ ଧୋଉଧୋଉ ପାନ ଭାଙ୍ଗି ବୋଉ ତାଙ୍କର ଧରାଇ ଦେବେ । ଗୁଣ୍ଡି, ଖଇର, ଚୁନସବୁ ଯେମିତି ଠିକ୍‌ଥିବ । ଟିକେ କମିଗଲେ ଫୋପଡ଼ା ହେବ ପାନ । ଏମିତିକି, ରାତିରେ ତାଙ୍କ ନିଦ ଯେତେଥର ଭାଙ୍ଗୁଥିଲା ସେତିକିଥର ବୋଉକୁ ପାନଭାଙ୍ଗି ଦେବାପାଇଁ ଉଠାଇବେ ।

 

ସବୁ କୋହକୁ ଚାପି, ସବୁ ଲୁହକୁ ପିଇ; ସଳିତାପରି ଦିନରାତି ଜଳିଜଳି କାମକରି ଯାଉଥିଲେ ରତ୍ନମଣୀ, ତାଙ୍କ ବୋଉ । ପୁଅକୁ କେମିତି ମଣିଷ କରିବେ ଏଇ କୃତ ସାଧନା ।

 

ପୁରୀଜିଲ୍ଲାର ସେଇ ଗାଁଟିରେ ବାଲ୍ୟ, କୈଶୋର ବିତିଯାଇଥିଲା ପାର୍ଥଙ୍କର । ପିଲାଦିନୁ ଗମ୍ଭୀର ଆଉ ଭାବୁକ ଥିଲେ ସେ । ତାଙ୍କରି ବୟସର ପିଲାମାନେ ଯେତେବେଳେ ଛୁଟିଦିନମାନଙ୍କରେ ନଈରୁ ମାଛ ଧରିବା, କାହା ବାଡ଼ିରେ ପଶି ଆମ୍ବ, ପିଜୁଳି, କିମ୍ବା କୋଳି ଚୋରି କରିବାରେ ଆନନ୍ଦ ପାଆନ୍ତି, ସେହି ସମୟରେ ପ୍ରାର୍ଥ ପଢ଼ାବହିଧରି ନିଛାଟିଆ, ନିରୋଳା ସ୍ଥାନରେ ବସି ପଢ଼ୁଥାଆନ୍ତି । ସେ ପାଠ ପଢ଼ିବେ, ସ୍ଫୁଟ୍ରକଶ ତାଙ୍କ ଦୁଃଖ ବୋଉର ଦୁଃଖ ଦୂର କରିବେ । ମଝିରେ ମଝିରେ ବୋଉଙ୍କୁ କାମରେ କିଛିକିଛି ସାହାଯ୍ୟ ମଧ୍ୟ କରୁଥିଲେ । ଏବେ ମଧ୍ୟ ଭୁଲି ପାରି ନାହାନ୍ତି ମାଟ୍ରିକ୍ୟୁଲେଶନ ପରିକ୍ଷା ବେଳର କଥା....

 

ସେଥିଲେ ଖୁବ୍ ଉଚ୍ଚଧରଣର ଛାତ୍ର । ସବୁ ଶିକ୍ଷକମାନଙ୍କ ଦୃଷ୍ଟି ତାଙ୍କ ଉପରେ । ପରୀକ୍ଷା କେନ୍ଦ୍ର ହୋଇଥାଏ ପୁରୀ ସହରରେ । ଦୁଇଦିନ ଆଗରୁ ପିଲାମାନଙ୍କସହ ଯାଇ ପହଞ୍ଚିବାକଥା । ରହିବାର ବନ୍ଦୋବସ୍ତ ମଧ୍ୟ ହୋଇଥାଏ । ଯେଉଁଦିନ ଯିବାକଥା ବୋଉଙ୍କୁ ଉଠାଇବାକୁ ଯାଇଦେଖିଲେ, ତାଙ୍କ ଦେହରେ ଭୀଷଣତାତି । ପୂର୍ବରାତିରୁ ନିର୍ଜଳା ଏକାଦଶୀ ଉପବାସ । ସେଥିରେ ଏତେ ବଡ଼ ଘରର କାମ । ପାଖରେ ବସି ବୋଉଙ୍କର ମୁଣ୍ଡ ଚିପି ଦେବାବେଳେ ବାହାରୁ ଦେଠେଇଙ୍କ ଗର୍ଜ୍ଜନ ଶୁଭିଲା ।

 

ସକାଳ ହେଲାଣି, ରାଣୀଙ୍କର ନିଦ ଭାଙ୍ଗିନି । ଏଘରେ କ’ଣ ଲକ୍ଷ୍ମୀ ରହିବେ ? ଅଥଚ ପାର୍ଥ ଜାଣନ୍ତି, ରାତି ନପାହୁଣୁ, କୁଆ ନରାବୁଣୁ, ଘରର କେହି ଉଠିବା ପୂର୍ବରୁ ବୋଉ ତାଙ୍କର ଉଠି ନଦୀରୁ ଗାଧୋଇ ଆସି ଘରକାମରେ ଲାଗିଯାନ୍ତି ନିର୍ଜଳା ଓପାସରେ ମଧ୍ୟ । ସେଥିପାଇଁ ଦିନେ ପଚାରିଥିଲେ ।

 

ବୋଉ ତମକୁ ଭୋକ କରୁନି ? ଖାଇବା ବେଳ ଟିକେ ଗଡ଼ିଗଲେ, ମୋ ପେଟତ କେମିତି ହୋଇଯାଉଚି । ଆଉ ତୁମେ ନଖାଇ କେମିତି ଏତେ କାମ କରୁଚ ?

 

ତାଙ୍କ କଥା ଶୁଣି ବୋଉ କହିଥିଲେ ।

 

ତୁ ପାଠ ପଢ଼ି ବଡ଼ ମଣିଷ ହେଲେ ସବୁକଷ୍ଟ ମୋର ଚାଲିଯିବ । ତୁ ମଣିଷ ନହେବା ପର୍ଯ୍ୟନ୍ତ ସବୁକଷ୍ଟ ସହି ଯାଉଥିବି ।

 

ମନେଅଛି ଦିନେଦିନେ ନିଜ ଖାଇବାରୁ କିଛି ଲୁଚାଇ ତାକୁ ଆଣି ଖୁଆଇ ଦିଅନ୍ତି ତାଙ୍କ ବୋଉ । ଦେଠେଇଙ୍କ ପାଟିଶୁଣି ବାହାରକୁ ଉଠିଆସିଥିଲେ ପାର୍ଥ । ଆଉ କହିଲେ ଯେ ବୋଉଙ୍କୁ ଜ୍ଵର । ସେ ଉଠି ପାରିବେନି । ତାଙ୍କ କଥା ନସରୁଣୁ ଗର୍ଜିଉଠି ସେ କହିଥିଲେ ।

 

ଉଠିତ ପାରିବିନି, ଏ ଘରର କାମ କିଏ କରିବ ? ବସେଇକରି ମାଆ ପୁଅ ଦୁଇଟାଙ୍କୁ ଗିଳେଇବା ପାଇଁ ମୋ ବାପ ଲେଖିଦେଇନି । କାମକରି, ପାରିବିନି ବୋଲି ବୋଉ ପାଇଁ ତ ଦରଦ, ଦାସୀ ପୋଇଲି ଖଞ୍ଜି ଦେଉନୁ । ଦେଖରେ, ବାପ ଛେଉଣ୍ଡ ପିଲାର କେଡ଼େ ଟାଣକଥା । ଦେଠେଇ ଭଗବତୀଙ୍କୁ ପିଲାଦିନୁ ଭାରି ଭୟ କରୁଥିଲେ ସେ । ହାଣ୍ଡି କଳା ପରି ଦେହର ରଙ୍ଗ ତାଙ୍କର । ପାନ ଖାଇଖାଇ ଦାନ୍ତ ଗୁଡ଼ାକ କଳା ପଡ଼ିଯାଇଥାଏ । ନାକରେ ନୋଥ, ଫୁଲ, ଗୁଣା, ମୁହଜାକ ଭର୍ତ୍ତି ଅଳଙ୍କାର । ବେକରେ କଣ୍ଠିମାଳ, ଚିନିମାଳ । ଆଉ କେତେ କ’ଣ ସବୁ ଅଳଙ୍କାର । ତାଙ୍କ ବୋଉ କହନ୍ତି, ସେ ବିଧବା ହେଲାପରେ ପାଖରେ ରଖିଦେବାକୁ କହି ନିଜେ ସେ ଗହଣା ପିନ୍ଧିପକାଇଥଲେ, ଆଉ କୌଣସି ଦିନ ଫେରାଇ ଦେଇନାହାନ୍ତି । ସେଇସେ ଦେଠେଇ । ଜୀବନ୍ତ କାଳୀପ୍ରତିମା, କେମିତି ସେଦିନ ଏତେ ସାହାସ ପାଇଥିଲେ କେଯାଣି ପାର୍ଥ, ଆଉ କହିଥିଲେ,

 

ପାଠ ପଢ଼ିସାର ଚାକିରି କଲେ ସିନା ଦାସୀ ପୋଇଲି ଖଞ୍ଜିଦେବି ଦେଠେଇ ।

 

ତାଙ୍କ କଥା ନସରୁଣୁ ପାନଟାକୁ ଫୋପାଡ଼ି ଦେଇ ଉଗ୍ରଚଣ୍ଡୀପରି ମାଡ଼ି ଆସି କହିଥିଲେ-

 

ଦେଖରେ ଟୋକାଟାର କେଡ଼େ ବହପ, କାନ କାଟିଲେ ବଚନ ବାହାରୁ ନଥିଲ । ଏଇ ପାଠକୁ ଏତେ ଗରବ । ଥୁ, କହି ପାନ ଛେପ ପକାଇ ଦେଇଥିଲେ ଦେଠେଇଙ୍କପାଟି ଶୁଣି ତାଙ୍କ ପୁଅ ଝିଅମାନେ ଶୋଇବା ଶେଯରୁ ଉଠିଆସି ପାର୍ଥଙ୍କୁ ମାରିବାକୁ ଉଦ୍ୟତ । ଦେଠେଇଙ୍କ ପୁଅମାନଙ୍କର ଭାରି ରାଗ ପାର୍ଥଙ୍କ ଉପରେ । ତାର କାରଣ ସେ ଭଲ ପଢ଼ୁଥିଲେ ଆଉ ଶିକ୍ଷକମାନଙ୍କ ଠାରୁ ଆରମ୍ଭ କରି ଗାର ସମସ୍ତେ ତାଙ୍କୁ ଭଲପାଉଥଲେ । ଅନେକ ସମୟରେ ଲେଖିଥିବା ଖାତାପତ୍ର, ବହି ସବୁ ଲୁଚାଇ ନେଇ ହଇରାଣ କରୁଥିଲେ । ଅନେକ ଦିନ ସେ’ ଦେଖିଚନ୍ତି ସେମାନେ ସ୍କୁଲ ଯିବା ନାଁରେ କାହା ବାଡ଼ିରୁ ଚୋରି, କେଉଁଠି ଖେଳ, ଏମିତି କରନ୍ତି । ଗାଁରେ ସେତେ ଗଣ୍ଡଗୋଳରେ ଦେଠେଇଙ୍କ ପୁଅମାନେ । ସେମାନେ ସୁଯୋଗ ଖୋଜି ବୁଲନ୍ତି କେମିତି ପାର୍ଥଙ୍କୁ ଅପମାନିତ କରିବାପାଇଁ, ମାଡ଼ ଗାଳି ଖୋଇବା ପାଇଁ । ସମସ୍ତେ ମିଶି ଯେତେବେଳେ ମାରିବାକୁ ଉଦ୍ୟତ, ସେତେବେଳେ ସ୍କୁଲର ପ୍ରଧାଲ ଶିକ୍ଷକ ପଞ୍ଚାନନ ବାବୁ ଆସି ପହଞ୍ଚି ଯାଥିଲେ । ଆଉ କହିଥିଲେ,

 

ପାର୍ଥ, ସବୁ ପିଲାମାନେ ସ୍କୁଲରେ ପହଞ୍ଚିଗଲେଣି । ବସ୍‌ ଟାଇମ ହେଇଯିବ । ତୁ ନ ଆସିବା ଦେଖି ମୁଁ ଚାଲିଆସିଲି । ବାହାରକୁ ବିଲବାଡ଼ି ଦେଖି ଯାଇଥିଲେ ଦଦେଇ । ସେତିକିବେଳେ ଫେରି ଆସିଥିଲେ । ଆଉ ପ୍ରଧାନଶିକ୍ଷକଙ୍କୁ ପଚାରିଥିଲେ,

 

କୁଆଡ଼େ ଯିବ ?

 

ପୁରୀ, ଜିଲ୍ଲାସ୍କୁଲରେ ଏ ବର୍ଷ ସେଣ୍ଟର ପଡ଼ିଚି ।

 

ଦେଠେଇ ଉତ୍ତର ନଦେଇ ଓଡ଼ିଶାଟାକୁ ଆଉ ଟିକେ ଟାଣି ଆଣି ନାକ ସ୍ୱରରେ କହିଥିଲେ,

 

ବାପ ନଥିବା ପୁଅ । ପାଠ ପଢ଼ି ହାକିମ ଡିପୋଟି ହେବ ? ତା ଅପେକ୍ଷା ତା ଦଦେଇଙ୍କ କଣ୍ଟ୍ରୋଲ ଦୋକାନରେ ବସିଲେ ଆମକୁ ସାହାଯ୍ୟ ହେବ । ଗୋଟିଏ ଲୋକ ଯେଉଁ ଆଡ଼କୁ ନ ଦେଖିଲେ ହେଉନି । ଆଜିକାଲି ଯେଉଁ ମହରଗ କାଳ, ବିନା ଖର୍ଚ୍ଚରେ ମାଆ ପୁଅ ଦିଇଟାଙ୍କୁ କିଏ ପୋଷିବ ?

 

ଦୋକାନରେ ଯେଉଁ ଚାକର ପିଲାଟା ରହିଚି । ମାସକୁ ମାସ ଟଙ୍କା ନେଉଚି । ସେଥିରେ ଜିନିଷପତ୍ର ଚୋରି କରି ବିକି ଦେଉଚି । କହିଥିଲେ ତା ଦଦେଇ ।

 

ନିରବରେ କିଛି ସମୟ ଦଦେଇଙ୍କ ମୁହଁକୁ ଚାହିଁ ପ୍ରଧାନଶିକ୍ଷକ କହିଥିଲେ ।

 

ବିନା ଖର୍ଚ୍ଚରେ ? ଜମି, ଘର, ସବୁଥିରେ ତ ତା ବାବାଙ୍କର ଭାଗ ନିଶ୍ଚୟ ଥିବ । ପାର୍ଥର ବାପା ସ୍କୁଲରେ ଚାକିରି କଲାବେଳେ ଗ୍ରୁଫ୍ ଇନ୍‌ସୁରେନ୍‌ସ ପ୍ରୋଭିଡେନଣ୍ଟ୍, ଫଣ୍ଡ୍ ଟଙ୍କା ସବୁ ରଖିଥିଲେ । ସେ ସବୁ କୁଆଡ଼େ ଗଲା ? ତାଛଡ଼ା ପାର୍ଥର ବୋଉ ଦିନରାତି ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି, ଏ କଥା ପ୍ରତ୍ୟେକ ଗାଁ । ଲୋକ ଜାଣନ୍ତି । ତୁମକୁ ଦୁଃଖ ଲାଗୁନି ମହାପାତ୍ରେ ? ପାର୍ଥ ପରା ତୁମର ସାନଭାଇର ପୁଅ ??

 

ମହରଗ ଯୁଗ । ଜିନିଷର ଦରଦାମ ହୁହୁ ହୋଇ ବଢ଼ୁଚି । ଦୋକାନ ତ ଆଉ ଚଳୁନି କହିଲେ ଚଳେ । ଚନ୍ଦା ମୁଣ୍ଡକୁ କୁଣ୍ଢାଇ କୁଣ୍ଢାଇଁ ତାଙ୍କ ଦଦେଇ କହିଥିଲେ ।

 

ଦଦେଇଙ୍କ କଥା ନ ସରୁଣୁ ନୋଥପିନ୍ଧା ମୁହଁକୁ ହଲେଇ ଦେଠେଇ କହିଥିଲେ ।

 

କେଉଁଠୁ ପଇସା ଆଣିବୁ ସେ ପାର୍ଥ ପୁରୀ ଯିବ ? ଟଙ୍କା କଥା ଯାହା ତା ବାପା ରଖିଥିଲେ ସେଇଥିରେ ପରା ଦୋକାନ ଖୋଲା ହେଲା । ଆମେ କ’ଣ ତା ପଇସା ଖାଇଦେଲୁ ।

 

ପଇସା, ମୁଁ ଦେବି । ଆ, ପାର୍ଥ । କହି ପାର୍ଥକୁ ଡାକି ନେଇ ଯାଇଥିଲେ । ପ୍ରଧାନ ଶିକ୍ଷକ ପଞ୍ଚାନନ ସାର । ଯାହାଙ୍କର ପ୍ରେରଣା, ସାହାଯ୍ୟ, ସହାନଭୁତି ପାଇ ପାର୍ଥ ନାମକ ସେଇ କିଶୋର ସଫଳର ଉଚ୍ଚ ଆସନକୁ ଉଠିଯାଇଥିଲେଟି । ପ୍ରତିଦାନରେ କୌଣସି ଦିନ କିଛି ଚାହିଁନଥିଲେ । ଚିର ଆଦର୍ଶ ହୋଇ ପାର୍ଥଙ୍କ ନିକଟରେ ରହି ଯାଇଥିଲେ । ଆଜିକାଲି ଯୁଗରେ ଆଦର୍ଶ ଲୋକଙ୍କର ସ୍ଥାନ ନାହିଁସବୁ କ୍ଷେତ୍ରରେ ହଇରାଣ ହେବାକୁ ହୁଏ । ସେଇ ଅବସ୍ଥା ତାଙ୍କର ହୋଇଥିଲା । ଶେଷରେ ସ୍ୱେଚ୍ଛାକୃତ ଭାବରେ ଅବସର ନେଇ ଗାଁରେ ରହିଲେ । ନିଜ ଜମିରେ ଆଦର୍ଶ ସ୍କୁଲଟିଏ ଖୋଲିଲେ । ଗରୀବ ଛାତ୍ରମାନଙ୍କୁ ସେ ସ୍କୁଲରେ ସ୍ଥାନ ଦେଇ ନିଜେ ସାହାଯ୍ୟ ଦେଇ ପାଠ ପଢ଼ାଉଥଲେ ।

 

ମାଟ୍ରିକ୍ୟୁଲେଶନ୍‌ ପରୀକ୍ଷାରେ ପ୍ରଥମ ଦଶଜଣଙ୍କ ଭିତରେ ସ୍ଥାନ ପାଇଥିଲେ ପାର୍ଥ । ସରକାରୀ ବୃତ୍ତି ପାଇ ପୁରୀରେ ହଷ୍ଟେଲରେ ରହି କଲେଜରେ ପାଠ ପଢ଼ିଥିଲେ । ସେ ଘଟଣା ପରେ ବୋଉଙ୍କୁ ତାଙ୍କର ଅନେକ କଷ୍ଟ ଦେଇଥିଲେ ତାଙ୍କ ଦେଠେଇ । ଶେଷରେ ବାପଘରକୁ ଚାଲିଯାଇ ଥିଲେ ତାଙ୍କ ବୋଉ ବାପଘରେ ମହିଳା ସମିତିରେ ଶିକ୍ଷୟିତ୍ରୀ ଠାରୁ ଅନେକ ପ୍ରକାର ସିଲେଇ ଶିକ୍ଷାକରି ନିଜେ ମେସିନ୍‍ଟିଏ କିଣିଲେ । ସରକାରୀ ସାହାର୍ଯ୍ୟ ମଧ୍ୟ ମିଳିଥିଲା । ଜାମା, ପ୍ୟାଣ୍ଟ, ଓ ଅନ୍ୟାନ୍ୟ ଜିନିଷ ସବୁ ତିଆରି କରି ଗାଁରେ ଥିବା ଲୁଗା ଦେକାନକୁ ପଠାଉଥିଲେ । ଯାହାପଇସା ନିଜେ ଚଳି ପୁଅକୁ ମଧ୍ୟ ସାହାର୍ଯ୍ୟ କରୁଥିଲେ । ବାପଘରୁ ଯାହାଅବା ସାହାଯ୍ୟ ମିଳିଥାନ୍ତା, ସେମାନେ ନିମ୍ନ ମଧ୍ୟବିତ୍ତ । ତଥାପି ମଧ୍ୟ ସେମାନେ ଯାହା ପାରିଥିଲେ କରିଥିଲେ । ନିଜ ଗୋଡ଼ରେ ନିଜେ ଠିଆ ହୋଇ ପୁଅକୁ ମଣିଷ କରିବାର ଶକ୍ତି ଅର୍ଜୁନ କରିପାରିଥିଲେ ତାଙ୍କ ବୋଉ ।

 

କୃତ୍ତିତ୍ଵର ସହ ଏମ୍: ଏ: ପାଶ୍ କଲାପରେ ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷା ଦେବାପାଇଁ ଅନେକ ପରାମର୍ଶ ଦେଇଥିଲେ । ଅଧ୍ୟାପନା ଚାକିରି ଯେ ଅନେକ ଶାନ୍ତି । ସେଇଥିପାଇଁ ଅଧ୍ୟାପନା ଜୀବନକୁ ଆଦରି ନେଇଥିଲେ ।

 

ପୃଥିବୀରେ ସେ ଜଣଙ୍କୁ ନିଜର ବୋଲି ଜାଣିଥିଲେ । ସେ ତାଙ୍କ ବୋଉ ରତ୍ନମଣୀ । ସେ ତାଙ୍କ ବୋଉଙ୍କର ବାଧ୍ୟ ସନ୍ତାନ । କିନ୍ତୁ ଦିନେ ସେଇ ବାଧ୍ୟ ସନ୍ତାନ ଅବାଧ୍ୟ ହୋଇଯାଇଥିଲେ । କାହିଁକି ? କାହାପାଇଁ ??

 

ଦିନରାତି ଏକୁଟିଆ ନିରୋଳା ସ୍ଥାନରେ ପଢ଼ିବା ଥିଲା ତାଙ୍କର ପିଲାଦିନର ପ୍ରକୃତି । କାହାସଙ୍ଗେ ବେଶି ମିଳାମିଶା ମଧ୍ୟ ନଥିଲା । ଗମ୍ଭୀର ପ୍ରକୃତି । ଦିନରାତି ପଢ଼ାର ଜଗତରେ ହଜିଯାଉଥିଲେ । ବାଲ୍ୟ, କୈଶୋର ଏମିତି କଟିଯାଇଥିଲା, ସେହି ପଢ଼ାର ଜଗତ ଭିତରେ ବୁଡ଼ିଗଲାବେଳେ ଆଉ ଜଣକର ଭାବନା କ୍ଷଣିକପାଇଁ ଆସେ । ଗୋଟିଏ ସୁନ୍ଦରୀ କିଶୋରୀର କଳ୍ପନା କରନ୍ତି, ତାଙ୍କର ମାନସୀ ବଧୂ ଅର୍ଚ୍ଚନା । ଏଇ କଳ୍ପନା ତାଙ୍କ ବୋଉ ତାଙ୍କ ମନରେ ଆଣିଥିଲେ । ତାଙ୍କ କୁମାରୀ ବୟସର ଶପଥ, ସେ ତାକୁ ବୋହୂ କରିବେ । ଆଉ ତାକୁ ପାଇବାକୁ ହେଲେ ଉପଯୁକ୍ତ ଶିକ୍ଷିତ ହୋଇ ପ୍ରତିଷ୍ଠାଲାଭ କରିବାକୁ ହେବ । ଏଇଥିଲା ତାଙ୍କର ନିର୍ଦ୍ଦେଶ ।

 

ଅର୍ଚ୍ଚନା ନାମରେ ସେଇ ଝିଅଟିକୁ କେତେ ଥରେ ଦେଖିଥିବା କଥା ସେ ପାଶୋରୀ ଦେଇଥିଲେ । ତା କଥା ଶୁଣିଶୁଣି ଭଲ ପାଇବାର ନିଶାରେ ଆଚ୍ଛନ୍ନ ହୋଇଯାଇଥିଲେ ପାର୍ଥ । କିନ୍ତୁ ଯେଉଁଦିନ ଦେଖିଥିଲେ.... ? ସେଇ ଆଶ୍ଚର୍ଯ୍ୟ ସନ୍ଧ୍ୟାଟି ? ଏବେ ମଧ୍ୟ ତାଙ୍କ ହୃଦୟର ଗୋପନ ମନ ତଳେ ସାଇତ ରଖିଚନ୍ତି ସେହି ସନ୍ଧ୍ୟାର ସମସ୍ତ ସ୍ମୃତି ।

 

ଦିଲ୍ଲୀରୁ ଯାଇ ଓଡ଼ିଶାରେ ଜଏନ୍‌ କଲେ । ତାଙ୍କ ବୋଉଙ୍କ ନିର୍ଦ୍ଦେଶରେ ଅର୍ଚ୍ଚନାର ବାବାଙ୍କ ଆର୍ଶୀବାଦ ଲାଭପାଇଁ ତାଙ୍କ ଘରକୁ ଯାଇଥିଲେ ଯେମିତି । ସମଗ୍ର ଆକାଶରେ ଅସ୍ତ୍ରରାଗର ସ୍ପର୍ଶ । ସେଇ ବିଚିତ୍ର ସନ୍ଧ୍ୟାରେ ଆଶ୍ଚର୍ଯ୍ୟ ଦିପ୍ତି ନେଇ ମୁହଁରେ ଅନିର୍ବିଚନୀୟ କମନୀୟତା ଫୁଟାଇ, ସେ ତାଙ୍କ ଆଗରେ ଠିଆ ହେଇଥଲା । ତାକୁଦେଖି ତାଙ୍କର ମନେ ହୋଇଥିଲା ସ୍ଥିର ନଦୀରେ ଜଳଭଳି ସେ ଶାନ୍ତ । ପୃଥିବୀର ସମସ୍ତ କୋମଳତା ତା’ପାଖରେ । ବୟସରେ କିଶୋରୀ ହେଲେମଧ୍ୟ କିଶୋରୀ ସୁଲଭ ଚପଳତା ବା ଚଞ୍ଚଳତା ତା’ ଠାରେ ନଥିଲା ପରିଧାନ ସାଧାରଣ’ ସାଧାରଣ ଭିତରେ ସେ ଥିଲା ଅସାଧାରଣ । ପୃଷ୍ଠ ଦେଶରେ ଲେଟି ପଡ଼ିଥିଲା କେଶର ଝରଣା । ତାଙ୍କ ଆଡ଼କୁ ପ୍ରଶ୍ନବାଚୀଦୃଷ୍ଟିରେ ଚାହିଁଲା ବେଳେ ସେ ଦେଖିଥିଲେ, ତା ମୁହଁରେ ବିଦାୟୀ ସୂର୍ଯ୍ୟର ଅସ୍ତରାଗ ପଡ଼ିଥିଲା ।

 

ଏକ ସ୍ତବଧ ମୁହୂର୍ତ୍ତ । ତା ମୁହଁକୁ ଚାହିଁଥିଲେ କ୍ଷଣିକ ପାଇଁ । ଅନଳାଜ୍ଜଳ ମୁହୂର୍ତ୍ତ । ତାଙ୍କ ସ୍ମୃତି ପତ୍ରରେ ଆଙ୍କି ହୋଇ ରହିଯାଇଥିଲା । ସବୁଦିନ ପାଇଁ । ସତେ ଯେମିତି ସୁଗନ୍ଧ ବାୟୁର ସ୍ତରେ ସ୍ତରେ ଭାସି ଆସିଥିଲା ଅନେକ ଫୁଲର ସୁରଭି । କୋମଳ ମଧୁର ଅନୁଭୂତି ଛୁଇଁ ଯାଇଥିଲା ତାଙ୍କ ତରୁଣ ଯୁବକ ପ୍ରାଣକୁ । ଦୀର୍ଘ ଏତେ ଗୁଡ଼ାଏ ବର୍ଷ ଅତୀତ ହୋଇଯାଇଥିଲେ ମଧ୍ୟ ସେହି ମୁହଁଟାକୁ ସେ ଭୁଲି ପାରିନାହାନ୍ତି । ରାତ୍ରିର ନିରବତାରେ, ସ୍ତବ୍‌ଧ ନିର୍ଜ୍ଜନରେ ଯେଉଁ ସୌନ୍ଦର୍ଯ୍ୟ ଭାଷାରେ ପ୍ରକାଶ କରିହୁଏନାହିଁ, ଯାହାକୁ କେବଳ ନିରବରେ ଉପଭେଗ କରିହୁଏ, ସେଇଭଳି ସୌନ୍ଦର୍ଯ୍ୟ ଥିଲା ଅର୍ଚ୍ଚନାର । ଆଶ୍ଚର୍ଯ୍ୟ ସୁନ୍ଦର ତାର ମୁହଁ । ଗମ୍ଭୀର କଳା କଜ୍ଜ୍ଵଳ ଆୟତ ଆଖି । ସେଇ ଆଖି ସମୁଦ୍ରର ଗଭୀରତା ଓ ଭରାଭାଦ୍ରବର ନଦୀ ପାରି ଢଳିଡ଼ଳ, ଲକ୍ଷ୍ୟ କରିଥିଲେ । ସେ ନିଜେ ତାର ପରିଚୟ । ତାକୁ ଦେଖିବା ମାତ୍ରେ ପ୍ରାର୍ଥଙ୍କର ସଂଯମୀ ମନ ଆକାଶରେ ପ୍ରୀତିର ନବଜଳଧର ସେଦିନ ମେଘମହ୍ଲାର ରାଗ ତୋଳିଥିଲା । ତାକୁ ଦେଖି ସଦାଗମ୍ଭୀର ପାର୍ଥ ପ୍ରଗଲ୍‌ଭ ହୋଇଯାଇଥିଲେ । ନିଜ ପରିଚୟ ଦେବା ସଙ୍ଗେ ସଙ୍ଗେ ପ୍ରଶ୍ନ କରିଥିଲେ ,

 

‘ତୁମେ ନିଶ୍ଚୟ ଅର୍ଚ୍ଚନା ? ତୁମକୁ ନଦେଖି ମଧ୍ୟ ଶୁଣି ଶୁଣି ଦେଖିଚି ।’

 

ତାଙ୍କର ଏଇ ପଦକଥାରେ, ଅର୍ଚ୍ଚନାର ମୁହଁ, କାନ, ଆଖି, କପାଳ, ଚିବୁକରେ ଲଜ୍ୟାର ଅରୁଣିମା ଛୁଇଁ ରହି ଯାଇଥିଲା, ସେଇ ଲଜ୍ୟାର ଭଙ୍ଗୀ ତାଙ୍କ ଆଖିକୁ ସେଦିନ ଅତିସୁନ୍ଦର ଦେଖାଯାଇଥିଲା ।

 

ଆଉଦିନେ ତାଙ୍କର ସାମାନ୍ୟ ଅସୁସ୍ଥତା ସମ୍ବାଦ ପାଇ ଦଗ୍‌ଧ ମଧ୍ୟାହ୍ନରେ ଧାଇଁ ଆସିଥିଲା ତାକୁଦେଖି ଆନନ୍ଦରେ ଅତିଶଯ୍ୟ ହୋଇ ତାଜମହଲଟିଏ ଉପହାର ଦେଇଥିଲେ । ତାଙ୍କ ଆଖିରେ ଅର୍ଚ୍ଚନାର ସୌନ୍ଦର୍ଯ୍ୟ, ଅଫରନ୍ତ, ଅମ୍ଳାନ । ଆତ୍ମାର ବିଛୁରିତ ଆଲୋକମାଳା । ତାଙ୍କ ଜୀବନରେ ବହୁ ଆକାଂକ୍ଷିତା ନାରୀ ଯାହାକୁ ପାଇବା ପାଇଁ ସେ କାମନା କରିଥିଲେ ଏତେଦିନ, ସେହି ଆକାଂକ୍ଷିତା ନାରୀ ତାଙ୍କ ଜୀବନ ପରିଧିରୁ ଛିଟିକି ଗଲା ଆଉ ଆତ୍ମାର ବିଚ୍ଛୁରିତ ଆଲୋକ ସବୁ ଅଭିଶାପ ଭଳି ଏକ ସଙ୍ଗରେ ତାଙ୍କ ମନରୁ ଲିଭିଗଲା । ଆଉଥରେ ସେଇ ଭୟାବହ ରାତିଟିର କଥା ସ୍ମରଣ କଲେ ସେ ।

 

ବାସର କକ୍ଷରୁ ଦ୍ଵାର ଖୋଲି ଭିତରକୁ ଯାଇଥିଲେ ପାର୍ଥ । ଷ୍ଟେରିଓରୁ ଭାସି ଆସୁଥିଲା ମଧୁର ସଂଗୀତ ସ୍ୱର । ନୀଳ ଆଲୋକରେ ଉଦ୍‌ଭାସିତ ବାସର କକ୍ଷ । ଅନେକ ଉତ୍କଣ୍ଠା ଆଉ ବହୁ ଆବେଗ ନେଇ ଖୋଜିଥିଲେ ଅବଗୁଣ୍ଡନ ଆଉ ତାର ଲଜ୍ୟାନତ ମୁହଁଟିକୁ ତୋଳି ଧରିଲାବେଳେ, ସମସ୍ତ ପୃଥିବୀ ତାଙ୍କ ଚାରି ପାଖରେ ଘୂରିଲା ଭଳି ମନେ ହୋଇଥିଲା । ସବୁ ଆନନ୍ଦ ତାଙ୍କର ଭୟାବହ ଶୂନ୍ୟତାରେ ମିଳାଇଯାଇଥିଲା । ଅତଳ ଗହ୍ଵର, ନିବିଡ଼ ଅନ୍ଧକାରରେ ତଳକୁ ଆହୁରି ତଳକୁ ତଳେଇ ଯାଇଥିଲେ ଯେମିତି । ପ୍ରବଳ ଧକା‌ରେ ଆକସ୍ମିକ ଦୁର୍ଘଟଣା ଭଳି ହୃଦୟ ଆତ୍ମମନରେ ପ୍ରଚଣ୍ଡ ଧକ୍‌କା ଲାଗିଲା । ମୃହୁର୍ତ୍ତକ ମଧ୍ୟରେ ପୃଥିବୀର ସମସ୍ତ ରୂପ ବଦଳି ଯାଇଥିଲା-। ମରିଯାଇଥିଲା ରଙ୍ଗ । ଲିଭିଯାଇଥିଲା ସବୁ ଆଲୋକ । ହଜିଯାଇଥିଲା ଛନ୍ଦ । କାହିଁକି ଏମିତି ଘଟିଗଲା ତାଙ୍କ ଜୀବନରେ ?

 

ବାସର କକ୍ଷରେ ଅନେକ କାମନାର ନାରୀ ବଦଳରେ ସେ ଦେଖିଥିଲେ ସୁମନକୁ । ହୃଦୟ ଭିତର ସମସ୍ତ ଘୃଣା, କ୍ରୋଧ ଏକତ୍ରିତ କରି ସେ ପ୍ରଶ୍ନ କରିଥିଲେ,

 

ତୁମେ... ଅର୍ଚ୍ଚନା କାଇଁ ?

 

ମୁହଁକୁ ପୋତି ଠିଆ ହୋଇଥିଲା ସୁମନ୍ । ଭାବିପାରିଲେନି ସମସ୍ତେ କାହିଁକି ତାଙ୍କ ସହିତ ଏମିତି ପ୍ରତାରଣା କଲେ । ସେତ କାହାରି କୌଣସି କ୍ଷତି କରିନଥିଲେ କ’ଣ କରିବେ ସେ ଭାବିପାରିଲେନି । ସୁମନ୍‌ର ଚଞ୍ଚଳ ପ୍ରକୃତିକୁ ସେ ଘୃଣାକରନ୍ତି । ସେ ଏକ ଜ୍ଵାଳାମୁଖି ଅଗ୍ନିଶିଖା । ଯଦିଓ ସୁମନ୍ ଆଉ ଅର୍ଚ୍ଚନା ଦୁହେଁ ଦୁଇଭଉଣୀ, କିନ୍ତୁ ପାର୍ଥଙ୍କ ଦୃଷ୍ଟିରେ ଦୁହେଁ ବିପରିତ ଧର୍ମୀ । ଦୁହେଁ କିଶୋରୀ ।

 

ସୁମନର ଦେହର ବର୍ଣ୍ଣ ସୁନାମୁଖୀ ଭଳି ଉଜ୍ଜ୍ୱଳ, ତୀବ୍ର । ଝରଣାର ଜଳଭଳି ଉତ୍ସୃଙ୍ଖଳ । ସଦାସର୍ବଦା କେମିତି ଉତ୍ତେଜନାଭାବ । କଥା, ଚାଲି, ପୋଷାକ ସବୁଥିରେ ଅତ୍ୟାଧୁନିକ ପ୍ରଭାବ । ଝିଅ ଅପେକ୍ଷା ତାର ପୁରୁଷ ବନ୍ଧୁ ଅନେକ । ସହଜରେ ଧରାଦେବା ପ୍ରକୃତି । ଅନେକ ପ୍ରସ୍ଥାବ ଗୁଞ୍ଜନ କରିଥିଲେ ତାର ଚାରିପାଖରେ । ସେହି ସ୍ତାବକମାନଙ୍କ ମଧ୍ୟରୁ ସହକର୍ମୀ ଗୌତମ ଅନ୍ୟତମ, ଅନ୍ୟତମ, ତା ସହିତ ମିଶି ଅଭିନୟ କରିବା, ପାର୍କରେ ବସିବା, ନିରୋଳାରେ ଗପକରିବା ସବୁ ଦେଖିଛନ୍ତି ।

 

କିନ୍ତୁ ଅର୍ଚ୍ଚନା... ? ଆଶ୍ଚର୍ଯ୍ୟ କଇଁଫୁଲ ପରି ଅନେକ ଶୀତଳତା ତାର ଚରିତ୍ରରେ । ରୂପରେ ତାର, ଅତଳ ସ୍ୱର୍ଗୀ ଦୀତି । ଶାନ୍ତ, ସଂଯମୀ, ଶଙ୍କୋଚ, ଲଜ୍ୟା ସବୁମିଶି ସେ ଶ୍ରୀମୟୀ । ସେ ଅନୁପମ । ତାର ଉପମା ସେ ନିଜେ । ସବୁଥରେ ସେ ସୁମନ ଠାରୁ ସ୍ୱତନ୍ତ୍ର ।

 

ଝଡ଼ପରି ସେ ଘରୁ ବାହାରି ଆସିଲାବେଳେ ପାଦଦୁଇଟାକୁ ଯାବୋଡ଼ି ଧରି ସୁମନ କହିଥିଲା ।

 

ମତେ ତୁମେ କ୍ଷମାକର ।

 

କେବେ ରାଗିନଥିବା ଲୋକ ଯଦି ପ୍ରଥମେ ରାଗି ତାର ରାଗରମାତ୍ରା ପୂରା ଉଠିଯାଏ, ସେଇମିତି ହୋଇଥିଲା ତାଙ୍କର ଅସହ୍ୟ ଉତ୍ତେଜନାରେ ଥରିଥରି କହିଲେ ।

 

ମତେ ଛାଡ଼, ଏଇ ମୁହୃର୍ତ୍ତରେ ମୁଁ ତୁମର ବାବାଙ୍କ ସାମନାସାମନି ହେବାକୁ ଚାହେଁ । ଏତେବଡ଼ ନାମି ଅଧ୍ୟାପକ ହୋଇ ମୋ ସହିତ କାହିଁକି ପ୍ରତାରଣ କଲେ । ସେଇକଥା ପଚାରିବି ।

 

ବାବା, ନିର୍ଦ୍ଦୋଷ । ତାଛଡ଼ା ସେ କାର୍ଡିଆଟିକ ପେସେଣ୍ଟ । ଅନେକ ଦୁଖି ସେ । ତୁମକୁ ଦେଖିଲେ ତାଙ୍କର ହାର୍ଟଫେଲ କରିପାରେ ଉତ୍ତର ଦେଇଥିଲା ସୁମନ୍ ।

 

ସୁମନର କଥା ଶୁଣି ସେଇମିତି କ୍ରୋଧପୁର୍ଣ୍ଣ କଣ୍ଠରେ ପାର୍ଥ ପଚାରିଲେ,

 

ଆଉ ତୁମ ଭଉଣୀ, ଅର୍ଚ୍ଚନା ? ଯିଏ ମୋମନରେ ଭଲପାଇବାର ଇନ୍ଦ୍ରଧନୁ ଆଙ୍କି, ଅନ୍ୟ ସହିତ ଘରବାନ୍ଧିବା ପାଇଁ ମତେ ପ୍ରତାରଣା କଲା ।

 

ନା, ନାନୀର କିଛି ଦୋଷନାହଁ । ସେ ନିର୍ଦ୍ଦୋଷ, ଅବିଚଳିତ କଣ୍ଠରେ କହିଥିଲା ସୁମନ ।

 

ତେବେ ଦୋଷୀ କିଏ ? ବିଦ୍ରୁପ କଣ୍ଠରେ ପ୍ରଶ୍ନକରିଥିଲେ ପାର୍ଥ ।

 

ମୁଁ । ମୁହଁକୁ ପୋତି ଉତ୍ତର ଦେଇଥିଲା ସୁମନ ।

 

ବାଃ, ଚମତ୍କାର । ନିର୍ଲ୍ଲଜତାର ଗୋଟାଏ ସୀମାଅଛି । ତୁମ ସହିତ ଗୌତମର ଅବାଧ ମିଳାମିଶା ମୁଁ ପସନ୍ଦ କରିନି । ତାଛଡ଼ା ସେଦିନ ବର୍ଷାରାତିରେ ତୁମେ ଗୌତମର କ୍ଵାଟରରୁ ଅନେକ ରାତିରେ ଫେରିଥିବା ମୁଁ ଲକ୍ଷ୍ୟ କରିଥିଲି । ବିଶେଷକରି ତୁମଭଳି ଚରିତ୍ରର ଝିଅମାନଙ୍କୁ ମୁଁ ଘୃଣାକରେ । ଅନେକ.....ଅନେକ ଘୃଣା । କଠିନ କଠୋର ଭାବରେ କହିଥିଲେ ସେ ।

 

ମତେ ତୁମେ ଦୟାକର । କେବଳ ଟିକେ ଦୟା । ସେତିକି ମୋର ଦରକାର । କହି ବିକଳ ହୋଇ କଇଁକଇଁ କାନ୍ଦି ଉଠିଥିଲା ସୁମନ ।

 

ଅସହ୍ୟ ଉତ୍ତେଜନାରେ ଦେହରୁ ଝାଳ ବୋହିଯାଉଥିଲା ତାଙ୍କର । ଝରକାର ରେଲିଂରେ ମସ୍ତକଚାପି ପଚାରିଥିଲେ,

 

କାହିଁକି ?

 

ଗୌତମ ମତେ ପ୍ରତାରଣା କଲା । ସେତାର ପିତୃତ୍ୱକୁ…..

 

ସୁମନର କଥା ଅସମାପ୍ତ ରଖି ସେ କହିଥିଲେ ।

 

ତୁମେ ଅର୍ଚ୍ଚନା ମନରେ ହୁଏତ ଧାରଣା ଦେଇଚ ଯେ ତୁମର ଏଇ ପରଣତି ପାଇଁ ମୁଁ ଦାୟୀ ?

 

ସୁମନ ତଳକୁ ମୁହଁ ପୋତିନେଲା ଆଉ ଦୁଇଟି ଅଶ୍ରୁଧାର ତାର ଅଖିରୁ ପ୍ରବଳ ଭାବରେ ଗଡ଼ିଚାଲିଲା ।

 

ତାର ଲୁହଝରା ମୁହଁକୁ ଚାହିଁ ପାର୍ଥ କହିଥିଲେ ।

 

ପତ୍ନୀର ସବୁଦୋଷକୁ କ୍ଷମା ଦେବାପାଇଁ ବିବାହ ବେଦୀରେ ବେଦମନ୍ତ୍ର ଦ୍ଵାରା ମୁଁ ଅଙ୍ଗୀକାର ବଦ୍ଧ । ମୁଁ ତୁମକୁ କ୍ଷମାଦେବି । ସ୍ଵାମୀ ପାଖରୁ ଯାହା ପାଇବାକଥା ମୁଁ ତୁମକୁ ଦେଇପାରିବିନି । କାରଣ ପବିତ୍ର ହୋମଶିଖାକୁ ସାକ୍ଷୀରଖି ବେଦମନ୍ତ୍ର ଉଚ୍ଚାରଣ କଲାବେଳେ କେବଳ ଜାଣିଥିଲି ମୁଁ ବିବାହ କରୁଚି ଅର୍ଚ୍ଚନାକୁ । ମୋ ହୃଦୟର ସମସ୍ତ ସ୍ଥାନରେ ଆସ୍ଥାନ ଜମାଇଚି କେବଳ ଅର୍ଚ୍ଚନା । ଅନେକ ଦିନରୁ । ସେଇ ହୃଦୟରେ ଅନ୍ୟନାରୀ ପାଇଁ କୌଣସି ଦିନ ସ୍ଥାନ ସୃଷ୍ଟି ହୋଇ ପାରିବ ନାହିଁ ।

 

ମୁଁ ଜାଣେ । ନିଜ ଆଖିରୁ ଲୁହପୋଛି ଉତ୍ତର ଦେଇଥିଲା ସୁମନ । କୌଣସି ପୁରୁଷ ଯାହା କରିପାରିବନି, ସ୍ଥିର ସଂଯମୀ ପାର୍ଥ ସେଇକଥା କରିଥିଲେ ।

 

ବିକଳ ହୋଇ କାନ୍ଦି କାନ୍ଦି କହିଥିଲେ, ଏ ତୁମେ, କଣ କଲ ସୁମନ ? ନା ତୁମେ ? ନା ମୁଁ କିମ୍ବା ଅର୍ଚ୍ଚନା କିଏ ସୁଖି ହେଲା ??? ଅର୍ଚ୍ଚନା ଆଉ ମୋ ଜୀବନରେ କାହିଁକି ଏତେବଡ଼ ବିଭାଜନ ରେଖା ଟାଣିଦେଲ ?

 

ପାର୍ଥଙ୍କ ପାଦଦୁଇଟି ଉପରେ ମୁଣ୍ଡରଖି ଲୁହର ଶ୍ରାବଣ ଝରାଇ ସୁମନ କହିଥିଲା,

 

କୌଣସି ଦିନ ସ୍ତ୍ରୀ ବୋଲି କିଛି ମାଗିବିନି । ଅଳି କରିବିନି ଦାବି କରିବିନି । କେବଳ କଥାଦିଅ, ରାମଚନ୍ଦ୍ର ପାଷାଣୀ ଅହଲ୍ୟାର ଶାପ ମୋଚନ କଲାଭଳି ତୁମେ ମୋର କଳଙ୍କ ମୋଚନ କରିବ । ତୁମର ପରିଚୟରେ ପରିଚିତ ହେବ ମୋର ଅନାଗତ ଶିଶୁ । କାପୁରୁଷ ଗୌତମ ଯେଉଁ ଶିଶୁକୁ ଅସ୍ଵୀକାର କରି ଦୂରେଇଗଲା, ସେଇ ଶିଶୁପାଇଁ ମୁଁ ସବୁ ହଳାହଳ ପାନକରି ନୀଳକଣ୍ଠୀ ହୋଇଚି । ପୃଥିବୀର ଆଲୋକ ଦେଖାଇବା ପର୍ଯ୍ୟନ୍ତ ମୁଁ ବଂଚି ରହିବି । ମତେ ତୁମେ ସେତିକି ଦୟା କରିବ । ମୁଁ ଆଉ କିଛି ଚାହେଁନି ।

 

ଘୃଣା ବଦଳରେ ସୁମନ ପ୍ରତି କରୁଣା ଆସିଥିଲା ତାଙ୍କର ସେଦିନ । ସେ ସୁମନକୁ କହିଥିଲେ,

 

ଠିକ୍ ଅଛି । ତୁମର ସନ୍ତାନ ମୋ ପରିଚୟରେ ପରିଣତ ହେବ ! ସେଇ ଅନେକ କାମନାର ବାସର ରାତି ତାଙ୍କ ପାଇଁ କରୁଣମୟ ହୋଇ ଯାଇଥିଲା । ସାରା ରାତି ଅନିଦ୍ରାରେ ପଦଚାରଣା କରିକରି ବିତାଇ ଦେଇଥିଲେ । ହୁଏତ ବାସର ଘରେ ତକିଆରେ ମୁହଁ ମାଡ଼ି କାନ୍ଦିକାନ୍ଦି ସୁମନର ରାତି ପାହି ଯାଇଥିବ । ସୁମନ..ଆତ୍ମପୀଡ଼ନରତା ଏକ ନାରୀ, ସବୁ ସୁଖରୁ ବଂଚିତା । ଜୀବନର ବସନ୍ତ ଦଗ୍‌ଧ ହୋଇଯାଇଥିଲା । କେବଳ ସଂଯମ ହୀନ ଓ ଉତ୍ସୃଙ୍ଖଳତା ପାଇଁ-

 

ଦିନରାତି ଅସହ୍ୟ ଜ୍ଵଳନରେ ଜଳିଥିଲେ ପାର୍ଥ । ଭୀଷଣ ଅଭିମାନ ତାଙ୍କର ଅର୍ଚ୍ଚନା ଉପରେ । ନବୁଝି କେତେବଡ଼ ଦଣ୍ଡଦେଲା ବୋଲି, ତାପରେ ଚାକିରି ଛାଡ଼ି ଦେଇଥିଲେ । ପରିଚିତ ସହରଠାରୁ ଦୂରକୁ ଚାଲିଯିବାର ସଂକଳ୍ପ ନେଲେ । ସବୁ ବୁଝିଥିଲା ସୁମନ, ଯେଉଁଦିନ ତାଙ୍କ ଘରକୁ ଫେରି ଯାଇଥିଲା କହିଥିଲା,

 

ମତେ ତୁମେ କ୍ଷମାକରିବ । ଅଦିନ ମେଘଭଳି ତୁମ ଦୁହିଁଙ୍କ ଜୀବନରେ ଅନ୍ତରାୟ ସୃଷ୍ଟି କରିଚି । ମେଘ ଚାଲିଗଲେ ସେ ଅନ୍ତରାୟ ରହିବନି ! ଜୀବନରେ ଏତେବଡ଼ ବିସଫୋରଣ ଘଟିଗଲା । ସେଇ ଯନ୍ତ୍ରଣାକୁ ଭୁଲିଯିବା ପାଇଁ କାହାକୁ କିଛି ନଜଣାଇ ସହରତ୍ୟାଗୀ ହୋଇଥିଲେ ସେ । କଲିକତା, ବମ୍ବେ, ମାନ୍ଦ୍ରାଜ ସହରପରେ ସହର ଘୁରିବୁଲିଥିଲେ । କେତେବେଳେ କେଉଁ ପାନ୍ଥଶାଳା, କେଉଁ ଧର୍ମଶାଳା ନହେଲେ ହୋଟେଲରେ ମାସ, ପରେ ମାସ ବିତାଇଥିଲେ । ଶୃଙ୍ଖଳିତ ଜୀବନଧାରା ବିଶୃଙ୍ଖଳା ହୋଇଯାଇଥିଲା । ଅଯତ୍ନ ବେଶ, ମଳିନ ପୋଷାକ, ମୁହଁସାରା ରୁକ୍ଷଦାଢ଼ି ବଢ଼ି ଯାଇଥିଲା । ସମସ୍ତ ପରିଚିତଙ୍କ ନିକଟରେ ଅପରିଚିତ ହୋଇ ଯାଇଥିଲେ ଦିନେ ଏକାକୀ ଯମୁନା ନଦୀ କୂଳରେ ବସିବସି ସିଗାରେଟ ଟାଣୁଥିଲେ, ହଠାତ୍ ମୁଣ୍ଡଭିତରେ ଯନ୍ତ୍ରଣା, ଅନୁଭବ କଲେ । ତାପରେ ଭୟଙ୍କର ଶୀତରେ ଥରିବାକୁ ଲାଗିଲେ । କ୍ଳାନ୍ତହୋଇ ସେଇ ବାଲିଉପରେ ଶୋଇପଡ଼ିଥିଲେ ।

 

ନିଦ ଭାଙ୍ଗିଲା ବେଳକୁ ସେ ନିଜକୁ ଆବିଷ୍କାର କଲେ ସଫା ପରିଷ୍କାର ବିଛଣା ଉପରେ-। ପାଖରେ ଟେବୁଲରେ ଅନେକ ଫଳ, ଔଷଧ ସବୁରଖା ହୋଇଥାଏ । ଆଉ ତାଙ୍ଗ ବିଛଣା ପାଖରେ ଚେୟାର ଉପରେ ବସି ସମ୍ଭାଦପତ୍ର ପଢ଼ୁଥାନ୍ତି, ଜଣେ ମଧ୍ୟବୟସ୍କ ଭଦ୍ରଲୋକ । ପରିଷ୍କାର ପରିଚ୍ଛନ୍ନ ଧଳା ପୋଷାକ । ମୁଖମଣ୍ଡଳର ଆକୃତି ସ୍ନେହ ପରିପୂର୍ଣ୍ଣ ଲକ୍ଷ୍ୟ କରିଥିଲେ । ପାର୍ଥଙ୍କୁ ଅନାଇବା ଦେଖି ଇଂରାଜୀରେ ପ୍ରଶ୍ନ କରିଥିଲେ,

 

କେମିତି ଲାଗୁଚି ?

 

ଭଲ ।

 

ଭଦ୍ରଲୋକଙ୍କ ପ୍ରଶ୍ନଶୁଣି ଉତ୍ତର ଦେଇଥିଲେ ସେ-ତାପରେ ସେ ବର୍ଣ୍ଣନା କରିଥିଲେ ସେ ହେଉଛନ୍ତି ରାମକୃଷ୍ଣ ଦ୍ଵାରା ପରିଚାଳିତ କଲେଜର ଅଧ୍ୟକ୍ଷ । ତାଙ୍କର ନାଁ । ପି. ସୁବ୍ରମନିୟମ୍ । ଛାତ୍ରମାନଙ୍କୁ ନେଇ ତାଜମହଲ ଦେଖିବାକୁ ଯାଇଥିଲେ । ସେଇଠି ଚେତନାଶୂନ୍ୟ ଅବସ୍ଥାରେ ପାର୍ଥଙ୍କୁ ତାଙ୍କ କ୍ୱାଟରକୁ ନେଇ ଆସିଥିଲେ । ଡାକ୍ତର ଡକାଇ ଚିକିତ୍ସା ପରେ ଦୀର୍ଘ ଚାରିଦିନପରେ ଅବସ୍ଥା ଭଲ ହେଲା ।

 

ସଂପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ସେ ତାଙ୍କୁ ଛାଡ଼ିଦେବାକୁ ରାଜି ହୋଇନଥିଲେ । ଭଦ୍ରଲୋକଙ୍କୁ ପ୍ରଥମ ଦେଖାରେ ଭଲଲାଗିଥିଲା । ପାର୍ଥଙ୍କର ଘନିଷ୍ଠତା ହେବାଭିତରେ ଜୀବନର ବିୟୋଗାତ୍ମକ କାହାଣୀ ପାର୍ଥ କହିଥିଲେ ତାଙ୍କୁ । ସେ ପାର୍ଥଙ୍କୁ ବୁଝାଇଥିଲେ ଯେ, ଏ ବିଶ୍ୱ ବିଶାଳ । ଅନେକ ଦୁଃଖିଲୋକ ଏ ପୃଥିବୀରେ ଅଛନ୍ତି । ତା ତୁଳନାରେ ପାର୍ଥଙ୍କର ଦୁଃଖ କିଛି ନୁହେଁ । ଯେଉଁ ଜୀବନକୁ ସୃଷ୍ଟି କରିପାରିବନି, ସେ ଜୀବନକୁ ନଷ୍ଟ କରିବାର ଅଧିକାର କାହାରି ନାହିଁ । ଅତୀତକୁ ଭୁଲିଯାଇ ବର୍ତ୍ତମାନର କର୍ତ୍ତବ୍ୟରେ ନିଜକୁ ହଜାଇ ଦେବାପାଇଁ ଉପଦେଶ ଦେଇଥିଲେ ।

 

ତାଙ୍କର ଚେଷ୍ଟାରେ ତାଙ୍କ କଲେଜରେ ଅଧ୍ୟାପନା ଦାୟିତ୍ଵ ନେଇଥିଲେ ସେ । ଦିଲ୍ଲୀ ସହର ଠାରୁ ଚାଳିଶି କିଲୋମିଟର ଦୂରରେ ଅନେକ ସ୍ଥାନ ମାଡ଼ି ସେହି କଲେଜ । ନିରୋଳା, ଶାନ୍ତ ପରିବେଶ । ଯାନବାହାନ, କଳକାରଖାନାର ଘର୍ଘର ଶବ୍ଦ ନାହଁ । କେବେ କେମିତି ବିଦେଶୀ ପର୍ଯ୍ୟଟକ ନହେଲେ ଅନ୍ୟ ସ୍ଥାନ ମାନଙ୍କର ଦର୍ଶକ ଆସିଲେ ଯାହା କୋଳାହଳ ହୁଏ । ସେ କଲେଜରେ ପାଠପଢ଼ା ବ୍ୟତୀତ ଛାତ୍ରମାନଙ୍କୁ ଆତ୍ମନିର୍ଭରଶୀଳ ହେବାର ଶିକ୍ଷା ମଧ୍ୟ ଦିଆଯାଏ । ଛାତ୍ରମାନଙ୍କୁ ବୈଷୟିକ ତାଲିମ ମଧ୍ୟ ଦିଆ ହେଉଚି । ମେଧାବୀ ଛାତ୍ରମାନଙ୍କୁ ଛାତ୍ରବୃତ୍ତି ଓ ବିନା ଖର୍ଚ୍ଚରେ ହଷ୍ଟେଲରେ ରହିବାର ସୁଯୋଗ ମିଳେ ।

 

କର୍ମ ଭିତରେ ବୁଡ଼ାଇ ଦେଇଥିଲେ ନିଜକୁ । କର୍ମ ଭିତରେ ବୁଡ଼ିରହି ଅତୀତକୁ ଭୁଲିଯିବାକୁ ଚେଷ୍ଟା କରିଛନ୍ତି । ଆଦର୍ଶ ଅଧ୍ୟାପକ ହିସାବରେ ତାଙ୍କର ଅନେକ ସୁନାମ । ତାଙ୍କ ପ୍ରକୃତିର ସ୍ଵତନ୍ତ୍ରତା, ବୁଦ୍ଧିଦିପ୍ତ ବ୍ୟକ୍ତିତ୍ୱପାଇଁ ସହକର୍ମୀ ଛାତ୍ରଛାତ୍ରୀ ଏବଂ ଷ୍ଟାଫ୍ ମାନଙ୍କର ବିଶେଷ ଶ୍ରଦ୍ଧାଭାଜନ ହୋଇ ପାରିଥିଲେ । ପି. ସୁବ୍ରମନ୍ୟମ୍ ଅବସର ନେଇ ନିଜ ଦେଶକୁ ଚାଲିଯିବା ପରେ ପାର୍ଥଙ୍କ ଉପରେ ଅନେକ ଦାୟିତ୍ଵ ବଢ଼ିଗଲା । ସେ ହେଲେ ଅଧ୍ୟକ୍ଷ । ଜୀବନରେ ସ୍ଥିରତା ଆସିଯିବା ପରେ ବୋଉକୁ ନିଜ ପାଖରୁ ନେଇଆସିଥିଲେ । ସେ ଅନେକ ବର୍ଷ ତଳର କଥା ।

 

ପାର୍ଥଙ୍କର ସମସ୍ତକଥା ବୁଝି ପାରିଥିଲେ ତାଙ୍କ ବୋଉ । ପୁଅ ଯେ ସୁଖୀ ହୋଇ ପାରିନି, ଜାଣିପାରିଥିଲେ । ପୁଅ ପଳାତକ ହେଲା । ଶେଷରେ କୌଣସି ସଂବାଦ ନପାଇ ଦିନରାତି ଝୁରିଝୁରି ଶଯ୍ୟାଶାୟୀ ହୋଇଥିଲେ । ହଠାତ୍ ଦିନେ ଚିଠିଟିଏ ପାଇଲେ । ମନେ ମନେ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ । ପୁଅ ତାଙ୍କର ଯେଉଁଠି ଥାଉ ସୁଖରେ ଥାଉ । ତାପରେ ଦିନେ କୌଶିକ ଯାଇ ତାଙ୍କୁ ନେଇ ଆସିଥିଲା ।

 

ପାର୍ଥଙ୍କ ମତରେ ବୋଉ ତାଙ୍କର ଶାରୀରିକ ସୁସ୍ଥତା ପାଇଛନ୍ତି । ତୈଳହୀନ ଋକ୍ଷକେଶ, ମଳିନବେଶ ପରିବର୍ତ୍ତେ ମାର୍ଜିତ ପରିଷ୍କାର ପରିଚ୍ଛନ୍ନ ବେଶବାସ । ଚାକର ପିଅନ ତାଙ୍କ ସେବାରେ ନିଯୁକ୍ତ କରାଇ ଦେଇଛନ୍ତି । ସମସ୍ତେ ତାଙ୍କୁ ଭକ୍ତି କରନ୍ତି ସମ୍ମାନ ଦିଅନ୍ତି । ସମସ୍ତଙ୍କର ସେ ମାଆ । ପିଲାଦିନେ ଦେଠେଇଙ୍କୁ ଯାହା କହିଥିଲେ ସେଇକଥା କରିଛନ୍ତି । ଉପରେ ବେଶ ସୁଖୀ କରି ପାରିଛନ୍ତି ବୋଉକୁ । ହୁଏତ ମାନସିକ ଶାନ୍ତି ଦେଇପାରି ନାହାନ୍ତି । ତାଙ୍କ ନିଜ ଜୀବନ ଭଳି ପାର୍ଥଙ୍କ ଜୀବନଟା ଅନେକ ଶୂନ୍ୟତାରେ ଭରିଗଲା ସେଇ ଦୁଃଖରେ ନିଶ୍ଚୟ ମାନସିକ ଅଶାନ୍ତି ଭୋଗୁଛନ୍ତି । କ’ଣ କରିଥାନ୍ତେ ପାର୍ଥ ? ତାଙ୍କ ବୋଉ ଅନେକ ବୁଝାଇଥିଲେ ଅର୍ଚ୍ଚନା ନହେଲେ ନାହଁ, ଦେଖିଚାହିଁ ପସନ୍ଦ ଅନୁସାରେ ଆଉଥରେ ବିବାହ କରିବାପାଇଁ । ଜନ୍ମଦେଇ ସୁଖ ନ ଦେଖିଲେ ମାଆ ହୋଇ ବଞ୍ଚିରହିବାର କି ଲାଭ ?

 

ପାରିନାହାନ୍ତି ସେ । ଦୁରୁହ, ଦୁର୍ବାର ଅଭିମାନୀ ମନ ନେଇ ଅନ୍ୟ କୌଣସି ନାରୀକୁ ତାଙ୍କ ହୃଦୟରେ ସ୍ଥାନ ଦେଇ ନାହାନ୍ତି । ଇଚ୍ଛାକରିଥିଲେ ଜୀବନର ଶୂନ୍ୟତାକୁ ସେ ଭୁଲି ଯାଇ ପାରିଥାନ୍ତେ । କିନ୍ତୁ ଗୋଟାଏ ଶାନ୍ତ କୋମଳ ମୁହଁକୁ ସ୍ମରଣ କରି କରି ବିତାଇ ଦେଲେଣି ଅନେକ ଗୁଡ଼ାଏ ବର୍ଷ । ତାଙ୍କ ଯୌବନ ଅତିକ୍ରାନ୍ତ । ଶାନ୍ତ ମୁହଁଟା ଅନେକ ଘୃଣା ନେଇ ଦୂରରେ ଗଲା ତାଙ୍କ ପରିଧିରୁ । ନିଷ୍କଳଙ୍କ ହୋଇ ସେଇ ମୁହଁ ଅଗରେ ସେ କଳଙ୍କିତ ନାୟକ ହୋଇ ରହିଗଲେ । ଆଉ ତାର ଭୁଲ ଧାରଣାକୁ ଭାଙ୍ଗି ଦେବା ପାଇଁ କୌଣସି ଦିନ ତାର ସମ୍ମୁଖୀନ ହୋଇପାରିବେନି । କୁଆଡ଼େ ଦୂରେଇ ଗଲା । ସେ ଖବର କେହି ଜାଣନ୍ତିନି ।

 

ଅନେକ ଦିନ ପରେ ଶୁଣିଥିଲେ ସୁମନ କଥା । ତାଙ୍କ ବୋଉ କହିଥିଲେ । ସେ ଗାଁରେ ଥିଲାବେଳେ ଶୁଣିଥିଲେ ଝିଅଟିଏ ଜନ୍ମକରି ନିଦ ଔଷଧ ଖାଇ ଆତ୍ମହତ୍ୟା କରିଥିଲା ସୁମନ । ତାକୁ କଥାଦେଇ ରଖି ପରିନାହାନ୍ତି । ତା ଝିଅର ପରଚୟ ଦେବେ କଥା ଥିଲା । ବିଚରା ସୁମନ୍..... ...? ରୂପରେ ଚରିତ୍ରରେ ଥିଲା ସୂର୍ଯ୍ୟମୁଖୀର ଦ୍ୟୁତି । ଚାଲିରେ ରାଜହଂସୀର ଠାଣି । ଚଞ୍ଚଳ ତରଙ୍ଗ ପ୍ରବାହ ଭଳି ତାର ଗତି । ଅଜା ଆଈଙ୍କର ଆଦରରେ ପ୍ରତିପାଳିତ ହୋଇଥଲା । ସହରରେ ପାଦ ଦେଇ ଉତ୍ସୁଙ୍ଖଳ ହୋଇ ଗୌତମର ନିକଟକୁ ଚାଲି ଆସିଥିଲା । ତାର ମନ ଅଙ୍ଗନରେ ମହୋତ୍ସବ ସୃଷ୍ଟି କରିଥିଲା ଗୌତମ । ଗୌତମ ପ୍ରେମରେ ସନ୍ତରଣ କରିଥିଲା ସୁମନ । ଐଶ୍ୱର୍ଯ୍ୟଶାଳୀ ପିତାର ଏକମାତ୍ର ପୁତ୍ର ସେ । ପ୍ରଜାପତି ପରି ଏ ଫୁଲରୁ ସେ ଫୁଲକୁ ଉଡ଼ିବୁଲିବା ତାର ନିତୀ । ପ୍ରଜାପତି ମନନେଇ ସୁମନର କୁମାରୀତ୍ଵ ଅପହରଣ କରି ହେଲା ପଳାତକ ।

 

ଗୌତମ…… ? ଏକଦା ସହକର୍ମୀ ଥିଲେ ତାଙ୍କର । ପାର୍ଥ ଭାବୁଥିଲେ ବୁଦ୍ଧଯୁଗରେ କାମନା ବାସନା ପ୍ରଲୋଭନରୁ ଦୂର ହେବା ପାଇଁ ଗୌତମ ସ୍ତ୍ରୀ ଓ ସନ୍ତାନକୁ ତ୍ୟାଗ କରି ହୋଇଥିଲେ ପଳାତକ । ଆଧୁନିକ ଯୁଗର ଗୌତମ କିନ୍ତୁ କାମନା ବାସନାର ବଶବର୍ତ୍ତୀ ହୋଇ ନିଜର ସନ୍ତାନକୁ ଅସ୍ଵୀକାର କରି ହେଲା ପଳାତକ । କରୁଣାତ୍ମକ ଜୀବନଲିପି ସୁମନର । ଗାଡ଼ିର ଗତି ଧୀର । ଆଗରେ, କୌଣସି ଷ୍ଟେସନ୍ ପଡ଼ିବ ବୋଧହୁଏ । କମ୍ପାଣ୍ଟମେଣ୍ଟ୍ ଭିତରେ ଦୃଷ୍ଟି ପକାଇଲେ ପାର୍ଥ । କୌଶିକ୍ ଶୋଇ ପଡ଼ିଚି । ଯିବା ଆସିବାର କ୍ଳାନ୍ତି ତା ମୁହଁରେ ସୁସ୍ପଷ୍ଟ । କୌଶିକର ମୁହଁକୁ ଚାହିଁଲେ ସେ । ନିଶ୍ଚିନ୍ତରେ ଗଭୀର ନିଦରେ ଶୋଇଯାଇଚି । ତାଙ୍କ ଭଳି, ଜୀବନରେ କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇନି ସେ । ତା ନହେଲେ ଶୋଇପାରନ୍ତା କେମିତି-? କୌଶିକ ଖୁବ୍ ମେଧାବୀ ଛାତ୍ର ଥିଲା । କିନ୍ତୁ ତାର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିଲା । ଗ୍ରାଜୁଏସନ୍ ପରେ ଚାକିରି ସନ୍ଧାନରେ ତାର ବନ୍ଧୁ ଜଣେ ରହୁଥିବା ତାଙ୍କ କଲେଜକୁ ଆସିଥିଲା । ବନ୍ଧୁଙ୍କର ନିର୍ଦ୍ଦେଶରେ ପାର୍ଥଙ୍କ ଆଗରେ ନିଷ୍କପଟ ଭାବରେ ହୃଦୟ ଖୋଲି ଦେଇଥିଲା ସେ । ନିଜର ଅତୀତ ସହିତ କୌଶିକର ଅନେକ ସାମିଲ । ସମବେଦନା ଆସିଥିଲା ତାଙ୍କ ମନରେ । ପ୍ରଥମ ଦେଖାରେ କୌଶିକ ତାଙ୍କୁ ଖୁବ୍ ଭଲ ଲାଗିଥିଲା । ପ୍ରିୟ ପରିଜନଶୂନ୍ୟ ଜୀବନର ସାଥୀ ହୋଇଥିଲା କୌଶିକ-। ତାକୁ ନିଜ ପାଖରେ ରଖାଇ ପାଠ ପଢ଼ିବାର ସମସ୍ତ ବନ୍ଦୋବସ୍ତ କରିଦେଇଥିଲେ । ସେ ସବୁବେଳେ ସମସ୍ତଙ୍କୁ କହେ ଯେ, ପାର୍ଥ ତା ଜୀବନର ଦେବଦୁତ । ତା ନ ହୋଇଥିଲେ ଜୀବନର ଧାରା ତାର କେଉଁଆଡ଼େ ଗତି କରିଥାନ୍ତା କେଜାଣି ।

 

କୌଶିକ ଉପରୁ ଦୃଷ୍ଟି ଉଠାଇ ଅନ୍ୟଆଡ଼େ ଚାହିଁଲେ । ତାପରେ ଇଂରାଜୀ ମ୍ୟାଗାଜିନଟାଏ ଖୋଲି ପଢ଼ିବାକୁ ଅରମ୍ଭ କଲେ ।

 

ସାମନା କୋଚରେ ଦୁଇଜଣ ପୁରୁଷ ଆଉ ସ୍ତ୍ରୀଙ୍କର କଥୋପକଥନ ତାଙ୍କ କାନରେ ବାଜିଲା । ସ୍ତ୍ରୀଜଣକ କହୁଥାଏ,

 

ସାଲ୍‌ଟା ଭଲକରି ଘୋଡ଼ାଇପକାଅ ଥଣ୍ଡା ଲାଗିବ ଛାତିରେ । ଆଉ ଡାକ୍ତର ମତେ ବାରମ୍ବାର କହିଚନ୍ତି ଯେ ସିଗାରେଟ ଟାଣିବା ଚେକ୍ ନକଲେ ରୋଗ ପୁଣି ଧରିବ ।

 

ପୁରୁଷ ଗଳା,

 

ସୁମୀ, ଆମେ କାଲି ଏତେବେଳକୁ ଭୁବନେଶ୍ୱରରେ ପହଞ୍ଚିଯାଇଥିବା । ନୁହେଁ ? ମାସେ ହେଲା ପିଲାଦୁଇଟାଙ୍କୁ ନଦେଖି ମନଭାରି ଖରାପଲାଗୁଚି । ତାଙ୍କର ସେ ଖେଳନା ସବୁ କେଉଁଠି ରଖିଚ ?

 

ସ୍ତ୍ରୀ ଜଣଙ୍କର ଗଳା,

 

ସବୁଠାରୁ ବେସି ଖୁସି ହେବେ ତୁମବୋଉ । ତୁମଛଡ଼ା ତାଙ୍କର ଆଉ କିଏ ଅଛି କହିଲ ! କେତେ ଦୁଃଖରେ ତୁମକୁ ମଣିଷ କରିଛନ୍ତି । ତୁମେ ଯେ ସଂପୂର୍ଣ୍ଣ ସୁସ୍ଥ ହୋଇଚ ଜାଣି କେତେ ଖୁସି ହେବେ ।

 

ସେମାନଙ୍କର ସେଇ କଥୋପକଥନରୁ ସେ ଜାଣିପାରିଲେ ଯେ ସେ ଦୁହେଁ ସ୍ଵାମୀ ସ୍ତ୍ରୀ । ଘରେ ତାଙ୍କର ମାଅ ତାଙ୍କର ଦୁଇଟି ପିଲାଙ୍କୁ ନେଇ ଅଛନ୍ତି । ମାଆ ତାଙ୍କର, ପାର୍ଥଙ୍କୁ ତାଙ୍କ ବୋଉ ମଣିଷ କଲାଭଳି କରିଥିଲେ । ଶରୀର ଅସୁସ୍ଥତା ପାଇଁ ଏମାନେ ଦିଲ୍ଲୀ ଆସିଥିଲେ । ମାସେ ପରେ ଫେରି ଯାଉଛନ୍ତି ଭୁବନେଶ୍ଵର । ସେମାନଙ୍କ ପାଟିରୁ ଭୁବନେଶ୍ଵର ନାଆଁଟା ଶୁଣି ପାର୍ଥଙ୍କ ଛାତିରେ ପରିଣତ ସ୍ଵାକ୍ଷର ବହନକରି ଆଣିଲ । ତାଙ୍କ ହଜିଲା ଅତୀତର ମୂକସାକ୍ଷୀ ଭୂବନେଶ୍ୱର ।

 

ସ୍ତ୍ରୀ ଜଣକ ତାଙ୍କ ସ୍ଵାମୀଙ୍କୁ କହିଲାଭଳି, ପାର୍ଥଙ୍କୁ ସାଲ୍ ଭଲକରି ଦେହରେ ପକାଇବାକୁ କେହି କହିବେନି । ତାଙ୍କ ସିଗାରେଟ୍ ଖାଇବାକୁ କେହି ବାରଣ କରିବେନି । ନିଜ ଦେହରେ ସାଲଟାକୁ ଭଲକରି ଘୋଡ଼ାଇ ଶୋଇବାକୁ ଚେଷ୍ଟା କଲେ ସେ । ଶୋଇ ପଡ଼ୁପଡ଼ୁ ଭାବିଲେ, ଏମିତ କଣ ହୁଅନ୍ତାନି ଅନେକ ଅପରିଚିତ ଭିତରେ ହଜିଯାଇଥିବା ସେଇ ଝିଅଟି ସହିତ ଆକସ୍ମିକ ଭାବରେ କେଉଁଠି ଦେଖା ହୋଇଯାନ୍ତା । ଆଉ ସେ ତାକୁ ପଚାରିଥାନ୍ତେ ବିନା ଦୋଷରେ ଏତେବଡ଼ ଶାସ୍ତି, କେମିତି ଦେଇ ପାରିଲା ବୋଲି ? କିନ୍ତୁ ଅସମ୍ଭବ । ତା ସହିତ ଦେଖା ହେବାର କୌଣସି ସମ୍ଭାବନା ନାହିଁ । ମେଘରେ ପାଣିନାହିଁ । ତଥାପି ଚାତକ ପରି ଚାହିଁ ରହିଚନ୍ତି ସେ । ମନଭିତରେ ସଦାସର୍ବଦା ଏକ ସୁକଠିନ ଅନମନୀୟତା । ଧୂସର ସନ୍ଧ୍ୟାର ଧୂଆଁ ଭଳି ମନ ଭିତରେ ବେଳେବେଳେ ବିଷନ୍ନତା ଘୋଟିଯାଉଛି । ଆଉ ଜଣକର ସ୍ନେହ, ସୋହାଗ, ଭଲପାଇବା ଅଭାବରେ ତାଙ୍କ ଜୀବନଟା ଶୂନ୍ୟତା, କେବଳ ଶୂନ୍ୟତାରେ ଭରିଯିବ । ସବୁସୁଖ, ସବୁ ଆନନ୍ଦ, ଭୟାବହ ଶୂନ୍ୟତାରେ ମିଳାଇ ଗଲା ।

Image

 

ଅନ୍ତରା

 

ପାହାନ୍ତି ପହରର ଶୀତଳ ପବନ ଦେହରେ ବାଜି ନିଦ ଭାଙ୍ଗି ଯାଇଥିଲା ଅର୍ଚ୍ଚନାର । ଚାହିଁ ଦେଖିଲା ମୁଣ୍ଡ ପାଖରେ ଥିବା ଝରକାଟା ଖୋଲା । କ’ଣ ଗୋଟାଏ ବହି ପଢ଼ୁପଢ଼ୁ ହଠାତ୍ ନିଦ ଲାଗିଗଲା, ଆଉ ଝରକାଟା ବନ୍ଦ କରିବାକୁ ସେ ଭୁଲିଯାଇଚି । ମଇନାଥିଲେ ଏସବୁ ସେ ଠିକ୍ ଦେଖିନିଏ । ଖୋଲା ଝରକା ଦେଇ ତୀର୍ଯ୍ୟକ ଭାବରେ ଜହ୍ନଆଲୁଅ ଘରଭିତରେ ପଡ଼ିଚି । ବାହାରକୁ ଚାହିଁଲା ସେ । ତା କ୍ଵାଟରର କମ୍ପାଉଣ୍ଡଓ୍ୟଲ ସେପାଖେ ପୋଖରୀଟା ଦେଖାଯାଉଚି । ପୋଖରୀର ଅଳ୍ପ ଦୂରରେ ଥିବା ପାହାଡ଼ ଉପରେ ଜହ୍ନଟା ସ୍ଥିର ରହିଚି । ଜହ୍ନର ପ୍ରତିବିମ୍ବ ପଡ଼ିଚି ପୋଖରୀର ପାଣି ଭିତରେ । ପାଣି ଗୁଡ଼ାକ ଚକ୍‌ଚକ୍ କରୁଚି । ପୋଖ‍ରୀ ହୁଡ଼ାଟାରେ ଠିଆ ହୋଇଚି ବିରାଟ ବରଗଛ, ଶାଖା, ପ୍ରଶାଖା ମେଲି ଦେଇଚି । ଦିନବେଳେ ତା ତଳେ ବାଟୋଇମାନେ ବିଶ୍ରାମ ନିଅନ୍ତି । ସନ୍ଧ୍ୟା ହେବା ସଙ୍ଗେ ସଙ୍ଗେ ସେଇ ଗଛରେ ଆଶ୍ରୟ ନିଅନ୍ତି ଅନେକ ପକ୍ଷୀ । ଚିଂ ଚି ଶବ୍ଦ ଶୁଭୁଚି । ଫଡ଼ ଫାଡ଼ ହେଉଚନ୍ତି ବାଦୁଡ଼ି ଗୁଡ଼ାକ । ବିରାଟ ବରଗଛଟାର ପତ୍ରଝଡ଼ କେବେ ଶ୍ରୀହୀନ ଦେଖାଯାଉଚି । ଶୀତଋତୁ ଶେଷ ହୋଇଯାଉଚି । ତାପରେ ଆସିବ ବସନ୍ତ ଋତୁ । ଅପୂର୍ବ ରୂପସମ୍ଭାରରେ ସଜ୍ଜିତ ହେବ ପ୍ରକୃତି । ନୂଆ କଅଁଳ ପତ୍ରରେ ଛାଇ ହେଇଯିବ ଥୁଣ୍ଟା ବରଗଛ । ତା ଶାଖାରେ ବସି କୋଇଲି କୁହୁକୁହୁ ତାନତୋଳିବ । କିନ୍ତୁ ତା ନିଜ ଜୀବନଟା ଚିରଦିନ ପାଇଁ ପତ୍ରଝଡ଼ା ଥୁଣ୍ଟାଗଛ ହୋଇ ରହିଗଲା । କୌଣସିଦିନ ତା ମନ ପବନରେ ଆଉ ପତ୍ର କଅଁଳିବ ନାହିଁ କି କୋଇଲିର କୁହୁତାନ ଶୁଣିବାକୁ ପାଇବନି ସେ ।

 

ଆଖିପାଇବା ପର୍ଯ୍ୟନ୍ତ ଦୂରକୁ ଅନାଇଲା ଅର୍ଚ୍ଚନା । ପୋଖରୀଠାରୁ ଅଳ୍ପ ଦୂରରେ ଲମ୍ବିଯାଇଚି ଛୋଟବଡ଼ ଅନେକ ପାହାଡ଼ । ପାହାଡ଼ ପର୍ବତଘେରା ଏଇ ବନସ୍ଥଳୀ ଉପତ୍ୟକା ଅଞ୍ଚଳ-। ପାହାଡ଼ ତଳେତଳେ ଧାଡ଼ିଧାଡ଼ି ହୋଇ ଅନେକ କ୍ଵାଟର । ସେଇଠି ଅଧିକାଂଶ ସହକର୍ମୀ ରହିଛନ୍ତି-। ଅଧିକାଂଶ ସହକର୍ମୀ ପ୍ରାୟ ବିବାହିତା । କାହାର ସ୍ଵାମୀ କାରଖାନାରେ, କିଏ ଅଫିସରେ, କିଏ ବ୍ୟାଙ୍କରେ ଚାକିରି କରୁଚନ୍ତି । କଲେଜ୍ କମ୍ପାଉଣ୍ଡ ଭିତରେ ହଷ୍ଟେଲ ପାଖକୁ ଲାଗି ତାର ସିଙ୍ଗଲ କ୍ୱାଟରଟି । ଅଳ୍ପଦୂରରେ ଅଧ୍ୟକ୍ଷାଙ୍କ କ୍ୱାଟର । ଦୂରରୁ ତାଙ୍କ କ୍ୱାଟରଟା ପରିଷ୍କାର ଦେଖାଯାଉଚି-। ରାତିପ୍ରାୟ ନଅଟା ପର୍ଯ୍ୟନ୍ତ ତାଙ୍କ ପାଖରେ ବସି ବସି ସେ ଆସିଥିଲା ଅଧ୍ୟକ୍ଷା ସୋନିଆଁ ସାବତ-। ସେ ଖ୍ରୀଷ୍ଟିଆନ । ସ୍ଵାମୀ ତାଙ୍କର କମ୍ପାନୀ ଇଞ୍ଜିନିୟର । କମ୍ପାନୀ ତରଫରୁ ସେ ଫରେନ ଯାଇଥିଲେ । ଫେରିଲାବେଳେ ପ୍ଲେନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସ୍ଵାମୀ ଫରେନ ଗଲାବେଳକୁ ତାଙ୍କ ପୁଅ ଜନ୍ମ ହେବାକୁ ଅଳ୍ପଦିନ ଥାଏ । ତାପରେ ପୁଅଜନ୍ମ ହୋଇଥିଲା । ନିଜେ ଭାଙ୍ଗି ନପଡ଼ି ନିଜ ଗୋଡ଼ରେ ଠିଆ ହୋଇ ପୁଅକୁ ଇଞ୍ଜିନିୟରିଂ ପଢ଼ାଇଲେ । ସେଇପୁଅ ତାଙ୍କର ଦୂର୍ଗାପୁରରେ ଇଞ୍ଜିନିୟର । ଦୁଇବର୍ଷତଳେ ତାର ବିବାହ ମଧ୍ୟ ଦେଇଛନ୍ତି । ବୋହୁ ଡାକ୍ତରାଣୀ, ପୁଅବୋହୁ ସବୁବେଳେ ଚଠି ଲେଖୁଚନ୍ତି ଚାକିରି ଛାଡ଼ି ତାଙ୍କ ପାଖରେ ଯାଇ ରହିବାକୁ । ପୁଅବୋହୂ ଦୁହେଁ ତାଙ୍କର ବାଧ୍ୟ ।

 

ସୋନିଆଁ ସାବତ ଏକଦା ଅର୍ଚ୍ଚନା ବାବାଙ୍କର ଛାତ୍ରୀଥିଲେ । ସେଇ ମୂତ୍ରରେ ଅର୍ଚ୍ଚନା ତାଙ୍କୁ ବଡ଼ଭଉଣୀ ଭଳି ଭକ୍ତି କରେ ତାର ସବୁକଥା ପ୍ରତି ବିଶେଷ ନିଜର ଦିଅନ୍ତି । ସେ ସେତେବେଳେ ଧଳାପୋଷାକ ପିନ୍ଧା ଚର୍ଚ୍ଚକୁ ଯାଆନ୍ତ, ଯିଏ ଦେଖିବ ତାଙ୍କୁ ଭକ୍ତି କରିବ । ସଦା ହସହସ ମୁହଁ | ସେ କହନ୍ତି ବିଶ୍ଵପିତା ଯୀଶୁ ତ କେତେ ଦୁଃଖ ପାଇଥିଲେ, ତ । ତୁଳନାରେ ଆମର କିଛି ଦୁଃଖ ନୁହେଁ ।

 

ଦୂରରୁ ମାଦଳ ଶବ୍ଦ ଶୁଭୁଚି କାନେଇଁଲା ସେ । ଏ ଅଞ୍ଚଳରେ ଅଧିକାଂଶ ଆଦିବାସୀ । ବେଶି ପରିମାଣରେ ଆଦିବାସୀ, ଝିଅ ତାଙ୍କ କଲେଜରେ ମାତିଛନ୍ତି ଅଳ୍ପ କେତେକ ଛାତ୍ର ବାହାରୁ ଯେଉଁମାନେ ଆସି ଚାକିରି କରୁଚନ୍ତି ସେଇମାନଙ୍କର ମାଦଳର ତାଳେ ତାଳେ ଭାସି ଆସିଲା ନାରୀ ଓ ପୁରୁଷର ମିଳିତ କଣ୍ଠସ୍ଵର । ସେମାନଙ୍କ ଭାଷା ବୁଝି ହେଉନି । ତଥାପି ନିଶ୍ଚୟ ସେମାନେ ମନ ଖୁସିରେ ଗୀତ ଗାଉଛନ୍ତି । ହାତକୁ ହାତ, ଅଣ୍ଟାକୁ ଅଣ୍ଟା ଛନ୍ଦିହୋଇ ନାଚୁଚନ୍ତି । କାଲି ତାଙ୍କର ପର୍ବ ଥିଲା । ଏଇ ପର୍ବଦିନରେ ସେମାନେ ରାତି ଅନିଦ୍ରାହୋଇ ନାଚିବେ; ଗୀତଗାଇବେ, ଫୁର୍ତ୍ତି କରିବେ ବୋଲି ମଇନା କହୁଥିଲା । ମଇନା ନାହିଁ । ସକାଳୁ ତା ମାଉସୀର ଝିଅ ଆସି ତାକୁ ଡାକି ନେଇଯାଇଚି ବର୍ଷକର ଏଇଁ ଗୋଟାଏ ଦିନ ସେ ତା ମାଉସୀ ଘରକୁ ଯାଏ । ମଇନାର ନିଜର ବୋଇଲେ କେହିନାହିଁ । ସେ ଯେତେବେଳେ ଛୋଟଶିଶୁ ମଇନାର ମାଆ ଗୋଟାଏ କୁଲି ସର୍ଦ୍ଦାର ସାଥିରେ ଦୂର ସହରକୁ ଚାଲିଗଲା । ମଇନାର ମାଉସୀ କହେ, କାଳି ହେଲେ କ’ଣ ହେଲା ମଇଁନାର ମାଆ ସୁନ୍ଦରୀ । ବୟସ ତୁଳନାରେ ମଇନାର ବାପା, ତା, ମାଆଠାରୁ ଯଥେଷ୍ଟ ବଡ଼ । ଦିନରାତି ହାଣ୍ଡିଆ ନିଶାରେ ଚୂର । ସ୍ତ୍ରୀ ପଳାଇ-ଯିବାରୁ ଆହୁରି ବେଶିବେଶି ହାଣ୍ଡିଆ ଖାଇଲା । ଦେହଖରାପ ହେଲା । ଗାଁ ଲୋକେ ଡାକ୍ତର ପାଖକୁ ଆଣିଥିଲେ । ଡାକ୍ତର କିଂଶୁକଙ୍କ ଯତ୍ନରେ ସେ ଡାକ୍ତରଖାନାରେ ରହିଥିଲା । ତାର ପାଖରେ ଜଗିବାପାଇଁ ମଇନା ଆସି ତା ବାପ ପାଖରେ ରହିଥିଲା । ସେତେବେଳେ ତାର ବୟସ ଆଠ ଦଶବର୍ଷ । ଏକ୍‌ସରେ କରି ଦିଆଗଲା ତା ବାପର ଲିଭର ପଚିଯାଇ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଚି । ବଞ୍ଚିବାର ଆଶା ନାହିଁ । ସେଇଥିରେ ସେ ମଲା । ଆଉ ଡାକ୍ତରବାବୁଙ୍କ ପାଖରେ ଛାଡ଼ି ଯାଇଥିଲା ଅସହାୟ ମଇନାକୁ । ସେତେବେଳେ ତା ମୁଣ୍ଡରୁ ଉକୁଣୀ ଝଡ଼ି ପଡ଼ୁଥାଏ । ଅପରିଷ୍କାର ଚିରା ଲୁଗାଟିଏ ଗୁଡ଼େଇ ହୋଇଥାଏ । ଡାକ୍ତରବାବୁଙ୍କ ପାଖରେ ରହି ତାର ସବୁ ପରିବର୍ତ୍ତନ ହୋଇଯାଇଥିଲା ! ତାର ସବୁକଥା ପ୍ରତି ଦୃଷ୍ଟି ଦେଇଥିଲେ ଡାକ୍ତର । ଗୀର୍ଜାକୁ ଯାଇ ପ୍ରତିଦନ ପାଦ୍ରୀଙ୍କ ପାଖରେ ପାଠ ପଢ଼ୁଥିଲା । ପରିଷ୍କାର ପରିଚ୍ଛନ୍ନ ହେଲା-। ଡାକ୍ତରଙ୍କ ଇଚ୍ଛାଥିଲା ଡାକ୍ତରଖାନାରେ ତାକୁ କୌଣସି ଚାକିରି କରାଇ ଦେବେ ବୋଲି-

 

ସେତେବେଳେ ବଦଳି ହୋଇଗଲେ ତାରଭାର ଅର୍ଚ୍ଚନା ଉପରେ ଦେଇଗଲେ । କହିଥିଲେ, ଏକୁଟିଆ ମଣିଷ, ଝିଅଟାଏ ନେଇ କୁଆଡ଼େ ବୁଲିବ । ତୋର ବରଂ ସାହାଯ୍ୟ କରିବ । ଥାଉ ତୋ ପାଖରେ । ସେଇଦିନୁ ମଇନା ରହିଚି ତା ପାଖରେ । ମର୍ଜିତ ସ୍ଵାସ୍ଥ୍ୟବତୀ ଯୁବତୀ । ଆଦିବାସୀ ହେଲେ କ’ଣ ହେଲା ଋଚିଅଛି । ଡାକ୍ତରବାବୁଙ୍କ ପାଖରେ ରହି ଅନେକ ସଭ୍ୟତା ଶିଖିଯାଇଥିଲା । ତାର ନିଜ ଲୁଗା ପଟା ଯେମିତି ପରିଷ୍କାର, ଅର୍ଚ୍ଚନା, ଚିକୁ, ହରିଦାଦା ସମସ୍ତଙ୍କର ଲୁଗାପଟା ପରିଷ୍କାର ଚକଚକ କରିରଖେ । ପ୍ରତିଦିନ ଘର ପୋଛା, ତାର ଭୟ, ଅପରିଷ୍କାର ରହିଲେ ରୋଗ ମାଡ଼ି ବସିବ ।

 

ଡାକ୍ତରବାବୁ ଚାଲିଗଲା କେତେଦିନ ପର୍ଯ୍ୟନ୍ତ ଲୁଚେଇ ଲୁଚେଇ କାନ୍ଦୁଥିଲା ଏବେ କିନ୍ତୁ ଦିଦି କହିଲେ ପାଗଳ । ଦିଦି ପାଇଁ ସତେ ଯେମିତି ସେ ଜୀବନ ଦେଇଦେବ । ସେ ନଥିଲେ ଅର୍ଚ୍ଚନାକୁ ଆଦୌ ଭଲଲାଗେନି । ଆହୁରି ବେଶି ନିଶୂନ ଲାଗେ । ଚିକୁ, ମଇନା, ହରିଦାଦାଙ୍କୁ ନେଇ ଅର୍ଚ୍ଚନାର ପୃଥବୀ । ହରିଦାଦାଙ୍କୁ ଆଉ ଭଲକରି ଦେଖାଯାଉନି । ତାଙ୍କ ମୁହଁକୁ ଚାହିଁଲେ ତାର ଛାତିଭିତରଟା ଯେମିତି କରୁଣ ହୋଇଯାଏ । ନିଜର କେହି ବୋଇଲେ କେହିନୁହେଁ । ତଥାପି ଆନନ୍ଦଶଙ୍କରଙ୍କର ପରିବାର ଭିତରେ ନିଜକୁ ହଜାଇ ଦେଇଥିଲେ । ଅର୍ଚ୍ଚନା ବ୍ୟତିତ ନିଜର ଆପଣାର ତାଙ୍କର ଆଉ କିଏ ଅଛି ? ବେଳେବେଳେ କହନ୍ତି,

 

ଦେଖ୍ ମା, ସାତସାନ ହୋଇ ସେମାନେ ସମସ୍ତେ ଚାଲିଗଲେ । ଆଉ ମୁଁ ବୁଢ଼ାଟା ବଞ୍ଚି ରହିଚି । ତୋ ସୁଖ ଦେଖିବି ବୋଲି କେତେ ଆଶା କରିଥିଲି । ନିଷ୍ଠୁର ଭଗବାନ ତାହା କରାଇ ଦେଲେନି । ଏତେ କଲବଲ ହେବା ଅପେକ୍ଷା ଜୀବନଟା ଚାଲିଗଲେ ଭଲ ହେବ ।

 

ତାଙ୍କ ପାଟିରେ ହାତଦେଇ ଅର୍ଚ୍ଚନା କହେ,

 

ଦାଦା, ତୁମଛଡ଼ା ମୋର ଆଉକିଏ ଅଛି କହିଲ । ତୁମେ ଚାଲିଗଲେ ଆମେ କାହା ଭରସାରେ ବଞ୍ଚିବୁ ।

 

ପାହାଡ଼ ସେପାଖେ ରେଲ୍ ଷ୍ଟେସନ୍‍ । ତା ପାଖରେ ବଡ଼ ଆମ୍ବ ତୋଟାରେ ହାଟ ବସେ-। ଅର୍ଚ୍ଚନା ଆସିଲାବେଳକୁ ରେଲ୍ ଷ୍ଟେସନ୍ ହୋଇନଥିଲା । ଅଲୁମିନିୟମ୍ କାରଖାନା ଖୋଲା ହେବାର ପରିକଳ୍ପନା ପରେ ଷ୍ଟେସନ୍ ହେଇଚି । ନହେଲେ କୌଣସି ଟ୍ରେନ୍ ରହୁନଥିଲା-। କାରଖାନା ପାଇଁ ଦିନରାତି କାମ ଲାଗିଚି ସେଥିପାଇଁ ଏ ଅଞ୍ଚଳଟିର ପ୍ରତିପତ୍ତି ବଢ଼ିଯାଇଚି । ଆଗେ କିନ୍ତୁ ଭାରି ନିରୋଳା ଥିଲା, ଏବେ କିନ୍ତୁ ଗହଳି ଚହଳି ଯଥେଷ୍ଟ ବଢ଼ିଯାଇଚି । ଶସ୍ତାରେ ସବୁ ଜିନିଷ ମିଳୁଥିଲା । ବାହାରୁ ଟ୍ରେନ ଯୋଗେ ବ୍ୟବସାୟୀମାନେ ଆସି ସବୁ ଜିନିଷ ନେଇଯାଉଚନ୍ତି-। ଫଳରେ ଜିନିଷର ଦରଦାମ ଅନେକ ବଢ଼ିଯାଉଚି ।

 

କାଲି ହାଟ ପାଳି । ରାତି ପାହିବାକ୍ଷଣି ଆରମ୍ଭ ହୋଇଯିବ ଗହଳି । ଗାଁମାନଙ୍କର ଜିନିଷ ସବୁ ଆଣି ବିକ୍ରି କରନ୍ତି ଆଦିବାସୀମାନେ । ଦୂରରୁ ଦେଖାଯାଏ ହାଟ । ନେଳି, ନାଲି, କଳା, ଧଳା ସବୁ ରଙ୍ଗର ମିଶ୍ରଣରେ ପୂର୍ଣ୍ଣ ହୁଏ ହାଟପଡ଼ିଆ । ସ୍ତ୍ରୀ ପୁରୁଷମାନେ ବିଭିନ୍ନ ରଙ୍ଗର ଲୁଗା ପିନ୍ଧି ହାଟକୁ ଆସନ୍ତି । ଚିକୁର ହାଟ ଦେଖିବାକୁ ଭାରି ସଉକ । ସେଦିନ ତାର ସ୍କୁଲ ଛୁଟୀ । ମଇନା ସହିତ ପ୍ରତି ହାଟ ପାଳିକୁ ଯାଏ ।

 

ବାହାରୁ ଦୃଷ୍ଟି ଫେରାଇ ଆଣିଲା ଅର୍ଚ୍ଚନା । ଖଟ ଉପରେ ଶୋଇପଡ଼ିଥିବା ଚିକୁକୁ ଚାହିଁଲା । ଜହ୍ନ ଆଲୁଅରୁ କିଛି ଛିଟିକିଆସି ଚିକୁ ମୁହଁରେ ପଡ଼ିଚି । ତା ମୁଣ୍ଡରୁ ଖସି ଯାଇଥିବା ତକିଆଟା ଠିକ୍ କରିଦେଲା । ଚିକୁର ନରମ କୋମଳ କପାଳରେ ଓଡ଼ିଶୀନୃତ୍ୟର ଚିତ୍ରଣ ଧଳା ନାଲିର ଟୋପି ଟୋପି, ଗାର ଜହ୍ନ ଆଲୁଅରେ ପରିଷ୍କାର ଦେଖାଯାଉଚି । ତା ନାଚ ସାର୍ ତାକୁ ଛାଡ଼ିଦେଇ ଗଲାବେଳେ କହିଥିଲେ ଚିକୁ ଆଜି ସମସ୍ତଙ୍କଠାରୁ ବହୁତସୁନ୍ଦର ନାଚିଥିଲା । ନାଚବିଭାଗ ପାଇଁ ଥିବା ପ୍ରାଇଜ୍ କପ୍ ସେ ପାଇଲା । ତା ନୃତ୍ୟରେ ମୁଗ୍‌ଧ ହୋଇ ମୁଖ୍ୟଅତିଥି ତାକୁ ସ୍ଵତନ୍ତ୍ର ଭାବରେ ଶହେଟଙ୍କା ପୁରସ୍କାର ଦେଇଥିଲେ । ସେ ଟଙ୍କାକୁ ସେ ନାଚସାରଙ୍କୁ ଦେଇଦେଇଥିଲା । ପ୍ରଥମେ ସେ ମନା କରିଥିଲେ ନେବାକୁ । ଅର୍ଚ୍ଚନା ତାଙ୍କୁ କହିଥିଲା,

 

ଦେଖନ୍ତୁ, ନାଚପ୍ରତି ମୋର ବିଶେଷ ଆଗ୍ରହ ନଥିଲା । ସ୍କୁଲରେ ପିଲାଙ୍କୁ ଶିଖାଇଲାବେଳେ ଆପଣ ଆସି କହିଥିଲେ, ଚିକୁଠାରେ ଭଗବାନଙ୍କ ଦତ୍ତ କଳା ଅଛି । ଶିଖିଲେ ବହୁତ ବଢ଼ିଆ ନାଚିବ । ସୁତରାଂ ଆପଣଙ୍କ ତାକୁ ତାର ଏଇ ସଫଳ । ଅର୍ଚ୍ଚନା ଜାଣେ ପେଟ ପାଇଁ କାହିଁ କେତେ ଦୂର ସାକ୍ଷୀଗୋପାଳରୁ ଆସି ଏତେବାଟରେ ଶିକ୍ଷକ ହୋଇଛନ୍ତି । ଗାଁକୁ ଥରେ ଯାଇ ପିଲାମାନଙ୍କୁ ଦେଖିଆସିବା ପାଇଁ ଗଲେ ଗାଡ଼ି ଭଡ଼ା ଶହେ ଟଙ୍କା । କେତେ ଅବା ସ୍କୁଲରୁ ମିଳୁଚି । ଆଜିକାଲି ଯେଉଁ ମହଙ୍ଗା ଯୁଗ । ନିଜେ ଚଳି ଘରକୁ ପରିବାର ପାଇଁ ପଠାଇବାକୁ ହେବ । ପଇସା ଅଭାବରୁ ସେ ବର୍ଷେ ହେଲା ସେ ଘରକୁ ଯାଇ ପାରି ନାହାନ୍ତି । ଘରମାନଙ୍କରେ ଟ୍ୟୁସନ୍ କଲେ ଅବା ପଇସାଟିକେ ମିଳନ୍ତା । ଘରେ ନାଚ ସାରି ରଖି ନାଚ ଶିଖାଇବାକୁ କାହାର ଆଗ୍ରହ ନାହିଁ । ଯାହା ସ୍କୁଲରେ ଶିଖା ହେବ ।

 

ଚିକୁର ନାଚ ଦେଖିଯିବାପାଇଁ ତା ସାର୍ ଅନେକ କରି କହିଥିଲେ । କିନ୍ତୁ କୌଣସି ଆନନ୍ଦ ଉତ୍ସବରେ ଯୋଗଦେବା ପାଇଁ ଅର୍ଚ୍ଚନାର ମାନସିକ ପ୍ରସ୍ତୁତି ନାହିଁ । କେବଳ ସମସ୍ତ ଦିନର ସକାଳ, ସନ୍ଧ୍ୟା ରାତି ଏକାକି ନିର୍ଜନ ନିସଙ୍ଗ ଭାବରେ ତାଙ୍କୁ ଆଗେଇ ଯିବାକୁ ହେବ । ପାଥେୟ ତାର ଅତୀତର ଇତିହାସ । ଇତିହାସ ଅଧ୍ୟାପିକା ହୋଇ ଅନାଇ ଇତିହାସ ତାକୁ ପଢ଼ାଇବାକୁ ହୁଏ-। କିନ୍ତୁ ତାର ଜୀବନର ଇତିହାସକୁ ତା ବ୍ୟତିତ କେହି କୌଣସି ଦିନ ଜାଣି ପାରିବେନି । ତା ଛାତି ତଳେ ଝରିଲା ଅଶ୍ରୁକୁ କେହି ଦେଖି ପାରିବେନି । ଅସମ୍ଭବ ଆତ୍ମକେନ୍ଦ୍ରିକ ତାର ପ୍ରକୃତି । ଅଧ୍ୟକ୍ଷା ସୋନିଅଁlଙ୍କ ବ୍ୟତିତ ଅନ୍ୟମାନଙ୍କ ସହିତ ଅଦୌ ଘନିଷ୍ଠତା ନାହିଁ । କଲେଜରେ ଯାହା ସାମାନ୍ୟ ଅଳାପ । କିନ୍ତୁ କାହା ଘରକୁ କେବେ ଯାଇ ବିଶେଷ ଭାବେ ପରିଚିତ ହେଇପାରିନି । ତାର ଝିଅ ଆଉ ସେ । ସମସ୍ତେ ଏଇକଥା ବୁଝିନେଇଛନ୍ତି ବେଶି ଗହଳ, ହୋହଲ୍ଲା ଭିତରେ ରହିବାକୁ ପସନ୍ଦ କରେନି । ସାଙ୍ଗସାଥି ନେଇ ଗପ କମାଇବାକୁ ତାର ଅlଗ୍ରହ ନଥାଏ । ପିଲାଟି ଦିନରୁ ତା ବାପ ଆଉ ହରିଦାଦା ଦୁଇଟି ମଣିଷଙ୍କ ଭିତରେ ସେ ବଢ଼ି ଆସିଥିଲା । ଏକୁଟିଆ ରହିରହି ନିର୍ଜନତା ତା ପାଇଁ ସ୍ଵଭାବିକ ହୋଇ ଯାଇଥିଲା । ଗଣିଦେଲା ଭଳି ସ୍କୁଲଠାରୁ କଲେଜ ଜୀବନ ପର୍ଯ୍ୟନ୍ତ ଜଣେ କିମ୍ବା ଦୁଇଜଣ ସଙ୍ଗୀ ଜୁଟାଇ ପାରିଥିଲା । ତା ବାବା ଥିଲେ ତାର ଖେଳସାଥୀ । କଣ୍ଢେଇ ଖେଳ, ଲୁଚକାଳି ଖେଳ, ସବୁର ସଙ୍ଗୀ ତାର ବାବା । ଶିଶୁ, ବାଳିକା, କିଶୋରୀ, ସମସ୍ତ ବୟସ ନିସଙ୍ଗତା ମଧ୍ୟରେ ସେ ଅତିକ୍ରମ କରି ଆସିଥିଲା । ଆଜିର ଏଇ ନିସଙ୍ଗତା ତାକୁ ସେତେ ଦୁର୍ବହ ମନେ ହୋଇନି । ଯାହା ଅବା ମନେ ହୋଇଥାନ୍ତା, ଚିକୁ ଯୋଗୁ ଭୁଲିଯାଇଚି ଏକାକୀତ୍ଵର ବେଦନା-

 

ଅର୍ଚ୍ଚନାର ଅଣ୍ଟାକୁ ଯାବୋଡ଼ି ଧରି, ଆଖି ଦୁଇଟା ବନ୍ଦକରି ପରମ ଆନନ୍ଦରେ ଭଭୀର ନିଦ୍ରାରେ ଶୋଇଯାଇଚି ଚିକୁ । ହାତ ଦୁଇଟାକୁ ତା ମାଆର ଗଳା ନହେଲେ ଅଣ୍ଟାକୁ ଯାବୋଡ଼ି ଧରି ଶୋଇବା ତାର ପ୍ରକୃତି । ସେଇ ଅଳ୍ପ ବୟସରୁ ଆସି ଆଠ ବର୍ଷ ହୋଇଗଲା । ଚିକୁର ମୁହଁକୁ ପଲକହୀନ ଦୃଷ୍ଟିରେ କେତୋଟି ମୁହୂର୍ତ୍ତ ଚାହିଁ ଆସ୍ତେକରି ତା କପାଳରେ ସେ ଆଙ୍କିଦେଲା ଚୁମ୍ବନ । ନିଦ୍ର ଜଡ଼ିତ ଆଖି ମେଲାଇ ତା ମୁହଁକୁ ଚାହି ‘ମାଆ’ ଡାକି ଅର୍ଚ୍ଚନାର ଗଳାକୁ ଆହୁରି ଯୋରରେ ଭିଡ଼ି ଧରିଲା । ଚିକୁର ଏଇ ଡାକରେ ଅର୍ଚ୍ଚନାର ଶରୀର ସମସ୍ତ ଶିରା ଉପଶିରା ଦେଇ ମମତାର ଫଲ୍‌ଗୁଧାରା ବୋହିଗଲା । ବାତ୍ସଲ୍ୟମମତାରେ ପରିପୂର୍ଣ୍ଣ ଅର୍ଚ୍ଚନାର ଦେହ ମନ ।

 

କିନ୍ତୁ ଚିକୁ ଯେ ଏଇ କୁମାରୀ ମାଆର ସନ୍ତାନ । ଅର୍ଚ୍ଚନା ତାର ମାଆ ନୁହେଁ । ଏକଦା ଚିକୁର ମାଆ, ପୁରୁଷର ମନଭୁଲାଣିଆ କଥାରେ ଭୁଲିଯାଇ ନିଜର ସର୍ବସ୍ଵ ଅର୍ପଣ କରିଦେଇଥିଲେ ସେଇ ପୁରୁଷ ନିକଟରେ । ସେଇ ପୁରୁଷ ବିଶ୍ଵାସଘାତକତା କଲା । ପିତୃତ୍ଵକୁ ଅସ୍ଵୀକାର କରି ତାକୁ ପ୍ରତାରିତ କଲା । ବିଚରା ଅସହାୟ ଚିକୁର ଜନନୀ ଅର୍ଚ୍ଚନାର ଆଶ୍ରୟରେ ସମର୍ପିଦେଇ ପୃଥିବୀରୁ ଚିର ବିଦାୟ ନେଲା । ଚିକୁ କ’ଣ କେବେ ଜାଣିପାରିବ ଯେ ପୃଥିବୀର ଏତେଗୁଡ଼ାଏ ମଣିଷ ଭିତରେ ଚିକୁର ମାମା ଭାବରେ ପରିଚିତା ଅର୍ଚ୍ଚନା ନାମ୍ନୀ ଝିଅଟିର ରଙ୍ଗ ବୈଭବପୂର୍ଣ୍ଣ ଜୀବନକୁ ଧୂସର ଆଉ ବିବର୍ଣ୍ଣକରି ଶୁଷ୍କ ମରୁରେ ପରିଣତ କରିଦେଇଥିଲା ତାର ଜନନୀ ସୁମନ୍‌ ।

 

କିନ୍ତୁ ସେଇ ଶୁଷ୍କ ମରୁମୟ ଜୀବନରେ ଜଳଧାର ସୃଷ୍ଟି କରି ଦେଇଗଲା ଚିକୁକୁ ପ୍ରଦାନ କରି । ଅର୍ଚ୍ଚନାର ନିସଙ୍ଗ ଜୀବନର ବଞ୍ଚିରହିବାରେ ପ୍ରେରଣା ଚିକୁ । ତାକୁ ପାଇଲାଦିନୁ ନିଜ ଜୀବନର ଶୂନତାକୁ କିଛି ପରିମାଣରେ ଭୁଲିପାରିଚି ସେ । ଚିକୁର ‘ମାମା’ ସମ୍ବୋଧନରେ ଅର୍ଚ୍ଚନା ହୃଦୟ ପରିପୂର୍ଣ୍ଣ ଓ ବାତ୍ସଲ୍ୟ ମମତାରେ ପ୍ଳାବିତ ହୋଇଯାଉଚି । ଚିକୁ ସହିତ ପ୍ରଥମ ସାକ୍ଷାତ୍ ଦିନଟିକୁ ମନେପକାଇଲା ଅର୍ଚ୍ଚନା । ପଳାତକ ହୋଇ ସେଇ ଯେ ସବୁକିଛି ଛାଡ଼ିଚାଲି ଆସିଥିଲା ଅର୍ଚ୍ଚନା, ଆଉକେବେ ଫେରି ଯାଇନଥିଲା । ବରି ନେଇଥିଲା ଅଜ୍ଞାତବାସ । ତାର ଅଜ୍ଞାତବାସର ଠିକଣା ସେ କାହାକୁ ଜଣାଇ ଦେଇନଥିଲା । ତଥାପି ରହିରହି ବାବାଙ୍କ ପାଇଁ ମନଟା କେମିତ ହୋଇଯାଉଥିଲା । ଅପରାଧ ବୋଧ ତାକୁ ଆଚ୍ଛାଦନ କରୁଥିଲା । ଯଦିଓ ବାବାଙ୍କ ପାଖକୁ ଫେରିଯିବାକୁ ଏକାନ୍ତ ଇଚ୍ଛା, ପାର୍ଥଙ୍କର ସାମନା ସାମନି ହେବାକୁ କେମିତି ଇଚ୍ଛା ହେଉନଥିଲା । ଆଉ ସେଇଥିପାଇଁ ବାବାଙ୍କ ପାଖକୁ ଯିବାର ସମସ୍ତ ଇଚ୍ଛାକୁ ଦମନ କରିଥିଲା ଅର୍ଚ୍ଚନା ।

 

ହଠାତ୍ ଦିନେ ଅଧ୍ୟକ୍ଷ୍ୟ ତାକୁ ଅଫିସ୍‌ ରୁମ୍‌କୁ ଡାକି ଦେଖାଇଥିଲେ ସମ୍ବାଦ ପତ୍ରରେ ବାହାରିଥିବା ସମ୍ବାଦଟିକୁ । ଅନ୍ୟମାନଙ୍କ ଦୃଷ୍ଟିରେ ସମ୍ୱାଦଟି ସାଧାରଣ । ମାତ୍ର ଅର୍ଚ୍ଚନା ପାଇଁ ତାହା ବିରାଟ । ସେ ସମ୍ବାଦଟି ତା ବାବା ଦେଇଥିଲେ, ସେ ଲେଖିଥିଲେ ‘‘ଚିନୁ ମାଆ ତୁକେଉଁଠି ? ଶେଷ ସମୟରେ ତୋତେ ଟିକେ ଦେଖିବା ପାଇଁ ଅନେକ ଆଶାରେ ଚାହିଁ ବସିଚି” ।

 

ତୋର ବାବା” ।

 

ସମ୍ବାଦଟିକୁ ପଢ଼ିଲା ପରେ ଅସହ୍ୟ ଲାଜଥିଲା ଅର୍ଚ୍ଚନାକୁ । ଆଖିଆଗରେ ନାଚି ଉଠିଲା ବାବାଙ୍କର ରୋଗ ପାଣ୍ଡୁର ମୁହଁ । ଆହା କି ବିକଳ ଆକୁଳ ହୋଇ ତା ବାବା ତାକୁ ଖୋଜୁଚନ୍ତି । ଅନେକଦିନ ତଳର କଥା ସବୁ ଆଖିଆଗରେ ଭାସି ଉଠିଥିଲା । କଲେଜରେ ପଢ଼ିବା ସମୟରେ ତାର ଫେରିବା ବାଟକୁ ବାବା ଅନେଇ ବସିଥାନ୍ତି । ତାକୁ ଦେଖିବା ମାତ୍ରେ ଉଜ୍ଜ୍ୱଳ ହୋଇଯାଏ ତାଙ୍କ ମୁହଁ । ଆଉସାଙ୍ଗେ ସାଙ୍ଗେ ପଚାରନ୍ତି, ତୋର କିନ୍ତୁ ଡେରି ହୋଇଚି ମାଆ ? ତୋ ମୁହଁ କାହିଁକି ଆଜି ଶୁଖିଲା ଦିଶୁଛି । ଭୋକ କରିଥିବଣି, ନୁହେଁ ? କହିକହି ନିଜେ ରନ୍ଧାଘରକୁ ପଶିଯାଇ କେଉଁଠି କଣ ଅଛି ବାଢ଼ିବସନ୍ତି । ଖାଉଖାଉ ଘଡ଼ିକୁ ଚାହିଁ ଅର୍ଚ୍ଚନା କହେ ବାବା, ଆଦୌ ଡେରି ହେଇନି । ଗୋଟିଏ ମିନିଟ ଯାହା ଏପାଖ ସେପାଖ । ତା ବାପା କହନ୍ତି,

 

ମତେ କିନ୍ତୁ ଲାଗୁଚି ଅନେକ ଡେରି । ଅନେକ ବେଳୁ କଲେଜରୁଫେରି ଏପାଖ ସେପାଖ ହେଉଚି । କାହାସଙ୍ଗେ କଥା ହେବି କହିଲୁ ? ତୋଛଡ଼ା ମୋର କିଏ ଅଛି ? ? ସେଇ ବାବାଙ୍କୁ ଛାଡ଼ି ଦିନକ ପାଇଁ ଅଜାଆଈଙ୍କ ପାଖକୁ ଯାଇ ନ ଥିଲା । ସେଇଥିପାଇଁ ଅଜାଆଇ ମରିବାପର୍ଯ୍ୟନ୍ତ ଦୁଃଖ କରିଥିଲେ । ସେଇ ସେ ଅର୍ଚ୍ଚନା ଗତିପ୍ରାଣ, ଆତ୍ମଭୋଳା ବାବା । ବାପ ମାଆ ଉଭୟ ସ୍ନେହ ମମତା ଦେଇ ତାକୁ ଏତେବଡ଼ କରିଥିଲେ । ଅର୍ଚ୍ଚନା ପାଇଁ ସବୁଭୁଲି ଯାଇଥିଲେ । ବିଦେଶୀ ଡିଗ୍ରୀ ପ୍ରାପ୍ତ କେତେକ ବିଦ୍ଵାନ ନାମକରା ଅଧ୍ୟାପକ । କର୍ମ ଚଞ୍ଚଳ ପୁରୁଷ । ହରିଦାଦା କହେ ଅର୍ଚ୍ଚନାର ବୋଉ ମରିଯିବା ପରେ କେମିତି ସ୍ଥିର ହୋଇ ଯାଇଥିଲେ । ସବୁପ୍ରତି କେମିତ ନିରାସକ୍ତ ଭାବ । ସବୁକିଛି ଭିତରେ ନଥିଲା ପରି । ମନେମନେ ହୁଏତ ସେ ଅନେକ କାନ୍ଦନ୍ତି । ସ୍ତ୍ରୀ ମରିଯିବା ପରେ ନିତି ସେ କାନ୍ଦନ୍ତି ଅନ୍ତର ଭିତରେ । ସେ ଲୁହ ତାଙ୍କ ନିଜ ବ୍ୟତିତ କେହି ଦେଖି ପାରେନି କୌଣସି ଦିନ । ସେଇ ବାବାଙ୍କ ପ୍ରତି ଅର୍ଚ୍ଚନା ଖୁବ୍‌ ଅନ୍ୟାୟ କରିଚି । ଅଥଚ ତାକୁ ଶିଶୁବୟସରୁ ପରିପୂର୍ଣ୍ଣ ବୟସରେ ପଦାର୍ପଣ କରିବା ପର୍ଯ୍ୟନ୍ତ କେତେ କଷ୍ଟ ନ ସହ୍ୟ କରିଥିବେ ? ଦାଦାଙ୍କୁ ଦେଖିବା ପାଇଁ ମନଟା ଆକୁଳ ବିକଳ ହୋଇଥିଲା । ଗୋଟାଏ ସପ୍ତାହ ଛୁଟି ନେଇ ଘରକୁ ଯାଇଥିଲା ସେ ।

 

କେତେଦିନ ପରେ ନିଜଘରେ ପାଦ ଦେବାକ୍ଷଣି ଆନନ୍ଦରେ ମନ ଭରି ଯାଉଥାଏ । ଗେଟ ଖୋଲି ବାରଣ୍ଡା ଉପରକୁ ଉଠି ଗଲାବେଳକୁ ଖେଳଣା ନେଇ ଖେଳୁଥିବା ଗୋଟିଏ ଛୋଟ ପିଲା ଉପରେ ଦୃଷ୍ଟିପଡ଼ି ଯାଇଥିଲା । ପିଲାଟିକୁ ଚାହିଁଲା ଅର୍ଚ୍ଚନା । ମୁହଁସାରା କଳାକଳା କୁଞ୍ଚି କୁଞ୍ଚି ବାଳ ଅଯତ୍ନ ଭାବରେ ପଡ଼ିଥାଏ । କଳାକଳା ସୁନ୍ଦର ଡୋଳା ଦୁଇଟିରୁ ଲୁହ ବାହାରି ନରମ ଗାଲ ଉପରେ ଶୁଖି ଯାଇଥାଏ । ଦେହରେ ଥାଏ ଲାଲରଙ୍ଗର ଫ୍ରକଟିଏ । ଅର୍ଚ୍ଚନାକୁ ଦେଖିବାମାତ୍ରେ ଅନଭ୍ୟସ୍ତ ପାଦ ପକାଇ ଟଳି ଟଳି ଅର୍ଚ୍ଚନାକୁ ଯାବୋଡ଼ି ଧରି ମାଆମାଆ ହେଲା । ସବୁକିଛି ଭୁଲି ଯାଇ ଟେକି ଆଣି ଛାତିରେ ଯାକି ତା ଗାଲରେ ଆଦର କଣ୍ଠ ଚୁମ୍ବନ ଦେଇଥିଲା । ଅର୍ଚ୍ଚନା ଛାତିରୁ ମୁହଁ ଉଠାଇ ଲୁହ ଡବଡ଼ବ ଆଖିରେ ତାକୁ ଚାହିଁ ହସି ଦେଇଥିଲା ସେ ।

 

ଭିତରୁ ବାବାଙ୍କ ଗଳା ଶୁଭିଥିଲା,

 

ହରିଚରଣ, ଦେଖିଲ ବାଇଆଣୀଟା କ’ଣ କରୁଚି । ଟିକେ ଆଗରୁ କାନ୍ଦୁଥିଲା । ତା କାନ୍ଦ ଶୁଭୁନି ।

 

ଖେଳନା ସବୁ ତାପାଖରେ ରଖି ଦେଇ ଆସିଚି । ତା ଖାଇବା ତିଆରି କରୁଚି । ଖୁଆଇଦେବି । କୁନ୍ତୀ ମାଆ ଆସିଲେ ତାକୁ ରଖିଲେ ମୁଁ ଯାଇଁ ରୋଷେଇ କରିବି ।

 

କହିକହି ବାହାରକୁ ବାହାରି ଆସିଥିଲେ ହରିଦାଦା । ହଠାତ୍ ଅର୍ଚ୍ଚନାକୁ ଦେଖି କାନ୍ଦିପକାଇ କହିଲେ,

 

ଚିନୁ ମାଆ ? ଏତେ ଦିନେ ମନେ ପଡ଼ିଲା ଆମକଥା ? ଏ ଝିଅଟି କିଏ ହରିଦାଦା ? ପ୍ରଶ୍ନ କରିଥିଲେ ସେ ।

 

ସେଇ ପାଗଳୀଟାର । ଆଉ କାହାର ।

 

ଗାମୁଚ୍ଛାରେ ଲୁହ ପୋଛି ପୋଛି ଉତ୍ତର ଦେଇଥିଲେ ହରିଦାଦା । ଅର୍ଚ୍ଚନା ଜାଣିଥିଲା ସୁମନକୁ ହରିଦାଦା ପାଗଳୀ ବୋଲି ଡାକୁଥିଲେ । ତା ହେଲେ ସୁମନର ଝିଅ । ମାନେ ପାର୍ଥର । ଭାବିଥିଲା ସୁମନ ବାବାଙ୍କୁ ଦେଖିଆସିବ । ସୁମନ୍‌ ଆଗରେ କୌଣସି ଦୁର୍ବଳତା ପ୍ରକାଶ ନକରିବା ପାଇଁ ଦୃଢ଼ ହୋଇ ବାବାଙ୍କ ଉଦ୍ଦେଶ୍ୟରେ ଘରଭିତରକୁ ଯାଇଥିଲା ସେ ।

 

ଘର ଦ୍ଵାର, ଚାରିଆଡ଼େ ଦୃଷ୍ଟି ପକାଇ ନେଉଥିଲା । ତାର ଅତି ପରିଚିତ ଘର ! ଦିନରାତି କେତେଯତ୍ନରେ ପରିଷ୍କାର କରି ସଜାଡ଼ୁଥିଲା ଘରକୁ । ସୁମନ ସବୁ ଜିନିଷ ଏଣେତେଣେ ପକାଇ ଦିଏ । ଘର ଆଗରେ କୌଣସି ଫୁଲଗଛର ସତ୍ତାମଧ୍ୟ ନଥିବାର ସେ ଲକ୍ଷ୍ୟ କରିଥିଲl । କେତେ ଯତ୍ନରେ ଫୁଲଗଛ ଲଗାଇ ପାଣି ଢାଳୁଥିଲା ସବୁ ମଳିନ । ହାହାକାର ସାହାରାଭଳି । ବାବାଙ୍କ ଶୋଇବାଘରେ ପଶିଯାଇଥିଲା । ଶୋଇଶୋଇ ଖବରକାଗଜ ପଢ଼ୁଥିଲେ ତା ବାବା । ଖଟପାଖକୁ ଲlଗି ସେଲ୍‌ଫରେ ଭର୍ତ୍ତି ବହି । ଦୁଇଟା ବର୍ଷ ଭିତରେ ତା ବାବାଙ୍କର ବୟସ ଯେମିତ ଅନେକ ବଢ଼ି ଯାଇଥିବାର ଲକ୍ଷ୍ୟ କରିଥିଲା । କାନ ପାଖରେ ବାଳସବୁ ଧଳା ପଡ଼ିଯାଇଥିଲା ।

 

ତାର ପାଦଶବ୍ଦ ଶୁଣି ଖବରକାଗଜ ପଢ଼ାରୁ ନିବୃତ ହୋଇ ତା ମୁହଁକୁ ଚାହିଁଥିଲେ ।

 

ବାବାଙ୍କ ଛାତିରେ ମୁଣ୍ଡରଖି ଅନେକବେଳ ପର୍ଯ୍ୟନ୍ତ କାନ୍ଦିଥିଲା ସେ । ତା କାନ୍ଦ ଭିତରେ କେବଳ ଥିଲା ଅପରାଧବୋଧ ଭାବ । ବାବାଙ୍କର ଦେହମୁହଁରେ ହାତବୁଲାଇ ଜାଣିଥିଲା ତାଙ୍କର ଗୋଟିଏ ଅଙ୍ଗ ଅଚଳ । ତା ପରେ ପ୍ରଶ୍ନ କରିଥିଲା,

 

ତୁମେ ବହୁତ ଦୁର୍ବଳ ହୋଇଯାଇଛ ବାବା ? ଅର୍ଚ୍ଚନାର ମୁଣ୍ଡକୁ ଆଉଁସି ଦେଉଦେଉ କହିଥିଲେ,

 

ମୋର ଆଉ କେତେଦିନ ମାଆ ?

 

ପିଲାଦିନୁ ମାଆଁର ସ୍ନେହ ମମତା ପାଇନଥିଲି । ଜୀବନରେ ସୁଖ ପାଇବା ସମୟରେ ତୋ ବୋଉ ଠକିଦେଇ ଆଗ ଚାଲିଗଲା । ତୁମମାନଙ୍କ ସୁଖୀ ସଂସାର ଦେଖି ଦୁଃଖ ଭୁଲି ଯିବି ଭାବିଥିଲି । ଶେଷରେ … । ଆଉ କହିପାରିନଥିଲେ ସେ । କେବଳ ଝରି ଆସିଥିଲା ଦୁଇଟି ଲୋତକ ଧାର । ବାବାଙ୍କ ଆଖିରୁ ନିଜ ଲୁଗା କାନିରେ ଲୁହ ପୋଛିଆଣି ସେ କହିଥିଲା–

 

ମୋ କଥାତ ସବୁ ତୁମକୁ ଜଣାଇ ଦେଇଥିଲି ବାବା, ଆଚ୍ଛା ବାବା, ସୁମନ କାଇଁ ? ତାକୁ ଦେଖିନି ଯେ ? ପ୍ରଶ୍ନ କରିଥିଲା ସେ ।

 

ସେ ଆଉ ନାହିଁ । ଏତେ ବଡ଼ ପାଷାଣୀ ଯେ ସମସ୍ତଙ୍କୁ ଆଘାତ ଦେଇ ସନ୍ତୁଷ୍ଟ ହୋଇ ପାରିଲାନି ଯେ ଶେଷରେ ଏଇ ସରଳ ନିଷ୍ପାପ ଛୁଆଟାକୁ ଠକିଦେଇ ଚାଲିଗଲା । ସ୍ଥିର ଗମ୍ଭୀର ଗଳାରେ ଉତ୍ତର ଦେଇଥିଲେ ସେ । ଆଘାତପରେ ଆଘାତ । ସହିସହି ପଥର ପାଲଟି ଯାଇଥିଲେ-। ସେ ଦିନ ବାବାଙ୍କୁ ବେଶି ଦୁଃଖି ଭଳି ମନେ ହୋଇଥିଲା ଅର୍ଚ୍ଚନାର । ସୁମନ ଆଉ ନାହିଁ ବୋଲି ଜାଣିପାରିଥିଲା ।

 

ପାର୍ଥ ଆଉ ସୁମନ୍‌ର ସୁଖମୟ ଦାମ୍ପତ୍ୟ କାହାଣୀ ଶୁଣିବା ପରିବର୍ତ୍ତେ ଶୁଣିଥିଲା ସେମାନଙ୍କ ବୈବାହିକ ଜୀବନର ଅସଫଳ କାହାଣୀ । ଆଉ ମଧ୍ୟ ତା ବାବା ଶୁଣାଇଥିଲେ ଅର୍ଚ୍ଚନା ପରିବର୍ତ୍ତେ-ସୁମନକୁ ଦେଖି ପାର୍ଥ ହେଲା ଗୃହତ୍ୟାଗୀ । ସୁମନ ଚାଲି ଆସିଥିଲା । ସୁମନ୍‌ ତାର ସବୁକଥା ଜଣାଇଥିଲା ତାଙ୍କୁ । ମହାନ ହୃଦୟରେ କ୍ଷମା ଦେଇଥିଲେ ତାର ବାବା । ଝିଅ ଜନ୍ମ ପରେ ଆତ୍ମହତ୍ୟା କରିଥିଲା ସୁମନ୍‌ । ପରମ ଯତ୍ନରେ ଅମୂଲ୍ୟ ସଂପଦ ଭଳି ସାଇତି ଥିବା ମୃତ୍ୟୁ ପୂର୍ବରୁ ସୁମନ୍‌ ଲେଖି ଯାଇଥବା ଚିଠିଟିକୁ କାଢ଼ି ଦେଇଥିଲେ ତାର ବାବା । ଚିଠି ପଢ଼ିଥିଲା ଅର୍ଚ୍ଚନା । ସୁମନ ଲେଖିଥିଲା,

 

“ନାନୀ,

 

ଅପରୂପ ସୌନ୍ଦର୍ଯ୍ୟ ଦେଇ ଭଗବାନ ତୋତେ ଗଢ଼ିଥିଲେ । ଶରୀର ଗୌରବର୍ଣ୍ଣ ସୌନ୍ଦର୍ଯ୍ୟର ମାପକାଠି ନୁହେଁ । ତାହା କେବଳ କାହାର ସୌନ୍ଦର୍ଯ୍ୟ ପାଇଁ । ହୃଦୟ ଭିତରେ ଅନେକ ପଙ୍କିଳତାକୁ ଆବରଣ ଯାହା କରେ । ତୋର ହୃଦୟ, ତୋର ମନ, ତୁ, ନିଜେ, ସବୁ ତୋର ସୁନ୍ଦର । ତୁ ଅସାମାନ୍ୟ ଯେଉଁଦିନ ବିନାପ୍ରମାଣରେ ତୋର ଭଲପାଇବାର ଅମୂଲ୍ୟସଂପଦକୁ ସୁମନ୍‌ ପାଇଁ ଦାନ କରିଦେଲୁ, ସେହିଦିନ ତୋ ମହାନ ଚରିତ୍ର ପରିଚୟ ପାଇଥିଲି । ସାନଭଉଣୀ କେମିତି କଳଙ୍କ ମୁକ୍ତ ହେବ ଆଉ ତାକୁ ଠକିଯିବାକୁ ଦେଇନଥିଲୁ ତୁ । ସୁମନ୍‌ର ଅଧଃପତନ ପାଇଁ ଯିଏ ଦାୟୀ ସେ ତାକୁ ଗ୍ରହଣ କରୁବୋଲି ତୁ ଚାହିଁଥିଲୁ । ନାନୀ, ତୋ ପାର୍ଥ କିନ୍ତୁ ନିଷ୍କଳଙ୍କ । ଗଙ୍ଗା ଜଳ ପରି ପବିତ୍ର ତାଙ୍କ ଚରିତ୍ର । ସେ ପବିତ୍ର ଚରିତ୍ରକୁ କଳଙ୍କ ସ୍ପର୍ଶ କରି ପାରେନାହିଁ । ମୋ ଜୀବନରେ ଅମାବାସ୍ୟାର ଅନ୍ଧକାର ଯିଏ ସୃଷ୍ଟି କଲା ସେ ଗୌତମ । ମୋ ଜୀବନର ସବୁ କଥା ତୋତେ ଜଣାଇ ଦେଇ ନଗଲେ ମୁଁ ଯେ ଶାନ୍ତିରେ ମରି ପାରିବିନି । ତେଣୁ ଜଣାଇ ଦେଲି । ଅଜା ଆଇଙ୍କର ସ୍ନେହରେ ପାଳିତ ହୋଇ ଯିଦ୍‌ଖୋରିଆ ପ୍ରକୃତି ହୋଇଗଲା । କାହାରି ଶାସନକୁ ଭ୍ରୁକ୍ଷେପ କରିନଥିଲି । ବାବାଙ୍କ ପ୍ରତି ପିଲାଦିନରୁ ଅଭିମାନ । ତାର କାରଣ ବାବା ମୋତେ କେବେ ଥରକ ପାଇଁ ଅଜା ଆଈଙ୍କ ଘରକୁ ଦେଖି ଯାଇନଥିଲେ । ସହରକୁ ଆସି ଦେଖିଲି ବାବା ଆଉ ତୁ । ତୁମ ଦୁହିଁଙ୍କୁ ନେଇ ତୁମ ପୃଥିବୀ । ସେ ପୃଥବୀରେ ସୁମନ ନାମକ ଝିଅର ସ୍ଥାନ ନାହିଁ । ପ୍ରତ୍ୟେକ କଥାରେ ବାବାଙ୍କର ତୋ ସହିତ ପରାମର୍ଶ । ତୁ ଘରର ସର୍ବମୟ କର୍ତ୍ତୀ ଦେଖି ତୋତେ ମୁଁ ଇର୍ଷା କରିଥିଲି । ସହରୀ ସଭ୍ୟତାର ପ୍ରଲେlଭନରେ ପଡ଼ି ଉସ୍ରୁଙ୍ଖଳ ହେଲି । ଜୀବନର ଶ୍ରେଷ୍ଠ ସଂପଦକୁ ହରାଇ ବସିଲି । ସେ ମୋତେ ଅସ୍ଵୀକାର କରିବାରୁ ଘୃଣାରେ, ଲଜ୍ୟାରେ, କ୍ଷୋଭରେ ଭାଙ୍ଗିପଡ଼ି ନିରାଶ ହୋଇ ଫେରିଲି, ବିବର୍ଣ୍ଣ ମୋର ଅତୀତ । ଭବିଷ୍ୟତ ଅନ୍ଧକାରୀ କିନ୍ତୁ ବଞ୍ଚି ରହିବାର ପ୍ରବଳ ଆଗ୍ରହ । କେବଳ ସେଇ ଅନାଗତ ଶିଶୁଟି ପାଇଁ । ପାର୍ଥଙ୍କ ସହିତ ତୋର ସୁଖମୟ ଦାମ୍ପତ୍ୟ ଜୀବନର ପରିପୂର୍ଣ୍ଣ ଛବି କଳ୍ପନl କରି ଅସହ୍ୟ ଜ୍ଵଳନରେ ଜଳି ଗୌତମ ପରିବର୍ତ୍ତେ ତୋ ନିକଟରେ ପାର୍ଥଙ୍କ ନାମ ପ୍ରକାଶ କରିଥିଲି । ତୁ ବିଶ୍ୱାସ କଲୁ । ଯାହା କୌଣସି ନାରୀ ପକ୍ଷରେ ସମ୍ଭବ ନୁହେଁ ତୁ ତୋ ସୁମନ୍‌ ପାଇଁ ସେହି ତ୍ୟାଗ କରି ଦେଇ ଚାଲିଗଲୁ । ତୋ ତ୍ୟାଗର ତୁଳନା ନାହିଁ, ତୋ ଦାନର ପ୍ରତିଦାନ ନାହିଁ ।

 

ବାସର ରାତିରେ ତୋ ପରିବର୍ତ୍ତେ ମତେ ଦେଖି ଅନେକ ଲୁହରେ ଭାସି ଯାଇଥିଲେ ପାର୍ଥ । ରାମଚନ୍ଦ୍ରଙ୍କ ପାଦସ୍ପର୍ଶରେ ପାଷାଣୀ ଅହଲ୍ୟା ମୁକ୍ତି ପାଇଲା ଭଳି ସେ ମୋ କଳଙ୍କ ମୋଚନ କରିବେ ବୋଲି କଥା ଦେଇଥିଲେ । ଗୌତମ ପ୍ରତୀକ ତାଙ୍କ ପରିଚୟରେ ପରିଚିତ ହେବ । ଏଇ ନିର୍ଭର ପ୍ରତିଶ୍ରୁତି ସେ ଦେଇଛନ୍ତି । ଶତସୂର୍ଯ୍ୟର ଦିପ୍ତିରେ ସେ ଉଦ୍ଭାସିତ । ସେ ଦିପ୍ତିବାନ । ତୁ ତାଙ୍କ ଜୀବନର ଶାସ୍ୱତମୟୀ ନାରୀ । ଜାହ୍ନବୀର ଧାରି । ତୋ ବ୍ୟତୀତ ତାଙ୍କ ହୃଦୟରେ ଅନ୍ୟ ନାରୀର ସ୍ଥାନ ନାହିଁ । ତୁ ଚିରଦିନ ତାଙ୍କର । ଖରା ଝଲମଲ ଆକାଶରେ ଉଷାମେଘ ଭଳି ତୁମ ଦୁହଁଙ୍କ ଜୀବନରେ ଦେଖା ଦେଇଥିଲି । ବାବା, ତୋତେ ଓ ପାର୍ଥଙ୍କୁ ଅନେକ ମାନସିକ ଅଶାନ୍ତି ଦେଇଚି । ଆଉ ନୁହେଁ । ଯାହାକୁ ଛାଡ଼ି ଯାଉଚି ସେ କିନ୍ତୁ ତୋର । ତାର ନାଁ ଅଭିପ୍‌ସା । ଶ୍ରୀକୃଷ୍ଣ ଯଶୋଦାଙ୍କର ଜନ୍ମିତ ସନ୍ତାନ ନହୋଇ ମଧ୍ୟ ଯୁଗ ଯୁଗ ଧରି ମା ଯଶୋଦା ହୋଇ ରହିଗଲେ । ଉହ୍ୟ ରହି ଯାଇଥିଲେ ଦେବକୀ । ତୁ ସେମିତି ଯଶୋଦା ଭଳି ପାଳିବୁ । ଅଭିପ୍‌ସା ତୋର ଏବଂ ପାର୍ଥଙ୍କର ସନ୍ତାନ ରୂପରେ ପରିଚିତା ହେବ ।

 

ମତେ କ୍ଷମା ଦେବୁ । ତୁ କ୍ଷମା ନଦେଲେ ଆଉ କିଏ କ୍ଷମା ଦେବ କହିଲୁ ତୋ ପାଦ ଧୂଳି ନେଇ ମରିବାକୁ ବହୁତ ଇଚ୍ଛାଥିଲା । ତୋର ଅଜ୍ଞାତବାସର ଠିକଣା ପାଇନି,

 

ବାବାଙ୍କୁ ଅନେକ ଦୁଃଖ ଦେଇଚି । ସେ ନିଶ୍ଚୟ କ୍ଷମା କରିବେ । କାରଣ ସେ ମୋ ବାବା । ବାବାଙ୍କ ହୃଦୟରେ ମୋର ସ୍ଥାନ ନାହିଁ ଭାବି ଅଭିମାନ କରିଥିଲି । ସବୁ ମିଛ । ‘ମୋ ବାବା, ମୋ ନାନୀ, ସମସ୍ତେ ମତେ କେତେ ଭଲପାନ୍ତି । ଏକଥା ଅନୁଭବ କରିଚି । ଯିଏ ତୋ ମନ ଆକାଶରେ କିଛିକ୍ଷଣ ପାଇଁ ମେଘ ସୃଷ୍ଟି କରିଥିଲା ତାକୁ କ୍ଷମାଦେବୁ । ଇତି ।

 

ତୋର-

ସୁମନ୍‌ ।”

 

ଚିଠିଟିକୁ ପଢ଼ି ସାରିବା ପରେ ଲୁହର ଲହରୀ ଅର୍ଚ୍ଚନାର ଦୁଇ ଆଖିରୁ ମାଡ଼ି ଆସିଥିଲା । ବାବା କହିଥିଲେ ପାର୍ଥ ନିକଟରୁ ଫେରି ଆସିବା ପରେ ଅନେକ ପରିବର୍ତ୍ତନ ହୋଇ ଯାଇଥିଲା ସୁମନର । ତା ପୋଷାକ, ଖାଦ୍ୟ, ଋଚି ସବୁଥିରେ ସ୍ୱତନ୍ତ୍ରତା ଥିଲା । ସବୁ ବଦଳି ଯାଇଥିଲା । ଅନେକ ଶାନ୍ତ, ସୁଧାର ପାଲଟି ଯାଇଥିଲା । ବାବାଙ୍କର ସବୁ କଥା ବୁଝିବାପାଇଁ ଆଗଭର ହେଇଥିଲା । ରାତି ପାହୁ ପାହୁ ଉଠୁଥିଲା । ହରିଦାଦାକୁ କିଛି କରାଇ ଦେଉନଥିଲା । ତଥାପି ବେଳେ ବେଳେ ଉଦାସ, ଗମ୍ଭୀର ଆଉ ଅନ୍ୟମନସ୍କ ହୋଇ ଯାଉଥିଲା । ଏକଥା ଲକ୍ଷ କରିଥିଲେ ତାର ବାବା । କିଏ ଜାଣିଥିଲା ଏତେଶୀଘ୍ର ସମସ୍ତଙ୍କୁ ଠକି ଦେଇ ଚାଲିଯିବ ବୋଲି । ଯାହାକୁ ବିଶ୍ୱାସ କରି ଜୀବନର ସବୁକିଛି ଅର୍ପଣ କରି ଦେଇଥିଲା, ସେ ନିଷ୍ଠୁର ବିଶ୍ୱାସଘାତକତାର ସମସ୍ତ ଉଜ୍ଜ୍ଵଳତାକୁ ନଷ୍ଟକରି ମୃତ୍ୟୁପଥକୁ ଠେଲି ଦେଇଥିଲା ।

 

ସୁମନର ଚିଠିପଢ଼ି ପାର୍ଥଙ୍କ ପ୍ରତି ଅର୍ଚ୍ଚନା ମନରେ ଥିବା ସଂଚିତ ପଞ୍ଜିଭୁତ ଘୃଣା, ଅଭିମାନ ସବୁ ଦୂର ହୋଇ ଯାଇଥିଲା । ମନ ଭିତରେ ସହିଦିନ ଠାରୁ କେମିତି ଏକ ଅପରାଧ ବୋଧ । ବିନା ବିଚାରରେ ପାର୍ଥଙ୍କୁ ଦୋଷୀ ଭାବି ନିଜକୁ ଅପରାଧି ମନେ କଲା । ନିଜେ ତ ଦୋଷ କରିଚି କାହାକୁ କହିବ ।

 

ତାପରର ଘଟଣା ସଂକ୍ଷିପ୍ତ । ବାବାଙ୍କ ନିକଟରେ ଗୋଟିଏ ସପ୍ତାହ ରହି ଅଭିପ୍‌ସାକୁ ନେଇ ଚାଲି ଆସିଥିଲା । ମୋଟ ଉପରେ ଛୋଟ ଛୁଆଟା ତାଙ୍କୁ ଛାଡ଼ିବାକୁ ନାରାଜ । ସେ ଭାବି ଦେଇଥିଲା ସେ ତାର ମାଆ । ଚାକିରି କରିବାକୁ ବାରଣ କରିଥିଲେ ତା ବାବା । କିନ୍ତୁ ଅର୍ଚ୍ଚନା ତ ନିଜର ଅନ୍ନସଂସ୍ଥାନ ପାଇଁ ଚାକିରି କରୁନଥିଲା । ଜୀବନର ଦୁଃଖକୁ ଭୁଲିଯିବା ପାଇଁ ଚାକିରି ତାର ଉପଯୁକ୍ତ ଔଷଧ । ସେଇଥିପାଇଁ ଛାଡ଼ି ନଥିଲା । ଭିତରେ ଭିତରେ ପାର୍ଥଙ୍କର ଅନେକ ସନ୍ଧାନ କରିଥିଲେ ତା ବାବା । ସବୁ ଜାଣି ବୁଝିପାରିଥିଲା । କିନ୍ତୁ କେହି ଦେଇପାରି ନଥିଲେ ପାର୍ଥଙ୍କର ଖବର । ସୁମନର ସନ୍ତାନର ନାଁ ଅଭିପ୍‌ସା ବଦଳରେ ସେ କସ୍ତୁରୀ ରଖିଥିଲା । ଆଉ ଡାକିଲା ଚିକୁ ବୋଲି । କଲେଜ୍‌ ଯିବା ସମୟରେ ମଇନା ତାର ସମସ୍ତ କଥା ବୁଝୁଥିଲା । ଏକମାତ୍ର ଅଧ୍ୟକ୍ଷାଙ୍କ ବ୍ୟତିତ ଅନ୍ୟମାନେ ତାକୁ ବିଧବା କିମ୍ବl ଉପେକ୍ଷିତା ବୋଲି ମନେ କରନ୍ତି । ତାର ଅନୁପସ୍ଥିତିରେ ଅନେକ କଥା ନିଶ୍ଚୟ ହେଉଥିବେ । କାରଣ ନାରୀ ସେତେ ଶିକ୍ଷା ପାଇଲେ ମଧ୍ୟ ପରୋର୍ଚ୍ଚତାର ସହଜାତ ଗୁଣ ।

 

କିଛିଦିନ ପରେ ବାବାଙ୍କର ମୃତ୍ୟୁ ଖବର ପାଇଥିଲା । ଦୁଇଟା ଷ୍ଟ୍ରୋକ ପରେ ପାଟି ପଡ଼ିଯାଇଥିଲା । ତାପରେ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ ହୁଏତ ପରମ ଶାନ୍ତିରେ ମରିଥିବେ । ଯେ ସେ ଏତେ ଦିନ ପରେ ପ୍ରାଣପ୍ରିୟା ପତ୍ନୀଙ୍କ ନିକଟକୁ ଫେରି ଯାଉଚନ୍ତି ବୋଲି । ମୃତ୍ୟୁ ସଂବାଦ ପାଇ ଅନେକ କାନ୍ଦିଥିଲା ସେ । ତାକୁ ବେଶି ଦୁଃଖ ଲାଗୁଥିଲା ଏତେବଡ଼ ପୃଥିବୀରେ ତାର ନିଜର ଆପଣlର କେହି ନାହିଁ ବୋଲି । ଅଧ୍ୟକ୍ଷା ସୋନିଆଁକୁ ତ ବୁଝାଇଥିଲେ, କହିଥିଲେ, “ସାର୍, ମରି ଯାଇ ନାହାନ୍ତି ଯେ ତାଙ୍କର ଅନେକ ଦୁଃଖର ଅବସାନ ହେଲା’’ ।

 

ତାପରେ ଘରକୁ ଯାଇ ବାବାଙ୍କର ଶେଷ କୃତ୍ୟ କରିଥିଲା ସେ । ଘରଟାକୁ ଗୋଟାଏ ଅଫିସ୍‌କୁ ଭଡ଼ା ଲଗାଇ ହରିଦାଦାଙ୍କୁ ନେଇ ଚାଲି ଆସିଲା । ସେ ଅନେକ ବର୍ଷ ତଳର କଥା । ଶିଶୁ ଚିନୁ ଆଜି ଷ୍ଟାଣ୍ଡାର୍ଡ ଫୋରର ଛାତ୍ରୀ । କେମିତି ଚଞ୍ଚଳ, ଅସ୍ଥିର, ଅବିକଳ ସୁମନ୍‌ ପରି । ସ୍ଥିର ହୋଇ ଗୋଟାଏ ଯାଗାରେ ରହି ପାରେନି । ପଢ଼ିବାକୁ ବହିଧରି ବସିବାକୁ କହିଲେ । କେତେବେଳେ ବଗିଚାରେ, ନହେଲେ ହରିଦାଦା ସାଙ୍ଗରେ ସାତ ବୁଢ଼ି ଭଳି କଥା ପଚାରୁଥିବ । ନହେଲେ ମଇନା ସାଥିରେ ରୋଷାଇଘରେ ଜିନିଷ ଘାଣ୍ଟୁଥିବ । ତଥାପି ପ୍ରାଣ ପ୍ରାଚୁର୍ଯ୍ୟ ତାର ପ୍ରତ୍ୟେକ ଆଚରଣ ।

 

ଏକଘରିଆ ଜୀବନଧାରା ଅର୍ଚ୍ଚନାର । କୁଆଡ଼େ ଯିବାର ନାହିଁ । କେହି ଆସିବାର ନାହିଁ-। ଅଳ୍ପ ବୟସରୁ ଏମିତି ସନ୍ୟାସିନୀ ଭଳି ଜୀବନଯାପନକୁ ଦେଖି ମାଡାମ୍ ସୋନିଆଁ ଅନେକ ବୁଝାଇଲେ । କହିଥିଲେ ବିବାହ କରିବା ପାଇଁ । ଅର୍ଚ୍ଚନା ସମ୍ମତି ଦେଲେ ଉପଯୁକ୍ତ ପାତ୍ରର ଅଭାବ ହେବନି । ତାକୁ ସ୍ତ୍ରୀ ଭାବରେ ପାଇଲେ ଯେ କୌଣସି ସ୍ଵାମୀ ଗର୍ବିତ ହେବ । ତା ଛଡ଼ା ସେ ବୁଝାଇଥିଲେ । ଆଗରେ ସମସ୍ତ ଜୀବନ ପଡ଼ି ରହିଚି । ବଞ୍ଚିବା ପାଇଁ ପୁରୁଷର ଅବଲମ୍ବନ ଦରକାର ।

 

ବିବାହ, ତା ଜୀବନରେ ଆଉ ସମ୍ଭବ ନୁହେଁ । ଏଇ କଥା ସେ ତାଙ୍କୁ ଜଣାଇ ଦେଇଥିଲା-। ତଥାପି ସେ କହିଥିଲେ ପ୍ରତ୍ୟେକ ମନୁଷ୍ୟର ଆତ୍ମାର କ୍ଷୁଧା ଅଛି । ଶରୀର ପାଇଁ ଯେମିତି ପୋଷାକ, ଖାଦ୍ୟ ଦରକାର, ଆତ୍ମା ପାଇଁ ସେମିତି ସ୍ନେହ, ସୋହାଗ, ଭଲପାଇବା ଦରକାର-। ତାର ଅଭାବରେ ମନୁଷ୍ୟ ଜୀବନ ଅସମ୍ପୂର୍ଣ୍ଣ ହୋଇଯିବ ।

 

ଜୀବନର ସବୁ କାମନାକୁ ଶରୀରର ଅନ୍ଧାରୀ ଗହ୍ୱର ଭିତରେ ଆବଦ୍ଧ କରିଦେଇଚି ବୋଲି କହିଥିଲା । ପାର୍ଥ ନିର୍ଦ୍ଦୋଷ, ନିଷ୍କଳଙ୍କ । ଏକଥା ଜାଣିବା ପରେ ତିବ୍ର ଅନୁଶୋଚନାରେ ଭାଙ୍ଗିପଡ଼ୁଚି ଦିନକୁ ଦିନ । ତାଙ୍କୁ ଉପେକ୍ଷା କରିବାକୁ ଯାଇ ସେ ନିଜେ ଉପେକ୍ଷିତା ହୋଇଗଲା । ପାର୍ଥ ତା ଜୀବନର ସୂର୍ଯ୍ୟ । ତାଙ୍କର ଚିନ୍ତାରେ ବିତାଇଦେବ ଅବଶିଷ୍ଟ ଜୀବନ । ପାର୍ଥ ବଦଳରେ ଅନ୍ୟ ପୁରୁଷର ଭାବନା କୌଣସି ଦିନ ତା ହୃଦୟରେ ସ୍ଥାନ ପାଇବ ନାହିଁ । ଏଇ କଥା ସେ ଅଧ୍ୟକ୍ଷାଙ୍କୁ କହିଥିଲା । ସେଇଦିନ ଠାରୁ ଆଉ କୌଣସି ଦିନ ସେ କେବେ ତା ଆଗରେ ବିବାହ କଥା ଉଠାଇ ନଥିଲେ ।

 

ଇଚ୍ଛାକୃତ ଅବସର ନେଇ ଅଧ୍ୟକ୍ଷା ସୋନିଆଁ ତାଙ୍କ ପୁଅବୋହୂ ପାଖକୁ ଚାଲିଯିବେ । ତାଙ୍କୁ ସେ ଦେଖାକରି ଆସି ଫେରି ଆସିଲାବେଳେ ଅର୍ଚ୍ଚନାକୁ ଆଶୀର୍ବାଦ କରିଥିଲେ ,

 

ଭଗବାନ ଯୀଶୁ, ତୁମକୁ ସୁଖୀ କରନ୍ତୁ । ତୁମର ପ୍ରେମର ବସ୍ତୁକୁ ଫେରାଇ ଦେବାକୁ ମୁଁ ଦିନରାତି ପ୍ରାର୍ଥନା କରିବି ତାଙ୍କ ପାଖରେ ।

 

ସେ ଚାଲିଯିବା ପରେ ତାଙ୍କର କ୍ୱାଟରଟାକୁ ଚାହିଁ ଦେଲେ ଭାରି ଖରାପ ଲାଗିବ ଅର୍ଚ୍ଚନାକୁ । ତାଙ୍କୁ ଦେଖଲେ ଦେବୀପରି ଭକ୍ତି ଆସୁଥିଲା । ଯେ କେହି ଅର୍ଚ୍ଚନା ଜୀବନ ସହିତ ଶିଖିଚନ୍ତି, ସମସ୍ତେ ଦୂର ହୋଇ ଯାଇଚନ୍ତି ଭାବି ଆଶ୍ଚର୍ଯ୍ୟ ଲାଗେ ତାକୁ । ଆଉ ଯିଏ ଆସିବେ ହୁଏତ ତାଙ୍କଭଳି ହୋଇନପାରେ ।

 

ଜୀବନରେ ଘଟିଯାଇଥିବା ବିୟୋଗାତ୍ମକ ନାଟକଟିକୁ ଭୁଲିଯିବାପାଇଁ କର୍ମ ଜଞ୍ଜାଳରେ ବୁଡ଼ିଯିବାକୁ ଚାହିଁଲା ସେ । କଲେଜରେ ଅଧ୍ୟାପନା । ଘରେ ଚିକୁର ଜଞ୍ଜାଳ । ନିଜକୁ ହଜାଇ ଦେଲା-। ନିଜ ଭିତରେ ନିଜେ ଅନୁଭବ କରେ ଯେ ଦିନକୁ ଦିନ ବେଶି ଗମ୍ଭୀର ଆଉ କଠୋର ହୋଇଯାଉଚି । କାହିଁକି ?

 

ଜୀବନର ସବୁ ସରସତା ମଉଳିଗଲା ବୋଲି ? ମନ ଉପବନରେ ଫୁଟିଥିବା ଫୁଲ ଗୁଡ଼ିକ ଅବେଳରେ ଝଡ଼ିଗଲା ବୋଲି ? ହୁଏତ ସେଇଥିପାଇଁ କି କ’ଣ । କିନ୍ତୁ ଦିନଥିଲା ଅର୍ଚ୍ଚନା ନାମରେ ସେଇ ଝିଅଟି କେତେ ଶାନ୍ତ, ସଜଫୁଟା ସକାଳର ଶୁଭ୍ର-ଲ୍ଳୀଫୁଲ ଧରି ସତେଜ ଆଉ କୋମଳଥିଲା । ଏବେ କିନ୍ତୁ କଲେଜରେ କୌଣସି ଛାତ୍ରୀ କେବେ ତାକୁ ହସିବାର ଦେଖନ୍ତିନି । କ୍ଲାସରେ ପଶିଯିବା ମାତ୍ରେ ପ୍ରଜାପତି ପରି ଉଡ଼ିବୁଲୁଥିବା ସଦାଚଞ୍ଚଳ କିଶୋରୀ ଛାତ୍ରୀମାନେ ଚୁପ୍‌ ହୋଇଯାଇଛନ୍ତି । ପ୍ରଶ୍ନପଚାରିଲେ ଭୟରେ ଥରିଥାନ୍ତି । ନୂଆକରି ଆସିଥିବା ଜଣେ ସହକର୍ମୀ ଆଉଜଣକୁ କମନ୍ ରୁମରେ ଦିନେ କହିଥିଲେ ସେ ଟ୍ରାଜେଡି କୁଇନ୍‌ ବୋଲି ଅର୍ଚ୍ଚନାକୁ କହୁଥିବାର ସେ ଶୁଣିଥିଲା । ହୁଏତ ସେମାନେ ତାକୁ ପଛଆଡ଼େ ପରିହାସ କରୁଚନ୍ତି ।

 

କିନ୍ତୁ ସେମାନେ କଣ ବୁଝିପାରିବେ ଅର୍ଚ୍ଚନା ମନତଳେ ଜଳୁଥିବା ନିଆଁର କଥା । କପୋତିଟି ନିଜର ଭୁଲ ପାଇଁ ତାର ସନ୍ତାନକୁ ହତ୍ୟା କରିଥିଲା । ହୁଏତ ଏ କାହାଣୀ କପୋଳ କଳ୍ପିତ । ତଥାପି କପୋତି ଯେତେବେଳେ ରାତ୍ରିର ନିଭୃତରେ ବାହୁନି ବାହୁନି କାନ୍ଦେ, ଏ କଥା କ’ଣ ସତ ନୁହେଁ ଯେ ସେ ଅନୁତାପରେ ଝୁରୁଛି ବୋଲି । ସେଇଭଳି ବିନା ବିଚାରରେ ସେ ନିଜେ, ସବୁ ସୁଖରୁ ବଞ୍ଚିତ ହୋଇଛି । ନଷ୍ଟଭ୍ରଷ୍ଟ କରିଦେଇଚି ତାର ସୁଖମୟ ଜୀବନକୁ । ଜୀବନପାତ୍ର ଶୂନ୍ୟ ହୋଇଚି । ଅନେକ ଶୁନ୍ୟତାରେ ଭରିଯାଇଛି ତାର ରଙ୍ଗଭରା ଜୀବନଟି । ସେ ଚାହିଁଥିଲେ ତାର ଶୂନ୍ୟ ପୁର୍ଣ୍ଣ ହୋଇ ଯାଇଥାନ୍ତି । ଅର୍ଚ୍ଚନା ପାରିନି । କେବେ ମଧ୍ୟ ପାରିବନି । ପାର୍ଥଙ୍କ ବ୍ୟତିତ ଅନ୍ୟ କାହାର ଜାୟା ବା ତାର ସନ୍ତାନର ଜନନୀ ହୋଇପାରିବନି ।

 

ନଦୀକୁ ନାରୀ ସହିତ ତୁଳନା କରାଯାଏ । ନଦୀ ଯେପରି ସାଗରର ମିଳନ ପାଇଁ ପ୍ରବଳ ଆଗ୍ରହରେ ବନ, ଗିରି, ନିର୍ଜନ କାନ୍ତାର ଦେଇ ଧାଇଁଯାଏ । ନାରୀ ସେମିତି ପୁରୁଷର ବାହୁଛାୟା ତଳେ ପରିପୂର୍ଣ୍ଣ ସଂସାର ଗଢ଼ିବା ପାଇଁ ବିବାହ କରେ । ତା ନହେଲେ ନାରୀ ଜୀବନରେ ପୂର୍ଣ୍ଣତା ନାହିଁ ।

 

ଅର୍ଚ୍ଚନା ନଦୀ ଭଳି ଏକ ନାରୀ । ତା ଜୀବନର ସାଗର ହୋଇଥାନ୍ତେ ପାର୍ଥ । ଅସଂପୂର୍ଣ୍ଣ ହୋଇ ରହିଗଲା ତାର ନାରୀଜୀବନ । ଆଉ ଏଇ ପୃଥିବୀ ଯେତେବେଳେ ରାତ୍ରିର ଅନ୍ଧକାର ଭିତରେ ବୁଡ଼ିଯାଏ, ଘୋଟିଆସେ ସମସ୍ତ ନିର୍ଜନତା । ରାତ୍ରିର ପକ୍ଷୀ ରାବିଉଠେ, ଠିକ ସେତିକି ବେଳେ ଅର୍ଚ୍ଚନା ନାମକ ସେଇ ଦୁଃଖି ଝୀଅଟି ଆଖିରୁ ଝରିଯାଏ ଅନୁଶୋଚନାର ଲୋତକ ଧାର । ତକିଆ ତିନ୍ତିଯାଏ । ଅବ୍ୟକ୍ତ ବେଦନାରେ ଚାପି ହୋଇଯାଏ ତାର ସମସ୍ତ କଣ୍ଠନଳୀ ସେ କାନ୍ଦେ ଚୁପିଚୁପି । ନିରବରେ । ଗୋପନରେ । ସେ ଲୁହ ତା ନିଜ ବ୍ୟତିତ ଆଉ କେହି ଦେଖି ପାରିବେନି । ଗୋପନ ମନତଳେ ପାର୍ଥର ସ୍ମୃତିକୁ ରୋମନ୍ଥନ କରି କରି, ଆତୃପୀଡ଼ନରେ ଜଳି ଜଳି ବିତାଇ ଦେବ, ହୀନ, ଦଣ୍ଡ, ମାସ, ବର୍ଷ ମରିବା ପର୍ଯ୍ୟନ୍ତ ।

 

ସେଇ ନିରବ କାନ୍ଦଣା ଭିତରେ ସେ ଖୋଜିବୁଲି କହିବ,

 

ପାର୍ଥ ତୁମେ କେଉଁଠି ? ତୁମକୁ ଭୁଲି ପାରିନି । କିନ୍ତୁ ତୁମେ କ’ଣ କେଉଁଦିନ ଜାଣିପାରିବ ଯେ ବିରହୀ ଚକୋରୀ ପରି ତୁମର ସ୍ମୁତିକୁ ସ୍ମରଣ କରି ବିତାଇଦେବି ମୋର ଅବଶିଷ୍ଟ ଜୀବନ । ନିଜେ କରିଥିବା ଭୁଲ ପାଇଁ ସମସ୍ତ ଜୀବନ ଲୁହରେ ଭାସିଯାଉ । ମୁଁ ନିଃଶେଷ ହୋଇଯିବି ।

 

ଅର୍ଚ୍ଚନା ଭାବେ ଏମିତି ହୁଅନ୍ତାନି କେବେ ଯଦି ଦେଖା ହୋଇଥାନ୍ତା, ସେଇ ନିଷ୍କଳଙ୍କ ପାଦ ଦୁଇଟିକୁ ଅନୁତାପର ଅଶ୍ରୁରେ ଧୋଇଦେଇ କହନ୍ତା, ‘ମତେ ତୁମେ କ୍ଷମାକର, ଶାସ୍ତି ଦିଏ । କିନ୍ତୁ ଅସମ୍ଭବ । ପାର୍ଥ ସ୍ତ୍ରୀ ସନ୍ତାନ ନେଇ ସୁଖରେ ଅଛନ୍ତି ସୁନ୍ଦର ଶାନ୍ତ ନୀଡ଼ ରଚନା କରିଚନ୍ତି । ସ୍ତ୍ରୀ ସନ୍ତାନ ନେଇ ସୁଖରେ ଅଛନ୍ତି । ଅର୍ଚ୍ଚନା ସହିତ ପାର୍ଥଙ୍କର ଦେଖାହେବାର ସମ୍ଭାବନା ନାହିଁ ।

Image

 

ତାନ୍

 

ପାହାଡ଼ ପର୍ବତ ବେଷ୍ଟିତ ମାଳ ଅଞ୍ଚଳ । ଇଂରାଜୀ ଅମଳର ପୁରୁଣା ଡାକବଙ୍ଗଳାକୁ ଆଧୁନିକ ରୀତିରେ ରିମଡେଲିଙ୍ଗ୍ କରାଯାଇଛି । ବାହାରୁ କୌଣସି ସମ୍ମାନୀୟ ଅତିଥି ଆସିଲେ ଏଇ ଡାକବଙ୍ଗଳାରେ ରହିବାର ବନ୍ଦୋବସ୍ତ ହୁଏ । ପାହାଡ଼ ଉପରେ ଥିବାରୁ କାର୍ କିମ୍ଵା ଜିପ୍ ଆସିବାପାଇଁ ପାହାଡ଼ ତଳୁ ବଙ୍କେଇ ହୋଇ ରାସ୍ତା ଉପରକୁ ଉଠିଆସିଛି । ଡାକବଙ୍ଗଳା ଭିତରେ ପଶିବା ପାଇଁ ପ୍ରବେଶ ଦ୍ଵାରରେ ଲୁହାର ବଡ଼ କୋଲାପ୍‌ସିବୁଲ୍ ଗେଟ୍ । ଗେଟ୍ ନିକଟରୁ ନାଲି ଗୋଡ଼ିର ରାସ୍ତା ଲମ୍ବି ଯାଇଛି ପୋର୍ଟିକୋ ପର୍ଯ୍ୟନ୍ତ । ରାସ୍ତାର ଦୁଇ ପାଖରେ ଇଉକାଲିପ୍‌ଟସ ବୃକ୍ଷ-। ରାସ୍ତାର ଗୋଟିଏ ପାଖରେ ଲନ୍ । ଲନ୍ ଭିତରେ ଘାସ ଗଛ ଲଗାଯାଇ ତାକୁ ସୁନ୍ଦର ଭାବରେ କଟିଂ କରାହୋଇଛି । ସତେ ଯେପରି ସୁବିସ୍ତୃତ ଶାଗୁଆ ରଙ୍ଗର ଗାଲିଚାଟିଏ ପଡ଼ିଛି । ସେହିଭଳି ଜଣାପଡ଼ୁଛି । ଲନ୍‌ର ମଝିରେ ଛୋଟ ଚାରିକଣିଆ ପୋଖରୀ ଭଳି କରାହୋଇଛି । ତା ଭିତରେ ସୁନ୍ଦର ସୁନ୍ଦର ନାଲି, ଧଳା ରଙ୍ଗର କଇଁ ଫୁଲ ଫୁଟିଚି । ପୋର୍ଟିକ ପାଖରେ ସିମେଣ୍ଟର ବଡ଼ ବଡ଼ ରଙ୍ଗୀନ କୁଣ୍ଡ । ତାରି ଭିତରେ ଖୁବ୍ ବଡ଼ବଡ଼ ନାଲି, ଗୋଲାପ, ହଳଦିଆ, ଧଳା ଗୋଲାପଫୁଲ ଫୁଟିଛି । ଡାକବଙ୍ଗଳା ବାରନ୍ଦାରେ ଆର୍ମଚେୟାର ଉପରେ ଅର୍ଦ୍ଧସାୟିତ ଅବସ୍ଥାରେ ରହି ଏସବୁକୁ ଲକ୍ଷ କରୁଥିଲେ ପାର୍ଥ ପ୍ରତୀମ । ବାରନ୍ଦା ଉପରେ କାଚର ଏକ୍ୟୁରିୟମ ଚେୟାର ଛାଡ଼ି ଉଠିଆସିଲେ ମାଛମାନେ ଖେଳୁଥିବା ସେଇ ଏକ୍ୟୁରିୟମ୍ ନିକଟକୁ । ବଗିଚାର ମାଳୀ ମାଛମାନଙ୍କ ପାଇଁ ଖାଇବା ଜିନିଷ ଧରି ଆସିଲା । ଖାଇବା ଜିନିଷ ପାଣିରେ ପକାଇ ଦେବାମାତ୍ରେ ମାଛ ସବୁ ଉଠି ଆସିଲେ । ନାଲି, ଧଳା, ଆହୁରି ଅନେକ ରଙ୍ଗର ମାଛ ।

 

ତାପରେ ଚାଲି ଚାଲି ଗେଟ୍ ପର୍ଯ୍ୟନ୍ତ ଆସିଲେ । ଉପରକୁ ଅନାଇଁଲେ । ପାହାଡ଼ର ଶୀର୍ଷ ଦେଶରେ ସ୍ଵର୍ଯ୍ୟଙ୍କର ମଳିନ ଛାୟା । ଦୀର୍ଘରୁ ଦୀର୍ଘତର ମନେ ହେଲା ସ୍ଵର୍ଯ୍ୟକିରଣ କେମିତ ନିସ୍ତେଜ ଆଉ ମାୟାମୟ । ବିଶେଷ କରି ବଣ ପାହାଡ଼ ଘେରା ସ୍ଥାନରେ । ଯଦିଓ ଟ୍ରେନକୁ ଦେଖିପାରିଲେ ନାହିଁ ସେ କିନ୍ତୁ ଟ୍ରେନ ଯିବାର ଶବ୍ଦ ଅନୁଭବ କଲେ । ତାର ଶବ୍ଦ ପାହାଡ଼ ଦେହରେ ବାଜି ପ୍ରତିଶବ୍ଦ ସୃଷ୍ଟି କରୁଥିଲା । ହୁଏତ ନିକଟରେ ଟ୍ରେନଲାଇନ୍‌, ପଶିବା ଦିନ ଲକ୍ଷ କରିପାରିନଥିଲେ ।

 

ଗେଟ ପାଖରେ ଥାଇ ବାହାରକୁ ଅନାଇଲେ । ତଳୁ ଯେଉଁ ରାସ୍ତା ଉପରକୁ ଉଠିଆସିଚି ତାର ଗୋଟିଏ ପାଖରେ ପାହାଡ଼ ଅନ୍ୟ ପାଖରେ ବଡ଼ ବଡ଼ କାଠ ଖୁଣ୍ଟ ପୋତାହୋଇ ଭାର ବନ୍ଧାଯାଇଛି । ଟିକେ ଅସାବଧାନ ହେଲେ ପଡ଼ିଗଲେ ବଞ୍ଚିବାର କୌଣସି ସମ୍ଭାବନା ନାହିଁ । ତାରବାଡ଼ ଦେଇ ତଳକୁ ଚାହିଁଲେ । ଆଖି ପାଉନି । ପାହାଡ଼ ଶୀର୍ଷରୁ କେଉଁଠି ଜଳସ୍ରୋତ ବାହାରି ଆସିଛି ତଳେ କଚାଡ଼ି ହୋଇ ପଡ଼ୁଛି । ସେଇ ଜଳରେ ଅସ୍ତଗାମୀ ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇଛି । ଏଇ ଜଳଧାରା ପାହାଡ଼ର ତଳ ଦେଶରେ ବୋହିଯାଇ ନଦୀ ସହିତ ମିଶିଚି । ଯେଉଁଠି ଜଳ ଖୁବ୍ ଯୋରରେ କଚାଡ଼ି ହୋଇ ପଡ଼ୁଛି ତାର ଗମ୍ଭୀରତା ଅନେକ । ସେଇଠାରୁ ଜଳ ସବୁ ପାଇପ୍ ସାହାଯ୍ୟରେ ଉଠାଇ ଡାକବଙ୍ଗଳା ଉପରେ ଥିବା ପାଣି ଟାଙ୍କିରେ ଜମା କରାହେଉଛି । ତାହା କ୍ଷୁଦ୍ର ସହରଟିର ସମସ୍ତ ଚାହିଦା ମେଣ୍ଟାଇ ପାରୁଚି ବୋଲି, ଡାକବଙ୍ଗଳାର କେୟାର ଟେକର କହୁଥିଲା । ସେଇଠାରୁ ପାଣି କେବେ ଶୁଖେନି । ସର୍ବଦା ଜଳପରିପୂର୍ଣ୍ଣ । ଡାକବଙ୍ଗଳାର ମାଳି କହୁଥୁଲା, ଆଗେ ଡାକବଙ୍ଗଳାରେ ଦିନବେଳେ ମଧ୍ୟ ଭୟ ଲାଗୁଥିଲା । ଏତେ ଘନ ଜଙ୍ଗଲ ଯେ ଦିନବେଳେ ବାଘ, ଭାଲୁ ମଧ୍ୟ ବାହାରି ଆସନ୍ତି । ରାତିରେ ତାଙ୍କ ଚିତ୍କାରରେ କୌଣସି ଅତିଥି ଆସିଲେ ଶୋଇପାରନ୍ତିନି । ଏବେ କିନ୍ତୁ ସେ ଜଙ୍ଗଲ ନାହିଁ । ଗଛ ସବୁ କଟାଯାଇ ପରିଷ୍କାର ହୋଇଗଲାଣି ।

 

କୌଶିକ ଫେରିନି । ଦିନ ଦୁଇଟା ବେଳୁ ଆଡ଼୍‌ଭାନ୍‌ସ ଟିକେଟ ବୁକ୍ କରିବାକୁ ଯାଇଚି । ରାତି ବାରଟାରେ ସେ ଦିଲ୍ଲୀ ଫେରିଯିବେ । ରହିମ୍‍କୁ କହି ଆସିଛନ୍ତି ସେ ଯଦି ଗାଡ଼ି ନନେଇ ଆସିବ । ତାହାଲେ ଟ୍ୟାକ୍‌ସି କରି ଚାଲିଯିବେ । ଦିନବେଳେ ଦିଲ୍ଲୀ ଷ୍ଟେସନ୍‍ରୁ ଯିବାକୁ କୌଣସି ଅସୁବିଧା ହେବନି । ପାଞ୍ଚଦିନ ତଳେ ସେ ଏଠିକୁ ଅତିଥି ହୋଇ ଆସିଥିଲେ । ଏଇ ପାଞ୍ଚଦିନ ଭିତରେ ଯାଗାଟା ପ୍ରତି କେମିତି ମାୟା ଆସି ଯାଇଥିଲା । ପାହାଡ଼ ଅଞ୍ଚଳଟିର ନିରବ ନିର୍ଜନ ପରିବେଶ ତାଙ୍କ ହୃଦୟ ମନର ସାମିଲ୍ । ନିର୍ଜନତା ତାଙ୍କର ଅତି ପ୍ରିୟ । ଗତକାଲିର ଉତ୍ସବ କଥା ମନେପଡ଼ିଗଲା ତାଙ୍କର । ତିନିଦିନ ଧରି ଚାଲିଥିବା ଉତ୍ସବର ପରିସମାପ୍ତି ହୋଇଥିଲା । ଅଧ୍ୟକ୍ଷଙ୍କ ଆନୁଆଲ୍ ରିପୋର୍ଟରୁ ଜାଣିପାରିଥିଲେ ଯେ କୌଣସି ବଦାନ୍ୟ ବ୍ୟକ୍ତି ଦାନ ଏବଂ ଆଉକିଛି ଦୟାନନ୍ଦ ଅଙ୍ଗ୍ଳୋଭେଜିଙ୍କ ସହଯୋଗରେ ଆଦିବାସୀ ବହୁଳ ମାଳ ଅଞ୍ଚଳରେ ଏଇ ସେଣ୍ଟ୍ରାଲପବ୍ଲିକ କଲେଜଟି ତିନିଚାରି ବର୍ଷ ହେଲା ସ୍ଥାପିତ ହୋଇଛି । କିଣ୍ଡରଗାର୍ଡ଼ନ ଠାରୁ ଆରମ୍ଭ ମହାବିଦ୍ୟାଳୟ ସ୍ତରରେ ଶିକ୍ଷା ପ୍ରଦାନ କରାଯାଏ । ବିଭିନ୍ନ ବିଭାଗ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଆଉ ଅଧ୍ୟାପିକା ମାନେ ନିଯୁକ୍ତି ପାଇଛନ୍ତି ।

 

ଗତକାଲିର ଉଦ୍‌ଯାପନ ଦିବସ ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିବେଷଣ କରିଥିଲେ ବିଭିନ୍ନ ବର୍ଷର ଛାତ୍ରଛାତ୍ରୀମାନେ ଧରାପୃଷ୍ଠରୁ ସଂପୂର୍ଣ୍ଣ ରୁପେ ଅନ୍ଧକାର ଦୂର ନହେଉଣୁ ମହାବିଦ୍ୟାଳୟର ଖୋଲା ରଙ୍ଗମଞ୍ଚରେ ଜଳିଉଠିଥଲା ବିଭିନ୍ନ ରଙ୍ଗର ଅଲୋକମାଳା । ସ୍ଥାନଟି ସହରଠାରୁ କିଛି ଦୂରରେ ଅବସ୍ଥିତ । ନିରୋଳା ସ୍ଥାନଟି ଆଲୋକମାଳାରେ ଉଦ୍‌ଭାସିତ ହୋଇଯାଇଥିଲା କିଛିସମୟ । ଛାତ୍ରଛାତ୍ରୀମାନେ, ଏକାଙ୍କିକା, ପଲ୍ଲୀନୃତ୍ୟ, ଓଡ଼ିଶୀ ନୃତ୍ୟ, ସଙ୍ଗୀତ ସବୁ ପରବେଷଣ କରିଥିଲେ । ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ କନ୍‌ଭେଣ୍ଟସ୍କୁଲର ଛାତ୍ରୀ ଜଣେ । ବୟସରେ ଖୁବ୍ ଛୋଟ । ଗୁରୁଙ୍କର ଗୁରୁଗମ୍ଭୀର, ଧ୍ଵନିରେ ଜଗନ୍ନାଥ ବନ୍ଦନା ଭିତରେ କୁନିକୁନି ଅଳତା ରଞ୍ଜିତ ଘୁଙ୍ଗୁର ପିନ୍ଧା ପାଦ ଦୁଇଟି ଆଗେଇ ଆସିଥିଲା ମଞ୍ଚଉପରକୁ । ଦେବଦାସୀ ଭଙ୍ଗୀରେ ଜଗନ୍ନାଥଙ୍କ ମୂର୍ତ୍ତି ସମ୍ମୁଖରେ ପ୍ରଣତି ଜଣାଇଲାବେଳେ ଗୁରୁ ଗାଇ ଉଠିଥିଲେ, ‘‘ଜଗନ୍ନାଥ ସ୍ଵାମୀ ନୟନପଥଗାମୀ, ଭବ ତୁମେୟିବ” । ତାପରେ କ୍ରମାନ୍ୱୟରେ ଭାଗଭାଗ କରି ବଟୁ, ପଲ୍ଲବୀ, ଅଭିନୟ, ମୂକ୍ଷ ଭାବରେ ଓଡ଼ଶୀନୃତ୍ୟ କୌଶଳ ଦେଖାଇଥିଲେ ।

 

ପାର୍ଥ, ଯଦିଓ ଓଡ଼ିଶାବାସୀ ଏବଂ ଓଡ଼ିଶୀ ସଂସ୍କୃତିର ଆଦି ପୀଠ ଜଗନ୍ନାଥ ଧାମ ପୁରୀରେ ଜନ୍ମ, କିନ୍ତୁ ଓଡ଼ିଶୀନୃତ୍ୟ ଓ ଗୀତରେ ଯେ ସ୍ଵତନ୍ତ୍ରତା ଅଛି ତାହା ପ୍ରଥମ ଥର ପାଇଁ ଅନୁଭବ କରି ମୁଗ୍‌ଧ ହୋଇଯାଇଥିଲେ । ଆଉ ସେଇଥିପାଇଁ ସ୍ଵତନ୍ତ୍ର ଭାବରେ ନୃତ୍ୟ ଶିଳ୍ପୀକୁ ପୁରସ୍କୃତ କରିଥିଲେ । କୌଶିକ ଜରିଆରେ ସେ ପୁରସ୍କାର ଘୋଷଣା କରିଥିଲେ । ଘୋଷଣା କରିବା ପରେ ପରେ ସେ ଝିଅଟି ମଞ୍ଚ ଉପରେ ତାଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲା । ଗ୍ରହଣ କରିସାରି ତାଙ୍କ ପାଦଛୁଇଁ ପ୍ରଣାମ କରିବାକୁ ତାର ନୃତ୍ୟଗୁରୁ ତାକୁ ନର୍ଦ୍ଦେଶ ଦେଇଥିଲେ । ଝିଅଟିକୁ ଦେଖି ସେ ଅନ୍ୟମନସ୍କ ହୋଇଯାଇଥିଲେ । ଭାବିଥିଲେ ତାଙ୍କର ବୈବାହକ ଜୀବନ ସଫଳ ହୋଇଥାନ୍ତା, ଏଇ ବୟସର ତାଙ୍କ ସନ୍ତାନ ହୋଇଥାନ୍ତା । କିନ୍ତୁ ବିବାହ କରି ସେ ଅବବାହିତ । କୌଣସି ଦନ ପିତା ହେବାର ସୁଖ ସେ ଲାଭ କରିପାରିବେନି । ବାତ୍ସଲ୍ୟ ମମତାରେ ରସାଣିତ ହେବନି ତାଙ୍କ ହୃଦୟ ।

 

କେୟାରଟେକରକୁ କହି ତଳକୁ ଟିକେ ବୁଲିବାକୁ ବାହାରି ଆସିଲେ । ସେଇ ବୁଲାଣି ରାସ୍ତା ଯେଉଁଟା ତଳୁ ଉପରକୁ ଉଠିଆସିଚି ସେଇ ବାଟ ଦେଇ ତଳକୁ ଓହ୍ଲାଇ ଗଲେ । ଓହ୍ଲାଇ ଯାଉ ଯାଉ ଭାବିଲେ ହୁଏତ ଆଉ କେବେ ଏଠିକି ଆସିବାର ନିଶ୍ଚିତତା ନାହିଁ । ଛୋଟ ସହରଟିକୁ ଟିକେ ଆଖି ବୁଲାଇ ଆଣିଲେ ମନ୍ଦ ହେବନି । ଡାକବଙ୍ଗଳାରେ ବସି ଏକୁଟିଆ କ୍ଳାନ୍ତି ଅନୁଭବ କରିବା ଅପେକ୍ଷା ତଳକୁ ଯାଇ ବୁଲିଆସିଲେ ଭଲ ହେବ ।

 

ଚାଲୁଚାଲୁ ସେଇ ଜଣେ ପଡ଼ିବାର ଶବ୍ଦ କାନରେ ବାଜିଲା । କିନ୍ତୁ ଦେଖା ଯାଉନଥିଲା । ପାହାଡ଼ ଫୁଲର ବାସ୍ନା‌ ନାକରେ ବାଜିଲା । ଛୋଟ ଛୋଟ ଗଛରେ ଧଳା ଧଳା ରଙ୍ଗର ଅନେକ ଫୁଲ । ନାଁ ସେ ଜାଣନ୍ତିନି । କୌଶିକ କହୁଥିଲା ଏଇ ଉପତ୍ୟକା ଅଞ୍ଚଳରେ ଶୀତ ଯେତେ ଭୟଙ୍କର, ଖରା ମଧ୍ୟ ସେଇଭଳି ତୀବ୍ର । ବର୍ଷାଦିନେ ଅସମ୍ଭବ ବର୍ଷା । ଦିନରାତି ବର୍ଷା ପଡ଼ିବା ଶବ୍ଦ ଡମ୍ବରୁ ବାଜା ଭଳି ଶୁଭେ । ଯେମିତି ଅହରହ ଅନେକ ଘୁଙ୍ଗୁର ଝମ୍ ଝମ୍ ହୋଇ ବାଜିବାର ଶୁଣାଯାଏ । ପାହାଡ଼ ଦେହରେ ମେଘ ଓହଳି ଥିଲା ପରି ଜଣାପଡ଼େ । କୌଶିକ କହୁଥିଲା ବହୁତ ସୁନ୍ଦର ସୁନ୍ଦର ପିକ୍‍ନିକ୍ ସ୍ପଟ୍ ଅଛି । ଏକ ସମାସ ଛୁଟିରେ ସେମାନେ ପିଲାମାନଙ୍କୁ ନେଇ ପିକ୍‍ନିକ୍ କରିବାକୁ ଯାଆନ୍ତି । ଚାରିଆଡ଼େ ଦୃଷ୍ଟି ପକାଇ ଆଣିଲେ । ବାସ୍ତବିକ୍ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଏ ସ୍ଥାନ । ଅସଂଖ୍ୟ କଣ ଫୁଲ ପରିପୂର୍ଣ୍ଣ ବନସ୍ଥଳୀ । ସତେ ଯେମିତି ପ୍ରକୃତିର ଲୀଳାଭୂମୀ । ଭାବନା ଭିତରେ ପାହାଡ଼ ତଳଦେଶରେ ବୋହିଯାଇଥିବା ଅନାମିକା ନଈଟି କୂଳରେ ଠିଆହୋଇ ପଡ଼ିଲେ । ନଈ ଭିତରେ ଡଙ୍ଗାଟିଏ ଚାଲିଯାଉଛି । ଜଣେ ନାଉରୀ ନାଆଟି ବାହି ଚାଲିଯାଉଛି । ନାଆ ଭିତରେ ଆଉଜଣେ ବସି ବଂଶୀରେ ଧୂନ ତୋଳୁଚି । ସେ ରାଗ ମିଳନର କି ବିଚ୍ଛେଦର ବୁଝିପାରିଲେନି ପାର୍ଥ ।

 

ନଈ ସେପାଖରେ ଗାଁଟିଏ । ହୁଏତ ଅଦିବାସୀମାନଙ୍କର । ଦୂରରୁ ତାଙ୍କର ଘରର ଚାଳ ଛାଉଣୀ ଦେଖାଯାଉଛି । ଖିଲିଖିଲି ହସ ଶୁଭିଲା । ଅନେକ ଆଦିବାସୀ ଝିଅ ମୁଣ୍ଡରେ କଳସୀ ଧରି ନଈରୁ ପାଣି ନେଇ କଣ କଥାବାର୍ତ୍ତା ହୋଇ ହସିହସି ଲୋଟିଯାଉଚନ୍ତି । ଦେହର ଶାଢ଼ି ଯତ୍ନକରି ଗୁଡ଼େଇ ପିନ୍ଧିଚନ୍ତି । ଏତେଟିକେ ଏପାଖ ସେପାଖ ହୋଇନି । ବେକରେ ନାଲିନାଲି ପୋହଳାମାଳ-। ହାତରେ ରୂପାର ଗହଣା । ମୁଣ୍ଡରେ ଖୋସା । ଖୋସା ଉପରେ ବଣଫୁଲର ମାଳ ଗୁଡ଼ାଇଛନ୍ତି-। ଏକ ଧାଡ଼ିରେ ଫେରିଯାଉଛନ୍ତି । ପାଟିରେ ଆଦିପବାସୀ ସଙ୍ଗୀତର ଧ୍ଵନି । ହୁଏତ ଅନେକ ଅଭାବ କେତେ ଦୁଃଖ ଥିବ । ତଥାପି ସେଇ ଦୁଃଖକୁ ଭୁଲି ଯାଉଛନ୍ତି ସେମାନେ କ୍ଷଣିକ ପାଇଁ ।

 

ପାର୍ଥ ମୁହଁ ଫେରାଇ ଆଣିଲେ । ଦଳେ ପକ୍ଷୀ ତାଙ୍କ ମୁଣ୍ଡ ଉପର ଦେଇ ଶବ୍ଦ କରି ଉଡ଼ିଗଲେ । ଚାରିଆଡ଼େ କେମିତି ଏକ କୋମଳ ସୁନେଲି ରଙ୍ଗ ଖେଳେଇ ହୋଇଯାଇଚି । ପକ୍ଷୀମାନେ ତାରଭଳି ପାଣି ଭିତରରୁ ଉଡ଼ିଯାଇ ପୁଣି ଉପରକୁ ଉଠିଗଲେ । ଏକ ସଙ୍ଗରେ ପୁଣି ପାହାଡ଼ ଉପର ଦେଇ ଉଡ଼ିଚାଲିଗଲେ ନୀଳ ଆକାଶରେ ହଜିଗଲେ । ଅନେକ ପକ୍ଷୀ କିନ୍ତୁ ଅଭୁତ ଶୃଙ୍ଖଳାଭାବ । ହୁଏତ ସେମାନେ ଗୃହାଭିମୁଖୀ । ସାରାଦିନର ସଞ୍ଚିତ ଖାଦ୍ୟ ସମପି ନେବେ ଶାବକଙ୍କ ପାଖରେ । ଆଉ ବିଶ୍ରାମ ନେବେ । କିନ୍ତୁ ପାର୍ଥ ମଣିଷ ହୋଇ ମଧ୍ୟ ନାହିଁ ତାଙ୍କର ନିଭୃତ ଘରକରଣା । ନାହାନ୍ତି ତାଙ୍କର ସନ୍ତାନ । ସାରାଜୀବନଟା ଏକକ ଭାବରେ ବିତିଯିବ । କ୍ଳାନ୍ତ ସକାଳେ କାହାର ନରମ କୋମଳ ସ୍ପର୍ଶର ଅପେକ୍ଷାରେ ଶୋଇ ରହିବେନି ।

 

ଦିର୍ଘନିଶ୍ଵାସ ତ୍ୟାଗ କରି । ସହର ଭିତରକୁ ପଡ଼ିଥିବା ରାସ୍ତା ଉପରେ ଉପରେ ଆସ୍ତେ ଆସ୍ତେ ଚାଲିବାକୁ ଆରମ୍ଭ କଲେ । ଡାକବଙ୍ଗଳାରୁ ତାକୁ ଧଳାଗାରଟିଏ ପଡ଼ିଲା ପରି ଯାହା ଜଣା ପଡ଼ିଥିଲା । ସେଗୁଡ଼ାକ ଅନେକ କ୍ୱାଟର । ଅନ୍ୟମନସ୍କ ହୋଇ ଚାଲିଯାଉଥିଲା ବେଳେ ଗୋଟିଏ କ୍ୱାଟର ସମ୍ମୁଖରେ ଅଟକି ଗଲେ କିଛିସମୟ । କ୍ଵାଟର ସାମନାରେ ଅନେକ ଫୁଲ ଫୁଟିଥିଲା । ଫୁଲ ଉପରେ ଉଡ଼ିବୁଲୁଥିଲେ ବିଭିନ୍ନ ରଙ୍ଗର ପ୍ରଜାପତି ଖେଳୁଥିଲେ କେତେ ଦୂରେ ଧାଇଁ କେତୋଟି ଅଳ୍ପ ବୟସର ବାଳିକା ଚୋରକୁ ଧରିବା ଭଙ୍ଗୀରେ ଆସ୍ତେ ଆସ୍ତେ ଯାଇ ଫୁଲ ଉପରେ ବସିଥିବା ପ୍ରଜାପତିଙ୍କୁ ଧରିପକାଇଲା ବେଳେ ଉଡ଼ିଯାଇଥିଲେ ପ୍ରଜାପତି । ଯିଏ ଧରିନପାରୁଥିଲା ତା ମୁହଁ କ୍ଷୋଭରେ କରୁଣ ହୋଇଯାଇଥିଲା । ଆଉ ଯିଏ ଧରିପାରୁଥିଲା ଆନନ୍ଦର ଝଲକରେ ଝଲକିତ ହୋଇ ଉଠୁଥିଲା ତାର ମୁହଁ । ବଗିଚାର ତାରବାଡ଼ ଘେରା ପାଚେରୀ ପାଖରେ ଠିଆହୋଇ ଏସବୁ ଦୃଶ୍ୟ ଉପଭୋଗ କରି ଫେରି ଆସୁ ଥିବାବେଳେ ପଛରୁ ଶୁଭିଲା, ଗୁଡ୍‍ ଇଭିନିଙ୍ଗ ଅଙ୍କଲ, ପଛକୁ ଚାହିଁଲା ସେ । ପ୍ରଜାପତି ଧରିଥିବା ସେଇ ଛୋଟ ଝିଅଟି ଏକରକମ ଦଉଡ଼ି ଦଉଡ଼ି ଆସି ତାଙ୍କ ପାଖରେ ପହଞ୍ଚି ଯାଇଥିଲା । ତା ସଙ୍ଗରେ ଆଉ କେତୋଟି ଝୀଅ । ସେମାନଙ୍କୁ ଦେଖି ପାର୍ଥ ହସି ହସି କହିଲେ,

 

ଇଭିନିଙ୍ଗ୍‍ ମାଇଁ ଚାଇଲ୍‌ଡ୍‍ ।

 

ସେମାନଙ୍କ ମୁହଁରେ ଆନନ୍ଦର ଝଲକ, ପାର୍ଥ ଲକ୍ଷ୍ୟକଲେ । ସେମାନଙ୍କ ଭିତରୁ ବାହାରି ଆସି ସେଇ ଛୋଟ ଝିଅଟି ବହିଲା,

 

ମତେ ଆପଣ ଚିହ୍ନି ପାରୁଚନ୍ତି ?

 

କେଉଁଠି ଦେଖିଲା ପରି ମନେ ହେଲା । କିନ୍ତୁ କେଉଠି ଯେ ତାଙ୍କୁ ଦେଖିଚନ୍ତି ମନେପକାଇ ପାରିଲେନି । ହସି ଉଠିଲେ ଅନ୍ୟ ଝିଅ ଦଳକ । ଅପଦସ୍ଥ ହୋଇଥିଲା ସେଇ ଝିଅଟି-। କିନ୍ତୁ ପାର୍ଥ କ’ଣ ଜାଣିଥିଲେ କାଲି ତାଙ୍କଠାରୁ ପ୍ରାଇଜ ନେଇଥିବା ଝିଅଟି; ସକାଳେ ସାଙ୍ଗମାନଙ୍କୁ ଦେଖାଇଚି । ଏବଂ ରାସ୍ତାରେ ପାର୍ଥଙ୍କୁ ଯିବାର ଦେଖି ଜାଣିଛି ଯେ ଗତକାଲିର ମୁଖ୍ୟ ଅତିଥି । ଆଉ ସେଇଥି ପାଇଁ ହସି ହସି ଗୁଡମର୍ନିଙ୍ଗ୍ କହିଥିଲା ବୋଲି ।

 

କାଲିପରା ଆପଣ ମତେ ସ୍ପେସିଆଲ୍ ପାଇଜ୍ ଦେଇଥିଲେ । ମୁଁ ଓଡ଼ିଶୀ ନାଚିଥିଲି ବୋଲି ।

 

ଆରେ ହଁ, ଠିକ୍‌କଥାତ । ତୁମେ କାଲି ଓଡ଼ିଶୀ ନାଚିଥିଲ । ତୁମ ନାଁ କସ୍ତୁରୀ—ନୁହେଁ, କହିଲେ ସେ । ସଙ୍ଗେ ସଙ୍ଗେ ବୁଲିପଡ଼ି ସଙ୍ଗୀମାନଙ୍କୁ ସେ ଝୀଅଟି କହିଲା,

 

ଦେଖିଲ, ମତେ ଚିହ୍ନିପାରିଲେକି ନାହିଁ । ତାପରେ ପାର୍ଥଙ୍କ ମୁହଁକୁ ଚାହିଁ କହଲା,

 

ମୋର ନାଁ, କସ୍ତୁରୀ ମହାପାତ୍ର ।

 

ସେଇ ଛୋଟ ଝୀଅଟିର କଥା କହିବାର ଭଙ୍ଗୀ ବଡ଼ ଆନନ୍ଦ ଲାଗିଥିଲା ପାର୍ଥକୁ, ଆଉ ମୃଦୁହସି କହିଲେ ଆଚ୍ଛା ।

 

ଅପଣ ଜାଣିନାହାନ୍ତି ମାମା ଯଦି ଖୁସିଥିବେ ଡାକିବେ, ‘ଚିକୁନି’ । ଆଉ ଯେତେବେଳେ ଗମ୍ଭୀର ହୋଇଯାଆନ୍ତିନା, ଡାକିବେ, “ଏଇ ଚିକୁ” ? ବଡ଼ ମଣିଷଙ୍କ ଭଳି କଥା କହିବା ଭଙ୍ଗୀରେ କହିଥିଲା ସେ । ପାର୍ଥ ଆଉ ଚିକୁର କଥାବାର୍ତ୍ତା ହେବା ଦେଖି ଅନ୍ୟ ଝିଅଗୁଡ଼ିକ ଦୂରକୁ ଚାଲି ଯାଇଥିଲେ । ତାପରେ ଝିଅଟିର ଅତିନିକଟକୁ ଘୁଞ୍ଚାଇ ତାଯାହାରକୁ ଧରି ପାର୍ଥ ପ୍ରଶ୍ନକଲେ ।

 

ତୁମକୁ ତାହେଲେ ପରେ ଚିକୁ ଡାକନ୍ତି ? ନୁହେଁ ? ଭାରି ଖୁସି ଲାଗୁଚି ତୁମ କଥାଶୁଣି ।

 

ତାଙ୍କ କଥା ଶୁଣି ଚିକୁ କହିଲା,

 

ସମସ୍ତେ କେଉଁଠି ଡାକନ୍ତି ମ ? ହରିଦାଦା ଡାକନ୍ତି ବାଇଆଣୀ ।

 

ଅଚ୍ଛା; ହସି ହସି ପାର୍ଥ କହିଲେ ।

 

ମୁଁ ବାଇଆଣୀ ନୁହେଁ ମ । ସେ ମତେ ସେମିତି ଗେଲରେ ବାଇଆଣୀ ବୋଲି ଡାକନ୍ତି ନା । ତାଙ୍କ ଆଖିକୁ ଆଉ ଦିଶୁନି । ଖବରକାଗଜ ପଢ଼ି ତାଙ୍କୁ ମୁଁ ସବୁକଥା ଶୁଣାଇଦିଏ । ଆଉ ସେ ମଇନା ମାଉସୀ ନୁହେଁ, ମତେ କହେ ‘ଚଗଲି’, ସେଇଟା ଭାରି ଦୁଷ୍ଟ । ସବୁବେଳେ ହସୁଥିବ । ଆଚ୍ଛା କହିଲେ ? ମୁଁ କାହିଁକି ଚଗଲି ହେବିମ ? ଚଗଲି ହୋଇଥିଲେ କାଲି କ’ଣ ଏମିତି ସୁନ୍ଦର ନାଚିଥାନ୍ତି ?? ଆଖି ଡୋଳାକୁ ନଚାଇଁ, ମୁହଁ ହଲାଇ ଚିକୁ କହିଲା ।

 

ହଁ, ସତକଥାତ । ତୁମେତ କାଲି ଖୁବ୍ ସୁନ୍ଦର ନାଚିଥିଲ । ପାର୍ଥ କହିଲେ ।

 

ଭଲ ନାଚିଲି ବୋଲି ସିନା ଆପଣ ମୋତେ ପ୍ରାଇଜ ଦେଲେ । ଆଉ ସେ ଫୁଲେଇ ଲାରିର ଭାରି ରାଗ । ସେ କୁଆଡ଼େ ମୋଠୁ ଭଲ ପଲ୍ଲୀନାଚ ନାଚିଥିଲା । ଲାରିକୁ ଆପଣ ଚିହ୍ନିଚନ୍ତି-?

 

ନା, କହିଲେ ପାର୍ଥ ।

 

ସେଇ ଯେଉଁ ଝିଅ ଲାଲ୍ ଜାମା ପିନ୍ଧି, ବାଳକୁ ପିଗ୍‌ଟେଲ କରିଥିଲା । ଆଉ ଆପଣ ଚିହ୍ନି ନଥିଲାବେଳେ, ଆଗ ସେ ହସିଥିଲା । ମୁଁ ଫାଷ୍ଟ ହେଉଚି ବୋଲି ତାର ଭାରି ରାଗ, ମୁଁ ମନଦେଇ ପଢ଼ିଚି ବୋଲି ସିନା ଫାଷ୍ଟ୍ ହେଉଚି । ତା ବାପା ଇଞ୍ଜିନିୟର । ଆଉ ତାଙ୍କର ଗାଡ଼ି ଅଛି ବୋଲି ସେ ଭାରି ଫୁଲେଇ । ମଇନା ମାଉସୀ ମତେ ଚଗଲି ବୋଲି କାହିଁକି ଭାବେ ଜାଣିଚ ?

 

ନା’ ତ । ମୁଣ୍ଡ ହଲାଇଲେ ପାର୍ଥ ।

 

ମଇନା ମାଉସୀ ହାଟରୁ ଗୋଟେ ଶାରୀ କିଣି ଆଣିଥିଲା । ପାହାଡ଼ ତଳେ ଯେଉଁ ହାଟ ବସେ ମ ? ମୁଁ ହାଟଦେଇ ଯାଏ ଯେ । ସେଇ ହାଟରୁ ସେ ଆଣିଥିଲା । ଶାରୀପାଇଁ ପଞ୍ଜୁରୀ କିଣାହେଲା । ଦିନରାତି ମଇନା ମାଉସୀ ଶାରୀକୁ ଶିଖାଇଲା, ମଇନା କହିବାକୁ । ହରିଦାଦା ସକାଳୁ ଉଠି ଶାରୀକୁ ଶିଖାଇବ, ଡାକ, ‘ରାଧେକୃଷ୍ଣ’ । ଶାରୀଟି କାହାକଥା ଶୁଣିବ କହିଲ ? ମଇନା ମାଉସୀ କଥା ନା, ହରିଦାଦା କଥା । ମୁଁ ମଇନା ମାଉସୀକୁ କହିଲି ତାକୁ ଛାଡ଼ିଦେ । ତା ମାଆ ଖୋଜୁଥିବ । ଆଚ୍ଛା ଆପଣ କହିଲେ । ମଇନା ମାଉସୀ ଶାରୀକୁ ପିଞ୍ଜୁରୀରେ ରଖି, ଦୁଧଭାତ ଦେଲେ, ସେ କ’ଣ ତା ମାଆକୁ ଭୁଲିଯାଇ ପାରିବ ? ମାଆକୁ ଛାଡ଼ିଲେ କଷ୍ଟ ହେବନି??

 

ନିଶ୍ଚୟ ହେବ । ମାଆକୁ ଛାଡ଼ି କିଏ କ’ଣ ରହିପାରେ ?

 

ସାମାନ୍ୟ ହସି ପାର୍ଥ ଉତ୍ତର ଦେଲେ ।

 

ସେଇଥିପାଇଁତ, ମଇନା ମାଉସୀ ଖରାବେଳେ ଶୋଇପଡ଼ିଥିଲା ସେତେବେଳେ, ମୁଁ ଲୁଚିଲୁଚି ଯାଇ ଆସ୍ତେକରି ପଞୁରୀ ବାଟ ଖୋଲିଦେଲି, ଶାରୀଟି ଫୁର୍‌ରୁ କିନା ଉଡ଼ିଯାଇ ଆମ ଘର ଉପରେ ବସିଲା । ତା’ ପରେ ଡେଣା ହଲାଇ ହଲାଇ ସେଇ ଆକାଶ ଭିତରେ କୁଆଡ଼େ ଲୁଚି ଯାଇଥିଲା କହି ହାତରେ ଆକାଶକୁ ଦେଖାଇ ଦେଇଥିଲା ତାକୁ ତା ପରେ ହସି ହସି କହିଲା,

 

ମଇନା ମାଉସୀ ଦେଖିଲାବେଳକୁ ପଞୁରୀ ବାଟ ମେଲା । ଶାରୀ ନା ଫାରୀ । ସେଇଥିପାଇଁ ସେଇଦିନୁ ମତେ ଚଗଲି ବୋଲି ଡାକୁଚି । ଯେତେ ମନାକଲେ ସେ କ’ଣ ଶୁଣୁଚି ।

 

ତୁମ ବାବା ? ସେ ତୁମକୁ କ’ଣ ଡାକନ୍ତି ? ପ୍ରଶ୍ନକଲେ ପାର୍ଥ ବାବା ଶବ୍ଦକୁ ଆସ୍ତେ ଉଚ୍ଚାରଣ କରି ଏପାଖ ସେପାଖ ଅନାଇଲା ଚିକୁ । ସାଙ୍ଗ ପିଲାମାନେ କାଳେ ଶୁଣି ପାରିବେ । ତାଙ୍କୁ ଚିକୁର ଭାରି ଡର । ପାର୍ଥଙ୍କ ପ୍ରଶ୍ନକୁ ଏଠେଇ କହିଲା ।

 

କୌଶିକ୍ ଅଙ୍କଲ ଡାକନ୍ତି କଲି ।

 

କୌଶିକ୍‌ଙ୍କୁ ତୁମେ ଚିହ୍ନିଚ ? ପ୍ରଶ୍ନକରେ ସେ ।

 

ଆରେ ବାଃ ତାଙ୍କୁ ମୁଁ ଚିହ୍ନିବିନି । ସେ ପରା ମୋର ସବୁଠାରୁ ଭଲ ସାଙ୍ଗ ରୁପାର ଅଙ୍କଲ । ରୂପାର ବାର୍ଥଡେରେ ସେ ମତେ ତାଙ୍କ ସହିତ ପରିଚୟ କରାଇ ଦେଇଥିଲା । କୌଶିକ୍, ଅଙ୍କଲ କହିବାରୁ ମାମା ସିନା ମୋତେ ନାଚିବାକୁ ଛାଡ଼ିଥିଲେ । ଉତ୍ତର ଦେଲା ଚିକୁ ।

 

ଜଲି ନାମରେ ତୁମକୁ ଠିକ୍ ମାନିବ ଚିକୁ । ତୁମେ ଖାଲି ସୁନ୍ଦର ନାଚି ଜାଣିନ, ତୁମେ ସେମିତି ସୁନ୍ଦର, ତୁମ କଥା କହିବାର ଭଙ୍ଗୀ ସେଇଭଳି ଆହୁରି ସୁନ୍ଦର । ତୁମକୁ ଯିଏ ଦେଖିବ ଆଦର କରିବ । ତୁମ ସହିତ କଥାବାର୍ତ୍ତା କରି ମୋ ହୃଦୟ ପରିପୂର୍ଣ୍ଣ ହୋଇଗଲା । ତୁମ କଥା ମୁଁ ଭୁଲିପାରିବିନି । ଏଠାରୁ ଚାଲିଗଲେ ମଧ୍ୟ ଅନେକ ଦିନ ପର୍ଯ୍ୟନ୍ତ ତୁମ କଥା ମନେପକାଇବି । ଗମ୍ଭୀର ବିଷାଦ ଗଳାରେ ପାର୍ଥ କହିଥିଲେ ।

 

ଆପଣ କୁଆଡ଼େ ଯିବେ ? ପଚାରିଲା ଚିକୁ ।

 

ଦିଲ୍ଲୀ, ସେଇଠି ମୁଁ ରହେ । କହିଲେ ପାର୍ଥ !

 

ଆପଣଙ୍କର ସେଠାରେ କିଏ ଅଛି ? ମାନେ ମୋପରି ଝିଅ...

 

ନା, ମୁଁ ଆଉ ମୋ ବୋଉ କେବଳ । ଉତ୍ତର ଦେଲେ ସେ, ତାପରେ ପାର୍ଥଙ୍କ ହାତକୁ ଭିଡ଼ିଧରି କହିଲା ।

 

ଆମ ଘରକୁ ଆସନ୍ତୁ । ଏଇ ପାଖରେ ଆମର ଘର । ହେଇ ସେ ଯେଉଁଠି ନୀଳରଙ୍ଗ ପର୍ଦ୍ଦା ଝୁଲୁଚି, ସେଇଟା । କହି ଦୂରରେ ପର୍ଦ୍ଦା ଝୁଲୁଥିବା ଘରକୁ ଦେଖାଇ ଦେଲା ହାତରେ । ପାର୍ଥ ଚିକୁର ମୁହଁକୁ ଚାହିଁଲେ । ଅନେକ କରୁଣ ଭରାରେ ସେଇ ଚାହାଁଣୀର ଝଲକ ।

 

ପାର୍ଥ ଭାବିଲେ ଝିଅଟି ଯେ ଏତେ ସମୟ ହେଲା ତାଙ୍କ ସହିତ କଥା ହେଉଚି । ଅନ୍ୟ ସାଙ୍ଗ ସାଥୀ ସେମାନଙ୍କ ଘରକୁ ଫେରିଗଲେଣି, ସେ ଯାଇନି । ହୁଏତ ଘରେ ଗାଳି ଖାଇବ । ଏଇଥିପାଇଁ ତାଙ୍କୁ ଡାକି ନେଉଚି । ଛୋଟ ପିଲାଟିର ‘କୋମଳ ନରମ ମନରେ ଆଘାତ ଦେବାକୁ ଇଚ୍ଛା ହେଲାନି ତାଙ୍କର । ଚିକୁର ପଛେ ପଛେ ଅନୁସରଣ କଲେ ସେ । ଘରର ଗେଟ୍ ଖୋଲି ଚିକୁ ଆଉ ସେ ତାଙ୍କ ଘରେ ପଶିଗଲେ । ଡ୍ରଇଂ ରୁମରେ ନେଇ ପାର୍ଥଙ୍କୁ ବସାଇ କହିଲା,

 

ଆପଣ ଏଇଠି ବସନ୍ତୁ । ମୁଁ ମାମାଙ୍କୁ ଡାକି ଆସୁଚି । କହି ଦଉଡ଼ି ଦଉଡ଼ି ଚାଲିଗଲା ଚିକୁ ।

 

ଡ୍ରଇଂ ତୁମର ଚାରିଆଡ଼େ ଆଖି ବୁଲାଇ ଆଣିଲେ ପାର୍ଥ । ବିଶେଷ କିଛି ପରିପାଟୀ ନାହିଁ । କିନ୍ତୁ ପରିଷ୍କାର ଚକଚକ । କାନ୍ଥରେ କେବଳ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କର କାଠର ତିଆରି ମୂର୍ତ୍ତି ତିନୋଟି ମରାଯାଇଚି । ତା ପାଖରେ ଧୂପଦାନୀଟିଏ ରଖା ହୋଇଛି । ସେଣ୍ଟର୍ ଟେବୁଲରେ କେତୋଟି ପତ୍ରିକା ରଖା ହୋଇଚି । ମାର୍ଜିତ ଋଚିବୋଧର ସୁବିନ୍ୟସ୍ତ ସୁସଜ୍ଜିତ ଚତୁର୍ଦ୍ଦିଗ ଝଲମଲ୍ କରୁଚି । ସେଇଭଳି ମନେହେଲା ପାର୍ଥଙ୍କର ।

 

ଗାଧୁଆ ଘରୁ ବାହାରି ଆସିଲା ଅର୍ଚ୍ଚନା । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ନଗାଧୋଇଲେ ତାକୁ ଅସ୍ଵସ୍ଥି ଲାଗେ । ସନ୍ଧ୍ୟାରେ ଯେଉଁଦିନ ଗାଧୋଇନଥିବ ରାତିରେ ଭଲ ନିଦ ଲଗେନି । ସନ୍ଧ୍ୟାରେ ଗାଧେଇ ଡ୍ରଇଂ ରୁମରେ ଥିବା ତିନି ଠାକୁରଙ୍କ ପାଖରେ ଧୂପ ଜାଳି ପ୍ରଣାମ କରେ । ଆଉ କହେ, ‘‘ହେ ପ୍ରଭୁ କେଉଁ ପାପ ପାଇଁ ସବୁ ସୁଖରୁ ବଞ୍ଚିତ କଲ’’ ?

 

ମାମା, ମାମା, ଡାକି ଡାକି ଚିକୁ ତା ପାଖକୁ ଧାଇଁ ଆସିଲା ।

 

ପଢ଼ାପଢ଼ି ନକରି କେତେ ଖେଳୁଚୁ ? ପ୍ରଶ୍ନକଲା ଅର୍ଚ୍ଚନା ।

 

ତୁମେ ପରା ଆଜି କହିଥିଲ କାଲି ଏତେ ନାଚିଚୁ, ଆଜି ତୋର ଛୁଟି ବୋଲି

 

ମୁ‌ହଁକୁ ଗମ୍ଭୀର କରି ଚିକୁ କହିଲା ।

 

ଓଃ, ମନେନଥିଲା ମୋର ସେକଥା । ଚିକୁ ମୁହଁକୁ ଚାହିଁ ଅଳ୍ପ ହସି ଅର୍ଚ୍ଚନା କହିଲା

 

ତୁମର ତ କିଛି ମନେ ପଡ଼ୁନି । ସବୁକଥା ତୁମେ ଭୁଲିଯାଉଚ । ସେଦିନ କହିଲ କ୍ଲାସରେ ଫାଷ୍ଟ୍‍ ହେଲେ କଲରବକ୍‌ସ କିଣିଦେବି । ତୁ ଛବି ଆଙ୍କିବୁ ବୋଲି । କିଣି ଦେଇଚ ?

 

ମୁହଁକୁ ଗମ୍ଭୀର କରି ଚିକୁ କହିଲା ।

 

ଚିକୁକୁ କୋଳକୁ ଆଉଜାଇ ତା ମୁଣ୍ଡଟିକୁ ନିଜ ଛାତିରେ ଜାକିଧରି ଅର୍ଚ୍ଚନା କହିଲା,

 

ଚିକୁନି, ଚାଲ ବଜାରକୁ ଯିବା । ଆଜି ତୋ ପାଇଁ ନିଶ୍ଚୟ ଛବିଅଙ୍କା କଲରବକ୍‌ସ କିଣି ଆଣିଦେବି ।

 

ନାଇଁ, ତୁମେ ଆଗ ଚାଲିଲ । ଅର୍ଚ୍ଚନାର ଲୁଗାକାନିକୁ ଧରି ଅଳି କଲା ଚିକୁ ।

 

କୁଆଡ଼େ ? ପ୍ରଶ୍ନକଲା ଅର୍ଚ୍ଚନା ।

 

ଡ୍ରଇଂ ରୁମ୍‌କୁ । ଉତ୍ତର ଦେଲା ଚିକୁ ।

 

କାହିଁକି ? ପଚାରିଲା ଅର୍ଚ୍ଚନା ।

 

ମତେଯିଏ କାଲି ପ୍ରାଇଜ୍‌ ଦେଇଥିଲେ ନୁହେଁ, ସେ ଆମଘର ବାଟ ଦେଇ ଯାଉଥିଲେ । ମୁଁ ତାଙ୍କୁ ଆମଘରକୁ ଡାକି ଆଣିଚି । ସେ ଆମ ଡ୍ରଇଂ ରୁମରେ ବସିଛନ୍ତି । ତୁମେ ଚାଲ, କଥାବାର୍ତ୍ତା କରିବ । ସେ’ନା ଭାରି ଭଲ ! ଜାଣିଚ ମାମା ? ତାଙ୍କର କୁଆଡ଼େ, ମୋ ପରି ଖାଲି ମାଆ ଅଛନ୍ତି । କେତେ ମଜାକଥା ।

 

ତାପରେ ଅର୍ଚ୍ଚନାକୁ ଟାଣିନେଇ ଡ୍ରଇଂରୁମ୍‌ବାଟରେ ମଇନାକୁ ଖୋଜିବା ଉଦ୍ଦେଶ୍ୟରେ ବାହାରକୁ ବାହାରିଗଲା ଚିକୁ ।

 

ଡ୍ରଇଂ ରୁମ୍‌ରେ ଚେୟାର ଉପରେ ବସି ପତ୍ରିକା ଉପରେ ଦୃଷ୍ଟି ପକାଉଥିଲେ ପାର୍ଥ । ପଛରୁ ଶୁଭିଲା,

 

ନମସ୍କାର ।

 

ପ୍ରତିନମସ୍କାର ଜଣାଇବା ପାଇଁ ପତ୍ରିକାଟିକୁ ଟେବୁଲ୍ ଉପରେ ଥୋଇଦେଇ ହାତ ଉଠାଇ ନମସ୍କାର କଲା ବେଳକୁ ଅଟକି ଯାଇଥିଲା ତାଙ୍କର ହାତ ଦୁଇଟି । ବିଶ୍ୱାସ କରିପାରୁନଥିଲେ ଯେମିତି ।

 

ଅନେକ ବର୍ଷପରେ ପାର୍ଥ ଦେଖିଲେ ଅର୍ଚ୍ଚନାକୁ । ସାଧାରଣ ଆଭରଣ । ଶୁଭ୍ରବସନ । ସଦ୍ୟସ୍ନାତା ଅର୍ଚ୍ଚନାର ସ୍ନିଗ୍‌ଧ କଲ୍ୟାଣୀ ରୂପ । ଦୀର୍ଘ ଏତେ ଗୁଡ଼ାଏ ବର୍ଷପରେ ଦେଖି ମଧ୍ୟ ତାକୁ ଚିହ୍ନିବାରେ ତାଙ୍କର ଏତେ ଟିକେ ସମୟ ଲାଗିଲାନି । ସ୍ଥିର ଅପଲକ ଦୃଷ୍ଟିରେ କିଛି ସମୟ ଧରି ଅନାଇଁ ରହିଲେ ତା ମୁହଁକୁ, ଶାନ୍ତ, ସ୍ନିଗ୍‌ଧ, ସମୁଜ୍ଜ୍ୱଳ ଲାବଣ୍ୟ ।

 

ଏଇ ମୁଁହଟିକୁ କେନ୍ଦ୍ରକରି ତାଙ୍କ ଜୀବନର ଛନ୍ଦପତନ ଘଟି ଯାଇଚି । ସବୁ ସରସତା ମଉଳି ଯାଇଚି । ତାଙ୍କ ଜୀବନଟା ହେଇଯାଇଚି ସାହାରାର ମରୁଭୂମି ।

 

ଅର୍ଚ୍ଚନା ଦେଖିଲା ପାର୍ଥଙ୍କୁ । ସେ ଇମିତି ଅନେକ ବର୍ଷ ବ୍ୟବଧାନରେ । ପାର୍ଥଙ୍କର ଶରୀରର ଉଜ୍ଜ୍ୱଳ ରଙ୍ଗ ମଳିନ ପଡ଼ିଲା ପରି ଅର୍ଚ୍ଚନା ଆଖିକୁ ଜଣାଗଲା । ଯଦିଓ ହାତରେ ଗଣିଲା ଭଳି ଦୁଇଥର ସେ ତାଙ୍କୁ ଦେଖିଥିଲା, ତଥାପି ଚିହ୍ନିଲା । ପାର୍ଥଙ୍କର ରୂପ ସବୁକିଛି ତା ହୃଦୟ ଭିତରେ ଆଙ୍କି ହୋଇ ରହିଚି । ସେ ଅନେକ ଦିନରୁ । ଏଇ ମଣିଷଟି ପାଇଁ ଜୀବନର ସମସ୍ତ ରଙ୍ଗ ମରିଯାଇଚି, ଶୈଳୀ, ସୁଷମା ହଜିଯାଇଛି, କେବଳ ସେ ଲୁହରେ ଭାସିଯାଇଚି । ଏଇ ମଣିଷଟି ପାଇଁ ତ ଅର୍ଚ୍ଚନାର ନାରୀ ଜୀବନ ଅସଂପୂର୍ଣ୍ଣ ହୋଇଯାଇଚି । ଜୀବନଯୁଦ୍ଧରେ ହାରି ଯାଇଥବା ସୈନିକ ଭଳି ପାର୍ଥଙ୍କୁ ମନେ ହୋଇଥିଲା । ହୁଏତ ଜୀବନର ଶୂନ୍ୟତା ଭରିବା ପାଇଁ ଆଉ କେହି ତାଙ୍କ ଜୀବନକୁ ଆସିପାରିନି ।

 

ପାର୍ଥ ଆଉ ଅର୍ଚ୍ଚନା, ନିରବ ଭାବରେ କିଛି ସମୟ ପରସ୍ପରକୁ ଆଶ୍ଚର୍ଯ୍ୟ ହୋଇ ଚାହଁ ରହିଲେ । ଚେତନାଶୂନ୍ୟ ହୋଇଯାଇଥିଲେ । ଦୁହିଁଙ୍କ ଭିତରେ ପ୍ରଶ୍ନ ଜାଗି ଉଠିଥିଲା, ୟେ କ’ଣ ସ୍ଵପ୍ନ ନା ସତ୍ୟ ? ତନ୍ମୟତା ଭାଙ୍ଗି ପାର୍ଥ ପ୍ରଥମେ କଥା କହିଲେ । ସେ ପଚାରିଲେ,

 

କସ୍ତୁରୀ, ମାନେ ଚିକୁ, ତାହେଲେ ତୁମରି ଝିଅ ? ତୁମଝିଅ, କିନ୍ତୁ ତୁମପରି ନୁହେଁ । ଭାରି ଚଞ୍ଚଳ । ଅତିମାତ୍ରାରେ ଜଲି । ଆନନ୍ଦଦାୟକ ତାର ପ୍ରତ୍ୟେକ ଆଚରଣ । ଚିକୁ ଭଳି ଝିଅ ଯାହାର ସେ ବହୁତ ଭାଗ୍ୟବାନ୍ । ଅର୍ଚ୍ଚନା ଅନେକକ୍ଷଣ ଧରି ନିରବ ରହିଥିଲା । ତା ପରେ ମୁହଁକୁ ତଳକୁ କରିଦେଲା । ସତେ ଯେମିତି ଝରିଯିବ ତା ଆଖିରୁ ଆଷାଢ଼, ଶ୍ରାବଣର ଦୁଇଟି ଧାରା ।

 

ତାର ନିରବତାକୁ ଲକ୍ଷ୍ୟ ନ କରି ପାର୍ଥ କହିଚାଲିଲେ,

 

ତୁମର ନିଭୃତ ଘରକରଣା ଦେଖି ବାସ୍ତବିକ୍ ମୋତେ ଭାରି ଭଲ ଲାଗିଲା । ଆଉ ତୁମ ସ୍ଵାମୀ ? ମାନେ ମିଷ୍ଟର ମହାପାତ୍ର ?? ତାଙ୍କ ସହିତ ଆଳାପ କରାଇ ଦେବନି ???

 

ଅର୍ଚ୍ଚନା ଭାବିଲା ସତେକ’ଣ ପାର୍ଥ ଚାହାନ୍ତି ଅର୍ଚ୍ଚନାର ସ୍ଵାମୀ ସହିତ ଆଳାପ କରିବାପାଇଁ ? ତାଙ୍କ ସହିତ ଯଦି ପାର୍ଥଙ୍କର ଆଳାପ ହୁଅନ୍ତା ! ପାର୍ଥ କ’ଣ ସୁଖୀ ହୁଅନ୍ତେ ? ପାର୍ଥ ଯେ ଆଉଥରେ ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି, ଏକଥା ସେ ଜାଣିପାରିଚି । କାରଣ ଚିକୁ ତାକୁ କହିଚି ଚିକୁଭଳି ତାଙ୍କର କେବଳ ମାଆ ଅଛନ୍ତି । ତା ପରେ ଆସ୍ତେ ଭଙ୍ଗରଣ କଲା,

 

ସ୍ଵାମୀ ?

 

ଅର୍ଚ୍ଚନା ମୁହଁକୁ ଚାହିଁଲେ ପାର୍ଥ । ଅର୍ଚ୍ଚନାର ମୁହଁ, ଆଖି, ସର୍ବୋପରି ହସିବା ଭଙ୍ଗୀ ସବୁ କରୁଣ ଆଉ ବିଷନ୍ନ ମନେ ହେଲା । ସେ ଲକ୍ଷ୍ୟକଲେ ସତେ ଯେମିତି ପୃଥିବୀର ସମସ୍ତ କାରୁଣ୍ୟ ଅଜାଡ଼ିହୋଇ ପଡ଼ିଚି ଅର୍ଚ୍ଚନା ମୁହଁରେ । ଅର୍ଚ୍ଚନାର ସେଇ ହସ ଟିକକ ସୁଖର କି ଦୁଃଖର, ସନ୍ଦେହରେ ପଡ଼ିଲେ । ତା ଜୀବନର ଅନେକ କଥା ଜାଣିବା ପାଇଁ ମନରେ କୌତୁହଳ ଜାଗିଲା । ପ୍ରଶ୍ନକଲେ ସେ,

 

ତୁମ ସ୍ଵାମୀ କ’ଣ ଏଇଠି ନାହାନ୍ତି ?

 

ମୁହଁକୁ ତଳକୁ ପୋତିଦେଲା ଅର୍ଚ୍ଚନା । ପାର୍ଥଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇପାରିଲାନି ସେ ।

 

ଓଃ, ତା ମାନେ ତୁମ ସ୍ଵାମୀ ତାହେଲେ.... । ଆଉ କିଛି କହି ପାରିଲେନି । ସତେ ଯେମିତି ବୁଝିଲେ ଅର୍ଚ୍ଚନା ବିଧବା ।

 

ପାର୍ଥଙ୍କ କଥା ଶୁଣି କୋହଭରା କଣ୍ଠରେ ଅର୍ଚ୍ଚନା କହିଲା ।

 

ନା, ମୋର ସ୍ଵାମୀ ବୋଲି କେହି ନାହାନ୍ତି । ବିବାହ ନ କରି ମଧ୍ୟ ଅନେକ ସନ୍ଦେହ କରନ୍ତି ମୁଁ ବିଧବା । ଯେମିତି ତୁମେ ସନ୍ଦେହ କରିଚ । କିନ୍ତୁ ତୁମେ ? ତୁମେ ଏତେ ନିଷ୍ଠୁର । ମୋତେ ଦେଖି ତଥାପି ବୁଝିପାରୁନ ଯେ, ସବୁ ସୁଖରୁ ବଞ୍ଚିତା ମୁଁ ଏକ ନାରୀ ।

 

ଅର୍ଚ୍ଚନା ମୁହଁକୁ ଚାହଁ ପାର୍ଥ ପ୍ରଶ୍ନକଲେ ?

 

ନିଷ୍ଟୁର ! ମୁଁ ? ନା, ତୁମେ ?

 

କିନ୍ତୁ ତୁମ ଝିଅ ?

 

ହଁ, ଚିକୁ ମୋ ଝିଅ । ସେ କେବଳ ମୋର । ଅଭିପ୍‌ସାରୁ ମୁଁ ତାକୁ କସ୍ତୁରୀ କରିଦେଇଚି-। ମୃଗ ନାଭିରୁ କସ୍ତୁରୀର ଉତ୍ପତ୍ତି । କସ୍ତୁରୀ ଯେପରି ସୁବାସିତ କରେ ଚିକୁ ସେଇପରି ମୋର ଶୂନ୍ୟ ଜୀବନକୁ ସୁବାସିତ କରିଚି । ମତେ ବଞ୍ଚାଇ ରହିବାର ଉପାଦାନ ଯୋଗାଇଚି । ମୁଁ ତାର ମାଆ-। ଶ୍ରୀକୃଷ୍ଣଙ୍କୁ ଜନ୍ମ ନ ଦେଇ ମଧ୍ୟ ଯୁଗ ଯୁଗ ଧରି ଯଶୋଦା ଶ୍ରୀକୃଷ୍ଣଙ୍କ ଜନନୀ ହୋଇ ରହିଲେ-। ସେଇଭଳି ମୁଁ ଅନ୍ୟ ଏକ ଯଶୋଦା । ଦେବକୀ ହୋଇ ପାରିଲିନି ବୋଲି ମୁଁ କ’ଣ ଯଶୋଦା ହୋଇପାରିବିନି । କୋହଭରା କଣ୍ଠରେ ପାର୍ଥଙ୍କୁ କହିଲା ।

 

ତେବେ ଚିକୁର ନାଁ କସ୍ତୁରୀ ମହାପାତ୍ର ? ଆଶ୍ଚର୍ଯ୍ୟ ହୋଇ ପଚାରିଲେ ପାର୍ଥ ।

 

ପାର୍ଥଙ୍କୁ ଚିକୁର ପ୍ରକୃତ ପରିଚୟ ଦେବାକୁ ଯାଇ ସେ କହିଥିଲା ଚିକୁ, ସୁମନ୍‌ର ଝିଅ । ସେ ଏ ପୃଥିବୀର ଚିର ବିଦାୟ ଦେଲାବେଳେ ଚିକୁର ଦାୟିତ୍ଵ ଅର୍ଚ୍ଚନାକୁ ଦେଇ ଯାଇଥିଲା । ଦୁନିଆଁ ଆଖିରେ ସୁମନ୍ ତାର ସନ୍ତାନକୁ ଅବାଞ୍ଛିତ, ଅପରିଚିତ ନ ହେବାକୁ ଦିନେ ପାର୍ଥଙ୍କୁ ଅଳି କରିଥିଲା । ପାର୍ଥଙ୍କ ପରିଚୟରେ ସୁମନ୍‌ର ସନ୍ତାନ ପରିଚିତ ହେବ ବୋଲି ପାର୍ଥ ତାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ସେଇ ନିର୍ଭର ପ୍ରତିଶ୍ରୁତି ଯୋଗୁ କସ୍ତୁରୀର ନାଁ ପଛରେ ଅର୍ଚ୍ଚନା ପାର୍ଥଙ୍କର ପଦବୀ ରଖିଥିଲା । ଏଇ ସବୁକଥା ଜଣାଇ ଦେଇଥିଲା ଅର୍ଚ୍ଚନା । ଆଉ ମଧ୍ୟ ପାର୍ଥଙ୍କୁ ଜଣାଇ ଦେଇଥିଲା ଯେ ଚିକୁ ଜାଣେ ଅର୍ଚ୍ଚନା ତାର ମାଆ ବୋଲି ।

 

ଅର୍ଚ୍ଚନା କଥାଶୁଣି ପାର୍ଥ କହିଲେ :—

 

ଆଇନ୍ ଦୃଷ୍ଟିରୁ ଚିକୁ ତାହେଲେ ମୋ ଝିଅ ? ପାର୍ଥଙ୍କ କଥା ସରିବାକୁ ନ ଦେଇ ଅର୍ଚ୍ଚନା ଉଦ୍‌ବିଘ୍ନଭାବରେ ପ୍ରଶ୍ନକଲା :

 

: ତମେ ତାକୁ ମୋ ପାଖରୁ ନେଇଯିବ ? ବିଶ୍ୱାସ କର । ଏଇ ଚିକୁଛଡ଼ା ଏତେବଡ଼ ପୃଥିବୀରେ ମୋର ନିଜର ବୋଲି କେହି ନାହିଁ । ତାକୁ କେନ୍ଦ୍ର କରି ମୁଁ ଘୁରୁଚି । ମୋର ବଞ୍ଚି ରହିବାର ପ୍ରେରଣା, ଉତ୍ସ, ସବୁକିଛି ତାରିପାଇଁ । କହିସାରି ଝରକା ନିକଟରୁ ଚାଲି ଯାଇ ରେଲିଂରେ ମଥାକୁ ରଖି ଶୂନ୍ୟ ଆକାଶକୁ ଚାହିଁ କୋହଭରା କଣ୍ଠରେ କହିଲା ।

 

: ସୁନ୍ଦର ସାବଲୀଳ ପରିପୂର୍ଣ୍ଣ ସଂସାର ଗଢ଼ିବାର ସ୍ଵପ୍ନ ଦେଖିଥିଲା ସେ । ଅପରିପିକ୍ୱ ବୟସରୁ ଜଣଙ୍କର ପତ୍ନୀ ହେବାର କଳ୍ପନା କରିଥିଲା । ତାଙ୍କ ପାଇଁ ହୃଦୟ ଭିତରେ ଜାଗିଥିଲା ଭଲପାଇବାର ପାଦପ୍ରଦୀପ ଫିକା ହୋଇଗଲା । ହୃଦୟରେ ଗଢ଼ିଥିବା ସ୍ଵପ୍ନର ମହଲ ଭାଙ୍ଗିଯାଇ ଧ୍ଵଂସସ୍ତୁପରେ ପରିଣତ ହୋଇଗଲା । ଜଣେ ନିଷ୍କଳଙ୍କ ଚରିତ୍ରକୁ ଚରିତ୍ରହୀନ ମନେକରି ସେ ତା ଜୀବନର ସବୁଠାରୁ ବଡ଼ ସଂପଦ ହରାଇ ଦେଲା । ସବୁ ସୁଖରୁ ବଞ୍ଚିତ ହୋଇ ଜଳି ଜଳି ନିଶେଷ ହୋଇ ଯାଇଛି । କହି କାନ୍ଦିଉଠିଲା । ପାର୍ଥ ଚାହଁଲେ ଅର୍ଚ୍ଚନା ମୁହଁକୁ । ନିରବରେ ମଥା ଅବନତ କରି ପ୍ରବଳ ବେଗରେ କାନ୍ଦୁଥିଲା ଅର୍ଚ୍ଚନା । ସତେ ଯେମିତି ଜୀବନ ଯୁଦ୍ଧରେ ହାରିଯାଇଥିବା ପରାଜିତା ନାୟିକା । ଶୂନ୍ୟ କପାଳ, ଶୂନ୍ୟ ଆଭରଣ, ଶୁଭ୍ର ବାସନା । ସବୁ ସୁଖରୁ ନିଜକୁ ବଞ୍ଚିତ କରି ଦେଇଚି । ବିରାଟ ଶୂନ୍ୟତା ଭିତରେ ଅର୍ଚ୍ଚନା ଏକା । ବଡ଼ ଏକା । ଆହାତା ହୃଦୟର ନିସ୍ତରଙ୍ଗ ନଦୀରେ ଜୁଆର ଉଠିଲେ ଆଉ କେହି ଜାଣି ପାରିବେନି । ଜାଣିଥିଲେ ଜାଣିଥାନ୍ତେ ପାର୍ଥ ।

 

ପରିଣତ ବୟସର କୁମାରୀ କନ୍ୟା ଅର୍ଚ୍ଚନା । ନିରବ ଅଶ୍ରୁଧାରାକୁ ଶାସନ କରିପାରିଲାନି । ଛାତିଭିତରେ ଆବଦ୍ଧ ରହିଥିବା ଅନେକ ଦିନର ଉଦ୍‌ଗତ ଭାବନା ଭାଙ୍ଗିଗଲା । ବାଧାମୁକ୍ତ ଅଗ୍ନେୟଗିରିରୁ ଉତ୍ତପ୍ତ ଲାଭା ଝରି ଆସିଲାପରି, ମନ ଭିତରେ ଜମା ହୋଇଥିବା ବଞ୍ଚିତ ବେଦନା ଅଶ୍ରୁରୂପରେ ଆତ୍ମପ୍ରକାଶ କଲା । ଆଷାଢ଼ ଶ୍ରାବଣରେ ବାରିଧାରାପରି ଝରିଆସିଲା ତା ନେତ୍ର ପରିଧିରୁ ଅନେକ ଲୁହ । ଗତିରୋଧ କରିପାରିଲାନି ସେ । ଅଶ୍ରୁର ଗତି ଅବାଧ ଆଉ ପ୍ଲାବନୀ । କେବଳ ଲୁହରେ ଭାସିଗଲା ଅର୍ଚ୍ଚନା ।

 

ସୁକଠିନ ନିରବତା ଭିତରେ କିଛିସମୟ ଅତିବାହିତ ହୋଇ ଯାଇଥିଲା । ପାର୍ଥ ଭାବିଲେ କେଉଁ ପାପ ପାଇଁ ଅର୍ଚ୍ଚନା ଏତେବଡ଼ ଶାସ୍ତି ପାଇଲା ? କେମିତି, କିପରିଭାବରେ ସେ ତାକୁ ସାନ୍ତ୍ୱନା ଦେବେ ଭାବିପାରିଲେନି । ତା ପରେ ସବୁ ଆଦର୍ଶକୁ ଭୁଲିଯାଇ ଅର୍ଚ୍ଚନାର ଅତିନିକଟକୁ ଲାଗିଗଲେ । ଇଚ୍ଛା ହେଉଥିଲା, ନିଜ ଛାତିରେ ମଥାଟାକୁ ତାର ଆଉଜାଇ ଦିଅନ୍ତେକି ? ପାରିଲେନି । ଅର୍ଚ୍ଚନାର କ୍ରନ୍ଦନରତା ଅଧୋନତ ମୁହଁଟିକୁ ଟେକିଧରି ତା ଆଖିରୁ ଲୁହ ପୋଛି ଦେଇ ଡାକିଲେ ।

 

ଚିନୁ ?

 

ନିର୍ବାନ୍ଧବ ସଂସାରରେ ପାର୍ଥଙ୍କର ସେଇ ସମ୍ବୋଧନ ବହୁ ପରିଚିତର ସ୍ଵାକ୍ଷର ବହନ କରି ଆଣିଲା । ସେ ସମ୍ବୋଧନ ବଡ଼ ମଧୁର । ମମତାପୂର୍ଣ୍ଣ । ଅନେକ ଦିନୁ ଏମିତିଭାବରେ କେହି ତାକୁ ଡାକି ନଥିଲେ । ସେ ଡାକଶୁଣି ଛାତି ଭିତରେ କଳଙ୍କି ଲାଗିଥିବା ତାରଗୁଡ଼ିକ ପୁଣି ରୁଣ୍‍ଝୁଣ୍ ହୋଇ ବାଜିଉଠିଲେ ।

 

ଅର୍ଚ୍ଚନାର ମୁହଁକୁ ବଳିଷ୍ଠ ଆକର୍ଷଣୀୟ ଚାହଁଣୀ ଚାହିଁ ପାର୍ଥ କହିଥିଲେ, ବହୁ ବାସନା ଭରା ତାଙ୍କର ବାସର ରାତି । ଯେଉଁରାତି ପ୍ରତ୍ୟେକଙ୍କ ପାଇଁ ଆସେ । ତାଙ୍କ ପାଇଁ ଆସିଥିଲା । ଆସିବା ପୂର୍ବରୁ ନଷ୍ଟ ଭ୍ରଷ୍ଟ ହୋଇ ଯାଇଥିଲା । ଯାହାକୁ ପାଇବା ପାଇଁ ତପସ୍ୟା କଲାଭଳି ସେ କଠିନ ତପସ୍ୟା କରିଥିଲେ ତାକୁ ପାଇ ନ ଥିଲେ । ଜୀବନ ଯୁଦ୍ଧରେ ହାରିଯାଇ, ଲକ୍ଷଭ୍ରଷ୍ଟ ନାବିକ ପରି ଭାସି ଯିବାବେଳେ, ଆଉ ଜଣକର ସାହାଯ୍ୟ ସହାନଭୂତି ପଥ ଦେଖାଇଲା । ହେଲେ ସେ ଭୁଲିପାରି ନ ଥିଲେ ଜୀବନର ସେଇ ମାନସୀ ବଧୂକୁ । ଯାହାର ଦୃଷ୍ଟିରେ ସେ କଳଙ୍କିତ ନାୟିକ ହୋଇ ଯାଇ ଥିଲା । କର୍ତ୍ତବ୍ୟ ଭିତରେ ଯେତେ ନିଜକୁ ହଜାଇଥିଲେ ମଧ୍ୟ ଦିନରାତି ଅସହ୍ୟଜ୍ୱଳନରେ ସେ ଜଳି ଜଳି ହୁଏତ ନିଃଶେଷ ହୋଇ ଯାଇଥିଲେ ।

 

ତା ପରେ ଅର୍ଚ୍ଚନା ଆଖିରେ ଆଖିମିଳାଇ ସ୍ଥିର ଗମ୍ଭୀର ଚାହାଣୀ ଚାହିଁ କହିଲେ,

 

କିନ୍ତୁ ତୁମେ ଏ କ’ଣ କଲ ଚିନୁ ? ବିନା ବିଚାରରେ ଏତେବଡ଼ କଠିନ ମାନସିକ ଶାନ୍ତି ଦେଇ କେମିତି ଦୂରେଇ ଯାଇପାରିଲ ? କୌଣସି ଦୋଷ ନକରି ମଧ୍ୟ ତୁମ ଆଗରେ ଘୃଣିତ, କଳଙ୍କିତ ଚରିତ୍ରହୀନ ହେଇଗଲି ?

 

ଜାଣ, ଏତେବଡ଼ ପ୍ରତିଷ୍ଠା ମୋର, ଅନେକ ସମ୍ମାନର ଅଧିକାରୀ ହୋଇ ମୁଁ କେତେ ଦୁଃଖି । କେତେ ବଡ଼ ଭୟାବହ ଶୂନ୍ୟତା ମୋ ଜୀବନରେ ? ମୋର ଏଇ ଅବସ୍ଥା ଦେଖି ଚିର ଦୁଃଖି ବୋଉର ଆଖିରୁ ଦିନରାତି ଝରିଯାଇଚି ନିରବ ଅଶ୍ରୁଧାର । ଆଉଥରେ ବିବାହ କରିବା ପାଇଁ ଅନେକ ବୁଝାଇଚି ସେ ମୋତେ । ମୁଁ ପାରିନି । ମୁଁ ତୁମକୁ ଭୁଲିପାରିନି ଅର୍ଚ୍ଚନା । କହି ଅର୍ଚ୍ଚନାର ହାତ ପାପୁଲିକୁ ଆଉଁସି ଆଣିବାବେଳେ । ଦେଖିଲେ ତାଙ୍କରି ନାମାଙ୍କିତ ସେହି ନିର୍ବନ୍ଧର ମୁଦ୍ରିକାଟିକୁ ।

 

ତାପରେ କହିଲେ ।

 

: ତୁମକୁ କିଏ କ’ଣ ଭୁଲିପାରେ । ରାତିର ନିସ୍ତଦ୍ଦ ପ୍ରହରରେ ସ୍ତଦ୍ଦ ମୁହୂର୍ତ୍ତରେ ମୁଁ ତୁମକୁ ଦେଖିପାରେ । ତୁମ ଆଖିରେ ଥାଏ ଅନେକ ଘୃଣାଭାବ । ଅନେକ ଖୋଜିଛି ମନେ ମନେ ତୁମକୁ । ଦେଖାଇ ଦେବାକୁ ଯେ ମୁଁ ଚରିତ୍ରହୀନ ନୁହେଁ । ସଂଯମ ହୀନ, ଅମଣିଷ କାମୃକ ପୁରୁଷ ନୁହେଁ । ବିଶ୍ଵାସକର, ତୁମ ଭିନ୍ନ ଅନ୍ୟକୌଣସି ନାରୀର କଳ୍ପନା ମୋ ହୃଦୟକୁ କେବେ ପ୍ରବେଶ କରିନି । ତୁମରି ହାତବୁଣା ସୁଟେରଟିକୁ ଅମୂଲ୍ୟନିଧି ପରି ସାଇତି ରଖିଚି । ରାତିର ନିରୋଳା ନିଭୃତରେ ତାକୁ ଦେଖେ, କାରଣ ସେଥିରେ ଥାଏ ତୁମ ହାତର ସ୍ଵର୍ଗ । ଅନେକ ଭଲପାଇବା ଦେଇ ଯାହାକୁ ତୁମେ ମୋ ପାଇଁ ଦିନେ ତିଆରି କରିଥିଲ ।

 

ଅର୍ଚ୍ଚନା ସେଇମିତି ମୁହଁ ତଳକୁ କରି ଠିଆ ହୋଇଥାଏ । ତାର ନରମ କୋମଳ ହାତ ପାପୁଲିଟିକୁ ନିଜର ବଳିଷ୍ଠ ହାତମୁଠାରେ ଚାପିଧରିଲେ ପାର୍ଥ । ଦୁଇଟି ପାପୁଲି ଝାଳେଇଗଲା । ଦୁହେଁ ସ୍ପନ୍ଦନ ଅନୁଭବ କଲେ ହୃଦୟରେ । ମନ ଭିତରେ । ଅର୍ଚ୍ଚନାର କାନ୍ଧରେ ହାତପକାଇ ପାର୍ଥ କହିଲେ ।

 

କୁହ ଚିନୁ, ଭୁଲ୍ କାହାର ?

 

ଭୁଲ୍ ତୁମର,

 

ନା, ଭୁଲ୍ ମୋର ??

 

କିମ୍ବା ଆମ ଦୁଇଜଣଙ୍କର । ଅଦୃଷ୍ଟ ଭାଗ୍ୟଲିପିରେ ଏମିତି ବିଭାଜକ ରେଖା ଟାଣି ହୋଇଯିବ ବୋଲି ଲେଖା ହୋଇଥିଲା.....

 

ପାର୍ଥଙ୍କର ସ୍ପର୍ଶରେ ଅନାଘାତ ସୁଖ ଅନୁଭବ କଲା ଅର୍ଚ୍ଚନା । ସେଇ ସ୍ପର୍ଶ ଟିକକ ଅର୍ଚ୍ଚନା ଶରୀର ଭିତରେ ପ୍ରତ୍ୟେକ ଶିରା, ଉପଶିରା ଆଉ ହୃଦୟର ପ୍ରତ୍ୟେକ ତନ୍ତ୍ରୀ ଦେଇ ପ୍ରବାହିତ ହୋଇଗଲା । ଗୋପନ, ସଂଗୋପନ ମଧୁର ସ୍ପନ୍ଦନ ତାକୁ ଛୁଇଁ ଛୁଇଁ ଗଲା ।

 

ତାର ଅଯତ୍ନ କର୍ଣ୍ଣ କୁନ୍ତଳଙ୍କୁ ନିଜ ହାତରେ ସାଉଁଳି ଆଣି ପାର୍ଥ କହିଲେ, ମଣିଷ ଜୀବନରେ ବିପର୍ଯ୍ୟୟ ଆସେ । ହେଲେ ସେ ବିପର୍ଯ୍ୟୟ ଅନିତ୍ୟ । ତା ଭିତରେ ଦୃଢ଼ତା ନଥାଏ । ବିପର୍ଯ୍ୟୟ ପରେ ଦୃଢ଼ କରିଦିଏ ମଣିଷ ମନକୁ । ନିରବଶ୍ରଦ୍ଧା, ନିରବପ୍ରେମ, ନିରବ ଆତ୍ମତ୍ୟାଗ, ଆମେ ଦୁହେଁ ଜଣେ ଜଣକ ପାଇଁ କରିଚେ । ମୋ ହୃଦୟର ଚିରନ୍ତନ ସାମୂତମୟୀ ନାରୀ ତୁମେ । ଯେଉଁ ନାରୀର ସ୍ମୃତି ମୁଁ, ମୋ, ହୃଦୟର କଣରେ, ଅନୁକରଣରେ ଗଭୀର ଭାବରେ ଅନୁଭବ କରିଛି । ସେ ଅନୁଭବ ଭାଷାରେ ପ୍ରକାଶ କରିବା ମୋ ପକ୍ଷରେ ଅସମ୍ଭବ । ତୁମ ସହିତ ଦେଖା ସାକ୍ଷାତ ନହୋଇ ମଧ୍ୟ ଶୁଣି ଶୁଣି ଭଲ ପାଇଥିଲି । ତୁମକୁ ଦେଖିଲା ପରେ ତୁମର ସବୁକିଛି ମତେ ମୋହାଚ୍ଛନ୍ନ କରିପକାଇଥିଲା । ତୁମସହିତ କେତୋଟି ମୁହୂର୍ତ୍ତର ଦେଖା, ମୋ ମନ ଗନ୍ତାଘରେ ଅମୂଲ୍ୟନିଧିଭଳି ସାଇତି ରଖିଚି । ମୋ ଭଲ ପାଇବାରେ ଦେହର କ୍ଷୁଧା ନଥିଲା । ଲୋଭ ନଥିଲା-। ସେ ଭଲ ପାଇବା କ’ଣ ପ୍ରକୃତ ଭଲ ପାଇବା ନୁହେଁ ? ତୁମେ ମୋ ଆଖିରେ ଅନନ୍ୟା । ତୁମେ ମୋର ବାଗ୍‍ଦତ୍ତାବଧୂ । ତୁମକୁ ଉପେକ୍ଷା କରି ମୁଁ ଅନ୍ୟ କାହାକୁ କୌଣସି ଦିନ ଭଲପାଇନି-

 

ତାପରେ ଅର୍ଚ୍ଚନାର ଚିବୁକ ସ୍ପର୍ଶ କରି ପ୍ରଶ୍ନକଲେ ।

 

ମୋ, ମୁହଁକୁ ଚାହିଁ କୁହ ଚିନୁ, ଏବେ ତୁମେମତେ ଭଲ ପାଅନି ବୋଲି ?

 

ପାର୍ଥଙ୍କର ଏଇଭଳି ପ୍ରଶ୍ନରେ ଅର୍ଚ୍ଚନା ହୃଦୟରେ ମିଳନରାଗ ଆଳାପ, ସ୍ଥାୟୀ, ଅନ୍ତରା, ବିଳମ୍ବିତ ଲୟରୂ ଦ୍ରୁତଲମ୍ବରେ ଶେଷ ପର୍ଯ୍ୟାୟରେ ପହଞ୍ଚିଗଲା ।

 

ଅର୍ଚ୍ଚନା ଚାହିଁଲା ପାର୍ଥଙ୍କୁ । ପାର୍ଥ ଚାହିଁଥିଲେ ଅର୍ଚ୍ଚନା ମୁହଁକୁ । ଦୁଇଜଣଙ୍କର ଦୃଷ୍ଟି ବିନିମୟ ହେଲା ଅର୍ଚ୍ଚନାର ମନଉପବନରେ ଅନେକ ଦିନର ପତ୍ର, ପୁଷ୍ପବିହୀନ ଥୁଣ୍ଟା ଗଛଟି ହଠାତ୍ ଶାଖା, ପ୍ରଶାଖା ମେଲି ହୋଇ ପତ୍ର, ପୁଷ୍ପରେ ଛାଇ ହୋଇଗଲା । ତା ମନରେ ଶୁଷ୍କ ବୈଶାଖ ପରିବର୍ତ୍ତେ ବସନ୍ତର ଆବିର୍ଭାବ ହେଲା ।

 

ଅର୍ଚ୍ଚନା ଦେଖିଲା ପାର୍ଥଙ୍କ ଦୃଷ୍ଟିରେ କ୍ଷମା ସୁନ୍ଦର ହସର ଝଲକ । ପ୍ରଶାନ୍ତ, ଗମ୍ଭୀର ଆଉ ହାସ୍ୟେଜ୍ଜ୍ୱଳ ଦୃଷ୍ଟି ନେଇ ପାର୍ଥ ତାକୁ ଅନାଇଁ ରହିଚନ୍ତି । ଅନୁମାନ କଲା ଅର୍ଚ୍ଚନା, ପାର୍ଥଙ୍କର ବୟସ ହୁଏତ ଚାଳିଶ୍ ପାଖାପାଖି । ଚଷମା ପିନ୍ଧୁଛନ୍ତି । କାନ ପାଖରେ ଥିବା କେଶ । ତମ୍ବାଳିଆ ଦେଖାଯାଉଚି । କପାଳରେ ଝୁଲିପଡ଼ିଚି ଅଯତ୍ନଭାବରେ କେତେଟା କେଶ । ଆଖିରୁ ଚଷମାଟା କାଢ଼ି ଆଖି ପୋଛିଲେ ସେ । ତାଙ୍କ ଆଖିରୁ ହୁଏତ ଲୁହଝରି ଆସିଚି । ସେ ଲୁହ ନିଶ୍ଚୟ ଆନନ୍ଦର । ଏଇକଥା ଅର୍ଚ୍ଚନାର ମନେ ହେଲା । ଯଦିଓ ଜୀବନ ଯୁଦ୍ଧର ଅନେକ ଯନ୍ତ୍ରଣା ସହ୍ୟକରି ପାର୍ଥ କ୍ଳାନ୍ତଶ୍ରାନ୍ତ, ତଥାପି ଅର୍ଚ୍ଚନା ଆଖିରେ ପାର୍ଥଙ୍କ ମୁହ ସୁନ୍ଦର ଦିଶିଲା । ତାର ଇଚ୍ଛା ହେଉଥିଲା ଟେକି ଦିଅନ୍ତାକି ସେଇ ଅନାୟ କେଶ ସବୁକୁ । କିନ୍ତୁ କେମିତି ଲାଗି ଲାଗିଲା ।

 

ବାହାରେ ସେମାନଙ୍କ ଅଜାଣତରେ ଆଲୋକ ମଳିନ ପଡ଼ି ଅନ୍ଧକାର ମାଡ଼ି ଯାଇଥିଲା । ସେଇ ମୁହୂର୍ତ୍ତରେ ଟ୍ରେରେ କଫି ଧରି ଘର ଭିତରକୁ ପଶି ଆସିଲା ଚିକୁ, ତା ମାମା, ଆଉ ତାର ଅତିଥି ଅନ୍ଧାରରେ ଏମିତି ଠିଆ ହୋଇ-ଥିବାର ଦେଖି ସୁଇଚ୍ ଅନ୍ କଲା । ସମସ୍ତ ଘରଟି ଆଲୁଅର ପ୍ଲାବନରେ ଉଦ୍‌ଭାସିତ ହୋଇଗଲା । ଅନ୍ଧକାର ଦୂରୀଭୂତ ହେଲା । କିନ୍ତୁ ଏ କ’ଣ ? ଆଶ୍ଚର୍ଯ୍ୟ ହୋଇଗଲା ଚିକୁ । ତା ମାମା ଅତିଥିଙ୍କ ଆଗରେ ଏମିତି ଠିଆ ହୋଇଚନ୍ତି, ତାଙ୍କ ଆଖି ଲୁହ ଛଳଛଳ ?

 

ଚିକୁ ? ଡାକିଲେ ପାର୍ଥ ।

 

ତାଙ୍କ ମୁହଁକୁ ଅନାଇଁ, ପାଖରେ ଯାଇ ଠିଆ ହେଲା ସେ । ଚିକୁକୁ କୋଳରେ ପୁରାଇ ଦୁଇ ହାତରେ ଯାବୋଡ଼ି ଧରି ଆଦର କରି କହିଲେ ।

 

ତୁ ଆମର ଯଶୋଦା ଆଉ ନନ୍ଦଙ୍କର ଶ୍ରୀକୃଷ୍ଣ ।

 

ହଠାତ୍ କିଛି ବୁଝିପାରିବୁନି ଚିକୁ । ତାପରେ ତାର ମାମାର ମୁହିଁକୁ ଅନାଇଁଲା ସେ ।

 

….ଚିକୁନି ? ଡାକିଲା ଅର୍ଚ୍ଚନା

 

କିଛି ଉତ୍ତର ନଦେଇ ମାମାର ମୁହଁକୁ କେବଳ ଚାହିଁ ରହିଲା ସେ ! ଚିକୁର ଅଲରାବାଳସବୁକୁ ସାଉଁଳି ଦେଉ ଦେଉ ଅର୍ଚ୍ଚନା କହିଲା ।

 

ଏଇ ତୋର ବାବା ।

 

କହି ପାର୍ଥଙ୍କ ଆଡ଼କୁ ହାତ ଦେଖାଇ ଦେଇଥିଲା । ଅନେକଦିନ ତଳେ ଥରେ ବାହାରକୁ ଖେଳିବାକୁ ଯାଇଥିଲା ଚିକୁ । ନଖେଳି ଲୁହ ଆଉ କୋହରେ ଭାସିଯାଇ ଘରକୁ ଫେରିଆସି ଅର୍ଚ୍ଚନାକୁ ପଚାରିଥିଲା ଯେ ତାର ବାବା କାହିଁକି ଆସୁନାହାନ୍ତି ! ଲାଲି, ରିଙ୍କୁ, ବବି, ଲହଲି ସମସ୍ତେ କହୁଚନ୍ତି ଯେ ତାର ବାବା ନାହାନ୍ତି । ସେଦିନ ଚିକୁକୁ ଉତ୍ତର ଦେଲାଭଳି ଅର୍ଚ୍ଚନା ନିକଟରେ କୌଣସି ଭାଷା ନଥିଲା । ସେମାନଙ୍କ ସହିତ ଆଉ ଖେଳିବାକୁ ଯିବାକୁ ମନାକରିଥିଲା କେବଳ । ଆଜି କିନ୍ତୁ ଚିକୁକୁ ଉତ୍ତର ଦେବାଭଳି ଉପାଦାନ ସେ ପାଇଚି । ଅର୍ଚ୍ଚନାର କଥା ଶୁଣି ଚିକୁ ପାର୍ଥଙ୍କ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ଗଭୀର ଭାବରେ ନିରିକ୍ଷଣ କରିଗଲା । ଚିକୁର ମୁହକୁ ଚାହିଁ ଅଳ୍ପ ଅଳ୍ପ ହସୁଥିଲେ ପାର୍ଥ । ପାର୍ଥଙ୍କ ମୁହଁକୁ ଚାହିଁ ଦେବାପରେ ଚିକୁର କୋମଳ ପ୍ରାଣରେ ଆନନ୍ଦର ସ୍ରୋତ ବହିଗଲା । ଭାବିଲା, ସାଙ୍ଗସାଥି ଘରକୁ ସେ ଯେତେବେଳେ ବୁଲିଯାଏ, ଅନେକ ଦିନ ଦେଖିଚି ସେମାନଙ୍କ ଘରେ ତାଙ୍କର ବାବାମାନେ ଥାଆନ୍ତି । ସେମାନେ ତାଙ୍କ ବାବାଙ୍କ ପାଖରେ ଗେହ୍ଲା ହୁଅନ୍ତି । ଅଫିସ୍‌ରୁ ଫେରିଲାବେଳେ କେତେ ସବୁ ବଡ଼ିଆ ଜିନିଷ ଆଣିଦିଅନ୍ତି । ସେମାନେ ସବୁ ଦେଖାଇଲା ବେଳେ ଚିକୁକୁ ଭାରି ଖରାପ ଲାଗେ । ସେମାନଙ୍କ ବାବାମାନଙ୍କୁ ଦେଖି ଚିକୁଭାବେ, ଆହା, ତାର ହେଲେ ଏମିତି ବାବା ଥାଆନ୍ତେ । ତା ପାଇଁ ସବୁ ଜିନିଷ ଆଣି ଦିଅନ୍ତେ, ଅବଶ୍ୟ ସବୁ ତା ପାଇଁ ମାମା ଆଣି ଦିଅନ୍ତି । ହେଲେ ବାବାଠାରୁ ଜିନିଷ ପାଇଲେ କେତେ ଖୁସି ଲାଗନ୍ତା । ବାବା ଓ ମାମାର ମଝିରେ ବସି ଅନ୍ୟ ସାଙ୍ଗମାନଙ୍କ ପରି ସେ କାରରେ ବୁଲି ଯାଆନ୍ତା । ମନେ ମନେ ଚିନ୍ତାକଲା ଅବିକଳ ଏମିତି ଫଟୋଟିଏ ତ ସେ ତା ମାମାର ବାକ୍‍ସରେ ଦେଖିଥିଲା ।

 

ଫୁଲେଇ ଲାଲିକୁ ଆଜି ସେ ଠିକ୍ ଜବାବ ଦେଇ ପାରିବ । କ୍ଲାସରଫାଷ୍ଟ୍ ହେବାଦିନେ ମିସ୍‍ମାନେ ତାକୁ ଗେଲ କରିଥିଲେ । କେତେ ପ୍ରାଇଜ୍ ଧରି ଫେରିଲା ବେଳକୁ ଲାଲି କହୁଥିଲା, ଚିକୁର ବାବା ନାହିଁ । ତା ଦେଖି ଅନ୍ୟ ପିଲାମାନେ ତାକୁ ମଧ୍ୟ କହିଥିଲେ, ସେଇ କଥା । କ୍ଲାସରେ ଫାଷ୍ଟ୍ ହୋଇ ପ୍ରାଇଜ୍‌ ପାଇବା ଖୁସି ତାର ମଉଳି ଯାଇଥିଲା । ସେଇଦିନୁ ସେ ଲାଲି ସହିତ କଟି ପକାଇଚି । କଟି ପକାଇଲା ପରେ ଘରକୁ ଆସି ମାମାଙ୍କୁ ପଚାରିଥିଲା, ତାର ବାବା କାହିଁକି ତାଙ୍କ ଘରକୁ ଆସୁନାହାନ୍ତି ବୋଲି । ତା ମାମା କିନ୍ତୁ ଗମ୍ଭୀର ହୋଇଯାଇ ତା ଉପରେ ରାଗିଥିଲେ ।

 

ଆଉ ହରିଦାଦା ତାକୁ କୋଳରେ ପୁରାଇ ଗେଲ କରି ତା ଆଖିରୁ ଲୁହ ପୋଛି ଦେଇଥିଲେ । କହିଥିଲେ, ଯେ ବାଇଆଣୀ ସୁନାମାଆର ବାବା ନିଶ୍ଚୟ ଆସିବେ । ଚିକୁ ପରି ଝିଅକୁ ଛାଡ଼ି କେଉଁ ବାବା କ’ଣ ଦୂରରେ ରହିପାରିବେ ? ଆହା, ହରିଦାଦା କେତେ ଭଲ । ତାଙ୍କ କଥା ସତ ହେଲା । ସମସ୍ତଙ୍କ ପରି ତାର ବାବା ଅଛନ୍ତି । ସବୁଠାରୁ ବେଶି ଭଲ ଲାଗୁଚି ଯେ ଯେଉଁ ସୁନ୍ଦର ମଣିଷଟିକୁ ତାକୁ ଖୁବ୍ ଭଲ ଲାଗୁଚି ସେଇ ତାର ବାବା ବୋଲି ।

 

ଚିକୁର କୋମଳ ଅନ୍ତରରେ ଆନନ୍ଦର ପ୍ଳାବନ ଖେଲିଗଲା । ଆଜି ତାର କେତେ ଖୁସି ହେବାର ଦିନ ଫାଷ୍ଟ୍ ହୋଇଥିଲା । କେତେ ପ୍ରାଇଜ୍ ପାଇଥିଲା, ତାକୁ ଆଜିଭଳି ଖୁସି ଆଉ କେବେ ଲାଗି ନଥିଲା । ଆହୁରି ଖୁସି ଲାଗୁଚି ତା ମାମା ଆଉ ଗମ୍ଭୀର ହେବେନି । ସବୁବେଳେ ହସିବେ । ତାପରେ ଖୁସିରେ ଅତିଶଯ୍ୟ ହୋଇ ପାର୍ଥଙ୍କ ହାତକୁ ଭିଡ଼ି ଧରିଲା । ଆଉ ଡାକିଲା,

 

ବାବା ।

 

ତୁମେ ଆଜି ପର୍ଯ୍ୟନ୍ତ ଆମକୁ ଛାଡ଼ିଦେଇ କେଉଁଠି ଥିଲ । ଆମ କଥା, ମାନେ ମୋ କଥା, ମାମା କଥା, ତୁମର କେମିତି ମନେ ପଡ଼ିନଥିଲା ??

 

ଚିକୁ ଭାବୁଥିଲା ବାଟରେ ଦେଖିଲା ବୋଲି ସିନା ଡାକିଆଣିଲା, ତା ହେଲେ କେମିତି ଜାଣିଥାନ୍ତା । ସେଇ ତାର ବାବା ବୋଲି, ଭାଷାରେ କହିଲା ।

 

ଆମକୁ ଆଉ ଏକୁଟିଆ ଛାଡ଼ି ତୁମେ ଚାଲିଯିବ ନାହିଁ ତ ? ଚିକୁକୁ ଆହୁରି ଗଭୀର ଭାବରେ ଛାତିରେ ଚାପି ଧରିଲେ । ତା କପାଳରେ ସ୍ନେହର ଚୁମ୍ବନ ଦେଇ କହିଲେ ।

 

ନା, ମାଆ, ଆଉ ନୁହେଁ ।

 

ସତ କହୁଚ ? ପ୍ରଶ୍ନ କଲା ଚିକୁ ।

 

ସତ କହିଚି । କହିବା ମାତ୍ରେ ଧାର ଧାର ଲୁହ ତାଙ୍କ ଆଖିରୁ ବୋହିଗଲା । ତାପରେ କହିଲେ,

 

ଅନେକ ଦିନ… । ଅନେକ ମାସ । ଅନେକ ଗୁଡ଼ାଏ ବର୍ଷ । ମାନେ ଗୋଟାଏ ଯୁଗ ପରେ ମୁଁ ତୋର ଆଉ ତୋ ମାମାର ଅଜ୍ଞାତବାସର ସନ୍ଧାନ ପାଇଚି । ଆଉ ତୁମକୁ ଛାଡ଼ି ରହି ପାରିବିନି ।

 

ଯେଉଁଠିକୁ ଯାଏ, ତୁମକୁ ନେଇକରି ଯିବି ।

 

ପାର୍ଥଙ୍କ କଥା ନ ସରୁଣୁ ବାହାରକୁ ଧାଇଁ ଧାଇଁ ପଳାଇଗଲା ଚିକୁ । ତାର ଆଜି ବହୁ ଆନନ୍ଦର ଦିନ । ସେ ତାର ହରିଦାଦା, ମଇନା ମାଉସୀ ଆଉ ସମସ୍ତ ସାଙ୍ଗମାନଙ୍କୁ ଜଣାଇ ଦେବ ସେ ଗତକାଲି ମୁଖ୍ୟ ଅତିଥି ହୋଇ ଯିଏ ତାକୁ ପ୍ରାଇଜ୍‌ ଦେଇଥିଲେ ସେ ତାର ବାବା ବୋଲି । ଏମିତିକି କୌଶିକ୍‌ ଅଙ୍କଲ୍‌ଙ୍କୁ ମଧ୍ୟ, ସେ ଭାରି ଖୁସି ହେବେ । କୌଶିକ୍ ଅଙ୍କଲ୍ କେତେ ଭଲ । କେବେ ସେ ତାକୁ ଚିକୁର ବାବା ନାହଁ ବୋଲି କହିନାହାନ୍ତି ।

 

ଏ ପାଖ ସେପାଖ ଖୋଜି ଆଣିଲା ହରିଦାଦାଙ୍କୁ । ମଇନା ମାଉସୀ ଦିନେ ହାଟରୁ କିଣି ଆଣିଥିଲେ ଗାମୁଛା । ଗାମୁଛା ଉପରେ ଜଗନ୍ନାଥଙ୍କର ମୂର୍ତ୍ତିର ଛାପାଟିଏ ଥିଲା । ତାକୁ ବାହାର କରିଆଣି ଚିକୁ ତା ପଢ଼ାଘର କାନ୍ଥରେ ମାରି ଦେଇଥିଲା । ସେଇ ଫଟୋ ପାଖରେ ଠିଆ ହୋଇ ହରିଚରଣ ଗାଉଥିଲା “ହେ ଆନନ୍ଦମୟ କୋଟି ଭୂବନ ପାଳକ, ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ” । ଯେଉଁ ଭଜନ ପ୍ରତିଦିନ ସନ୍ଧ୍ୟାରେ ଚିକୁ ଗାଏ । ଶୁଣି ଶୁଣି ସେ ମନେ ରଖିଥିଲା ।

 

ପଛଆଡ଼ୁ ହଲାଇ ଦେଇ ଚିକୁ ଡାକିଲା ।

 

ହରିଦାଦା, ହରିଦାଦା l ଆସ, ଶୀଘ୍ର ଆସ ମୋ ସାଥିରେ ।

 

କିରେ କ’ଣ ହେଇଛି ? ଏମିତି କାହଁକି ହେଉଚୁ ??

 

ଆଗେ ଆସିଲ ଆସ ମ ।

 

ବାବା, ମାନେ ମୋ ବାବା ଆସିଛନ୍ତି । ତୁମେ କହିନଥିଲ ହରିଦାଦା ଚିକୁ ମାଆର ବାବା ନିଶ୍ଚୟ ଆସିବେ । ଆସିଚନ୍ତି, ଆସ ଦେଖିବ ।

 

କହି ହରିଚରଣକୁ ଟାଣି ଟାଣି ନେଇଗଲା । ଆଉ ଡ୍ରଇଂରୁମ୍‌ର ବାଟରେ ଠିଆ କରାଇ ଦେଲା ।

 

ସେଇ ଝାପ୍‌ସା ଦୃଷ୍ଟିରେ ଚିହ୍ନି ପାରିଲା ହରିଚରଣ, ଏଇ ସେଇ । ଯେଉଁ ମଣିଷଟି ପାଇଁ ଅନେକ ବର୍ଷ ହେଲା ଦିନରାତି ଝୁରି ଝୁରି ଚିକୁ କାନ୍ଦୁଥିଲା । ଆଉ ସନ୍ୟାସିନୀ ସାଜିଥିଲା ମୁର୍ଖ, ଗାଉଁଲି, ଅଶିକ୍ଷିତ ବୋଲି ସେ କ’ଣ ବୁଝିପାରି ନଥିଲା, ସେ କ’ଣ ପଢ଼ି ପାରି ନଥିଲା ଚିକୁ ମାଆର ମୁହଁକୁ ? ଯେଉଁ ମୁହଁଟି ସଦାସର୍ବଦା ଉଦାସ । ଆଉ ସେଥିପାଇଁ ତ ଦିନରାତି ଚିକୁର ପଢ଼ାଘରେ ଥିବା ‘କାଳିଆର’ ଫଟୋକୁ ଚାହିଁ ଜଣାଉଥିଲା ।

 

‘‘ପ୍ରଭୁ ହେ, କିଛି ମତେ ତୁମେ ଦେଇନ । ସବୁଥିରୁ ବଞ୍ଚିତ କରିଛ ମତେ । ସାରା ଜୀବନଟା କେବଳ ଜଳିଜଳି ସରିଯିବ । ସେତିକି ମୋର ଦୁଃଖ ନାହିଁ । କିନ୍ତୁ ମୋ ଚିକୁ ମା ଯିଏ ସମସ୍ତଙ୍କ ଦୁଃଖରେ ଦୁଃଖି, ତାର ଦୁଃଖ ଦୂର କରିଦିଅ” ।

 

ଆଜି ତାର ଡାକ ଠାକୁରେ ଶୁଣିଚନ୍ତି । ତାର ଶୂନ୍ୟ ଜୀବନ ଭରିଯିବ । ଆଉ ହରିଚରଣର ଆଜି କେତେ ଆନନ୍ଦର ଦିନ, କି ଯୋଗରେ ଆଜି ରାତି ପାହିଥିଲା ? କାହା ମୁହଁ ଚାହିଁ ସେ ଉଠିଥିଲା ।

 

ନିଜ କାନ୍ଧରେ ପକାଇଥିବା ଗାମୁଛାଟିରେ ଆଖିରୁ ଝରି ଆସୁଥିବା ଆନନ୍ଦର ଲୁହକୁ ପୋଛି ପୋଛି ଚାଲି ଆସିଲା ହରିଚରଣ ।

 

ପାର୍ଥ ଚାହିଁଲେ ଅର୍ଚ୍ଚନା ମୁହଁକୁ ଯୌବନର ଶେଷ ପ୍ରାନ୍ତରେ ଅର୍ଚ୍ଚନା ଯଦିଓ ପହଞ୍ଚି ଯିବାକୁ ବସିଚି ତଥାପି ଆଶ୍ଚର୍ଯ୍ୟ ସୁନ୍ଦର ଶ୍ରୀରେ ଉଦ୍‌ଭାସିତ ତାର ମୁଖମଣ୍ଡଳ । ଜୀବନରେ ସବୁକିଛି ପାଇ ଆନନ୍ଦରେ ଝଲମଲ କଲାପରି ତୃପ୍ତିର ଆଲୋକ ପରିଷ୍କାର ଭାବରେ ଫୁଟି ଉଠିଛି ତାର ମୁହଁଟିରେ । ସେ ମୁହଁରେ ଶୂନ୍ୟତାର କୌଣସି ଚିହ୍ନ ନାହିଁ । ତାପରେ କହିଲେ ।

 

ଜାଣିଚ ଚିକୁ ? ଶରୀର ଅସୁସ୍ଥତା ଯୋଗୁ ମୁଁ ଯଦି ବୋଉଙ୍କ କଥାମାନି କୌଶିକ୍‌କୁ ଫେରାଇ ଦେଇଥାନ୍ତି ତେବେ ଆଜି କେତେ ବଡ଼ ସଂପଦରୁ ମତେ ବଞ୍ଚିତ ହେବାକୁ ପଡ଼ିଥାନ୍ତା । ଜୀବନରେ ହୁଏତ ଆଉ କୌଣସି ଦିନ ତୁମମାନଙ୍କର ସନ୍ଧାନ ପାଇ ପାରି ନଥାନ୍ତି, ଏକକ, ନିସଙ୍ଗ ନକ୍ଷତ୍ର ଭଳି ଏଇ ପୃଥିବୀରୁ ମୁଁ ହଜିଯାଇଥାନ୍ତି । ମୋର ତ୍ୟାଗ, ନିରବପ୍ରେମ, ଚରିତ୍ରବତ୍ତ ସବୁକଛି ମୂଲ୍ୟହୀନ ହୋଇ ଯାଇଥାନ୍ତା । ସବୁଦିନ ପାଇଁ ତୁମ ଆଖିରେ ମୁଁ ‘କଳଜ୍ଞତ ନାୟକ’ ହୋଇ ରହିଯାଇଥାନ୍ତି ।

 

ପାର୍ଥଙ୍କ କଥା ନସରୁଣୁ ଅର୍ଚ୍ଚନା ଲଜ୍ଜିତ ହୋଇ କହିଲା,

 

ଶତ ସୂର୍ଯ୍ୟର ଦିପ୍ତିରେ ଯାହାର ଚରିତ୍ର ଗଢ଼ା ସେ କ’ଣ କେବେ କଳଙ୍କିତ ହୋଇପାରେ-?

 

ଜୀବନର ଅନେକ ଶୂନ୍ୟତା ପରେ ଦୁଇଟି ବିରହୀ ପ୍ରାଣରେ ବାଜୁଥିବା କୋମଳ ନିଷାଦ ପରିବର୍ତ୍ତେ ମିଳନର ଆଶାବରୀ ରାଗ ଦୁହିଁଙ୍କ ମନର ବଂଶୀରେ ଏକ ସ୍ଵର, ଲହରୀର ମୂର୍ଚ୍ଚନାରେ ମୂର୍ଚ୍ଛିତ ଆଉ ମନ୍ଦ୍ରିତ ହୋଇଉଠିଲା । ଦୁଇଜଣଙ୍କର ମନମରୁଭୂମୀରେ ଶ୍ୟାମଳ ବର୍ଣ୍ଣର ନବ ଦୁର୍ବାବଳ ଛାଇ ହୋଇଗଲା ।

Image